Unknown

 

 

 

 

 

 

 

 

 

୧୦୩ତମ ସଂଖ୍ୟା କୋଣାର୍କ ୧୯୯୭

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀ ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସୌଜନ୍ୟ ସଂପାଦକ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ସଂପାଦକ

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ସଭାପତି

ଶ୍ରୀ କିଶୋରୀ ଚରଣ ଦାସ

 

ସଚିବ

ଡକ୍ଟର ହରପ୍ରସାଦ ପରିଛାପଟନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

ଫୋନ୍‍-୪୩୧୮୪୦

 

ପ୍ରଚ୍ଛଦ : କାଶୀନାଥ ଜେନା

 

ମୁଦ୍ରାକର – ଏକ୍ସପ୍ରେସନ, କଟକ

ଫୋନ-୬୦୩୩୩୮

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ।

ପ୍ରକାଶିତ ସାମଗ୍ରୀର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ

ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁମତି ସାପେକ୍ଷ ।

ରଚନା ଗୁଡ଼ିକରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

ଫକୀରମୋହନ ପ୍ରାୟଶ୍ଚିତ

ଉପନ୍ୟାସରେ ନାରୀ.

ଶ୍ରୀ ପ୍ରସନ୍ନ କୁମାର ମହାନ୍ତି

୨.

ଅଣାକାର ଅଣରୂପେ ପ୍ରକାଶ.

ଡକ୍ଟର ତୀର୍ଥାନନ୍ଦ ମିଶ୍ର

୩.

ଗଙ୍ଗାଧରଙ୍କ ଆଦର୍ଶବାଦ.

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

୪.

ଯୋଗଜନ୍ମା ପଣ୍ଡିତ ଗୋପୀନାଥ ନନ୍ଦ.

ଡକ୍ଟର ବେଣୀମାଧବ ପାଢ଼ୀ

୫.

ଗୋପବନ୍ଧୁଙ୍କ ସାନ୍ଧ୍ୟ ଅନୁଚିନ୍ତା.

ଡକ୍ଟର ଚିନ୍ମୟୀ ମହାପାତ୍ର

୬.

ଗୋଦାବରୀଶଙ୍କ ଆତ୍ମଜୀବନୀ

ଚରିତ ଏକ ଅଧ୍ୟୟନ.

ଡକ୍ଟର ପ୍ରମୋଦ କୁମାର ବେହେରା

୭.

ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ

ତିନୋଟି ବିସ୍ମୃତ ଉପନ୍ୟାସ.

ଡକ୍ଟର ଇନ୍ଦୁ ମିଶ୍ର

୮.

କାଳିନ୍ଦୀ କାବ୍ୟଚେତନା.

ଡକ୍ଟର ହରେକୃଷ୍ଣ ପାତ୍ର

୯.

ଜାତୀୟ ଚେଚନାର ଭିତ୍ତିଭୂମିରେ

ରଚିତ ସୁରେନ୍ଦ୍ର ମହାନ୍ତିଙ୍କ

ଉପନ୍ୟାସର କଳାତ୍ମକ ଦିଗ.

ଡକ୍ଟର ମନ୍ମଥ ନାୟକ

୧୦.

ପ୍ରବନ୍ଧ ପତ୍ରିକା କୋଣାର୍କ.

ଶ୍ରୀ ଚିତ୍ତରଞ୍ଜନ ଦାସ

୧୧.

ଏକାଡେମୀ ସମାଚାର

 

 

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ଚାରିଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୧୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦/- ରହିବ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍ସ କିମ୍ୱା କାର୍ବନ କପି ପଠାଇବେ ନାହିଁ । ଫୁଲସ୍କେପ ଅଧାକାଗଜର ଏକ ଚତୁର୍ଥାଂଶ ହାସିୟା ରହିଥିବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

ସଂପାଦକୀୟ

 

କୋଣାର୍କର ଏହି ସଂଖ୍ୟାଟି ବିବିଧ ପ୍ରସଙ୍ଗର ସମାହାର । ବିବିଧ ପ୍ରସଙ୍ଗ ବୋଲି କହୁଥିଲେ ହେଁ ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ଗୋଟାଏ ଧାରା ଓ ଉଦ୍ଦେଶ୍ୟ ନେଇ ରଚିତ । ପ୍ରତ୍ୟେକ କାଳର ସାରସ୍ଵତ ପୁରୁଷମାନେ ଅତୀତର ମୂଳଆଧାର ଭପଲବ୍ଧି ନେଇ ଅପାଣାର ସମକାଳୀନ ମଞ୍ଚରେ ଯାହା ଉଚ୍ଚାରିତ କରି ଯାଇଥା’ନ୍ତି ତାହା ଆଗାମୀ କାଳପାଇଁ । ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରତିବଦ୍ଧତା ଓ ବାର୍ତ୍ତାଥାଏ । ଏହା କାଳକ୍ରମେ ଆଲୋଚନା ପ୍ରତିଆଲୋଚନା ମାଧ୍ୟମରେ ଘସିମାଜି ହୋଇ ପ୍ରଭାସିତ ହୋଇଥାଏ, ସ୍ମରଣୀୟ ଓ ଅନୁକରଣୀୟ ହୋଇଥାଏ । ତେଣୁ ସେହି ଦେବୋପମ ଋଷିପ୍ରତିମ ସାରସ୍ଵତ ତପସ୍ଵୀମାନେ ଆଗାମୀ କାଳପ୍ରତି ଆସ୍ଥାବନ୍ତ ହୋଇଥାନ୍ତି । ସେହି ଦମ୍ଭରେ ଘୋଷଣା କରନ୍ତି ।

 

ଯେନାମ କେଚିଦିହ ନଃ ପ୍ରଥୟନ୍ତ୍ୟବଜ୍ଞାଂ

ଜାନନ୍ତୁତେ କିମପିତାନ୍‌ ପ୍ରତିନୈଷଯତ୍ନଃ

ଭତ୍‌ପତ୍ସ୍ୟତେଽସ୍ତି ମମକୋଽପି ସମାନଧର୍ମା

କାଳୋହ୍ୟୟଂ ନିରବଧି ବିପୁଳାଚ ପୃଥ୍ୱୀଃ ।

ଭବଭୂତି

 

ସେମାନଙ୍କ ନିକଟରେ ଆପଣାର ରଚନା ପ୍ରକିୟା ଯେଉଁଭଳି ପ୍ରିୟ- ସେଭଳି ସେମାନେ ଆପଣାର ଅନୁଜ ରଚନାକାରଙ୍କ ପ୍ରତି ସ୍ନେହଶୀଳ ଓ ଆଗାମୀ କାଳପାଇଁ ଆସ୍ଥାବନ୍ତ । ମୂଳତଃ ଏହି ତିନୋଟି ଗୁଣ ନଥିଲେ ସାରସ୍ୱତ ସର୍ଜନା ସାର୍ଥକ ହେବ ନାହିଁ, ଅନୁପ୍ରେରିତ ହୋଇ ଏକ ସ୍ନେହୀସମାଜ, ସମର୍ଥ ସୁଯୋଗ୍ୟ ଦାୟାଦଙ୍କର ଆବିର୍ଭାବ ହେବ ନାହିଁ ଏବଂ ଆଗାମୀ କାଳ ମଧ୍ୟ ଉପେକ୍ଷା କରିବାକୁ କୁଣ୍ଠା କରିବ ନାଇଁ । ମନେକରାଯାଉ ଆମର ସମକାଳୀନ ଅର୍ଥାତ୍‌ ବିଂଶଶତାବ୍ଦୀରେ ପ୍ରତିଷ୍ଠିତ କବି, ଲେଖକମଣ୍ଡଳୀ ଆପଣାର ସାରସ୍ଵତ ସର୍ଜନା କର୍ମରେ ବୁଡ଼ି ରହିଥିବେ । ଆପଣା ଘେରରୁ ମୁକୁଳି ଆସି ଆପଣାର ଅନୁଜ ସମୁଦାୟ ପ୍ରତି ସ୍ନେହଶୀଳ ଓ ଉଦାର ହେବାକୁ ମନକରିବେ ନାଇଁ ତା ହେଲେ ହୁଏତ ଏକବିଂଶ ଶତାବ୍ଦୀ ବେଳକୁ ସେମାନଙ୍କୁ ସ୍ମରଣ କରିବାକୁ କେହି ନଥିବେ ଏବଂ ହୁଏତ ସେତେବେଳେ ସେମାନଙ୍କର ସ୍ୱର୍ଗତ ଆତ୍ମାମାନେ ଜଗତରୁ ଆଣ୍ଠୁକୁଡ଼ା ହୋଇ ବାହୁଡ଼ି ଆସିବାକୁ ହେଲା ବୋଲି ଦୁଃଖ କରିବେ ନାଇଁ ।

 

କୋଣାର୍କର ଏହି ସଂଖ୍ୟାଟି ଅତୀତରେ ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତି ସୁଦୃଢ଼ କରିଥିବା, ଜୀବନ ଓ ଜଗତକୁ ଭଲ ପାଇଥିବା ମନୀଷୀମାନଙ୍କର କୃତିତ୍ୱ ଓ ବ୍ୟକ୍ତିତ୍ୱର ଆଲୋଚନାର ସମାହାର । ସେମାନେ ସ୍ଥୂଳ ଦେହରେ ଆମ ପାଖରେ ବିଦ୍ୟମାନ ହୋଇ ନାହାନ୍ତି ଅଥଚ ଆତ୍ମାରେ, ଚେତନତାରେ ମୃତ୍ୟୁଂଜୟୀ ହୋଇ ରହିଛନ୍ତି ।.....

 

ସେମାନଙ୍କ ପ୍ରତିଭା ଓ ସ୍ନେହଶୀଳ ବ୍ୟକ୍ତିତ୍ଵ ପ୍ରତି ଶତକୋଟି ପ୍ରଣାମ....

 

ଶ୍ରୀନିବାସ ଉଦ୍‌ଗାତା

 

***

 

ଫକୀରମୋହନ ସେନାପତିଙ୍କ ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସରେ ନାରୀ

ଡକ୍ଟର ପ୍ରସନ୍ନ କୁମାର ମହାନ୍ତି

 

ଓଡ଼ିଆ କଥାସାହିତ୍ୟର ଜନକ ଫକୀରମୋହନ ସେନାପତି ଊନବିଂଶ ଶତାବ୍ଦୀର ଅନ୍ତିମ ପାଦରେ ଆବିର୍ଭୂତ ଏକ ସାରସ୍ଵତ ଵିସ୍ମୟ । ୧୮୬୮ ଖ୍ରୀଷ୍ଟାବ୍ଦରେ ରଚିତ ‘ଲଚ୍ଛମନିଆ’ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ହେଉ ଅଥବା ୧୮୯୮ରେ ରଚିତ ‘ରେବତୀ’ ହେଉ - ଏହାର ସ୍ରଷ୍ଟା ଫକୀରମୋହନ । ତାଙ୍କର ପ୍ରଥମ ଉପନ୍ୟାସ ‘ଛ’ ମାଣ ଆଠଗୁଣ୍ଠ’ ୧୮୯୭ରୁ ୧୮୯୯ ମଧ୍ୟରେ ପ୍ରକାଶ ପାଇଲାବେଳକୁ ଉମେଶଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’ (୧୮୮୮) ଏବଂ ରାମଶଙ୍କର ରାୟଙ୍କର ‘ବିବାସିନୀ’ (୧୮୯୨) ତଥା ଅସଂପୂର୍ଣ୍ଣ ‘ସୌଦାମିନୀ’ ପରି ମାତ୍ର ୨/୩ଟି ଉପନ୍ୟାସ ପ୍ରକାଶ ପାଇଥାଏ । ସେତେବେଳେ ଗଳ୍ପ ଓ ଉପନ୍ୟାସ ପରି ସାହିତ୍ୟିକ ବିଭାଗ ଓଡ଼ିଆସାହିତ୍ୟ ପକ୍ଷରେ ଥିଲା ସଂପୂର୍ଣ୍ଣ ନୂତନ । ଏପରିକି ଖ୍ରୀଷ୍ଟିଆନ୍‌ ମିଶନାରିମାନଙ୍କ ହାତରୁ ଆସି ଓଡ଼ିଆଗଦ୍ୟର ପ୍ରକୃତ ବିକାଶ ସେଇମାତ୍ର ଆରମ୍ଭ ହୋଇଥାଏ । ଅଥଚ ଗୋଟିଏ ଭାଷାରେ ଗଦ୍ୟପରି ଏକ ନୂତନ ରଚନାରୀତି ତଥା କଥା-ସାହିତ୍ୟ ପରି ଏକ ନୂତନ ସାହିତ୍ୟିକ ବିଭାଗର ଉନ୍ମେଷ କାଳରେ ଫକୀରମୋହନ ଯେଉଁ ଭାଷାଶୈଳୀର ପ୍ରତିଷ୍ଠା କରିଗଲେ ତାହା ଶହେବର୍ଷ ପରେ ଆଜି ମଧ୍ୟ ସବୁଠୁ ପ୍ରଭାବଶାଳୀ ଓ କଳାତ୍ମକ ଗଦ୍ୟଶୈଳୀ ରୂପେ ସ୍ଵୀକୃତ ହେଉଛି ।

 

ଫକୀରମୋହନଙ୍କ ସମସାମୟିକ ସାହିତ୍ୟିକ ରାଧାନାଥ ରାୟ ଓ ମଧୁସୂଦନ ରାଓଙ୍କର ଓଡ଼ିଆଗଦ୍ୟ ସଂସ୍କୃତ ପ୍ରଭାବିତ ତତ୍ସମଶବ୍ଦ ବହୁଳତା ନେଇ ଏକ କୃତ୍ରିମ ତଥା କଠୋର ଆଂଶିକକୁ ପରିଗ୍ରହଣ କରିଥିଲାବେଳେ ପ୍ରାକୃତ ଓଡ଼ିଆର ସମସ୍ତ ମୌଳିକ ରସ ଓ ନିର୍ଯ୍ୟାସ ନେଇ ଫକୀରମୋହନଙ୍କ ଗଦ୍ୟ ଏକ ଅପୂର୍ବ କମନୀୟ ସୌନ୍ଦର୍ଯ୍ୟ ଆମକୁ ଉପହାର ଦେଇଥିଲା । ସଂସ୍କୃତ ଭାଷା ଓ ସାହିତ୍ୟରେ ସୁପଣ୍ଡିତ ଫକୀରମୋହନ ଚାହିଁଥିଲେ ସମସାମୟିକ ଲେଖକମାନଙ୍କ ପରି ସଂସ୍କୃତ ଗଦ୍ୟଶୈଳୀକୁ ଗ୍ରହଣ କରି ପାରିଥା’ନ୍ତେ; ମାତ୍ର ତାଙ୍କର ବାଙ୍‌ମୟ ପ୍ରତିଭା ଓଡ଼ିଆ ଗଦ୍ୟଭାଷାର ଅସଲ ଆତ୍ମାକୁ ଆବିଷ୍କାର କରି ତା’ର ପ୍ରତୁଳ ସାମର୍ଥ୍ୟ ଆମକୁ ଦେଖାଇଗଲା ।

 

ଫକୀରମୋହନଙ୍କ ଗଳ୍ପ ଓ ଉପନ୍ୟାସ ମାନଙ୍କରେ ଉଭୟ ନାରୀ ଓ ପୁରୁଷ ଚରିତ୍ରର ସଫଳ ରୂପାୟନ ଦେଖିବାକୁ ମିଳେ । ଫକୀରମୋହନ-ସାହିତ୍ୟର ଦୁଇଟି ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସମାଜସଚେତନତା ଓ ହାସ୍ୟରସ । ଓଡ଼ିଆ ଗଦ୍ୟଭାଷାର ଲାଳିତ୍ୟମୟ ନବାୟନକୁ ଛାଡ଼ିଦେଲେ ଏଇଦୁଇଟି ହିଁ ତାଙ୍କ ସାହିତ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ । ବିଶେଷକରି ତାଙ୍କର ଗଳ୍ପଗୁଡ଼ିକରୁ ତତ୍କାଳୀନ ସମାଜର ନାନା ପ୍ରକାର କୁସଂସ୍କାର, ଅନ୍ଧବିଶ୍ୱାସ, ନାନାପରିତ୍ୟଜ୍ୟ କ୍ଷତିକାରକ ପ୍ରଥା - ପରମ୍ପରାକୁ ଉଚ୍ଛେଦ କରିବାର ଉଦ୍ଦେଶ୍ୟଟି ସହଜରେ ବାରି ହୋଇଯାଏ ଏବଂ ଏହି ସାମାଜିକ ବାର୍ତ୍ତା ଓ ପ୍ରତିବଦ୍ଧତାଟି ଆଡ଼କୁ ପାଠକକୁ ନିବିଡ଼ ଭାବେ ଆକର୍ଷିତ କରିବା ପାଇଁ ସେ ଉଚ୍ଚକୋଟୀର ହାସ୍ୟରସ, ବ୍ୟଙ୍ଗ ଓ ଶ୍ଳେଷର ଆଶ୍ରୟ ନେଇଛନ୍ତି । ନିଜ ଉପନ୍ୟାସ ଗୁଡ଼ିକରେ ଫକୀରମୋହନ ବିଭିନ୍ନ ଚରିତ୍ରମାଧ୍ୟମରେ ମଣିଷର ଚିନ୍ତା, ଚେତନା, ସ୍ଵଭାବ ଓ ପ୍ରବୃତ୍ତିର ନାନା ବାସ୍ତବ ତଥା ସମ୍ଭାବ୍ୟ ଦିଗ ଉପରେ ଆଲୋକପାତ କରିଛନ୍ତି ।

 

ଫକୀରମୋହନଙ୍କର ଚାରୋଟି ଉପନ୍ୟାସ ମଧ୍ୟରୁ ବିଷୟବସ୍ତୁ ବିଚାରରେ ‘‘ଛ’ ମାଣ ଆଠଗୁଣ୍ଠ’’, ‘‘ମାମୁ’’ ଓ ‘‘ପ୍ରାୟଶ୍ଚିତ୍ତ’’ ସାମାଜିକ ଉପନ୍ୟାସ ହୋଇଥିଲା ବେଳେ ‘‘ଲଛମା” ଏକ ଐତିହାସିକ ଉପନ୍ୟାସ । ରଚନାକାଳ ଦୃଷ୍ଟିରୁ ୧୯୧୫ ଖ୍ରୀଷ୍ଟାବ୍ଦରେ ରଚିତ ‘‘ପାୟଶ୍ଚିତ୍ତ’’ ଲେଖକଙ୍କର ସର୍ବଶେଷ ଉପନ୍ୟାସ । ଫକୀର ମୋହନଙ୍କ ଉପନ୍ୟାସଗୁଡ଼ିକ ମଧ୍ୟରେ ତୁଳନାତ୍ମକ ଭାବେ ‘ପ୍ରାୟଶ୍ଚିତ୍ତ’ ଅଳ୍ପ ଚର୍ଚ୍ଚିତ ହୋଇଥିଲେ ହେଁ ଗୋଟିଏ ଦୃଷ୍ଟିରୁ ଏହା ଅନନ୍ୟ । ତାହା ହେଉଛି, ବିଷୟବସ୍ତୁ ଦୃଷ୍ଟିରୁ ତାଙ୍କର ଚାରୋଟିଯାକ ଉପନ୍ୟାସର ନାମକରଣ ହୁଏତ ‘ପ୍ରାୟଶ୍ଚିତ୍ତ’ ରଖାଯାଇ ପାରିଥାନ୍ତା ! କାରଣ ଚାରୋଟି ଯାକ ଉପନ୍ୟାସରେ ଅନ୍ୟାନ୍ୟ ଘଟଣା ସହ ବିଭିନ୍ନ ଚରିତ୍ରର ସ୍ଖଳନ ଓ ଅପରାଧ ସହିତ ସେମାନଙ୍କର ଭିନ୍ନ ଭିନ୍ନ ପ୍ରାୟଶ୍ଚିତ୍ତର ମାର୍ଗ ଲେଖକ ଦେଖାଇ ଦେଇଛନ୍ତି ।

 

‘ପ୍ରାୟଶ୍ଚିତ୍ତ’ ଏକ ସମସ୍ୟା ପ୍ରଧାନ ସାମାଜିକ ଉପନ୍ୟାସ । ତେଣୁ ଏଥିରେ ସରଳ (Flat) ଚରିତ୍ର ଅପେକ୍ଷା ବର୍ତ୍ତୁଳ (Round) ଚରିତ୍ର ଅଧିକ ଦେଖାଯାଏ । ବୈଷ୍ଣବ ଚରଣ, ସଂକର୍ଷଣ, କୁଅଁର ଗୋବିନ୍ଦଚନ୍ଦ୍ର ପ୍ରଭୃତି ପୁରୁଷ ଚରିତ୍ରଗୁଡ଼ିକ ଏହି ଦ୍ୱିତୀୟ ଶ୍ରେଣୀର ଚରିତ୍ର । ମାତ୍ର ଶ୍ରୀହରିପ୍ରିୟା, ଇନ୍ଦୁମତୀ, ମରୁଆ ପ୍ରଭୃତି ନାରୀ ଚରିତ୍ରଗୁଡ଼ିକ ସରଳ ଚରିତ୍ର । ଶେଷ ପର୍ଯ୍ୟନ୍ତ ଏହି ଚରିତ୍ରଗୁଡ଼ିକ ଅପରିବର୍ତ୍ତିତ ରହିଛନ୍ତି । ନାନା ନିର୍ମମ ଦୁଃଖ ଆଘାତ ସହ୍ୟ କରିବା ହୋଇଛି ଏମାନଙ୍କର ଅଦୃଷ୍ଟ ନିୟତି । ତୀବ୍ର ଅନ୍ତର୍ଦ୍ୱନ୍ଦ୍ୱରେ ସନ୍ତୁଳିତ ହେବାରୁ ଏମାନଙ୍କର ମୁକ୍ତି ନାହିଁ । ବସ୍ତୁତଃ, ବୈଷ୍ଣବ ପଟ୍ଟନାୟକ, ସଂର୍କଷଣ ମହାନ୍ତି, ଗୋବିନ୍ଦ୍ରଚନ୍ଦ୍ର, ଇନ୍ଦୁମତୀ ପ୍ରଭୃତି ଚରିତ୍ରଗୁଡ଼ିକର ଅନ୍ତର୍ଦ୍ୱନ୍ଦ୍ୱର ପରିପ୍ରକାଶ ହିଁ ଉପନ୍ୟାସଟିର କଥାବସ୍ତୁକୁ ବେଶ୍‌ ଗତିଶୀଳ କରି ରଖିବାସହ ଉପନ୍ୟାସର କଳାତ୍ମକତାକୁ ସାଫଲ୍ୟମଣ୍ଡିତ କରିପାରିଛି ।

 

ଅସୁରେଶ୍ଵର ପ୍ରଗଣାର ଦଶଗ୍ରାମର ଜମିଦାର ବୈଷ୍ଣବଚରଣ ପଟ୍ଟନାୟକ, ବିଦ୍ୟାଧର ମହାପାତ୍ର ଏବଂ ନିକଟବର୍ତ୍ତୀ ସମସରପୁରର ଜମିଦାର ସଙ୍କର୍ଷଣ ମହାନ୍ତି - ଏହି ଦୁଇ ପରିବାରର କାହାଣୀକୁ ନେଇ ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସର କଥାବସ୍ତୁ କଳ୍ପିତ । ଦଶଗ୍ରାମ ଜମିଦାର ବୈଷ୍ଣବଚରଣ ଶ୍ରୀକରଣ ଗୋଷ୍ଠୀର କରଣ । ଶ୍ରୀକରଣମାନେ ହେଉଛନ୍ତି ଶ୍ରେଷ୍ଠ ଜାତିର କରଣ । ମାତ୍ର ସମସରପୁର ଜମିଦାର ସଂକର୍ଷଣ ମହାନ୍ତି ଶ୍ରୀକରଣ ହେଲେ ସୁଦ୍ଧା ବହୁବର୍ଷ ତଳେ ସେମାନଙ୍କ ସଂପ୍ରଦାୟ ଅର୍ଥ ବଦଳରେ ନିମ୍ନଜାତିର ଏକ ଗୋଲାମ ମହାନ୍ତିକୁ ଆପଣା ସଂପ୍ରଦାୟରେ ଗ୍ରହଣ କରି ନେଇଥିଲେ ବୋଲି ଦଶଗ୍ରାମର ଶ୍ରୀକରଣ ସଂପ୍ରଦାୟର ଲୋକେ ସମସରପୁର କରଣମାନଙ୍କୁ ଗୋଲାମ ମହାନ୍ତି ବା କୃଷ୍ଣପକ୍ଷିୟା ମହାନ୍ତି ବୋଲି କହି ନିମ୍ନ ଦୃଷ୍ଟିରେ ଦେଖନ୍ତି । ବୈଷ୍ଣବଚରଣ ଓ ସଂକର୍ଷଣ ପରସ୍ପର ପ୍ରଚଣ୍ଡ ବିରୋଧୀ ଭାବେ କାଳାତିପାତ କରନ୍ତି । ମାତ୍ର ଘଟଣାକ୍ରମେ ବୈଷ୍ଣବଚରଣଙ୍କ ଏକମାତ୍ର ପୁତ୍ର କୁଅଁର ଗୋବିନ୍ଦଚନ୍ଦ୍ରଙ୍କ ସହ ସଂକର୍ଷଣଙ୍କ ଏକମାତ୍ର କନ୍ୟା ଇନ୍ଦୁମତୀର ବିବାହ ହୁଏ । ବୈଷ୍ଣବଙ୍କ ଆଶ୍ରୟରେ ପୁତ୍ରବତ୍‌ ଲାଳିତ ସଦାନନ୍ଦର ଅର୍ଥଲାଳସା ଓ ଷଡ଼ଯନ୍ତ୍ର ଯୋଗୁଁ କୁଅଁର ଗୋବିନ୍ଦଚନ୍ଦ୍ରଙ୍କୁ ଡକାୟତ ମନେକରି ଶ୍ଵଶୁରାଳୟର ପାଇକ ପରିଚାରକ ଆଦି ପ୍ରଚଣ୍ଡ ପ୍ରହାର କରନ୍ତି । ସଂକଟଜନକ ଅବସ୍ଥାରେ ଗୋବିନ୍ଦଚନ୍ଦ୍ର କଟକରେ ଚିକିତ୍ସିତ ହେଉଥିବା ସମୟରେ ଦୁଇଟିଯାକ ପରିବାର ଉପରକୁ ଗୋଟିଏ ପରେ ଗୋଟିଏ ବିପତ୍ତି ଘନେଇ ଆସେ । ଗୋବିନ୍ଦଚନ୍ଦ୍ରଙ୍କ ମାତାଙ୍କର ଦେହାନ୍ତ ହୁଏ; ଏଣେ ପତ୍ନୀ ଇନ୍ଦୁମତୀ ଆତ୍ମହତ୍ୟା କରି ବସନ୍ତି-। ଶେଷରେ ଦୁଇ ଜମିଦାର, ଗୋବିନ୍ଦ ଚନ୍ଦ୍ର, ତାଙ୍କର ବିଶ୍ଵସ୍ତ ଭୃତ୍ୟ ସଇତା ଓ ସଦାନନ୍ଦ-ଏମାନେ ସମସ୍ତେ ନିଜକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଅପରାଧୀ ମନେକରି ପ୍ରାୟଶ୍ଚିତ୍ତ ଲାଗି ସଂସାରତ୍ୟାଗୀ ବୈରାଗୀ ସନ୍ନ୍ୟାସୀଭାବେ ବୃନ୍ଦାବନ ଧାମରେ ପହଞ୍ଚନ୍ତି । ଘଟଣାକ୍ରମେ ସେଠାରେ ସମସ୍ତଙ୍କର ସାକ୍ଷାତ ମଧ୍ୟ ହୁଏ । ପରିଶେଷରେ ଦୁଇ ପିତାଙ୍କର ପରାମର୍ଶ ଓ ଅନୁରୋଧରେ ଗୋବିନ୍ଦଚନ୍ଦ୍ର ଭୃତ୍ୟ ସଇତା ସହ ଗ୍ରାମକୁ ଫେରିଆସି ଦୁଇ ବିଶାଳ ଜମିଦାରୀର ଦାୟିତ୍ୱ ବହନ କରନ୍ତି ଏବଂ ନାନା ଦାନଧର୍ମ କରି ଆଦର୍ଶ ଜମିଦାର ଭାବେ କାଳାତିପାତ କରନ୍ତି । ସଂକ୍ଷେପରେ ଏହାହିଁ ‘ପ୍ରାୟଶ୍ଚିତ’ ଉପନ୍ୟାସର ବିଷୟବସ୍ତୁ ।

 

ଚରିତ୍ର ଚିତ୍ରଣ ଦୃଷ୍ଟିରୁ ବିଚାର କଲେ ‘ପ୍ରାୟଶ୍ଚିତ୍ତ’ ଏକ ନାରୀଚରିତ୍ର ପ୍ରଧାନ ଉପନ୍ୟାସ । ଜମିଦାର ବୈଷ୍ଣବ ପଟ୍ଟନାୟକଙ୍କ ପତ୍ନୀ ସାନ୍ତାଣୀ ଶ୍ରୀହରିପ୍ରିୟା, ଜମିଦାର ସଂକର୍ଷଣ ମହାନ୍ତିଙ୍କ କନ୍ୟା ଇନ୍ଦୁମତୀ ଏବଂ ଇନ୍ଦୁମତୀର ପ୍ରିୟ ସଖୀ ମରୁଆ-ଏହି ତିନୋଟି ନାରୀ ଚରିତ୍ର ଫକୀର ମୋହନ ସବୁଠୁ ବେଶୀ ଯତ୍ନର ସହ ଅତ୍ୟନ୍ତ ବଳିଷ୍ଠ ଓ ପ୍ରଭାବଶାଳୀ ଭାବରେ ଚିତ୍ରଣ କରିଛନ୍ତି । ଉପନ୍ୟାସର ଏହି ତିନୋଟି ଚରିତ୍ର ଅନ୍ୟାନ୍ୟ ସମସ୍ତ ଚରିତ୍ରଠାରୁ ଅଧିକ ପ୍ରଭାବଶାଳୀ । ଏହି ଚରିତ୍ର ତିନୋଟି ଏପରି ଆଦର୍ଶ ଚରିତ୍ର, ଯେଉଁଗୁଡ଼ିକର ମହାନତା ବାସ୍ତବତା ସହ ସମନ୍ୱିତ ହୋଇ ଅତ୍ୟନ୍ତ ମହାନ୍‌ ଓ ବିରଳ ଚରିତ୍ର ଭାବେ ପାଠକ ସମ୍ମୁଖରେ ଉଭା ହୁଅନ୍ତି । ଫକୀରମୋହନଙ୍କ ଉପନ୍ୟାସ ମାନଙ୍କରେ ଗୌଣଚରିତ୍ରଗୁଡ଼ିକ ଅଧିକ ଆକର୍ଷଣୀୟ । ‘ପ୍ରାୟଶ୍ଚିତ୍ତ’ର ନାରୀଚରିତ୍ର ସମୂହ ମଧ୍ୟରେ ‘ମରୁଆ’ ଏବଂ ପୁରୁଷଚରିତ୍ର ମଧରେ ‘ସଇତା’ ଏଇଭଳି ଦୁଇଟି ଅତି ସ୍ମରଣୀୟ ଗୌଣ ଚରିତ୍ର । ‘ଛ’, ମାଣ ଆଠଗୁଣ୍ଠ’ର ଚମ୍ପା କିମ୍ବା ‘ମାମୁଁ’ର ଚନ୍ଦ୍ରକଳା ପରି ଖଳନାୟିକା ଚରିତ୍ର ଏହି ଉପନ୍ୟାସରେ ବିରଳ ।

 

ଜମିଦାର ବୈଷ୍ଣବଚରଣଙ୍କ ପତ୍ନୀ ଶ୍ରୀହରିପ୍ରିୟା ସ୍ନେହ, କ୍ଷମା, ତ୍ୟାଗ ଓ ଉଦାରତାର ଏକ ମୂର୍ତ୍ତିମନ୍ତ ପ୍ରତୀକ । ‘ଛ, ମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜଙ୍କ ପତ୍ନୀ ‘ସାନ୍ତାଣୀ’ ଚରିତ୍ରକୁ ସେ ମନେ ପକାଇଦିଅନ୍ତି । ‘ଛ’ ମାଣ ଆଠଗୁଣ୍ଠ’ର ସା’ନ୍ତାଣୀଙ୍କ ପରି ଶ୍ରୀହରି ପ୍ରିୟା ହୁଏତ ଜୀବନ ବ୍ୟାପୀ ଦୁଃଖ, ହତାଦର ଓ ଅପମାନର ବିଷପାନ କରିନାହାନ୍ତି । ମାତ୍ର ଚରିତ୍ରଚିତ୍ରଣ ଦୃଷ୍ଟିରୁ ଶ୍ରୀହରିପ୍ରିୟାଙ୍କ ଚରିତ୍ରଟି ଅଧିକ ପରିଚ୍ଛନ୍ନ ଓ ପରିପୂର୍ଣ୍ଣ ମନେହୁଏ ।

 

ବାପଘର ଗାଁରେ ଶ୍ରୀହରିପ୍ରିୟାଙ୍କର ପିଲାଦିନର ଏକ ଧୂଳିଘର ସାଙ୍ଗ ଥିଲା । ସେ ହେଉଛି ଦୁଃଶାସନ । ଦୁଃଶାସନ ପିତାଙ୍କ ପରିବାରର ଅବସ୍ଥା ଭଲ ନଥିଲା । ନିଜ ବିବାହପରେ ଜମିଦାର ବୈଷ୍ଣବଚରଣଙ୍କ ପତ୍ନୀତ୍ୱ ଲାଭକରି ଶ୍ରୀହରିପ୍ରିୟା ପିଲାଦିନର ଗରିବ ସାଥି ଦୁଃଶାସନକୁ ଭୁଲିଯାଇ ନାହାନ୍ତି । ନିଜେ କନ୍ୟା ଠିକଣା କରି ନିଜ ତହବିଲରୁ ଆବଶକୀୟ ସମସ୍ତ ବ୍ୟୟ ବହନ କରି ଶ୍ରୀହରିପ୍ରିୟା ଦୁଃଶାସନର ବିବାହ କରାଇଦିଅନ୍ତି । ବିବାହପରେ ସେମାନେ ଦୁଇ ପ୍ରାଣୀ ଚଳିବେ କିପରି ? ତେଣୁ ସ୍ଵାମୀ ଜମିଦାର ବୈଷ୍ଣବଚରଣଙ୍କୁ ଅନୁରୋଧ କରି ଆପଣା ତେଲହଳଦୀମୌଜା ଗୋବିନ୍ଦପୁରରେ ଦୁଃଶାସନକୁ ସେ ମକଦ୍ଦମ ମଧ୍ୟ କରାଇଦେଲେ । ଦୁଃଶାସନର ସ୍ତ୍ରୀଟା ପିଲାଲୋକ, ଦେଖିବାକୁ ଶୁଣିବାକୁ କେହି ନାହିଁ - ତେଣୁ ତାକୁ ପୁଣି ନେଇ ଉଆସରେ ନିଜ ପାଖରେ ରଖିଲେ । ଉଆସରେ ତାଙ୍କର ଅସଂଖ୍ୟ ପୋଇଲି- ଦୁଃଶାସନର ସ୍ତ୍ରୀକୁ ନିଜ ଭାଉଜ ବୋଲି ସେମାନଙ୍କୁ ଚିହ୍ନାଇଦେଲେ । ପୋଇଲିମାନେ ଦୁଃଶାସନ ସ୍ତ୍ରୀକୁ ସାନ ସା’ନ୍ତାଣୀ ବୋଲି ଡାକିଲେ; ସେବାରେ ଖଟିଲେ ।

 

ମାତ୍ର ଦୁଃଶାସନ ନିଜ ନାମର ସାର୍ଥକତା ଦେଖାଇଦେଲା । ତହବିଲରୁ ପ୍ରଚୁର ଅର୍ଥ ଆତ୍ମସାତ୍‌ କଲା । ତଥାପି ସା’ନ୍ତାଣୀଙ୍କ ଅନୁରୋଧରେ ଜମିଦାର ବୈଷ୍ଣବ ଚରଣ ତାକୁ ବରଖାସ୍ତ ନକରି ଦୁମଦୁମ ମୌଜାର ମକଦ୍ଦମ ତଳେ ‘କରଣ’ ଭାବେ ନିଯୁକ୍ତି ଦେଲେ । ମାତ୍ର ଢିଙ୍କି ସ୍ଵର୍ଗକୁ ଗଲେ ମଧ୍ୟ ଧାନକୁଟେ । ଦୁଃଶାସନ ସେଠି ମଧ୍ୟ ଖଜଣା ଅସୁଲକରି ପଇଠ କଲାନାହିଁ । ନାନା ଦୁର୍ନୀତିରେ ଲିପ୍ତ ହେଲା । କିନ୍ତୁ ଜମିଦାରଙ୍କ ପକ୍ଷରୁ ତାଙ୍କୁ ଦଣ୍ତ ଦେବା ଆବଶ୍ୟକ ପଡ଼ିଲା ନାହିଁ । ହଇଜାରେ ଆକ୍ରାନ୍ତ ହୋଇ ତା’ର ମୃତ୍ୟୁ ହେଲା ।

 

ପରବର୍ତ୍ତୀ ପର୍ଯ୍ୟାୟରେ ସା’ନ୍ତାଣୀ ଶ୍ରୀହରିପ୍ରିୟାଙ୍କ ଚରିତ୍ରର ମହନୀୟତା ଓ ତାଙ୍କ ବ୍ୟକ୍ତିତ୍ୱର ତୁଙ୍ଗିମା ପୁଣିଥରେ ପ୍ରତିଷ୍ଠିତ ହୁଏ । ସା’ନ୍ତାଣୀଙ୍କ ଏକମାତ୍ର ପୁତ୍ରର ବୟସ ସେତେବେଳେ ଏକ ବର୍ଷ । ଦୁଃଶାସନର ଏକମାତ୍ର ପୁତ୍ର ସଦାନନ୍ଦକୁ ସେତେବେଳେ ଚାରିବର୍ଷ । ଦୁଃଶାସନର ମୃତ୍ୟୁସମ୍ବାଦ ଆସି ଉଆସରେ ପହଞ୍ଚିଲା । ଫକୀରମୋହନଙ୍କ ଭାଷାରେ - “ସାନ୍ତାଣୀ ଅତି ଦୟାରେ ଅତି ସ୍ନେହରେ ପୁଅଟିକୁ କୋଳରେ ଟେକିନେଲେ । ସାନ୍ତାଣୀ କହିଲେ ମୋ ସଦେଇ ଆଗ ତ ଗୋବିନ୍ଦ ପଛ ।’’ ଏଭଳି ସମ୍ବେଦନଶୀଳତା, ଉଦାରତା, ସ୍ନେହ ତଥା ତ୍ୟାଗର ଦୃଷ୍ଟାନ୍ତ ବିରଳ ।

 

ସା’ନ୍ତାଣୀ ଶ୍ରୀହରିପ୍ରିୟାଙ୍କର ଏହି ବିଶାଳ ହୃଦୟବତ୍ତାର ପରିଚୟ ଶେଷ ପର୍ଯ୍ୟନ୍ତ ଅକ୍ଷୂର୍ଣ୍ଣ ରହିଛି । କୁଅଁର ଗୋବିନ୍ଦଚନ୍ଦ୍ର ଏବଂ ସଦାନନ୍ଦ କଲେଜରେ ,ପାଠ ପଢ଼ିଲାବେଳେ ଛୁଟିରେ ଘରକୁ ଆସିବା ସମୟରେ ଯେତେବେଳେ ଦୁହେଁ ସା’ନ୍ତାଣୀଙ୍କ ପାଦଛୁଇଁ ପ୍ରଣାମ କରନ୍ତି ସା’ନ୍ତାଣୀ ‘ଉଠ ବାପ ଉଠ ବାପ’ କହି ଆଗ ସଦାନନ୍ଦକୁ ଉଠାଇ ଆଣି ତା’ ମଥାକୁ ଚୁମ୍ବନ କରନ୍ତି । ପର ପିଲାଟେ ପ୍ରତି ଏଭଳି ଆଶ୍ଚର୍ଯ୍ୟ ଆତ୍ମୀୟତାବୋଧ ଓ ସ୍ନେହରେ ନରହନ୍ତା ଦସ୍ୟୁ ରତ୍ନାକର ମଧ୍ୟ ହୁଏତ ଋଷି ବାଲ୍ମୀକିରେ ପରିଣତ ହୋଇଯାଇଥା’ନ୍ତା । ମାତ୍ର ଅର୍ଥଲିପ୍‌ସୁ ବିଶ୍ଵାସଘାତକ ଦୁଃଶାସନର ପୁତ୍ର ସଦାନନ୍ଦ ବାଲ୍ମୀକି ହେବା ବଦଳରେ ପିତୃବତ୍‌ ବିଶ୍ଵାସଘାତକ ଭାବେ ହିଁ ନିଜର ପରିଚୟ ଜାହିର୍‌ କରିଥିଲା ।

 

‘ସଇତା’ ଚରିତ୍ରଟିକୁ ଛାଡ଼ିଦେଲେ ଇନ୍ଦୁମତୀ ଓ ମରୁଆ - ଏହି ଦୁଇଟି ଚରିତ୍ରକୁ ଫକୀର ମୋହନ ‘ପ୍ରାୟଶ୍ଚିତ୍ତ’ରେ ସବୁଠୁ ଅନନ୍ୟ ଓ କଳାତ୍ମକ ଭାବରେ ଗଠନ କରିଛନ୍ତି । ଇନ୍ଦୁମତୀ ଚରିତ୍ରଟି ପୂର୍ଣ୍ଣ ଭାବରେ ବିକଶିତ ହୋଇପାରି ନଥିଲେ ହେଁ ଆତ୍ମହତ୍ୟାକରି ପ୍ରାୟଶ୍ଚିତ କରିବା ପାଇଁ ମନେମନେ ସିଦ୍ଧାନ୍ତ ନେବାପରେ ସେହି ଚରିତ୍ରଟିର ମାନସିକତା ଓ କାର୍ଯ୍ୟକଳାପକୁ ନେଇ ଯେଉଁସବୁ ଘଟଣାର ସଂଯୋଜନ ଲେଖକ କରିଛନ୍ତି, ତାହା ‘ଇନ୍ଦୁମତୀ’ ଚରିତ୍ରଟିକୁ ଏକାନ୍ତ ସ୍ମରଣୀୟ କରି ଦେଇଛି ।

 

ଜମିଦାର ସଂକର୍ଷଣ ମହାନ୍ତିଙ୍କ ଏକମାତ୍ର କନ୍ୟା ଇନ୍ଦୁମତୀ ପିଲାବେଳେ ଥିଲା ହରିଣୀପରି ଚଞ୍ଚଳ । କିନ୍ତୁ ମା’ ମରିଗଲାପରେ ସେ ସଂପୂର୍ଣ୍ଣ ଭାବେ ପରିବର୍ତ୍ତିତା ହୋଇଯାଇଛି । ଭାରି ପଥରଟାଏ ପରି ସେ ହୋଇଯାଇଛି ଅଚଞ୍ଚଳ, ଅନ୍ୟମନସ୍କ, ଗମ୍ଭୀର, ଉଦାସ ଓ ଅଭିବ୍ୟକ୍ତି ଶୂନ୍ୟ । ହାତରେ ବହିଟାଏ ଧରି ସେ ନିଶ୍ଚଳ ଭାବେ ଅନେକ ସମୟରେ କେବଳ ବସି ରହିଥାଏ; ଏବଂ କେଉଁଏକ ଅସରନ୍ତି ଭାବନା-ସମୁଦ୍ରରେ ବୁଡ଼ି ରହିଥାଏ । ଝିଅର ଦେଖାରଖା, ସେବା ସାହାଚର୍ଯ୍ୟ ଲାଗି ଆଠଦଶଜଣ ପୋଇଲି ମା’ ଖଂଜି ଦେଇ ଯାଇଥିଲେ । ମାତ୍ର ଇନ୍ଦୁମତୀ ଯାହା ଅଳ୍ପ କିଛି କଥାବାର୍ତ୍ତା ହୁଏ, ତା’ କେବଳ ଜଣଙ୍କ ସାଙ୍ଗରେ । ସେ ହେଉଛି ମରୁଆ । ମରୁଆ ଉଆସର ବହୁ ପୋଇଲିଙ୍କ ମଧ୍ୟରୁ ଜଣେ ନୁହେଁ । ସେ ଇନ୍ଦୁମତୀର ସବୁଠୁ ଅନ୍ତରଂଗ ବାନ୍ଧବୀ, ସଖୀ, ସହଚରୀ । ଫକୀରମୋହନ ମରୁଆ ପ୍ରସଙ୍ଗରେ ପ୍ରଥମେ କହିଛନ୍ତି - ‘‘ତାହାର ପିତୃମାତୃ ବଂଶକଥା ଜଣାନାହିଁ । କଥାବାର୍ତ୍ତାରୁ ଜଣାଯାଏ ଭଲଘରର ଝିଅ । ବାପ ମା' ଛେଉଣ୍ଡ ଝିଅ ଢେର ଗୁଡ଼ିଏ ଉଆସରେ ପଶିଛନ୍ତି ମରୁଆ ସେଥିମଧ୍ୟରୁ ଜଣେ ।” ମାତ୍ର ପରେ ଲେଖକ ତାର ପରିଚୟ ଦେଇଛନ୍ତି । ସାଧାରଣ ଲୋକଙ୍କ ଲାଗି ହିଁ ମରୁଆର ପରିଚୟ ଥିଲା । ଅଜ୍ଞାତ ହୁଏତ ଫକୀରମୋହନ ଏହା ହିଁ କହିବାକୁ ଚାହିଁଛନ୍ତି । ମରୁଆର ସ୍ଵଭାବ ଚଳଣ ସଂପର୍କରେ ସୂଚନା ଦେଇ ଫକୀରମୋହନ କହିଛନ୍ତି ଯେ ଅନ୍ୟ ପୋଇଲି ପରିବାରୀଙ୍କ ପରି ତା’ର କଥାଗୁଡ଼ା ‘‘ଠସ୍‌ମସ୍‌-ହେଁହେଁ-ଫେଁଫେ’’ ନୁହେଁ । ସେ “ଟିକିଏ ଟିକିଏ ହସି ହସି ଧୀରେ ଧୀରେ ଅତିସୁନ୍ଦର’’ କଥା କହେ-

 

ମରୁଆର ପରିଚୟ ଦେଇ ଫକୀର ମୋହନ କହନ୍ତି ଯେ ତାର ପିତା ଭୀମସେନ ମଲ୍ଲ ଜମିଦାର ସଂକର୍ଷଣ ମହାନ୍ତିଙ୍କର ଜଣେ ବିଶ୍ଵାସୀ ବଂଧୁ ଥିଲେ । ସେ ଥିଲେ ସମସରପୁର ତାଲୁକାର ଛଅଟା ମୌଜାର ମୌରସି ମକଦ୍ଦମ । ବଡ଼ ଧାର୍ମିକ, ପରୋପକାରୀ । ତାଙ୍କର ଗୋଟିଏ ମାତ୍ର ଝିଅ - ମରୁଆ । ମରୁଆକୁ ମାତ୍ର ମାସେ ହୋଇଥିଲା ବେଳେ ତା' ମାଆଙ୍କର ମୃତ୍ୟୁ ହୁଏ । ମରୁଆକୁ ଯେତେବେଳେ ଚାରିବର୍ଷ, ସେତେବେଳେ ପିତା ଭୀମସେନ ମଧ୍ୟ ଆଖିବୁଜିଲେ । ମୃତ୍ୟୁ ଶଯ୍ୟାରେ ବଂଧୁ ସଂକର୍ଷଣଙ୍କୁ ପାଖକୁ ଡାକି କହିଲେ- ‘‘ମଣିମା, ମୋ ମରୁଆ ରହିଲା । ମୋର ସବୁ ଧନ ଖରଚ କରି ତାକୁ ପାଳିବେ । ଭଲ ପାତ୍ରଟିଏ ଲୋଡ଼ି ତା’ ହାତରେ ଦେବେ ।’’ ସେଇଦିନ ହିଁ ସଂକର୍ଷଣଙ୍କ ଝିଅ ଇନ୍ଦୁମତୀର ଏକୋଇଶିଆ । ସଂକର୍ଷଣ ମରୁଆକୁ ଆଣି ସା’ନ୍ତାଣୀଙ୍କ କୋଳରେ ଦେଲେ । ମରୁଆ ସା’ନ୍ତାଣୀଙ୍କୁ ପଚାରିଲା- “ତୁ କେ ?’’ ସା’ନ୍ତାଣୀ କହିଲେ- “ମୁଁ ପରା ତୋ ମାଆ-।’’

 

ସଂକର୍ଷଣଙ୍କ ସ୍ତ୍ରୀ ଏହି ସା’ନ୍ତାଣୀ ଚରିତ୍ରଟିର ବିକାଶ ଆଦୌ ନାହିଁ ଏହି ଉପନ୍ୟାସରେ । ମାତ୍ର ଉପରୋକ୍ତ ସମାନ୍ୟ ପରିଚୟରୁ ସେ ଯେ ବୈଷ୍ଣବଚରଣଙ୍କ ସ୍ତ୍ରୀ ଶ୍ରୀହରିପ୍ରିୟାଙ୍କ ପରି ଏକ ସ୍ନେହଶୀଳା, ଉଦାରହୃଦୟ, ତ୍ୟାଗମୟୀ ଚରିତ୍ର ଏହା ସହଜରେ ବୁଝି ହୋଇଯାଏ ।

 

ମରୁଆକୁ ଇନ୍ଦୁମତୀ ଅପା ବୋଲି ସମ୍ବୋଧନ କରେ । ପୋଇଲିମାନେ ମରୁଆକୁ ଡାକନ୍ତି ବଡ଼ ଜେମା; ଇନ୍ଦୁକୁ ଡାକନ୍ତି ଜେମାମଣିମା ।

 

ଭୀମସେନ ମଲ୍ଲଙ୍କର ସମସ୍ତ ଚଳନ୍ତି ଅଚଳନ୍ତି ସଂପତ୍ତି ବିକିଦେଇ ଜମିଦାର ସଂକର୍ଷଣ ଲବ୍ଧ ଅର୍ଥକୁ ମରୁଆ ନାମରେ ସରକାରରେ ଜମାକରି ଦେଇଥିଲେ । ସେଥିରୁ ଗୋଟିଏ ପଇସା ସୁଦ୍ଧା ସେ ଖର୍ଚ୍ଚ କରିନାହାନ୍ତି । ମରୁଆ ଯୌବନରେ ପାଦଦେଲାବେଳକୁ ମୂଳ କଳନ୍ତର ମିଶି ପ୍ରାୟ ପଚାଶ ହଜାର ଟଙ୍କା ତା’ ନାମରେ ଜମା ରହିଛି । ତା’ ଲାଗି ଭଲ ପାତ୍ରଟିଏ ଖୋଜିବାରେ ଜମିଦାର ବ୍ୟସ୍ତ ।

 

ମରୁଆ ଗଭୀର କୃତଜ୍ଞତାବୋଧ, ନିବିଡ଼ ବଂଧୁପଣ ଏବଂ ଅସାଧାରଣ ନିଃସ୍ଵାର୍ଥପର ତ୍ୟାଗର ଏକ ମୂର୍ତ୍ତିମନ୍ତ ପ୍ରତୀକ ସ୍ଵରୂପା । ଇନ୍ଦୁମତୀକୁ ସେ ନିଜ ଜୀବନଠୁ’ ବଳି ଭଲପାଏ । ଇନ୍ଦୁ ଲାଗି ସେ ସଂସାରର ସର୍ବସ୍ଵ ତ୍ୟାଗ କରି ଦେବାକୁ ପ୍ରସ୍ତୁତ । ଇନ୍ଦୁ ମୁହଁରେ ବିଷାଦକାଳିମାର ଦାଗଟିଏ ଦେଖିଲେ ମରୁଆ ଆଖିରେ ଲୁହ ନିୟନ୍ତ୍ରିତ ହୋଇ ରହିପାରେନା । ଇନ୍ଦୁର ପାଦରେ କଣ୍ଟାଟିଏ ଗଳିଗଲେ ମରୁଆ ଶତ ବୃଶ୍ଚିକର ଜ୍ଵାଳା ଓ ଶତବର୍ଚ୍ଛାଘାତର ବେଦନାରେ ଛଟପଟ ହୋଇଉଠେ । ବୈଷ୍ଣବୀୟ ଭକ୍ତିଭାବନାରେ ରାଧାଙ୍କ ସଖୀ ଲଳିତା ଓ ବିଶାଖାପରି ଚରିତ୍ରର ସୃଜନ କଥା ଏଠାରେ ସ୍ମରଣକୁ ଆସେ । ରାଧାଙ୍କର ଏହି ସଖୀମାନଙ୍କର ରାଧାଙ୍କ ପ୍ରତି ଭକ୍ତି, ପ୍ରେମ, ତ୍ୟାଗ, ଉତ୍ସର୍ଗ ଓ ଆନୁଗତ୍ୟର ତୁଳନା ନାହିଁ । ସେମାନେ ନିଜ ଜୀବନର ସୁଖ, ସମ୍ଭୋଗ, ଧନ, ଐଶ୍ୱର୍ଯ୍ୟ ସଂପର୍କରେ ସଂପୂର୍ଣ୍ଣ ଉଦାସୀନ । ସେମାନଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଶ୍ରୀରାଧାଙ୍କର ସୁଖ । ରାଧାକୃଷ୍ଣଙ୍କର ମଧୁର ମିଳନ ହିଁ ସେମାନଙ୍କର ଏକମାତ୍ର କାମ୍ୟ । ସେଥିଲାଗି ସେମାନେ ଯେ କୌଣସି କଷ୍ଟ ଓ ତ୍ୟାଗ ସ୍ଵୀକାର କରିବାକୁ ସତତ ପ୍ରସ୍ତୁତ । ‘ପ୍ରାୟଶ୍ଚିତ୍ତ’ରେ ମରୁଆ ଚରିତ୍ରଟି ସେହିପରି ଏକ ବିମୁଗ୍ଧ ଉଜ୍ଜ୍ୱଳ କମନୀୟ ଚରିତ୍ର ।

 

ଗୋଟିଏ ପାର୍ଶ୍ଵରେ ନିଜ ଜନନୀ ସହିତ ଜମିଦାର ବୈଷ୍ଣବ ଚରଣଙ୍କ ଆଶ୍ରୟ ଲାଭକରି, ତାଙ୍କ ଅନ୍ନରେ ପ୍ରତିପାଳିତ ହୋଇ, ଜମିଦାର ପତ୍ନୀଙ୍କଠାରୁ ପୁତ୍ରଠୁ’ ବଳି ସ୍ନେହ ଶ୍ରଦ୍ଧା ଲାଭକରି ସୁଦ୍ଧା ସଦାନନ୍ଦ ଏକ ସ୍ୱାର୍ଥପର ତଥା ବିଶ୍ଵାସଘାତକଭାବେ ନିଜର ଅସଲ ପରିଚୟ ଜାହିର କରିଛି । ମାତ୍ର ପ୍ରାୟ ସମଅବସ୍ଥାରେ ଜମିଦାର ସଂକର୍ଷଣଙ୍କ ପରିବାରଦ୍ୱାରା ଲାଳିତପାଳିତ ହୋଇ ମରୁଆ ତ୍ୟାଗ, ଉତ୍ସର୍ଗ ଏବଂ କୃତଜ୍ଞତାବୋଧର ଏକ ଦୃଷ୍ଟାନ୍ତରେ ପରିଣତ ହୋଇଛି । ହଁ, ସଦାନନ୍ଦ ଓ ମରୁଆର ରକ୍ତରେ ହୁଏତ କିଛି ପ୍ରଭେଦ ରହିଥିବ । ସଦାନନ୍ଦର ବାପା ଥିଲା ଦୁର୍ନୀତିପରାୟଣ, ପରାର୍ଥଲୋଲୁପୀ ତଥା ବିଶ୍ୱାସଘାତକ । କିନ୍ତୁ ମରୁଆର ପିତା ଥିଲେ ବଂଧୁ-ବତ୍ସଳ, ପରୋପକାରୀ ଏବଂ ଧର୍ମପରାୟଣ ।

 

ଇନ୍ଦୁମତୀ ପରିସ୍ଥିତି ଚାପରେ ପଡ଼ି ସ୍ଵାମୀ କୁଅଁର ଗୋବିନ୍ଦଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅନ୍ୟଦ୍ୱାରା ପଦ୍ୟାକାରରେ ଲିଖିତ ଏକ ଚିଠିକୁ ନିଜେ ଲେଖିଛନ୍ତି ବୋଲି ତାହାତଳେ ଦସ୍ତଖତ କରି ଦେଇଛନ୍ତି । ସ୍ଵାମୀ ଗୋବିନ୍ଦ ତୁରନ୍ତ କଟକରୁ ଉଆସକୁ ଆସିବାପାଇଁ ସେହି ଗୀତି -ପତ୍ରରେ ଲେଖା ହୋଇଥିଲା । ସ୍ଵାମୀ ଗ୍ରାମକୁ ଆସିଲେ, ମାତ୍ର ନିଶାର୍ଦ୍ଧରେ ଉଆସରେ ପହଞ୍ଚି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହୋଇ ପାଇକମାନଙ୍କଦ୍ୱାରା ପ୍ରବଳ ପ୍ରହାର ଖାଇଲେ । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ନିଆଯାଇ ସେଠାରେ ଚିକିତ୍ସାର ବ୍ୟବସ୍ଥା କରାଗଲା । ଇନ୍ଦୁମତୀ ସ୍ଵାମୀଙ୍କର ଏହି ଅବସ୍ଥାଲାଗି ମନେ ମନେ ନିଜକୁ ଦାୟୀକଲେ ଏବଂ ଆତ୍ମହତ୍ୟାକରି ପ୍ରାୟଶ୍ଚିତ କରିବାକୁ ମନେମନେ ସଂକଳ୍ପ କଲେ । ମାତ୍ର ଏକଥା ଲେଖକ ଫକୀରମୋହନ ଆଗତୁରା ପାଠକମାନଙ୍କୁ ଜଣାଇ ଦେଇନାହାନ୍ତି । ଉପନ୍ୟାସର ସାର୍ଥକ ଉତ୍କଣ୍ଠା ସୃଷ୍ଟି ଲାଗି ଏହା ଏକ ସଫଳ ଲେଖକୀୟ କୃତିତ୍ୱ ।

 

ସ୍ଵାମୀଙ୍କ ସମ୍ବନ୍ଧିତ ଦୁର୍ଘଟଣା ପରଠାରୁ ଇନ୍ଦୁମତୀ ଦୁଃଖ ଓ ଅନୁଶୋଚନାରେ ନିର୍ବାକ୍‌ ନିସ୍ପନ୍ଦ ହୋଇ ରହିଛନ୍ତି । ମରୁଆ ତାଙ୍କର ଏ ଅବସ୍ଥା ଦେଖି ଭୀଷଣ ବିକଳ ହେଉଥାଏ । ଆତ୍ମହତ୍ୟାର ଦିନଟିଏ ପୂର୍ବରୁ ଇନ୍ଦୁମତୀ ତାଙ୍କ ଅଳଂକାର ବାକ୍ସ ଖୋଲି ଯେତେ ଇଚ୍ଛା ସେତେ ଅଳଂକାର କାଢ଼ି ଦେହସାରା ମଣ୍ଡି ହୋଇଛନ୍ତି । ଝିଅର ମନ ପରିବର୍ତ୍ତନ ହେଉଛି ଭାବି ପିତା ସଂକର୍ଷଣ ମନେ ମନେ ଖୁସି ହେଉଛନ୍ତି, ମାତ୍ର ମରୁଆ କାହିଁକି କେଜାଣି ଏକ ଅଜଣା ଆଶଙ୍କାରେ ଗ୍ରସ୍ତ ହୋଇପଡ଼ୁଛି।

 

ଉଆସ ଭିତରେ ଦଳଦଳ ପୋଇଲି, ବିଭିନ୍ନ ବୟସର । ସମସ୍ତଙ୍କ ପାଖକୁ ଯାଇ ସେମାନଙ୍କ ସହ ପଦେଅଧେ କଥା ହୋଇ ସମସ୍ତଙ୍କୁ ଗୋଟାଏ ଗୋଟାଏ ଅଳଂକାର ଇନ୍ଦୁମତୀ ଦେହରୁ ଖୋଲି ବାଣ୍ଟି ଦେଇଛନ୍ତି । କାହାକୁ ସୁନା ମୁଦିଟାଏ, କାହାକୁ ସୁନାକଂକଣ ପଟେ, କାହାକୁ ଅବା ସୁନାଚୂଡ଼ିଟେ ! ବହୁଦିନ ତଳେ ଥରେ ନିମା ନାମ୍ନୀ ଏକ ପୋଇଲିକୁ ଗୋଟାଏ ଭୁଲ୍‌ ପାଇଁ ଇନ୍ଦୁମତୀ ଗାଳି ଦେଇଥିଲେ । ସେକଥା ମନେପକାଇ ସେ ତା’ ପାଖକୁ ଯାଇଛନ୍ତି; ଓ କହିଛନ୍ତି- “ନିମା ! ମୁଁ ତୋତେ ଗାଳି ଦେଇଥିଲି, ତୁ କିଛି ମନରେ କରିବୁ ନାହିଁ; ମୋତେ କ୍ଷମା କରିବୁ ।’’ ଏହାକହି ନିଜ ବେକରୁ ସୁନାହାରଟାଏ କାଢ଼ି ତା' ବେକରେ ପକାଇଦେଇଛନ୍ତି ଇନ୍ଦୁମତୀ । ଜେମାମଣିମାଙ୍କ ଗୋଡ଼ତଳେ ପଡ଼ି ଏତିକିରେ ନିମା ଭୋଭୋ କାନ୍ଦିଉଠିଛି ଓ କହିଛି - “ଆଜ୍ଞା ଆଜ୍ଞା ! ଛାମୁ ଆଜି ଏ କିମିତି କଥା ଆଜ୍ଞା ହେଉଛନ୍ତି !” ଇନ୍ଦୁମତୀ ତାକୁ ତଳୁ ଉଠାଇ ଧରି ନିଜ ପଣତରେ ତା’ ଦେହରୁ ଧୂଳି ଝାଡ଼ି ଦେଇଛନ୍ତି । ପରଦିନ ନିଶାର୍ଦ୍ଧରେ ସମସ୍ତେ ଗଭୀର ଭାବେ ନିଦ୍ରାମଗ୍ନ ଥିବାବେଳେ ଇନ୍ଦୁମତୀ ନଦୀକୂଳକୁ ଯାଇ ନଦୀଗର୍ଭରେ ପ୍ରାଣ ବିସର୍ଜନ କରିଛନ୍ତି । ଇନ୍ଦୁମତୀଙ୍କୁ ଉଆସରେ ନପାଇ ସମସ୍ତଙ୍କର ବ୍ୟସ୍ତତା ତଥା ମରୁଆ ଯେଭଳି ଅସହ୍ୟ ଦୁଃଖରେ କାତର ହୋଇ ମୂର୍ଚ୍ଛାହତ ହୋଇପଡ଼ିଛି ତାହାର ବେଶ୍‌ ଜୀବନ୍ତ ଓ ହୃଦୟସ୍ପର୍ଶୀ ବର୍ଣ୍ଣନା ଫକୀର ମୋହନ ପ୍ରଦାନ କରିଛନ୍ତି ।

 

‘ପ୍ରାୟଶ୍ଚିତ୍ତ’ର ଏହି ଆଲୋଚିତ ନାରୀ ଚରିତ୍ର ଗୁଡ଼ିକର ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଖୁବ୍‌ ସାର୍ଥକ ଓ ପ୍ରଭାବଶାଳୀ ଭାବେ ଫକୀର ମୋହନ ବର୍ଣ୍ଣନା କରିଛନ୍ତି । ଗୋବିନ୍ଦଚନ୍ଦ୍ର, ସଇତା, ବୈଷ୍ଣବ ଚରଣ, ସଂକର୍ଷଣ, ସଦାନନ୍ଦ ପ୍ରଭୃତି ପୁରୁଷ ଚରିତ୍ର ମଧ୍ୟ ପ୍ରବଳ ଦ୍ୱନ୍ଦ୍ୱ ଓ ସଂଘାତ ମଧ୍ୟ ଦେଇ ଗତିଶୀଳ ହୋଇଛନ୍ତି । କେବଳ ଉପନ୍ୟାସଟିର ପରିଣତିକୁ ଯଦି ଅଧିକ ପ୍ରଭାବଶାଳୀ କରାଯାଇ ପାରିଥାନ୍ତା, ତାହେଲେ ଉପନ୍ୟାସର ଉତ୍କର୍ଷ ଯଥେଷ୍ଟ ବୃଦ୍ଧି ପାଇଥାନ୍ତା ।

 

ମରୁଆପରି ଅପାଙ୍‌କ୍ତେୟ ମନେହେଉଥିବା ଗୌଣ ନାରୀ-ଚରିତ୍ର ଫକୀରମୋହନଙ୍କ ଲେଖନୀରେ ଏକ ଅବିସ୍ମରଣୀୟ ଚରିତ୍ରଭାବେ ରୂପାୟିତ ହୋଇପାରିଛି । କଥାକାର ନିଜର ଆଦର୍ଶ ଓ ଜୀବନର ଲକ୍ଷ୍ୟକୁ ରୂପାୟିତ କରିବାକୁ ଯାଇ ଉପନ୍ୟାସରେ ବିଭିନ୍ନ ଚରିତ୍ରର ସମାବେଶ କରିଥାଆନ୍ତି । ଏଥିରେ ଲେଖକଙ୍କର ଅନ୍ତର୍ଦୃଷ୍ଟି, ଅନୁଭୂତି ଓ କଳ୍ପନାଶକ୍ତି ବିଶେଷ ଭାବେ ସହାୟକ ହୋଇଥାଏ । ସମାଜର ବିଭିନ୍ନ ସାଧାରଣ ତଥା ଅସାଧାରଣ ପରିସର ସହ ନିବିଡ଼ ଭାବେ ଜଡ଼ିତ ରହି ଫକୀର ମୋହନ ତାଙ୍କ ଜୀବନକାଳ ମଧ୍ୟରେ ବିପୁଳ ଅନୁଭୂତିର ଅଧିକାରୀ ହୋଇଥିଲେ । ତାଙ୍କପରି ଅନନ୍ୟ ସାହିତ୍ୟିକ ପ୍ରତିଭାର ଅଧିକାରୀ ନିକଟରେ ଶାଣିତ ଅନ୍ତର୍ଦୃଷ୍ଟି ଓ କମନୀୟ କଳ୍ପନା ଶକ୍ତିର ଅଭାବ ନଥିଲା । ସେଥିଲାଗି ଫକୀର ମୋହନଙ୍କ ଉପନ୍ୟାସ ଗୁଡ଼ିକ କ୍ଳାସିକ୍‌ କଥାକୃତି ଭାବେ ଉଚ୍ଚକୋଟୀକୁ ଉତ୍ତୀର୍ଣ୍ଣ ହୋଇପାରିଛି ।

 

‘ପ୍ରାୟଶ୍ଚିତ୍ତ’ରେ ଫକୀରମୋହନ ଯେଉଁସବୁ ନାରୀଚରିତ୍ରର ଅବତାରଣା କରିଛନ୍ତି, ସେଥିରୁ ‘ନାରୀ’ ମଧ୍ୟରେ ସେ ଯେଉଁ ଦେବୋପମ ମହାନ୍‌ ସମ୍ଭାବନା ସନ୍ଦର୍ଶନ କରିଛନ୍ତି ତାହାର ସ୍ପଷ୍ଟ ଆଭାସ ଦେଖିବାକୁ ମିଳେ । ନାରୀ ଚରିତ୍ରଚିତ୍ରଣ ଦୃଷ୍ଟିରୁ ଫକୀରମୋହନଙ୍କର ଅନ୍ୟ ତିନୋଟି ଉପନ୍ୟାସଠାରୁ ‘ପ୍ରାୟଶ୍ଚିତ୍ତ’ ଯେ କୌଣସି ଗୁଣରେ ନ୍ୟୂନ ନୁହେଁ, ଏହା ଦ୍ୱିରୁକ୍ତିହୀନ ଭାବେ କୁହାଯାଇପାରେ ।

 

 

ଅଧ୍ୟାପକ : ଓଡ଼ିଆ ବିଭାଗ

ବି.ଜେ.ବି, କଲେଜ, ଭୁବନେଶ୍ଵର

(ଅଧ୍ୟୟନକାଳୀନ ଛୁଟିରେ)

୩ ଆର୍‌ - ୧/୩, କଳ୍ପନା ଫ୍ଲାଟ୍‌, ଭୁବନେଶ୍ୱର ।

 

***

 

ଅଣାକାର ଅଣରୂପ ପ୍ରକାଶ

ଡକ୍ଟର ତୀର୍ଥାନନ୍ଦ ମିଶ୍ର

 

।। ଏକ ।।

 

ପରମସତ୍ତା ମୁଖ୍ୟତଃ ଅଣାକାର । ଅଣାକାର ଅର୍ଥ କେବଳ ଆକାର ବିରହିତ ନୁହେଁ, ଆକାରର ସୀମିତସତ୍ତା ଯାହାଙ୍କ ହିରଣ୍ୟଗର୍ଭ ସ୍ଵରୂପକୁ ପ୍ରକାଶ କରିପାରେନା, ସେହି ଅଣାକାର । ଭାରତୀୟ ଆଧ୍ୟାତ୍ମତତ୍ତ୍ୱରେ ସର୍ବୋଚ୍ଚସତ୍ତା ଯେ ପରଂବ୍ରହ୍ମ ନାମରେ କଥିତ ହୋଇଛନ୍ତି ତାଙ୍କର ଆକାର କଳ୍ପନା କଲାବେଳେ ଏହି ଅଣାକାର-ତତ୍ତ୍ଵକୁ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି । ଉପନିଷଦରେ ଏହାଙ୍କର ସ୍ଵରୂପ ଚିତ୍ରଣ ଅବସରରେ କୁହାଯାଇଛି, ସେ ଚଳପ୍ରଚଳ ହୁଅନ୍ତି । ପୁଣି ହୁଅନ୍ତି ନାହିଁ ସେ ଦୂରରେ ଅଛନ୍ତି ଓ ନିକଟରେ ଅଛନ୍ତି, ସେ ସମସ୍ତ ଜଗତ ମଧ୍ୟରେ ପରିପୂର୍ଣ୍ଣ ପୁଣି ସେ ସକଳ ଜଗତର ବାହାରେ ମଧ୍ୟ ଅଛନ୍ତି (୧) । ଏହିଭଳି ବିରୋଧୀ ମନ୍ତବ୍ୟ ମଧ୍ୟରେ ସେହି ଦିବ୍ୟସତ୍ତାର ସ୍ଵରୂପକଳ୍ପନା ତାଙ୍କ ଅଣାକାର ସ୍ଵରୂପକୁ ହିଁ ପ୍ରଦୀପ୍ତ କରୁଅଛି । ଏହି ପରମସତ୍ତାହିଁ ପରମପୁରୁଷ ରୂପେ ସ୍ଵୀକୃତ । ତା’ଠାରୁ ଶ୍ରେଷ୍ଠତର ବସ୍ତୁ କିଛି ନାହଁ, ତାଙ୍କଠାରୁ ଅଧିକ ସୂକ୍ଷ୍ମ ଏବଂ ଅଧିକ ମହାନ୍‌ ମଧ୍ୟ ଆଉ କେହି ନାହିଁ । ସେ ଏକ ମହାଦ୍ରୁମ ଭଳି ପ୍ରଶାନ୍ତ ଆକାଶରେ ନିଶ୍ଚଳ ଭାବରେ ବିଦ୍ୟମାନ ଅଛନ୍ତି ଏବଂ ତାଙ୍କର ଦିବ୍ୟ ପ୍ରକାଶରେ ଏ ସମଗ୍ର ଜଗତ ପରିପୂର୍ଣ୍ଣ ହୋଇଯାଇଛି (୨) । ଉପନିଷଦମାନଙ୍କର ଏହି ଦୃଷ୍ଟିକୋଣ ପରଂବ୍ରହ୍ମଙ୍କର ସର୍ବବ୍ୟାପକ ଆକାରବିହୀନ ଚିରନ୍ତନ ସତ୍ତାର ହିଁ ପ୍ରଚାର କରିଥାଏ । ଏହି ଔପନିଷଦୀୟ ବ୍ରହ୍ମତତ୍ତ୍ଵ ପରଂବ୍ରହ୍ମଙ୍କର ସାକାରସତ୍ତା ଅପେକ୍ଷା ନିରାକାର ବା ଅଣାକାର ସତ୍ତା ଉପରେ ହିଁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଏ । ଏଣୁ ନିର୍ଗୁଣପରମ୍ପରାକୁ ଔପନିଷଦିକ ବୋଲି କେହି କେହି କଳ୍ପନା କରନ୍ତି (୩)-। ସଗୁଣ-ବ୍ରହ୍ମ ଭାବରେ ସ୍ଵରୂପର ପରିଚୟ ଦେଇ ଶ୍ରୀକୃଷ୍ଣ ପଦ୍ମପୁରାଣର ପାତାଳଖଣ୍ଡରେ ଶିବକୁ ଯାହା କହିଛନ୍ତି ତାହା ଏ କ୍ଷେତ୍ରରେ ଆଲୋଚନାର ପରିସରଭୁକ୍ତ କରାଯାଇପାରେ । ଶ୍ରୀକୃଷ୍ଣ ଏଠାରେ କହନ୍ତି ସମସ୍ତ ଉପନିଷଦ ତାଙ୍କର ଏହି ଘନୀଭୂତ ନିର୍ମଳ ପ୍ରେମମୟ ସଚ୍ଚିଦାନନ୍ଦ ରୂପକୁ ହିଁ ନିରାକାର, ନିର୍ଗୁଣ ଏବଂ ସର୍ବବ୍ୟାପୀ ବ୍ରହ୍ମବୋଲି ଅଭିହିତ କରିଛନ୍ତି (୪) ।

 

‘ତଦେଜତି ତନ୍ନୈଜତି ଦହ ଦୂରେ ତଦନ୍ତିକେ’ ତଦନ୍ତରସ୍ୟ ସବସ୍ୟ ତଦୁ ସର୍ବସ୍ୟାସ୍ୟ ବାହ୍ୟତଃ' ଈଶାବାସ୍ୟ ଉପନିଷଦ।

୨.

‘ଯସ୍ମତ୍‌ ପରଂ ନାପରମସ୍ତି କିଞ୍ଚିଦ୍‌ ଯସ୍ମାନ୍ନାଣୀୟୋ ନ ଜ୍ୟାୟୋକସ୍ତି କଶ୍ଚିଦ୍‌ ବୃକ୍ଷ ଇବ ସ୍ତବ୍‌ଧୋ ଦିବିତିଷ୍ଠତ୍ୟେବା- ସ୍ତେନେଦଂ ପୂଣ୍ଣଂ ପୁରୁଷେଣ ସର୍ବମ୍‌ ।’

୩.

ମାଚଓ୍ୱେ ଡକ୍ଟର ପ୍ରଭାକର : ହିନ୍ଦୀ ଔର ମରାଠୀକା ନିର୍ଗୁଣ ସନ୍ତକାବ୍ୟ ୧୯୦୨ ପୃ. ୧୨୭

୪.

ନିରୂପଂ ନିର୍ଗୁଣଂ ବ୍ୟାପୀ କ୍ରିୟାହୀନ ପରାତ୍ପରମ୍‌ । ବଦନ୍ତ୍ୟୁପନିଷତ୍‌ ସଂଘା ଇଦମେବ ମୟାନଘ, ପଦ୍ମପୁ, ପାତାଳଖଣ୍ଡ ।

 

ସେ କୌଣସି ପ୍ରାକୃତିକ ଗୁଣର ଅଧୀନ ହୋଇ ନଥିବାରୁ ଏବଂ ତାଙ୍କଠାରେ ଅନନ୍ତ ଅଲୌକିକ ଗୁଣଥିବାରୁ ସେ ଗୁଣବାନ ହେଲେ ମଧ୍ୟ ଏହି ଗୁଣମାନଙ୍କର କୌଣସି ଲୌକିକ ବ୍ୟାଖ୍ୟା ସମ୍ଭବ ହେଉନଥିବାରୁ ତାଙ୍କୁ ନିର୍ଗୁଣ ବୋଲି କୁହାଯାଏ (୫) । ଏଣୁ ଏହି ପରଂବ୍ରହ୍ମହିଁ କୌଣସି ପ୍ରାକୃତ ବା ଲୌକିକ ସତ୍ତାରେ ଆବଦ୍ଧ ନୁହନ୍ତି । ସେ ମୁଖ୍ୟତଃ ଏକ ଅପ୍ରାକୃତ ବା ଅଲୌକିକ ସତ୍ତା । ଯେତେବେଳେ ସେ ଲୌକିକ ବିଗ୍ରହ ଧାରଣ କରନ୍ତି ସେତେବେଳେ ସେ ବହୁ ନାମ ଏବଂ ରୂପରେ ପରିଚିତ ହୁଅନ୍ତି । ଋକ୍‌ବେଦ ଏଥିପାଇଁ ଏକ ପରଂବ୍ରହ୍ମକୁ ମନନଶୀଳ ବିପ୍ରଗଣ ବହୁନାମରୂପରେ ଅନୁଭବ କରିବାର କଥା କହିଅଛି (୬) ।

 

୫.

ପ୍ରକୃତ୍ୟୁତ୍‌ଥ ଗୁଣାଭାବାଦନନ୍ତତ୍ୱାତ୍ତଥେଶ୍ୱର ‘ଆସିଦ୍ଧତ୍ୱାନ୍‌ ମଦ୍‌ଗୁଣାନଂ ନିର୍ଗୁଣଂ ମାଂ ବଦନ୍ତି ହି'-ତତ୍ରୈବ ।

୬.

ଏକଂ ସଦ୍‌ବିପ୍ରା ବହୁଧା ବଦନ୍ତି : ଋଗ୍‌ବେଦ : ୧ /୧୬୪/୪୬

 

ଋଗ୍‌ବେଦର ଏହି ଉକ୍ତିରୁ ସ୍ପଷ୍ଟ ହୁଏ ଯେ ଏକ ବ୍ରହ୍ମକାଳ ଓ ଅବସ୍ଥା ଭେଦରେ ବହୁରୂପରେ ପ୍ରକାଶିତ ହୁଅନ୍ତି । ଏଣୁ ସେ ଏକାଧାରରେ ବ୍ୟକ୍ତ ଓ ଅବ୍ୟକ୍ତ, ନିର୍ଗୁଣ ଓ ସଗୁଣ, ସାକାର ଓ ନିରାକାର, ଉପାଧି ଓ ନିରୂପାଧି । ଶ୍ରୀମଦଭଗବଦ୍‌ଗୀତା ପରଂବ୍ରହ୍ମଙ୍କର ଏହି ପରସ୍ପର ବିରୋଧୀପ୍ରକୃତିକୁ ବର୍ଣ୍ଣନାକରି କହନ୍ତି, ସେ ଇନ୍ଦ୍ରିୟ ବିରହିତ ପୁଣି ଇନ୍ଦ୍ରିୟମାନଙ୍କର ସକଳ ଗୁଣ ଓ ଆଭାସ ଦ୍ଵାରା ପ୍ରକାଶିତ, ସକଳ ବସ୍ତୁ ପ୍ରତି ସେ ଅନାସକ୍ତ ଅଥଚ ସକଳ ବସ୍ତୁର ସେ ଆଧାର ସ୍ଵରୂପ, ସେ ଗୁଣାତୀତ ଅଥଚ ସକଳଗୁଣର ଭୋକ୍ତା ଓ କର୍ତ୍ତାସ୍ଵରୂପ (୭) । ପରବର୍ତ୍ତୀ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ପରଂବ୍ରହ୍ମଙ୍କ ସ୍ଵରୂପ ବହୁଭାବରେ ପ୍ରକାଶିତ ହୋଇଛି । ମଧ୍ୟଯୁଗୀୟ ଭକ୍ତି କାଳରେ ବ୍ରହ୍ମଙ୍କର ଲୋକାତୀତ ଅଣାକାର ସ୍ଵରୂପଉପରେ ପୂର୍ଣ୍ଣ ଆଲୋକପାତ କରାଯାଇଛି । ପ୍ରସିଦ୍ଧ ହିନ୍ଦୀ ସନ୍ଥକବି କବୀରଙ୍କ ଅନୁସାରେ ବ୍ରହ୍ମହିଁ ବିଶ୍ଵର ମୂଳତତ୍ତ୍ୱ, ସେ ହିଁ ଏକମାତ୍ର ପରମାର୍ଥିକ ସତ୍ୟ । ଦେଶ, କାଳ ଏବଂ ପାତ୍ର ଅତୀତ (୮) । ବ୍ରହ୍ମହିଁ ଅଲେଖ ନିରଞ୍ଜନ ସ୍ଵରୂପ ଯାହାକୁ କେହି ଦେଖି ପାରନ୍ତି ନାହିଁ । ସେ ଦୃଶ୍ୟ କିମ୍ବା ଅଦୃଶ୍ୟ ନୁହନ୍ତି ପୁଣି ପ୍ରକଟ କିମ୍ବା ଅପ୍ରକଟ ନୁହନ୍ତି (୯) । ପ୍ରସିଦ୍ଧ ନିଗୁଣ ସନ୍ଥ ଭକ୍ତକବି ନାନକ ବ୍ରହ୍ମଙ୍କର ଏହି ଅଣାକାର ସ୍ୱରୂପକୁ ହିଁ ସ୍ଵୀକାର କରନ୍ତି । ତାଙ୍କ ମତରେ ପରଂବ୍ରହ୍ମ ଅମର, ଜନ୍ମ ବିରହିତ ଏବଂ ଜାତିବନ୍ଧନର ଊର୍ଦ୍ଧ୍ୱରେ ଅଧିଷ୍ଠିତ । ତାଙ୍କର କୌଣସି ନିର୍ଦ୍ଦିଷ୍ଟ ରୂପରେଖା ନଥିଲେ ମଧ୍ୟ ସେ ସକଳ ଘଟରେ ଅବସ୍ଥିତ (୧୦) ।

 

୭.

ସର୍ବେନ୍ଦ୍ରିୟଗୁଣାଭାସଂ ସର୍ବେନ୍ଦ୍ରିୟବିବର୍ଜିତମ୍‌ ଅସକ୍ତଂ ସର୍ବଭୃତ୍‌ଚୈବ ନିର୍ଗୁଣଂ ଗୁଣ ଭୋକ୍ତୃଚ ଗୀତା । ୧୩/୧୪

୮.

ବରନ ଅବରନ କଥ୍ୟୋନହି ଯାଇ, ସକଲ ଅତୀତ ଘଟ ରହ୍ୟୋ ସମାଇ’ କବୀର ଗ୍ରନ୍ଥାବଳୀ ୫ମସଂ ପୃ-୨୩ ।

୯.

‘‘ଅଲଖ ନିରଞ୍ଜନ ଲଖୈନ କୋଇ ନର ଭୈ ନିରାକାର ହୈସୋଇ ସୁନି ଅସଥୁଲ ରୂପ ନହିଁ ରେଖ । ଦ୍ରିଷ୍ଟି ଅଦ୍ରିଷ୍ଟି ଛପୌ ନହିଁ ଦେଖା ।’’ କବୀର ଗ୍ରନ୍ଥାବଳୀ : ସଂ ୨୦୧୮ ପୃ-୧୭୫ ।

୧୦.

‘ଏକମ୍‌ ଏକଂ କାରୁ ନିରାଲା । ଅମରୁ ଅଯୋନି ଜାତି ନ ଜାଲା । ଅଗମ ଅଗୋଚର ରୂପ ନ ରେଖିଆ । ମୋଜତି ଖୋଜତି ଘଟ ଘଟି ଦେଖିଆ’ - ମିତ୍ର ଜୟ ରାମ : ନାନକ ବାଣୀ : ପୃ-୪୮୦ ।

 

ପ୍ରସିଦ୍ଧ ସନ୍ଥ ମୁଲକ ଦାସଙ୍କ ମତରେ ଏହି ବ୍ରହ୍ମ ନିରଞ୍ଜନ, ନିରାକାର ଅଲକ୍ଷ୍ୟ ଏବଂ ଅବ୍ୟକ୍ତ (୧୧) । ମଧ୍ୟକାଳୀନ ଓଡ଼ିଆ ସନ୍ଥକବିଗଣ ବ୍ରହ୍ମଙ୍କ ରୂପ ବର୍ଣ୍ଣନାରେ କାର୍ପଣ୍ୟ କରିନାହାନ୍ତି-। ପରଂବ୍ରହ୍ମଙ୍କର ନିତ୍ୟ ବିଶ୍ରାମସ୍ଥଳ ହେଉଛି ମହାଶୂନ୍ୟ । ସକଳ ଉପାଧିରୁ ମୁକ୍ତ ହୋଇଥିବାରୁ କୌଣସି ନାମ ଏଣୁ ପରଂବ୍ରହ୍ମ ବାଚକ ହୋଇପାରେ ନାହିଁ । ସେ ମୁଖ୍ୟତଃ ଅଣାକାର ଏବଂ ଅରୂପ ବ୍ରହ୍ମ ନାମରେ ନାମିତ (୧୨) । ଏହି ପରଂବ୍ରହ୍ମହିଁ ଜ୍ୟୋତି ସ୍ଵରୂପ । ସେ ଏକାଧାରରେ ଆନନ୍ଦ ଓ ନିରାନନ୍ଦର ପ୍ରତୀକ, ସକଳ ବିଶ୍ଵର ସୃଷ୍ଟି ଏବଂ ବିଲୟର ପ୍ରତୀକ (୧୩) । ପରଂବ୍ରହ୍ମଙ୍କର ଏହି ରହସ୍ୟମୟୀ ବ୍ୟାଖ୍ୟା ଭିତରେ ତାଙ୍କର ଅଣାକାର ତତ୍ତ୍ଵହିଁ ସ୍ପଷ୍ଟ ଭାବେ ବିମ୍ବିତ ହୋଇଅଛି ।

 

୧୧.

ନମୋ ନିରଞ୍ଜନ ନିରଙ୍କାର ଅବଗତି ପୁରୁଣା ଅଲେଖ ଜିନ ସନ୍ତନ କୋହିତ ଧରୟୋ ଯୁଗ ଯୁଗ ନାନା ଲେଖ । - ମୁଲକ ଦାସ କା ବାନୀ : ବେ. ପ୍ରେ. ପୃ- ୩୮ ।

୧୨.

ମହାଶୂନ୍ୟରେଟି ବିଶ୍ରାମ । ସେଠାରେ ନାହିଁ ଅଛି ନାମ । ବେଭାରେ ମୋର ନାମ ନାହିଁ । ଅରୂପ ବ୍ରହ୍ମସ୍ଥ ଅଟଇ । ‘‘ଦାସ ବଳରାମ : ବିରାଟଗୀତା ପୃ-୨ ।

୧୩.

ଜ୍ୟୋତି ନିରାନନ୍ଦ ଜ୍ୟୋତିହିଁ ଆନନ୍ଦ ଜ୍ୟୋତିରୁ ଜ୍ୟୋତି ପ୍ରକାଶ ଜ୍ୟୋତି ଘେନି ଜ୍ୟୋତି ଉଦେ ହୋଇଅଛି ଜ୍ୟୋତି ସବୁଠାରେ ଶେଷ : ଦାସ ଅଚ୍ୟୁତାନନ୍ଦ : ଗରୁଡ଼ ଗୀତା ପୃ- ୧-

୧୪.

ଶ୍ରୀ ବିଶ୍ଵନାଥ ବାବା : ସତ୍ୟ ମହିମା ଧର୍ମର ଇତିହାସ । ପୃଷ୍ଠା- ୨ ।

 

 

॥ ଦୁଇ ॥

 

ମହିମାଧର୍ମର ପ୍ରଧାନ ପୁରୋଧା ମହାତ୍ମା ଭୀମଭୋଇ ଜାତିରେ କନ୍ଧ ଏବଂ ଶିକ୍ଷାଦୀକ୍ଷାରେ ଅତ୍ୟନ୍ତ ସାଧାରଣ ହେଲେ ମଧ ନିଜର ଅଲୌକିକ ଦିବ୍ୟ ଅନୁଭବ ଏବଂ କଠୋରକାୟା ସାଧନା ଫଳରେ ଅଲେଖ ପରଂବ୍ରହ୍ମଙ୍କର ସାକ୍ଷାତ୍‌କାର କରିବାକୁ ସମର୍ଥ ହୋଇଥିଲେ । ୧୮୨୬ ଖ୍ରୀଷ୍ଟାବ୍ଦରେ ପୁରୀଠାରେ ପ୍ରଥମେ ଆବିର୍ଭୂତ ହୋଇଥିବା ମହିମା ସ୍ଵାମୀଙ୍କର ଆଧ୍ୟାତ୍ମିକ ଅଲୌକିକ ଚରିତାବଳୀ ଯେତେବେଳେ ଓଡ଼ିଶାରେ ବନ୍ୟାଭଳି ପ୍ରସରିଗଲା (୧୪) ଏବଂ ତାଙ୍କର ଉଦ୍ୟମରେ ଯେତେବେଳେ ‘ସତ୍ୟ ମହିମାଧର୍ମ’ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲା ସେତେବେଳେ ଓଡ଼ିଶାର ଅଧିକାଂଶ ଜନସାଧାରଣ ଏହି ନବୀନଧର୍ମରେ ଦୀକ୍ଷିତ ହୋଇ ପଡ଼ିଲେ । ପ୍ରବୁଦ୍ଧସ୍ଵାମୀ ବା ଧୂଳିଆ ଗୋସାଇଁ ନାମରେ ପରିଚିତ ଏହି ଅନୁପମ ତପସ୍ୱୀ କପିଳାସ ପର୍ବତଠାରେ ଗୋବିନ୍ଦବାବାଙ୍କୁ ପ୍ରଥମେ ଦୀକ୍ଷାଦେଇ ତାଙ୍କୁ ‘ଆଦିସିଦ୍ଧ’ରେ ରୂପାନ୍ତରିତ କରିଥିଲେ । ବ୍ରାହ୍ମଣୀନଦୀ ତୀରବର୍ତ୍ତୀ କାଶୀପୁର ଗ୍ରାମର ବୈଶ୍ୟ ଗଙ୍ଗାଧର ସାହୁ ହେଲେ ତାଙ୍କର ପ୍ରଥମ ଗୃହସ୍ଥ ଦୀକ୍ଷିତ । ଗୋବିନ୍ଦ ବାବାଙ୍କ ସହ ମହିମା ସ୍ଵାମୀ ରେଢ଼ାଖୋଲର ଗ୍ରାମଡ଼ିହା ଗ୍ରାମର ଭୀମଭୋଇଙ୍କୁ ଆପଣା ଧର୍ମରେ ଦୀକ୍ଷିତ କରାଇ ଏହି ଧର୍ମର ଭକ୍ତି ଉପଦେଶ ରଚନା କରିବାକୁ ଉପଦେଶ ଦେଲେ । ଜଣାଯାଏ ଭୀମଭୋଇ ଥିଲେ ଆଜନ୍ମ ଅନ୍ଧ, ମାତ୍ର ମହିମାସ୍ଵାମୀଙ୍କ ଦିବ୍ୟ ସ୍ପର୍ଶରେ ତାଙ୍କର ଅନ୍ଧତ୍ୱ ତିରୋହିତ ହୋଇଗଲା ଏବଂ ଏକ ଅଲୌକିକ ଦିବ୍ୟ ଦୃଷ୍ଟିରେ ସେ ଚକ୍ଷୁଷ୍ମାନ ହୋଇ ଉଠିଲେ । ଭୀମଭୋଇଙ୍କ ଏହି ଦିବ୍ୟଜ୍ଞାନ ଯେତେବେଳେ ଧ୍ୟାନସ୍ଥ ସ୍ତରରେ ଭଜନ ଆକାରରେ ପ୍ରକାଶିତ ହେଉଥିଲା, ସେତେବେଳେ ମହିମାସ୍ଵାମୀଙ୍କ ଆଦେଶରେ ତାହାକୁ ହରିପଣ୍ଡା, ବାସୁଦେବ ପଣ୍ଡା ଏବଂ ଅନ୍ୟ ଦୁଇଜଣ ତାଳପତ୍ରରେ ଲେଖନୀ ସାହାଯ୍ୟରେ ଲେଖି ନେଉଥିଲେ । ଗୃହସ୍ଥଧର୍ମରେ ଥାଇ ମଧ୍ୟ ଭୀମଭୋଇ ମହିମାଧର୍ମର ଏକ ଲିଖିତରୂପ ପ୍ରଦାନ କରିବାର ପ୍ରୟାସ କରିଥିଲେ । ତାଙ୍କ ଲିଖିତ ସ୍ତୁତି ଚିନ୍ତାମଣି, ଶ୍ରୁତି ନିଷେଧ ଗୀତା, ନିର୍ବେଦ ସାଧନ, ଆଦି ଅନ୍ତଗୀତା, ଅଷ୍ଟକ ବିହାରୀ ଗୀତା, ବ୍ରହ୍ମ ନିରୂପଣ ଗୀତା, ପଦ୍ମକଳ୍ପ, ବ୍ରହ୍ମଚାଳକ, ଚଉତିଶା ମଧୁଚକ୍ର ଏବଂ ଅସଂଖ୍ୟ ଭଜନାବଳୀ ମହିମାଧର୍ମର ମୁଖ୍ୟ ଆଧାରସ୍ତମ୍ଭ । ଭୀମଭୋଇ ଗ୍ରନ୍ଥାବଳୀ (୧୫) ସଂକଳୟିତା ବୀରକିଶୋର ଦାସ ସଂଗ୍ରହ କରିଛନ୍ତି ମୋଟ ତିନିଶହବାର ଗୋଟି ଭଜନ । ଏହି ଭଜନ ମାନଙ୍କରେ ବର୍ଣ୍ଣିତ ବ୍ରହ୍ମତତ୍ତ୍ୱହିଁ ପ୍ରସ୍ତୁତ ପ୍ରବନ୍ଧର ବିଷୟବସ୍ତୁ । ବୀରକିଶୋର ଦାସଙ୍କ ଭୀମଭୋଇ ଗ୍ରନ୍ଥାବଳୀ ଯାହା ୧୯୭୧ ମସିହାରେ ପ୍ରକାଶିତ ହୋଇଥିଲା, ତାହାହଁ ଏହି ପ୍ରବନ୍ଧର ମୁଖ୍ୟ ଆଶ୍ରୟସ୍ଥଳ, ସମସ୍ତ ସଂକେତ, ପଦସଂଖ୍ୟାହିଁ ସେହି ଗ୍ରନ୍ଥକୁ ଆଧାର କରି ପ୍ରସ୍ତୁତ ହୋଇ ଅଛି ।

 

ମହିମାଧର୍ମର ଦର୍ଶନଶାସ୍ତ୍ର ପ୍ରକାଶ କରି ଏହି ଧର୍ମକୁ ଏକ ଶାସ୍ତ୍ରୀୟ ଅବା ବ୍ୟବସ୍ଥିତ ରୂପ ଦେଇଥିବା ଦିବଂଗତ ପରମ ସାଧୁ ବିଶ୍ଵନାଥ ବାବା ଅଲେଖ ପରଂବ୍ରହ୍ମଙ୍କ ସ୍ଵରୂପ ବିଶ୍ଳେଷଣ କରି କହନ୍ତି, ଯେ ସଦାସର୍ବଦା ଉପାଧି ବିରହିତ ଏବଂ ସତ୍ତ୍ୱ, ରଜ ତଥା ତମ ଏହି ତ୍ରିଗୁଣର ଊର୍ଦ୍ଧ୍ୱରେ ଅବସ୍ଥାପିତ, ଯେ ପରାତ୍ପର ଏବଂ ସର୍ବକାରଣର କାରଣ, କ୍ଷର ଏବଂ ଅକ୍ଷର ଏ ଉଭୟର ଯେ ଉର୍ଦ୍ଧ୍ୱରେ ସେହି ଏକମାତ୍ର ଶରଣ ଦାତା ପରଂବ୍ରହ୍ମ (୧୬) । ସେ ବିକାରବିହୀନ ହୋଇଥବାରୁ ନିର୍ବିକାର । ପ୍ରମାଣ ସକଳଦ୍ୱାରା ଅଗମ୍ୟ ହୋଇଥିବା ହେତୁ, ଅଜ୍ଞାତ ତତ୍ତ୍ଵ, ସଦାସର୍ବଦା ସତ୍‌, ଚିତ୍ତ ଏବଂ ଆନନ୍ଦର ସ୍ଵରୂପ (୧୭) । ସେ ପରିଦୃଶ୍ୟମାନ ଜଗତର ଉର୍ଦ୍ଧ୍ୱରେ ଅବସ୍ଥାପିତ, ଏକମାତ୍ର ଶାଶ୍ୱତ ଉପାଦାନ ଏବଂ ସକଳବିଶ୍ଵର ଆଦିକାରଣ ସ୍ୱରୂପ, ସେହି ଅଲେଖ, ବିଭୁ ଏବଂ ସକଳ ମଙ୍ଗଳର ମୂଳ, ସେହି ମୁକ୍ତିଦାତା ଏବଂ ସର୍ବବନ୍ଦନର ନିବାରକ ସତ୍ୟ ପରଂବ୍ରହ୍ମ (୧୮) । ଭୀମଭୋଇ ସେହି ଅଲେଖ ପରଂବ୍ରହ୍ମଙ୍କୁ ସ୍ତୁତି କରିଛନ୍ତି ତାଙ୍କର ଅଗଣିତ ଭଜନ ଏବଂ ଗ୍ରନ୍ଥମାନଙ୍କରେ । ତାଙ୍କର ପ୍ରମୁଖଗ୍ରନ୍ଥ ସ୍ତୁତିଚିନ୍ତାମଣିରେ ଏହି ପରଂବ୍ରହ୍ମଙ୍କ ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ ସେ କହନ୍ତି, ତାଙ୍କ ମହିମା ସମସ୍ତଙ୍କ ଅଗୋଚର ବସ୍ତୁ । ସମୁଦ୍ରଠାରୁ ସେ ଅଧିକ ଗଭୀର ଏବଂ ମେରୁଠାରୁ ଅଧିକ ଗରୀୟାନ । ପୃଥିବୀ ସୃଷ୍ଟିକାଳରୁ ତାଙ୍କ ମହିମା ଲେଖା ହେବାପାଇଁ ପ୍ରୟାସ ଚାଲିଲେ ମଧ୍ୟ ତାହା ଅଦ୍ୟାବଧି ସମ୍ଭବ ହୋଇପାରି ନାହିଁ (୧୯)।

 

୧୫.

ଦାସ ବୀରକିଶୋର : ଭୀମଭୋଇ ଗ୍ରନ୍ଥାବଳୀ : ଭଜନମାଳା : ଜେ ମହାପାତ୍ର ଏଣ୍ଡ କମ୍ପାନି, କଟକ. ପ୍ରକା ୧୯୭୧।

୧୬.

ସଦୋପାଧି ଶୂନ୍ୟଂ ଗୁଣୈର୍ନାଭିଲିପ୍ତଂ ପରଂ ପରାତ୍‌ ଯତ୍‌ କାରଣଂ କାରଣ ନାମ୍‌କ୍ଷରାତୀତ ମେବା କ୍ଷରାତୀତମେକଂ ପରଂବ୍ରହ୍ମ ଯତ୍‌ ତତ୍‌ ଶରଣ୍ୟଂ ନମାମି । ବିଶ୍ଵନାଥ ବାବା ଅଲେଖ ପରଂବ୍ରହ୍ମ ଦର୍ଶନମ୍‌ : ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ଵର : ପ୍ର.ପ୍ର. ୧୯୬୮ ବ୍ରହ୍ମଶରଣ ।

୧୭.

ବିକାରୈବିହୀନଂ ପ୍ରମାଣୈରଗମ୍ୟଂ ଚିଦାନନ୍ଦ ରୂପଂ ଚିରାନନ୍ଦମୀଶଂ ପ୍ରଶାନ୍ତଂ ସ୍ଵଭାସା ଜଗତ୍‌ ଭାସକଂ ସତ୍‌ ପରଂବ୍ରହ୍ମ ଯତ୍‌ ତତ୍‌ ଶରଣ୍ୟଂ ନମାମି । ତତ୍ରୈବ. ବ୍ରହ୍ମଶରଣ ।

୧୮.

ପ୍ରପଞ୍ଚାତିଗଂ ଶାଶ୍ଵତଂ ଚାଦି ମୂଳଂ ଅଲେଖଂ ବିଭୁଂ କୃଷ୍ଣ କଲ୍ୟାଣ କନ୍ଦମ୍‌, ବିମୁକ୍ତିପ୍ରଦଂ ଚ୍ଛେଦକଂ ବନ୍ଧନାନାଂ ପରଂବ୍ରହ୍ମଂ ଯତ୍‌ ତତ୍‌ ଶରଣ୍ୟଂ ନମାମି । ତତ୍ରୈବ : ବ୍ରହ୍ମଶରଣ ।

୧୯.

“ସେ ବ୍ରହ୍ମ ମହିମା କେହି ନ ଜାଣନ୍ତି ସମୁଦ୍ରରୁ ଅଟେ ଗୁରୁ, ତାହାର ନିଜ ନାମ ଲୋଡ଼ି ବୁଝିଲେ ସରିସମ ନୋହେ ମେରୁ । ଯେଉଁ ଦିନୁ ମାଟି ପୃଥିବୀ ହୋଇଲାଣି ମନୁଷ୍ୟ ଜନମ ଲଭି, ମହିମା ସମ୍ପୂର୍ଣ୍ଣେ ଲେଖି ନପାରିଲେ ବହିଗଲେ ଭାବି ଭାବି ।’’ - ଭୀମଭୋଇ : ସ୍ତୁତି ଚିନ୍ତାମଣି : ୯୯ ବୋଲି ।

 

ଏହି ପରମସତ୍ତାର ବିଧାୟକତ୍ୱକୁ ଭୀମ ସର୍ବତ୍ର ସମ୍ମାନ କରିଛନ୍ତି । ସେ ହିଁ ସକଳ ବିଶ୍ଵର ବିଧାୟକ । ତାଙ୍କର ଆଦେଶରେ ଏହି ରୂପ ରସ ଗନ୍ଧ ମତ୍ସ ପ୍ରପଞ୍ଚ ପ୍ରତିନିୟତ ପରିଚାଳିତ ହେଉଅଛି । ଭୀମଭୋଇ ଏହାକୁ କହିଛନ୍ତି ‘ଆଜ୍ଞା’ ! ତାଙ୍କର ଆଜ୍ଞାରେ ହିଁ ସକଳ ଜଗତ ଆତଯାତ ହୁଏ, ଗଗନ ମଣ୍ଡଳରେ ଚଳପ୍ରଚଳ ହୁଅନ୍ତି ଚନ୍ଦ୍ର ସୂର୍ଯ୍ୟ । ପଞ୍ଚଭୂତ ସେହି ପରଂବ୍ରହ୍ମଙ୍କ ଆଜ୍ଞାରେ ବିଶ୍ଵସୃଷ୍ଟିର ଉପାଦାନ ହୁଅନ୍ତି । ଯାହାଙ୍କ ପାଇଁ କୋଟିଏଯୁଗ ଗୋଟିଏ ନିମିଷ ମାତ୍ର ହୋଇଯାଏ, ତାକୁ କେହି ଏତେ ସହଜରେ ଚିହ୍ନି ପାରନ୍ତି ନାହିଁ । ଛଦ୍ମରେ ଏହି ଅଦ୍ଭୁତ ରୂପକଳ୍ପନା ଭିତରେ ଭାରତୀୟ ଆଧ୍ୟାତ୍ମିକ ବିଭବହିଁ ପ୍ରକାଶିତ (୨୦) । ଏବେ ଭୀମଭୋଇଙ୍କ ଭଜନମାନଙ୍କରେ ବ୍ରହ୍ମଙ୍କର ସେହି ଆଧ୍ୟାତ୍ମିକ ସ୍ଵରୂପ ବିଶ୍ଳେଷଣ କରାଯାଇପାରେ ।

 

॥ ତିନି ॥

 

ଭୀମଭୋଇଙ୍କ ପରଂବ୍ରହ୍ମଙ୍କର ଏକ ବିଶେଷ ଉପାଧି ହେଉଛନ୍ତି ସେ ଅରୂପାନନ୍ଦ । ସେ ଏକାଧାରରେ ଅରୂପ ଏବଂ ଆନନ୍ଦମୟ । ଅରୂପ ଶବ୍ଦର ବ୍ୟାଖ୍ୟା କରି ଭୀମ ଭୋଇ କହନ୍ତି, ଯେ ଶୂନ୍ୟସ୍ଵରୂପରେ ତ୍ରିଭୁଜରେ ପରିବ୍ୟାପ୍ତ ହୋଇଅଛି ସେହିଁ ଅରୂପ । ପ୍ରତ୍ୟେକ ଘାଟରେ ବିଶ୍ରାମ କରନ୍ତି ସେ ଅରୂପ ସ୍ଥିତିରେ ଏବଂ ଏହି ଅରୂପସ୍ଥିତି । ଏକରୁ ଅନେକ ଏବଂ ଅନେକରୁ ଏକ ମଧ୍ୟରେ ପ୍ରକାଶିତ ହୋଇ ଜଗତ ନିର୍ମାଣ କରିଥାଏ । (ଷଷ୍ଠ ଭଜନ) ପରଂବ୍ରହ୍ମଙ୍କର ଅନ୍ୟ ଏକ ଉପାଧି ହେଉଛି ‘ଅଲେଖ’ । ଭୀମ ଭୋଇଙ୍କ ଦୃଷ୍ଟିରେ ଅଲେଖ ଶବ୍ଦର ଅର୍ଥ ଯାହା ଲେଖି ହୁଏ ନାହିଁ ତାହାହିଁ ଅଲେଖ (ପଇଂଚାଳିଶ) । ଚାରିଯୁଗର କବିଗଣ ଯାହାଙ୍କର ସ୍ଵରୂପ ଚିତ୍ରଣକରି ପାରିଲେ ନାହିଁ ଏବଂ ଯେ ଶବ୍ଦରୁ ପ୍ରକାଶିତ ହୋଇ ଅଶବ୍ଦ ସ୍ମୃତିରେ ସମାହିତ ହୋଇଗଲେ ସେହିଁ ଅଲେଖ (ଶହେ ଏକତିରିଶ) ପୁଣି ଅଲେଖ ଶବ୍ଦର ଅର୍ଥ ହେଉଛି, ଯେ ଅଶେଷ ଲକ୍ଷଣରେ ଲକ୍ଷିତ-। ଶରୀରରେ ଉଭୟ ‘ଲେଖ’, ଏବଂ ‘ଅଣଲେଖ’ ଉଭୟ ରୂପରେ ସେ ପ୍ରତିଭାତ ହୁଅନ୍ତି । ଆତ୍ମାର ଲିଙ୍ଗ ଭେଦ କରି ଅସହ ପରଟେ ହୋଇପାରିଲେ ଏହି ଅଲେଖ ତତ୍ତ୍ୱ ସହଜରେ ବୁଝିହୋଇପାରେ (ତେୟାନବେ) । ସେ ଏକଧାରରେ ପ୍ରବଣ ଏବଂ ସ୍ଵରୂପର ଅତୀତ । ମହାଶୂନ୍ୟ ବିହାରୀ ସେ । ଛପନକୋଟି ଜୀବଜନ୍ତୁଙ୍କର ଜୀବନ ଧନ (୨୧) ।

 

୨୦.

‘ଆଜ୍ଞାରେ ଚଳେ ଚନ୍ଦ୍ରସୂର୍ଯ୍ୟ । ଯେ ପୃଥ୍ଵୀ ଆପ ବାୟୁ ତେଜ । ଯାର ଆଜ୍ଞାରେ ଏ ହନୁମାନେ । ଉଦୟ ଅସ୍ତ୍ର ପ୍ରତିଦିନେ । ନିମିଷେ କୋଟି ଯୁଗ ଯାକୁ । ତୁ ଚିହ୍ନି ନପାରିବୁ ତାକୁ । ସ୍ଵର୍ଗ ନରକ ବେନି ବାଣୀ । ଯା ରୋମ ମୂଳରୁ ମେଦିନୀ । ‘- ଭୀମଭୋଇ ନିର୍ବେଦ ସାଧନ : ୪ର୍ଥଅ -

୨୧.

‘ଅଲେଖ ପୁରୁଷ ଯେହୁ ଲେଖାରେ ନବସେ ସେହୁ ଅଶ୍ରୁତି ଅମୃତି ମୋ ନାହିଁ ରୂପ କାନ୍ତି ମହାଶୂନ୍ୟ ଦେହୀ ନିଶବ୍‌ଦରେ ଛନ୍ତି ରହି ଶୂନେ ଛପନକୋଟି ଜୀବର ସମ୍ପତ୍ତି ଗୋ (ଦୁଇଶହ ତନି)

 

‘ଶୂନ୍ୟ’ ପରଂବ୍ରହ୍ମଙ୍କର ଦ୍ୱିତୀୟ ଉପାଧି । ଭୀମ ଭୋଇଙ୍କ ଦୃଷ୍ଟିରେ କହନ୍ତା ଓ ବହନ୍ତା ଉଭୟଙ୍କ ମଧ୍ୟରେ ବିରାଜିତ ସେହି ପରମସତ୍ତା ହିଁ ଶୂନ୍ୟ (ତେୟାନଵେ) । ଊର୍ଦ୍ଧ୍ୱରୁ ପ୍ରତୀତ ନହେଲେ ମଧ୍ୟ ସର୍ବଭୂତରେ ଅଦୃଶ୍ୟ ଭାବରେ ପରିପୂର୍ଣ୍ଣ ହୋଇ ଦୃଶ୍ୟମାନ ହୁଅନ୍ତି ସେ (ଏକଶହ ଏକତିରିଶ) । ସେ ପୁଣି ‘ପ୍ରଭୁ’ ସକଳ ଘଟରେ ପୂରି ରହିଛନ୍ତି ସେ । ସହଜରେ ଧରାଦେବାର ଉପାଦାନ ମଧ୍ୟ ସେ ନୁହନ୍ତି । ସେହି ‘ଅଧରା’ ପରମ ପୁରୁଷଙ୍କୁ ଧରିନରଖିଲେ ଜୀବ ଆଉ ତାଙ୍କୁ ଉପଲବ୍ଧ କରିପାରେ ନାହିଁ (ତେୟାନବେ) । ବ୍ରହ୍ମାଣ୍ଡକୁ ସୃଷ୍ଟି କରିବା କାରଣରୁ ସେ ହିଁ କର୍ତ୍ତା (ତେୟାନବେ) କେବଳ ବ୍ରହ୍ମାଣ୍ଡ ନୁହେଁ ପିଣ୍ଡର ମଧ୍ୟ ସୃଷ୍ଟି କର୍ତ୍ତା ସେ (ଶହେ ଏକତିରିଶ) । ସେ ପୁଣି ବ୍ରହ୍ମ ଓ ମହାବ୍ରହ୍ମ । ଯେ ରଜବୀର୍ଯ୍ୟରୁ ବାହାର ହୋଇ ସ୍ଵର୍ଗ ମର୍ତ୍ତ୍ୟ, ପାତାଳରେ ପରିବ୍ୟାପ୍ତ ସେ ହିଁ ବ୍ରହ୍ମ । ସେ କାହାର ବଶୀଭୂତ ହେଉନଥିବା ଜନ୍ମ ମୃତ୍ୟୁର ଅଧୀନ ହୋଇନଥିବା ଧର୍ମ ପୁରୁଷ ସେ (ଶହେ ସତୁରି) । କୌଣସି ବାହ୍ୟ ଶକ୍ତି ତାକୁ ଆଘାତ କରୁନଥିବାରୁ ସକଳ ସଂସାର ସୃଷ୍ଟି କରିଥିବାରୁ ଏବଂ ଆପଣା ମାୟାକୁ ଆପେ ଜିଣିପାରିଥିବାରୁ ସେ ହିଁ ମହାବ୍ରହ୍ମ (୨୨) । ଅନନ୍ତ ପରଂବ୍ରହ୍ମଙ୍କର ଅନ୍ୟ ଏକ ଉପାଧି । ଚାରିଯୁଗରେ ଆଦ୍ୟ ଅନ୍ତ ମିଳୁନଥିବାରୁ ଏହି ପରମତ୍ତ୍ୱକୁ ଅନନ୍ତ ନାମରେ ନାମିତ କରାଯାଇଛି । ଏହି ଅଦ୍ଭୁତ ଶକ୍ତିମୟ ସତ୍ତାକୁ କୌଣସି କବି ଭାଷାରେ ବର୍ଣ୍ଣନା କରିପାରନ୍ତି ନାହଁ (ଶହେ ଏକତିରିଶ) । ସେ ହିଁ ଯଥାର୍ଥରେ ସ୍ଵାମୀ । ଛପନକୋଟୀ ଜୀବଜନ୍ତୁଙ୍କ ଜୀବନର ଆଧାର ସେ । ଜଗତର ହିତପାଇଁ ଅପରୂପରୁ ଅବତାର ଲୀଳା ସୃଷ୍ଟି ହୁଏ ତାଙ୍କର (୨୩) । ପରଂବ୍ରହ଼୍ମରେ ଏହି ସମସ୍ତ ନାମ ଓ ଉପାଧି ବିଶ୍ଲେଷଣ ମଧ୍ୟରେ ଭୀମଭୋଇ ଆପଣାର ବ୍ରହ୍ମସମ୍ବନ୍ଧୀ ବିଚାରଧାରାକୁ ସୃଷ୍ଟି କରିଦେଇଛନ୍ତି । ତାଙ୍କ ଦୃଷ୍ଟିରେ ଏହି ପରମତତ୍ତ୍ୱ ସକଳ ଜଗତର ଆଧାର, ଅଦୃଶ୍ୟ ଭାବରେ ପିଣ୍ଡ ଓ ବ୍ରହ୍ମାଣ୍ଡରେ ଅବସ୍ଥାନ କରି ସେ ସମଗ୍ର ବିଶ୍ଵକୁ ନିୟନ୍ତ୍ରଣ ଏବଂ ପାଳନ କରନ୍ତି ।

 

୨୨.

‘ମହାବ୍ରହ୍ମ ବୋଲିବାର ମତ ରୀତି । ନିର୍ମାୟା ପ୍ରଭୁ ସେ ନ ଭେଦେ ଶକତି । ଆପଣା ମାୟାକୁ ଆପେ ଅଛି ଜିଣି । ତେଣୁ ତା ପକ୍ଷୀରେ ନଲାଗଇ ପାଣି । ଭିଆଣ କରିଛି ଭବ ସାଗର (ଶହେ ତେତିଶ) ।

୨୩.

‘ସ୍ୱାମୀ ବୋଲିବାର ଯେବଣ ବିଭୂତି । ଛପନକୋଟିର ଅଟନ୍ତି ସେ ପତି । ସେ ଜଗତନାଥ ସମସ୍ତଙ୍କ ହିତ ଅବତାର ହୋନ୍ତି ଅଣରୂପରୁ । (ଶହେ ଏକତିରିଶ) ।

 

ଏହି ପରମ ପୁରୁଷଙ୍କର ଅଦୃଶ୍ୟ ସ୍ଥିତିର ଚିତ୍ର ଭୀମଭୋଇ ପ୍ରାୟ ଅଧିକାଂଶ ଭଜନରେ ପ୍ରଦାନ କରିଛନ୍ତି । ଉର୍ମ ଧୂର୍ମ ଜ୍ୟୋତି ଓ ଜ୍ୱାଳା ଏହି ପରମ ପୁରୁଷକୁ ଭେଦି ପାରନ୍ତି ନାହିଁ । ବ୍ରହ୍ମା ବିଷ୍ଣୁ ଏବଂ ଶିବଙ୍କ ଭଳି ଦେବତାମାନେ ମଧ୍ୟ ସେହି ପରମ ପୁରୁଷଙ୍କ ପାଦପଦ୍ମ ଦର୍ଶନ କରି ପାରନ୍ତି ନାହିଁ । ବିଭିନ୍ନ ଅବତାର ଋକ୍‌ ଯଜୁ ସାମ ଆଦି ଚତୁର୍ବେଦ, ହ୍ଲୀଂ କ୍ଲୀଂ ଶ୍ଲୀଂ ଆଦି ମାତୃ ବା ଶକ୍ତି, ପୃଥ୍ଵୀ ତଥା ପଞ୍ଚଭୂତ ଏବଂ ଛପନକୋଟି ଜୀବଜନ୍ତୁ ସେହି ଅବ୍ୟସ୍ତ ବ୍ରହ୍ମଙ୍କ ଦର୍ଶନ ପାଇଁ ଏକାନ୍ତ ଆଶାୟୀ ହେଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଦର୍ଶନ କରିପାରନ୍ତି ନାହିଁ (୨୪) । କେବଳ କାମନା ଓ କଳ୍ପନା ଦ୍ୱାରରେ ମନକୁ ସ୍ଥିର କରି ଧ୍ୟାନସ୍ଥ ହେଲେ ତାଙ୍କ ସ୍ଵରୂପର ସାମାନ୍ୟତମ ପ୍ରକାଶ ମାତ୍ର ବହୁ ସାଧନପରେ ଉପଲବ୍ଧ କରିହୁଏ । ଏହି ବ୍ରହ୍ମପୁରୁଷ ‘ନିଗମ’ ଭୁବନରେ ଗୁପ୍ତ ହୋଇ ଏକପାଦରେ ଅବସ୍ଥାନ କରୁଥିବାରୁ କାହାର ସେବା ଭକ୍ତିକୁ ସହଜରେ ଗ୍ରହଣ କରନ୍ତି ନାହିଁ (ଚଉଦ) । ଅଲେଖପାଟଣା ପୁରରେ ଏହି ଶୂନ୍ୟମନ୍ଦିର ବିହାରୀଙ୍କର ଲୀଳାଖେଳା ଚାଲିଥାଏ । ଅଦ୍ୱୈତସିଦ୍ଧାନ୍ତରେ ସେହି ପ୍ରକଟିତ ହୋଇଥାନ୍ତି (୨୫) । ଏହି ପରଂବ୍ରହ୍ମ ଯୋନିରୁ ଜନ୍ମ ହୋଇ ନଥିବାରୁ ତାଙ୍କୁ ଆଦୌ ମାୟା ଆକର୍ଷଣ କରେ ନାହିଁ । ଏଣୁ ସେ ଅଲେଖ ଅବର୍ଣ୍ଣ ଏବଂ ଶୂନ୍ୟ ପୁରୁଷ । କୌଣସି ପ୍ରପଞ୍ଚ ନାମର ଅଧୀନ ନ ହୋଇଥିବାରୁ ସେ ଅନାମ । ଅରୂପ ହେଲେ ମଧ୍ୟ ଅନ୍ତର୍ଗତଭାବନା ଜାଣିବାରେ ସେ ଧୁରନ୍ଧର । ସେ କ୍ଷମାର ସମୁଦ୍ର ଏବଂ ଛପନକୋଟି ଜୀବନର ପାଳକ । ସେ ଅଣରୂପ ଚାନ୍ଦ (ପଞ୍ଚାଅଶି) ଏବଂ ନବଘନ । ଚାନ୍ଦ (ଅଠା ଅଶି), ଏହି ପରିକଳ୍ପନାରେ ଭୀମଙ୍କ ବିଲୋଳିତ ଭକ୍ତିଚିତ୍ତର କାବ୍ୟିକ. ପରିପ୍ରକାଶ ସ୍ପଷ୍ଟ । ରୂପ ବିହୀନ ଏହି ଅରୂପସତ୍ତାକୁ ଅଣରୂପ ଚାନ୍ଦ କହିବା ମଧ୍ୟରେ ଭୀମଙ୍କ ଅକପଟ ରହସ୍ୟଘନ କବିହୃଦୟଟି ସହଜରେ ବାରି ହୋଇପଡ଼େ ।

 

୨୪.

‘ଅବ୍ୟଗତ ବ୍ରହ୍ମ ଯେହି ରୂପ ରଚନାରେ ନାହିଁ କହେ ଭୀମ ଅରକ୍ଷିତ ଅନାମେ ରହିଲା ଭେଦ (ତେର) ।

୨୫.

‘ଶୂନ୍ୟ ମନ୍ଦିରେ ବିହାର । ରୂପ ରେଖ ନାହିଁ ଯାର’ ଦୂତି ପାଦ ନ ମିଶାଇ ଏକ ପାଦ ଧରଧର-।’ (ପନ୍ଦର)

 

ଭୀମଭୋଇଙ୍କ ଦୃଷ୍ଟିରେ ପରଂବ୍ରହ୍ମ କେବଳ ଅରୂପାନନ୍ଦ ନୁହନ୍ତି ସେ ମଧ୍ୟ ପୂର୍ଣ୍ଣାନନ୍ଦ ସ୍ଵାମୀ-। ପୂର୍ଣ୍ଣଆନନ୍ଦର ମୂର୍ତ୍ତତନୁ ହେଲେ ମଧ୍ୟ କଳିଯୁଗର ରୀତି ନୀତି ଦେଖି ସେ ଅରୂପ ଅଦୃଶ୍ୟଭାବରେ ଅବସ୍ଥାନ କରିଛନ୍ତି । ମାତ୍ର ଭକ୍ତମାନଙ୍କ ପାଇଁ ଏକ ବ୍ରହ୍ମପାଦରେ ଅଦ୍ୱୈତ ଭାବରେ ଉଦୟ ହୋଇ ଆତ୍ମଜ୍ଞାନ ପ୍ରଚାରକରନ୍ତି (ଛୟାନବେ) । ଏଣୁ ସେ ଅବର୍ଣ୍ଣିକା ଓ ଅନାମିକା ପୁରୁଷ ହେଲେ ମଧ୍ୟ ତ୍ରିପୁରରେ ବ୍ରହ୍ମମୟ ସ୍ଵରୂପରେ ପ୍ରକାଶିତ ହୁଅନ୍ତି । ଆଦୌ ଦୃଶ୍ୟମାନ ନହୋଇ ସମଗ୍ର ବିଶ୍ଵରେ ପ୍ରତିଭାତ ହେଉଥିବା ଏହି ରହସ୍ୟମୟ ପୁରୁଷଙ୍କ ସ୍ଵରୂପ ଅଙ୍କନ କରି ଭୀମଭୋଇ ତାଙ୍କୁ ଅଣରୂପ ଓ ନବଘନଚାନ୍ଦ କହି ତାଙ୍କର ବୈଶିଷ୍ଟ୍ୟ ପ୍ରକାଶ କରିଛନ୍ତି । ଏ ଚନ୍ଦ୍ର ଭୀମଭୋଇଙ୍କ ଦୃଷ୍ଟିରେ ପାର୍ଥିବ ଚନ୍ଦ୍ର ନୁହେଁ, ରାତ୍ର ଦିନ ଯୁଗପତ୍‌ ଉଦୟ ହୋଇ ଛପନ କୋଟିରେ ଅହରହ ଆପଣାର କିରଣ ବିକୀରଣ କରି ସକଳ ଘଟରେ ସମଭାବରେ ତଥା ବିଭେଦ ରହିତ ଭାବରେ ଅବସ୍ଥାନ କରିବା ଏହି ‘ଚାନ୍ଦ’ଙ୍କର ଏକ ଅଲୌକିକ ବିଶେଷତ୍ୱ (୨୬) । ସ୍ଵରୂପ ଧାରଣ କରି ଏହି ବ୍ରହ୍ମଙ୍କ ସହ ଲୀନ ହେବା କେବଳ ମନୁଷ୍ୟ ନୁହେଁ ଦେବତାଙ୍କ ପକ୍ଷେ ମଧ୍ୟ ଅସମ୍ଭବ । ଦେହହିଁ ଅଭିମାନର କାରଣ । ଅଭିମାନ ହିଁ ବ୍ରହ୍ମପ୍ରାପ୍ତିର ବାଧକ । ଆତ୍ମବଡ଼ିମା ହେତୁ ବ୍ରହ୍ମା ବିଷ୍ଣୁ ଶିବ ମଧ୍ୟ ଏହି ଅରୂପ ବ୍ରହ୍ମଙ୍କ ମଧ୍ୟରେ ସର୍ମାହିତ ହୋଇ ପାରନ୍ତି ନାହିଁ (୨୭) । ଅରୂପ ତଥା ଅଦୃଶ୍ୟରେ ସ୍ଥିତି ହେଲେ ମଧ୍ୟ ଏହି ବ୍ରହ୍ମଙ୍କର ତେଜ ଅକଳନ । କୋଟିଏ ଚନ୍ଦ୍ର ଓ ସୂର୍ଯ୍ୟଙ୍କର କାନ୍ତି ସେହି ଜାଜ୍ୱଲ୍ୟମାନ ଜ୍ୟୋତି ନିକଟରେ ନିଷ୍‌ପ୍ରଭ ହୋଇଯାନ୍ତି । ସେହି ଅଲେଖ ଅବର୍ଣ୍ଣ ଜ୍ୟୋତିଙ୍କ କିଞ୍ଚିତ ମାତ୍ର କରୁଣାରେ ମୋକ୍ଷ ବା ମୁକ୍ତି ମିଳିଯାଏ (ଦୁଇଶହ ତେୟାଳିଶ) । ଏହି ଜ୍ୟୋତିର୍ମୟ ପରମସତ୍ତାଙ୍କର ସ୍ଵରୂପ ଭୀମଙ୍କ କଳ୍ପନାରେ ‘ଝଟକ ବିଦ୍ୟୁପରାୟେ’ । ମେଘାଚ୍ଛାଦିତ ଅନ୍ଧକାର ମଧ୍ୟରେ ଚଳମାନ ବିନ୍ଦୁରେଖା ଭଳି ତାଙ୍କର ସ୍ଵରୂପ ମୁହୂର୍ତ୍ତକ ପାଇଁ ଦୃଶ୍ୟମାନ ହୋଇ ପରେ ପୁଣି ଅଦୃଶ୍ୟ ହୋଇଯାଏ-। ନିର୍ଲିପ୍ତ ସ୍ଥିତିରେ ରହିଲେ ହିଁ ତାଙ୍କର ଦର୍ଶନ ବହୁ ଆୟାସରେ ସମ୍ଭବପର ହୋଇଥାଏ (ଦୁଇଶହ ସତଚାଳିଶ) । ସେହି ବ୍ରହ୍ମହିଁ ଏକ ମାତ୍ର ସତ୍ୟ, ଯଦିଓ ସେ ଗୁଣରହିତ ଏବଂ ଅରୂପ ତଥାପି ସେହିଁ ବିଶ୍ଵର ଏକମାତ୍ର ସାରବସ୍ତୁ । ଚର୍ମ ଚକ୍ଷୁ ନୁହେଁ, ଜ୍ଞାନ ଚକ୍ଷୁରେ ହିଁ ସେ କେବଳ ଆଂଶିକ ଦୃଶ୍ୟମାନ ହୁଅନ୍ତି (୨୮) ।

 

୨୬.

‘ଅମନ ମନ୍ଦିରେ ବାସ ଭ୍ରମଣ କରେ ଆକାଶ ନାହିଁତା ରାତ୍ର ଦିବସ ଉଇଁଅଛି ଚାନ୍ଦହେ ପଡ଼ୁଛି ତାର କିରଣ ଛପନାକୋଟିରେ ଜାଣ ସକଳ ଘଟରେ ସମ ପୂରିଛି ବିଭେଦ ହୋ’ - (ଶହେ ପଇଁତିରିଶ)

୨୭.

‘କୋଟି ବ୍ରହ୍ମାବିଷ୍ଣୁ ଶିବଗଲେ । ଆପ ବଡ଼ିମାରେ ନପାଇଲେ । ଭାବେ ଭୋଳେ ପଡ଼ି ଭବେ ଗଲେ ବୁଡ଼ି ବ୍ରହ୍ମେ କେହି ଲୀନ ହୋଇନାହିଁ ।’ (ଶହେ ବୟାଳିଶ)

୨୮.

‘ମହାଶୂନ୍ୟ ଶୂନ୍ୟ କିଛି ନାହିଁ ଜାଣ ବ୍ରହ୍ମଟି ସାର ନିର୍ଗୁଣ ନାହଁ ରୂପରେଖ ଅରୂପ ଶରୀର ଜ୍ଞାନ ନୟନରେ ଚିହ୍ନ ।’ (ଦୁଇଶହ ଅଶି)

 

ଏହି ପରମତତ୍ତ୍ଵଙ୍କର ବିଭୂତି ଭୀମଙ୍କ ଭାଷାରେ ଅବର୍ଣ୍ଣନୀୟ । ତାଙ୍କର ମହିମା ମଧ୍ୟ ଅନନ୍ତ । ଯେତେବେଳେ ସଂସାର ଜଂଜାଳରେ ଭୀମ ଅତିଷ୍ଠ ହୋଇପଡ଼ିଛନ୍ତି, ନିନ୍ଦୁକମାନଙ୍କ କୁବ୍ୟବହାରରେ ଜର୍ଜରିତ ହୋଇ ଉଠିଛନ୍ତି ସେତେବେଳେ ଆକୁଳରେ ପରଂବ୍ରହ୍ମଙ୍କୁ ତାଙ୍କ ବିଭୂତି ସମ୍ପର୍କରେ ପ୍ରଶ୍ନ କରିଛନ୍ତି ।

 

ଏହାପରେ ଆରମ୍ଭ ହୋଇଛି ସମ୍ମୁଖରେ ପରଂବ୍ରହ୍ମଙ୍କର ଶୂନ୍ୟବାଣୀ ମାଧ୍ୟମରେ ଆତ୍ମବିଭୂତି କଥନ (ଦୁଇଶହ ଛୟାଅଶି) । ଗୀତାର ବିଭୂତି ଯୋଗପରି ଏଠାରେ ପରଂବ୍ରହ୍ମ ଆପଣାର ଶ୍ରେଷ୍ଠତ୍ୱ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ ମଧ୍ୟରେ ପ୍ରତିପାଦିତ ନକରି ସକଳ ଜଗତର ଊର୍ଦ୍ଧ୍ୱରେ ଆପଣାର ସ୍ଥିତିକୁ ପ୍ରତିଷ୍ଠା କରିଛନ୍ତି । ଅବନାପୁର ବିହାରୀ, କୋଟି ବ୍ରହ୍ମା ବିଷ୍ଣୁଙ୍କର ସୃଷ୍ଟି ଓ ବିଲୟକାରୀ, କୋଟି କୋଟି ସଂସାର ସୃଷ୍ଟି ସଂହାରକାରୀ ତାଙ୍କର ଅକଳନ ବିଭୂତି ସାଧାରଣ ସାଧନାଦ୍ୱାରା ଯେ ଗମ୍ୟ ନୁହେଁ, ନାଗାନ୍ତ ଯୋଗାନ୍ତ ଆଦିଦ୍ୱାରା ମଧ୍ୟ ଯାହା ଜାଣିବା ସମ୍ଭବ ନୁହେଁ, କେବଳ ‘ଅଜପା ଅଣ ଅକ୍ଷର’ରେ ଭଜନ କଲେ ଯାହା ସାକ୍ଷାତକାର ମିଳିବ ତାହାହିଁ ଭୀମ ଶ୍ରବଣ କରିଛନ୍ତି । କେବଳ ନିରୁତା ଶାସ୍ତ୍ର ଜ୍ଞାନ ଏହି ପରମ ତତ୍ତ୍ଵକୁ ଉପଲବ୍ଧ କରିପାରେ ନାହିଁ । କେବଳ ନିଷ୍କାମ ଯୋଗରେ ହିଁ ଏହା ସମ୍ଭବପର ହୋଇଥାଏ (୨୯) । ଭୀମ ବ୍ରହ୍ମଙ୍କର ବିଭୂତିର ଏକ ଚମତ୍କାର ଉପମା ଦେଇଛନ୍ତି ‘ସିନ୍ଧୁ ପ୍ରାୟେ ବ୍ରହ୍ମ ଅକୁଳିତ’ ଶବ୍ଦ ପୁଞ୍ଜରେ (ଦୁଇଶହ ଛତିଶ) । ସମୁଦ୍ର ଯେପରି ଅକଳନୀୟ ବ୍ରହ୍ମ ସେହିପରି ଭାବେ କଳନାହୀନା ମାୟା ବନ୍ଧନଦ୍ୱାରା କେତେବେଳେ ମଧ୍ୟ ବାନ୍ଧି ହୁଅନ୍ତି ନାହିଁ ସେ । ତାଙ୍କର ନଖକୋଣରେ ପରିପୂର୍ଣ୍ଣ ଥାନ୍ତି ଅଗଣିତ ସୁରାସୁର ଏବଂ ମାଳମାଳ ମେଦିନୀ । ତାଙ୍କ ପାଦପଦ୍ମର ପବିତ୍ର ମକରନ୍ଦକୁ ଶିରରେ ଆନନ୍ଦର ସହ ଧାରଣ କରିଥାଏ ଅନନ୍ତ ବାସୁକୀ (ଏକ) । ଏହି ଅକଳିତ ବ୍ରହ୍ମଙ୍କର ମହିମା ମଧ୍ୟ ଅବର୍ଣ୍ଣନୀୟ-। ଭକ୍ତଜନଙ୍କର ଧନ ମନ ଏବଂ ଜୀବନ ସେ । ରୋମମୂଳରେ ତାଙ୍କର ଖେଳୁଥାନ୍ତି ମାଳ ମାଳ ମେଦିନୀ । ସିଦ୍ଧ ମୁନିଋଷିଗଣ ତାଙ୍କ ବର୍ଣ୍ଣନା ସମ୍ପୂର୍ଣ୍ଣ କରିବାର ସାମର୍ଥ୍ୟ ପାଇ ପାରନ୍ତି ନାହିଁ । ସପ୍ତଦ୍ୱୀପାଧରଣୀକୁ ଗର୍ଭରେ ଧାରଣ କରିବାର କ୍ଷମତା ଥାଏ ତାଙ୍କର । ସେ କୁଜ୍ଞାନୀକୁ ବିଷଭଳି, ଭକ୍ତମାନଙ୍କୁ ରସ ଭଳି ଦୃଶ୍ୟ ହେଲାବେଳେ ସଜ୍ଞାନୀମାନଙ୍କ ଅନୁଭବମଧ୍ୟରେ ଅଦୃଶ୍ୟ ରୂପରେ ଅବସ୍ଥାନ କରନ୍ତି (୩୦) । ଏହି ପଦଟିରେ ଭୀମ ଜ୍ଞାନୀ ଏବଂ ଭକ୍ତଙ୍କ ମଧ୍ୟରେ ଉକ୍ତକୁ ହିଁ ଶ୍ରେଷ୍ଠତା ଦେଇଛନ୍ତି । ବ୍ରହ୍ମଙ୍କ ମହିମା ବର୍ଣ୍ଣନା କରିବା ଅବସରରେ ଭୀମ ବେଦମାନଙ୍କର ଯେଉଁ ବିଶେଷତ୍ୱ ନିରୂପଣ କରିଛନ୍ତି ତାହା ଏକାନ୍ତରେ ଲକ୍ଷ୍ୟ କରିବାର କଥା । ପରଂବ୍ରହ୍ମଙ୍କର ଅଦୃଶ୍ୟ ପରମପଦରୁ ପ୍ରକଟିତ ହୋଇଥିବା ବେଦ ହିଁ ସକଳ ପ୍ରପଞ୍ଚର ଲୀଳାଭୂମି । ଋକ୍‌ବେଦରୁ ସୃଷ୍ଟି ହୋଇଛନ୍ତି ପୃଥିବୀ ଓ ସପ୍ତ ସମୁଦ୍ର । ସାମବେଦରୁ ଶୂନ୍ୟ ଏବଂ ପବନ, ଅଥର୍ବ ବେଦରୁ ଦଶଦିଗକୁ ଛନ୍ଦୁଥିବା ବିଦ୍ୟା, ସାମଯୁକ୍ତ ଯଜୁବେଦରୁ ଅଜ୍ଞୟ ଅର୍ଥାତ୍‌ ଅର୍ଦ୍ଧଭୁବନ ଅଥବା ଅର୍ଦ୍ଧମାତ୍ରା ଏବଂ ଶିଶୁବେଦରେ ଭକ୍ତବତ୍ସଳ କରୁଣା ସାଗର ଅନାମ ଦୀନବନ୍ଧୁଙ୍କ ଆସ୍ଥାନ (ଶହେ ପନ୍ଦର) । ବ୍ରହ୍ମଙ୍କର ଏହି ଅକଳିତ ମହିମା ଅସମ୍ଭବକୁ ସମ୍ଭବ କରିପାରେ । ମୂର୍ଖକୁ ପଣ୍ଡିତ କରିପାରେ, ଅଜ୍ଞାନକୁ ଜ୍ଞାନୀ କରିପାରେ, ପାଷାଣକୁ ପାଣି କରିପାରେ, ପଙ୍ଗୁକୁ ଗିରିଲଂଘନର କ୍ଷମତା ଦେଇପାରେ ଏବଂ ଅପୁତ୍ରିକକୁ ପୁତ୍ରଦାନ କରିପାରେ (ଶହେ ଏକୋଇଶ) । ଯେତେ ପ୍ରକାଶ କଲେ ମଧ୍ୟ ବ୍ରହ୍ମଙ୍କ ମହିମା ଅପ୍ରକାଶ୍ୟ ଏହି ହେତୁ ଦୁର୍ଲଭ । ସାଧାରଣ ମନୁଷ୍ୟ କାହିଁକି ଋଷି ମୁନିଗଣ ମଧ୍ୟ ଏହାର ଅନ୍ତପାଇପାରନ୍ତି ନାହଁ (୩୧) ।

 

୨୯.

‘ନବସେ ଅକ୍ଷର ପଦ କେ ପାଇବ ତହିଁ ଭେଦ ନାହିଁ ଶାସ୍ତ୍ର ସଙ୍ଗୀତା ସଂଯୋଗର ଭଣେ ଭୀମ ହୀନ ହୋଇ ସ୍ଵକାମରେ ଜ୍ଞାନ ନାହିଁ ନିଷ୍କାମ ଚିତ୍ତରେ ଦୃଢ଼େ ଧର’, (ଦୁଇଶହ ଛୟାଳିଶ) ।

୩୦.

‘କୁଜ୍ଞାନୀକି ବିଷ ଭକ୍ତଜନଙ୍କୁ ରସ । ସଜ୍ଞାନୀଙ୍କି ଅନୁଭବ ଚିତ୍ତେ ଅଦୃଶ୍ୟ’ - (ଶହେ ପନ୍ଦର) ।

 

ଏହି ଅଲେଖ ମହିମା ପୁରୁଷଙ୍କର ସ୍ଵରୂପପ୍ରକାଶ ଲୀଳାର ଚିତ୍ର ଆଙ୍କିଲାବେଳେ ଭୀମ ଚେତନାର ଏକ ଊର୍ଦ୍ଧ୍ୱାୟିତ ସ୍ତରକୁ ଚାଲିଯାନ୍ତି । ସେ ଏପରି ଏକ ମହନୀୟ ଧୁନିର ପରିକଳ୍ପନା କରନ୍ତି ଯାହାର ଶିଖା ହୋଇଥାଏ ଚତୁଧା ବିଭକ୍ତ । ସେହି ଚାରି ଗୋଟି ଶିଖାରୁ ବିକୀରିତ ହେଉଥାଏ ଚାରୋଟି ଦିବ୍ୟଗୁଣ-ଦୟା, କ୍ଷମା, ଶୀଳ ଓ ଶାନ୍ତି ମଧ୍ୟରେ ଶିଖା ପ୍ରକାଶ କରି ଜଳୁଥାନ୍ତି ଅଲେଖ ମହିମା ପୁରୁଷ (୩୨) । ନିଡ଼ାଆତ୍ମାରେ ବିହାର କରୁଥିବା ଏହି ବ୍ରହ୍ମ ଅଭିମାନ ବିଷଟିତ କଳେବରଠାରୁ ବହୁଦୂରରେ ଅବସ୍ଥାନ କରୁଥାଏ । ଭୀମ ଏହି ଦୂରତାକୁ ଚବିଶ ସହସ୍ର ଯୋଜନ ବୋଲି କହିଛନ୍ତି (ଦୁଇଶହ ତେୟାଅଶି) । ଅରୂପ ତତ୍ତ୍ଵର ରୂପ ନିର୍ମାଣ କଳ୍ପନାରେ ଭୀମ କମ୍‌ ରହସ୍ୟମୟ ପଦ ରଚନା କରିନାହାନ୍ତି । ଅସ୍ତିନାସ୍ତିର ଯୁଗପତ୍‌ ସତ୍ୟତା ଭିତରେ ବ୍ରହ୍ମଙ୍କ ସ୍ଵରୂପ ବିଶ୍ଳେଷଣ କରିଛନ୍ତି ସେ । ବ୍ରହ୍ମ ସ୍ନେହ ନଥାଇ ପ୍ରୀତି ଲଗାଇ ପାରନ୍ତି । କାହାକୁ ଦୃଶ୍ୟମାନ ନହେଲେ ମଧ୍ୟ ସକଳଙ୍କ ପାଖରେ ଅଦୃଶ୍ୟରେ ପ୍ରତିନିୟତ ବିଦ୍ୟମାନଥା’ନ୍ତି । ସ୍ଥାନ ନଥାଇ ବସ୍ତି ଦିଅନ୍ତି, ଛଣରେ ଛପର ନକରି ଘରଟିଏ ଦିଅନ୍ତି । ସର୍ବଗୃହରେ କୁଣିଆ ହେଲେ ମଧ୍ୟ ଗୃହସ୍ଥ ତାଙ୍କୁ ବନ୍ଧୁବୋଲି ଚିହ୍ନିପାରେ ନାହିଁ । ଏହିଠାରେ ପରଂବ୍ରହ୍ମଙ୍କର ଉଦାରତାର ଚିତ୍ର ଭୀମ ଅତି ଜୀବନ୍ତଭାବେ ବର୍ଣ୍ଣନା କରନ୍ତି । ସକଳ ଘଟରେ ବିଜେ କରିଥିବା ପରଂବ୍ରହ୍ମଙ୍କୁ କେହି କଦାପି ଚିହ୍ନିବାକୁ ପ୍ରୟାସ କରେ ନାହିଁ । ଆପଣାର ଅସ୍ମିତାରେ ସେ ଅହରହ ସେହି ଦିବ୍ୟସତ୍ତାକୁ ବିସ୍ମୃତ ହୋଇଥାଏ । ମାତ୍ର ପାଖକୁ ନଡାକିଲେ ମଧ୍ୟ ପରମସତ୍ତା ଉପରେ ପଡ଼ି ପାଖକୁ ଆସନ୍ତି ଏବଂ ଜୀବର ସକଳ ଦୁଃଖ ଦୂରକରି ପୁଣି ଅପ୍ରକଟ ହୋଇଯାନ୍ତି (୩୩) । ତାଙ୍କର ସୃଷ୍ଟି ନିର୍ମାଣ ଲୀଳା ମଧ୍ୟ ଅତି ବିଚିତ୍ର ଧରଣର, ସକଳ ସଂସାରର ସ୍ରଷ୍ଟା ସେ । ମାତ୍ର ପିଣ୍ଡନିର୍ମାଣ କଲାବେଳେ ଶୂନ୍ୟ ଶିଖରରୁ କମଳ ଫୁଟେ । ଅଦ୍ଭୁତରେ ନିର୍ମିତ ହୁଏ ପିଣ୍ଡ । ପିଣ୍ଡ ପିଣ୍ଡ ଭିତରେ ପୁଣି ଅନେକ ପାର୍ଥକ୍ୟ । ଜଣେ ସ୍ତ୍ରୀ ତ ଆରଜଣକ ପୁରୁଷ । ଏମାନେ ପୁଣି କେହି ଏକ ପରି ନୁହନ୍ତି । ସଂସାରର ସକଳ ପୁରୁଷ ଗୁଣ ଓ ରୂପରେ ପରସ୍ପରଠାରୁ ପୃଥକ୍‌ । ଏହି ବିଚିତ୍ର କର୍ମା ପୁରୁଷ ବହୁ ନାମ ଓ ରୂପରେ ଜଗତରେ ଆପଣାକୁ ପ୍ରକାଶିତ କଲେ ମଧ୍ୟ ‘ଅନାମିକା ପୁରୁଷ’ ଭାବରେ ସର୍ବଦା ସର୍ବତ୍ର ସଞ୍ଚାର କରନ୍ତି ଏବଂ ବହୁରୂପରେ ପରିଦୃଶ୍ୟମାନ ହେଉଥିବା ଏହି ପରଂବ୍ରହ୍ମ ଜଳଘଟସ୍ଥ ସୂର୍ଯ୍ୟ ଭଳି ଏକ ରୂପାତୀତ ସ୍ତରରେ ନିତ୍ୟ ବିଳାସ କରନ୍ତି । ଜୀବଜଗତ ପ୍ରତି ତାଙ୍କର ଦୟା ମଧ୍ୟ ଅସୀମ । ଆଦୌ ସ୍ତୃତି କରୁନଥିବା ପ୍ରାଣୀଟି ତାଙ୍କ ଅହେତୁକୀ ଅନୁକମ୍ପାରୁ ବ୍ରହ୍ମଲୀନ ହୋଇଯାଏ (୩୪) । ବ୍ରହ୍ମଙ୍କର ଏହି ରହସ୍ୟମୟ ସ୍ଵରୂପ ବିଶ୍ଳେଷଣ ମଧ୍ୟକାଳୀନ ଓଡ଼ିଆ ଜ୍ଞାନମିଶ୍ରା ଭକ୍ତି ସାହିତ୍ୟରେ ବହୁଭାବରେ ଲକ୍ଷ୍ୟ କରିବାକୁ ମିଳିଥାଏ । ପ୍ରକୃତରେ ବ୍ରହ୍ମ ସାକ୍ଷାତକାର ଏକ ଜାଗତିକ ସସୀମ ବ୍ୟାପର ନୁହେଁ । ଚେତନାର ଏକ ସଂକ୍ରମିତ ଉର୍ଦ୍ଧ୍ୱାୟିତ ଅଲୌକିକ ସ୍ତରରେ ଏହାର ସମ୍ବନ୍ଧ । ତେଣୁ କୌଣସି ନିର୍ଦ୍ଦିଷ୍ଟ ଜାଗତିକଦୃଶ୍ୟ ଏହାକୁ ପ୍ରକଟ କରି ପାରିବନାହିଁ । ଯଦି ବା କରିବ ତେବେ ହଁ ନାହିଁ ଏହିଭଳି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପ୍ରକାଶ କରିବ । ଭୀମ ତେଣୁ ପରଂବ୍ରହ୍ମଙ୍କ ସ୍ୱରୂପ ନିର୍ଦ୍ଧାରଣ କଲାବେଳେ ଏହି ପନ୍ଥାକୁହିଁ ଗ୍ରହଣ କରିଛନ୍ତି । ତାଙ୍କ ଦୃଷ୍ଟିରେ ପରଂବ୍ରହ୍ମ ଅଣାକାର ମାତ୍ର ସ୍ଵରୂପ ସ୍ଥିତିରେ ସେ ‘ଅଣରୂପ’ରେ ପ୍ରକାଶିତ ହୁଅନ୍ତି । ଆକାଶ ଶୂନ୍ୟମଣ୍ଡଳରେ ସ୍ଥିତ ହେଲେ ମଧ୍ୟ ତାହା ଅଛି କି ନାହିଁ ଯେପରି ନିର୍ଦ୍ଦିଷ୍ଟ ରୂପରେ କହି ହୁଏ ନାହିଁ ଏବଂ ସର୍ବୋପରି ତାର ଶୂନ୍ୟସ୍ଥିତିକୁ ଯେପରି ଅସ୍ଵୀକାର କରାଯାଏ ନାହିଁ, ବ୍ରହ୍ମଙ୍କ ସତ୍ତା ଠିକ୍‌ ସେହିପରି । କୌଣସି ନିର୍ଦ୍ଦିଷ୍ଟ ବର୍ଣ୍ଣରେ ସେ ଆତ୍ମପ୍ରକାଶ ନକଲେ ମଧ୍ୟ ସକଳ ବର୍ଣ୍ଣ ବିଚିତ୍ର ସମନ୍ୱୟରେ ସେ ସମାହିତ ହୋଇଥାନ୍ତି । ପାଦପାଣି ନଥିବା ଏହି ଅପରୂପ ତତ୍ତ୍ୱଙ୍କର ସେବା କରିବାକୁ ଇଚ୍ଛାକଲେ ‘ଭାବ’ ମାଧ୍ୟମରେ ପରିଦୃଶ୍ୟମାନ ହୋଇଯାନ୍ତି ସେ ଓ ସାଧକର ଆରମ୍ଭ ହୋଇଯାଏ ଆପଣାର ଇଷ୍ଟଦେବଙ୍କ ପ୍ରତି ମାନସୀ ସେବା (୩୫) ।

 

୩୧

‘ଯାହାର ମହିମା ଅତ୍ୟନ୍ତ ଦୁର୍ଲଭ । ତ୍ରିପୁର ମଧ୍ୟ ସମ୍ପତ୍ତି ସୁଲଭ । ଗମି ନପାନ୍ତି ଋଷି ମୁନି ଦେବ । ସମସ୍ତେ ନ ଜାଣନ୍ତି ତୁମ୍ଭ ଭାବ ।’ (ଦୁଇଶହ ବାର)

୩୨.

‘ଚଉପାଶେ ଚାରି ଶିଖା ହୋଇଛନ୍ତି ଦୟା କ୍ଷମା ଶୀଳ ଶାନ୍ତି ମଧ୍ୟରେ ଅଲେଖ ମହିମା ପୁରୁଷ ଜଳୁଛି ଯେସନେକ ବତୀ’ (ଦୁଇଶହ ତେୟାଳିଶ)

୩୩.

‘ସର୍ବ ଗୃହରେ କୁଣୁଆ ହୁଅନ୍ତି । ବନ୍ଧୁ ବୋଲି କେହି ନାହିଁ ଚିହ୍ନନ୍ତି ପାଶରେ ନଥାଇ କଷଣ ଫେଡ଼ନ୍ତି ତାଙ୍କ ଗୁଣମାନ କେହୁ ଶୁଝିବ । (ଏକାବନ)

୩୪.

‘ନାମ ନାହିଁ ଅନାମିକା ପୁରୁଷ । ରୂପଥାଇ ଅରୂପରେ ଦୁରୁଶ ନ ଭଜିଲେ ଆପେ ପ୍ରସନ୍ନ ହୁଅନ୍ତି ନାହିଁ ଦେଖି ବ୍ରହ୍ମେ ଲୀନ ହୁଅନ୍ତି । (ବାଉନ)

୩୫.

‘ଅଣାକାର ଅଣରୂପେ ପ୍ରକାଶ । କିଛି ନଦିଶନ୍ତି ଶୂନ୍ୟ ଆକାଶ । ବର୍ଣ୍ଣଭେଦ ନାହିଁ କି ବର୍ଣ୍ଣ ବର୍ଣ୍ଣିବ ଅବର୍ଣ୍ଣ ସେ ପୁରୁଷ । ପାଦପାଣି ନାହିଁ କି ସେବା କରିବି ଭାବେ ହୁଅନ୍ତି ଦୃଶ୍ୟ । (ପଅଁଷଠି)

 

ଏହି ପରଂବ୍ରହ୍ମଙ୍କର ଅବତରଣ ଲୀଳାର ପ୍ରସଙ୍ଗ ଭୀମ କମ୍‌ ଆବେଗାୟିତ ଭାବମୟ ଭାଷାରେ ପ୍ରକାଶ କରିନାହାନ୍ତି । ଜଗତକୁ ଉଦ୍ଧାର କରିବା ପାଇଁ ମାନବ ଦେହଧାରଣ କରି ଶୂନ୍ୟରୁ ଅବତରି ଆସନ୍ତି ସେ (ଛଅ) । ସେହି ଅଣ ଅକ୍ଷର ସ୍ଵରୂପ, ଯେଉଁଠାରୁ ସୃଷ୍ଟି ହୁଅନ୍ତି ସକଳ ନାମ । ସେହି ଅଣାକ୍ଷରରୁ ହିଁ ଜନ୍ମନିଅନ୍ତି ଦଶ ଅବତାର (ତିରିଶ) । ଭକ୍ତଙ୍କର ହିତପାଇଁ ପୃଥିବୀରେ ତାଙ୍କର ଦେହଧାରଣ ହୋଇଥାଏ (ପଇଁଚାଳିଶ) । ଅଣାକାର ଅରୂପ ବ୍ରହ୍ମମୂର୍ତ୍ତି ରୂପବନ୍ତ ହୋଇ ଓହ୍ଲାଇ ଆସନ୍ତି ଧରଣୀକୁ । ପରଂବ୍ରହ୍ମ ସ୍ଵରୂପ ଗ୍ରହଣପରେ ସୃଷ୍ଟିରେ ଯେଉଁ ଲୀଳାଖେଳା କରନ୍ତି, ତାର ସୀମା ନିର୍ଣ୍ଣୟ କରିଛନ୍ତି ମହାତ୍ମା ଭୀମ । ଦ୍ୱାଦଶ ଯୁଗ ବିଶିଷ୍ଟ ପୃଥିବୀରେ ଅବତରିତ ବ୍ରହ୍ମ ମାତ୍ର ଚାରିଯୁଣ ଆୟତନରେ ଆପଣାର ଲୀଳାଖେଳା ଜାରି ରଖନ୍ତି (ତେପନ) । ଏହାର କାରଣ ବହୁବିଧ ହୋଇପାରେ । ପ୍ରଥମତଃ ସମଗ୍ର ଭୁବନ କଳିକଳୁଷ ପୂର୍ଣ୍ଣ ହୋଇ ନଥିବାରୁ ବ୍ରହ୍ମଙ୍କ ଅବତରଣ ଲୀଳା ସବୁକ୍ଷେତ୍ରରେ ଆବଶ୍ୟକ ହୋଇ ନଥାଏ । ଦ୍ଵିତୀୟତଃ ବ୍ରହ୍ମଙ୍କ ଲୀଳା ଖେଳା ପାଇଁ ଏକ ଅନାମୟ ସ୍ଥାନର ଆବଶ୍ୟକତା ରହିଛି । କଥିତ ଚାରିଯୁଣହିଁ ସେହି ସ୍ଥାନର ପ୍ରତୀକ । ଅନ୍ୟତ୍ର ବ୍ରହ୍ମଙ୍କ ଅବତରଣଲୀଳା ଦର୍ଶନର ସୌଭାଗ୍ୟ ସମ୍ଭବପର ହୁଏ ନାହିଁ । ଏଣୁ ମହାଶୂନ୍ୟରେ ରହିଥିବା ଏହି ଅଣରୂପ ବ୍ରହ୍ମ ଦେହବନ୍ତ ହେଲାବେଳେ ତାଙ୍କର ସକଳ ଭକ୍ତ ପୃଥିବୀରେ ଲୀଳା ଦର୍ଶନ ପାଇଁ ଜନ୍ମ ଗ୍ରହଣ କରନ୍ତି (ଶହେବାର) । ନରତନୁ ଧାରଣ କଲେ ମଧ୍ୟ ତାଙ୍କର ଅକଳିତ ବ୍ରହ୍ମମୟତା ବିଦ୍ୟମାନ ଥାଏ । ଦେହଧାରଣ କଲେ ମଧ୍ୟ ସେ ପ୍ରାକୃତିକ ସ୍ତରରେ ସ୍ତ୍ରୀ ଅଥବା ପୁରୁଷ କୌଣସି ଭେଦରେ ଚିହ୍ନିତ ହୁଅନ୍ତି ନାହିଁ (୩୬) । ବିଭିନ୍ନ ଯୁଗରେ ପରଂବ୍ରହ୍ମଧାରଣ କରିଥିବା ବିଭିନ୍ନ ଅବତାର ସ୍ଵରପ ଚିତ୍ରଣ କଲାବେଳେ ଭୀମ ମୁଖ୍ୟତଃ ପୁରାଣର ହିଁ ଆଶ୍ରୟ ନେଇଛନ୍ତି । ସତ୍ୟ ଯୁଗରେ ସେ ହୋଇଛନ୍ତି ବାମନ, ତ୍ରେତୟାଯୁଗରେ ହୋଇଛନ୍ତି ରାମ, ଦ୍ଵାପର ଯୁଗରେ କୃଷ୍ଣ ଏବଂ କଳିଯୁଗରେ ମାଳବିହାର ପୁରଠାରେ ଧୁନି ଲଗାଇ ଥିବା ଭିକ୍ଷାବାସୀ ସନ୍ନ୍ୟାସୀ ପ୍ରବୁଦ୍ଧ ସ୍ଵାମୀ (୩୭) । ଏହି ଅବତାର ଏବଂ ତାଙ୍କ ପ୍ରକାଶ ସାନ ସମ୍ପର୍କରେ ଭୀମ ଅନେକ ଭଜନରେ ସୂଚନା ଓ ବିଶେଷ ବ୍ୟାଖ୍ୟା ପ୍ରଦାନ କରିଛନ୍ତି । ଜମ୍ବୁଦ୍ୱୀପର ପୂର୍ବଦିଗରେ ଏହି ବିଚିତ୍ର ନରଲୀଳାକୁ ଦର୍ଶନ କରିବାପାଇଁ ଭୀମ ଅନେକବାର ସାଧକ ଭକ୍ତମାନଙ୍କୁ ନିବେଦନ କରିଛନ୍ତି (ଶହେ ଏକୋଇଶି) । ଏହାହିଁ ଭୀମଙ୍କ ଦୃଷ୍ଟିରେ କଳ୍‌କୀ ଅବତାର । ଏକ ଉତ୍ତରିତ ଅନୁଭବର ବର୍ଣ୍ଣନା କରି ଭୀମ କହନ୍ତି ଅଭୟ ମଣ୍ଡଳରେ ଅନାଦି ଯୋଗେଶ୍ୱର ଭୀମଙ୍କୁ ଏକଦା ସେ କଳ୍‌କୀ ଅବତାରରେ ପ୍ରକଟିତ ହେବେ ବୋଲି କହିଲେ ଏବଂ ଭୀମଙ୍କୁ ମର୍ତ୍ତ୍ୟକୁ ଯିବାକୁ କହି ସେଠାରେ ତାଙ୍କୁ ଦୀକ୍ଷା ଦେବେ ବୋଲି ସାନ୍ତ୍ଵନା ଦେଇଥିଲେ (ଶହେ ଅଠର) ଲକ୍ଷ୍ୟ କରିବାର କଥା କଳ୍‌କୀ ଅବତାର ଏକ ଭବିଷ୍ୟତ ଅବତାର । ଦଶଅବତାର ମଧ୍ୟରୁ ନଅଗୋଟି ଅବତାର ଅତୀତରେ ସମୀଚୀନ ହୋଇଥିଲା ବେଳେ ଶେଷ ଅବତାର ଅର୍ଥାତ୍‌ କଳ୍‌କୀ ଅବତାରଟି ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ । ଏଣୁ ଓଡ଼ିଶାର ଆଧ୍ୟାତ୍ମିକ ଧ୍ୟାନଧାରଣାରେ ଅନେକ ସମ୍ପ୍ରଦାୟ ଆପଣାର ସ୍ଵ ସ୍ଵମତ ମାଧ୍ୟମରେ କଳ୍‌କୀ ଅବତାରର ଭିନ୍ନ ଭିନ୍ନ ସ୍ୱରୂପକୁ ଆମ ଆଗରେ ଉପସ୍ଥାପନ କରନ୍ତି ଏବଂ ଆପଣା ସିଦ୍ଧାନ୍ତକୁ ସତ୍ୟ ବୋଲି ପ୍ରତିପାଦନ କରିବାକୁ ଚେଷ୍ଟାକରନ୍ତି । ଅନୁରୂପ ଭାବରେ ଭୀମ ମାଳବିହାର ପୁରରେ ଧୁନି ସ୍ଥାପିଥିବା ସନ୍ନ୍ୟାସୀକୁ କଳ୍‌କୀ ଅବତାର ରୂପେ ଘୋଷଣା କରିଛନ୍ତି । ତଥାପି ଭୀମ ଥିଲେ ଯୁକ୍ତିପ୍ରବଣ । ଜ୍ଞାନୀ ଥିବାରୁ ଆପଣାର ଏହି ଅବବୋଧକୁ ଅନ୍ୟ ଉପରେ ଜବରଦସ୍ତ ଲଦିଦେବାକୁ ଚେଷ୍ଟା କରିନାହାନ୍ତି । ସେ କହିଛନ୍ତି ଅବତାର ଗ୍ରହଣ କରିଥିବା ପରଂବ୍ରହ୍ମହିଁ ପ୍ରକୃତରେ ଶୂନ୍ୟପୁରୁଷ । ଅବତରଣ କଲାବେଳେ ତାଙ୍କର ସ୍ଵରୂପ ସମସ୍ତଙ୍କ ପାଇଁ ସମାନ ମଧ୍ୟ ନୁହେଁ । ଶ୍ରୀମଦ୍‌ଭାଗବତରେ ଶ୍ରୀକୃଷ୍ଣ କଂସର ରଙ୍ଗସଭାରେ ପହଞ୍ଚିଲାବେଳେ ସଭାରେ ବସିଥିବା ଭିନ୍ନ ଭିନ୍ନ ଲୋକ ଆପଣାର ଚିତ୍ତବୃତ୍ତି ଅନୁରୂପ ଶ୍ରୀ କୃଷ୍ଣଙ୍କୁ ଦର୍ଶନ କରିଛନ୍ତି । ମଲ୍ଲମାନେ ତାଙ୍କୁ ବଜ୍ର ରୂପରେ, ରାଜାମାନେ ଶ୍ରେଷ୍ଠରାଜା ରୂପରେ, ନାରୀମାନେ କନ୍ଦର୍ପ ରୂପରେ ତଥା କଂସ କାଳରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଛନ୍ତି । ମାତ୍ର ଶ୍ରୀକୃଷ୍ଣହିଁ ଏକ । ସେହିପରି ସୀତା ସ୍ଵୟଂବର ବେଳେ ଜନକପୁରୀରେ ଭାଗବାନ୍ ରାମଙ୍କୁ ଆପଣା ଇଚ୍ଛା ଅନୂରୂପରେ ସମସ୍ତେ ଦର୍ଶନ ମଧ୍ୟ କରିଛନ୍ତି । ରାମଚରିତ ମାନସରେ ଗୋସ୍ଵାମୀ ତୁଳସୀ ଦାସ ଏହାର ଭବ୍ୟବର୍ଣ୍ଣନା ପ୍ରଦାନ କରିଛନ୍ତି । ଅନୁରୂପ ଭାବରେ ପ୍ରଭୁଙ୍କର ଶୂନ୍ୟାବତରଣ ଲୀଳାକୁ ଯେ ଯେଉଁ ରୂପରେ ଦେଖନ୍ତି ସେହିପରି ବର୍ଣ୍ଣନା କରନ୍ତି (୩୮) । ଭୀମଙ୍କର ଏହି ଦୃଷ୍ଟିକୋଣ ଏକାନ୍ତ ଯଥାର୍ଥ ଏବଂ ସତ୍ୟ ଭିତ୍ତିକ-। ମାତ୍ର ପ୍ରତ୍ୟେକ ଅବତାର ପରସ୍ପରଠାରୁ ଯେ ପୃଥକ୍‌ ଏହା ଅତି ସାବଧାନତାର ସହ ଲକ୍ଷ୍ୟ କରିଛନ୍ତି ଭୀମ । ପ୍ରତ୍ୟେକ ଅବତାରଙ୍କ ଲୀଳା ଖେଳା ଏକପରି ନୁହେଁ । ସ୍ଵରୂପ ସ୍ଥିତିରେ ସମସ୍ତେ ସ୍ଵତନ୍ତ୍ର ଏବଂ ଲୀଳା ସୃଷ୍ଟିରେ ମଧ୍ୟ ଅନନ୍ୟ । ଏଣୁ ଭୀମ କଳିଯୁଗରେ ପ୍ରଭୁ ଧାରଣ କରିଥିବା ଅବତାରକୁ ‘ନବ ଅବତାର’ ବୋଲି କହିଛନ୍ତି (ଦୁଇଶହ ଦଶ) । ଏହି ଅବତାର ହିଁ ଏକମାତ୍ର ଭୀମଙ୍କ ଦୃଷ୍ଟିରେ ଅବିନାଶୀ । ସମସ୍ତଙ୍କର ବିନାଶ ଥିଲେ ମଧ୍ୟ ଅବତାରଙ୍କର ବିନାଶ ନଥାଏ (ଦୁଇଶହ ପଚିଶ) । ବ୍ରହ୍ମଙ୍କ ପ୍ରକଟଅବଧି ମଧ୍ୟ ନିର୍ଣ୍ଣୟ କରିଛନ୍ତି ଭୀମ । ପ୍ରତ୍ୟେକ ଅବତାରର ଅବଧି ହେଉଛି ଭୀମଙ୍କ ମତରେ ଦଶ ସହସ୍ର ବର୍ଷ (୩୯) । ଦଶ ସହସ୍ର ବର୍ଷରେ ଥରେ ବ୍ରହ୍ମ ଜଗତରେ ପରିଦୃଶ୍ୟମାନ ହୁଅନ୍ତି ଏବଂ ଜଗତର ଉଦ୍ଧାର ପାଇଁ ଲୀଳାରଚନା କରନ୍ତି । ଅବତାର ଗ୍ରହଣ କଲେ ମଧ୍ୟ ତାଙ୍କ ପୂର୍ଣ୍ଣ ବ୍ରହ୍ମତ୍ୱରେ କୌଣସି ପରିବର୍ତ୍ତନ ହୁଏ ନାହିଁ । କଳିଯୁଗରେ ତାଙ୍କର ଏହି ନୂତନ ଅବତାର ଜଗତର ଅଜ୍ଞାନ ଅନ୍ଧକାରର ବିନାଶ ପାଇଁ ହିଁ ଅଭିପ୍ରେତ ଥାଏ । ଧର୍ମର ସ୍ଥାପନାପାଇଁ ‘ଗୁରୁ’ ସ୍ଵରୂପରେ ତାଙ୍କୁ ତେଣୁ ଅବତାର ଗ୍ରହଣ କରିବାକୁ ପଡ଼ିଥାଏ । ପୂର୍ବ ଅବତାରମାନଙ୍କରେ ଗୁରୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କେବଳ ମାତ୍ର ମାଧ୍ୟମ ଥିଲାବେଳେ ଭୀମଙ୍କ ଦୃଷ୍ଟିରେ କଳିଯୁଗରେ ଅବତାର ଗ୍ରହଣ କରିଥିବା ପରଂବ୍ରହ୍ମହିଁ ଗୁରୁ ରୂପରେ ଜଗତକୁ ଜ୍ଞାନର ଆଲୋକ ପ୍ରଦାନ କରିଛନ୍ତି (ତିନିଶହ ଦୁଇ)।

 

୩୬.

‘ଅଶେଷ ବ୍ରହ୍ମଙ୍କୁ କେ କରିବ ଶେଷ ! ନୁହନ୍ତି ସ୍ଥିରୀ ଯେ ନୁହନ୍ତି ପୁରୁଷ’ । (ଶହେବତିଶ)

୩୭.

‘ଘୋର କଳିଯୁଗେ ଆସି ହୋଇଛନ୍ତି ଭିକ୍ଷାବାସୀ କାମ କଳ୍ପଣା ଛଡ଼ାଇ ଅନ୍ତରଯେ କେହି ନ ପାଇବେ ଅନ୍ତ କଳିଯାଇ ହେବ ସତ୍ୟ ଧୁନିସ୍ଥାପିଛନ୍ତି ମାଳବିହାର । (ଶହେ ପଞ୍ଚାଅଶି)

୩୮.

‘ନବ ମୁନିଗଣେ କରି ମଣ୍ଡଳୀ ସଭା ତହିଂ ପରେ ନିଜେ ଶୂନ୍ୟ ପୁରୁଷ ଦେବା । ସେଠାରେ ନବ ଋଷି ସତ୍ୟ ସାର ପ୍ରକାଶି ଯାକୁ ଯେମନ୍ତେ ଦିଶି ଲିହି ପୁରାଣେ ଘୋଷି ।’ (ଶହେ ସତର)

୩୯.

‘ଦଶ ସହସ୍ର ବରଷ ଗଲେ ହୋନ୍ତି ବ୍ରହ୍ମଦୃଶ୍ୟ ସୁଭାଗ୍ୟ ଅଟଇ ତପସିଦ୍ଧଠାରୁ’ (ଦୁଇଶହ ପଇଁଚାଳିଶ)

 

ସାକାର ସ୍ଥିତିରେ ଖେଳିଲେ ମଧ୍ୟ ତାଙ୍କର ଅଖଣ୍ଡ ନିରାକାର ସତ୍ତା ସେହିଭଳି ଅବିଚଳିତ ଥାଏ । ଭୀମଙ୍କ ଦୃଷ୍ଟିରେ ବ୍ରହ୍ମଙ୍କର ସାକାର ଏବଂ ନିରାକାର ସ୍ଥିତି ସ୍ଵରୂପତଃ ଏକ ଅର୍ଥ ଅଭିନ୍ନ । ଦୁଗ୍ଧର ଅନ୍ତର୍ନିହିତ ମାଧୁର୍ଯ୍ୟପରି ଏହି ଦୁଇଟି ସ୍ଥିତି ପରସ୍ପର ସହ ସମ୍ପର୍କିତ । ସକାମ ନିଷ୍କାମର ଏହି ଉଭୟ ସ୍ଥିତି ଗୋଟିଏ ସୂତ୍ରରେ ଯନ୍ତ୍ରିତ ଏବଂ ପରିଣାମରେ ଏକ ସତ୍ୟର ପ୍ରତିପାଦକ (୪୦) । ଯେତେବେଳେ ଏହି ଶାଶ୍ୱତସତ୍ୟ ଏକ ନିର୍ଦ୍ଦିଷ୍ଟ ଅନ୍ଧବିଶ୍ଵାସର ନିର୍ମୋକ ମଧ୍ୟରେ ଅବସ୍ଥାପିତ ବୋଲି କାଏମୀ ସ୍ଵାର୍ଥପରତାଦ୍ୱାରା ପ୍ରଚାରିତ ହୁଏ, ସେତେବେଳେ ଭୀମ ସତ୍ୟର ଏହି ଦାରୁଣ ବିପର୍ଯ୍ୟୟକୁ ସହ୍ୟ କରିପାରି ନାହାନ୍ତି । ସେହି ପ୍ରତିଷ୍ଠିତ ଧର୍ମାଚାର ବିରୁଦ୍ଧରେ ସେ ବିଦ୍ରୋହ ଘୋଷଣା କରନ୍ତି । ଏହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ମହାତ୍ମା ଭୀମଙ୍କର ଶ୍ରୀଜଗନ୍ନାଥଙ୍କର ଦାରୁ କଳେବର ପ୍ରତି ଅନାସ୍ଥା ପୋଷଣ । ପୁରୁଷୋତ୍ତମ କ୍ଷେତ୍ରରେ ବହୁପୂର୍ବରୁ ଥିବା ଶ୍ରୀନାରାୟଣ ଯେ ଆଉ ଶ୍ରୀକ୍ଷେତ୍ରରେ ନାହାନ୍ତି ଏହା ଦୃଢ଼କଣ୍ଠରେ ଘୋଷଣା କରିଛନ୍ତି ସେ (୪୧) । ଏହି ପ୍ରତିବାଦର କାରଣ ମଧ୍ୟ ସ୍ପଷ୍ଟ ହୋଇଯାଇଛି ତାଙ୍କ ଭଜନମାନଙ୍କରେ । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ନେଇ ପଣ୍ଡା ସେବକ ଗଣରେ ବ୍ୟବସାୟ ମନୋବୃତ୍ତି । ଏ କ୍ଷେତ୍ରରେ ସବର୍ଣ୍ଣ ଅସବର୍ଣ୍ଣ ମଧ୍ୟରେ ଭେଦ ନାହିଁ ବୋଲି କୁହାଯାଉଥିଲେ ହେଁ, ପ୍ରକୃତ ପକ୍ଷରେ ଏହାର କଠୋରପାଳନ, ଉଚ୍ଚନୀଚ ତଥା ଭେଦବିଚାର ଏହି ସମସ୍ତ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ବ୍ରହ୍ମ ନାହାନ୍ତି ବୋଲି ଭୀମ ଘୋଷଣା କରିଛନ୍ତି । ବ୍ରହ୍ମଙ୍କ ଆବାସସ୍ଥଳ ନିରୂପଣ କରି ସେ କହନ୍ତି, ଯେଉଁ ସ୍ଥାନରେ ସତ୍ୟର ପ୍ରତିଷ୍ଠା ଥାଏ ଏବଂ ସତ୍‌ସଙ୍ଗର ମାହାତ୍ମ୍ୟ ପ୍ରଚାରିତ ହେଉଥାଏ, ସେଠାରେ ବ୍ରହ୍ମ ବିଜେ କରିଥାନ୍ତି । ସେ ସ୍ଥାନରେ ବଡ଼ ସାନ ବା ଉଚ୍ଚନୀଚର ଭେଦଭାବ ନଥାଏ (୪୨) । ଏହାହିଁ ଯଥାର୍ଥରେ ପରମ ସତ୍ୟଙ୍କର ଆବାସସ୍ଥାନ । ଭୀମଙ୍କ ଦୃଷ୍ଟିରେ ଏହି ପରମ ସତ୍ୟହଁ ଯଥାର୍ଥତଃ କବି । ଆପେ ଆପେ ସେ ସୃଷ୍ଟି କରିଛନ୍ତି ବେଦ ଓ ପୁରାଣ । ଆପଣା ଛାଏଁ ଆପେ ସଂସାରରେ ପ୍ରକାଶିତ ହୋଇ ସପକ୍ଷବାଦୀ ଓ ବିପକ୍ଷବାଦୀ ଭକ୍ତ ବୃନ୍ଦଙ୍କ ସହ ଲୀଳାଖେଳା କରନ୍ତି ସେ (ଶହେ ଚଉରାନବେ) । ଏଣୁ ଜଗତଜନଙ୍କ ପାଇଁ ତାଙ୍କର ଏହି ନିତ୍ୟ ଲୀଳାବିଳାସ କିଛି ପରିମାଣରେ ବୋଧ ହେଲେ ମଧ୍ୟ ବହୁଳାଂଶରେ ଅବୋଧ୍ୟ ହୋଇଥାଏ । ତାଙ୍କର ଏହି ବିଚିତ୍ର ଲୀଳାର ବର୍ଣ୍ଣନା ତେଣୁ ସାଧାରଣ ଜନତା ପାଇଁ ବୋଧଗମ୍ୟ ନୁହେଁ । କବି ବି ଅତି ସରଳ ଭାଷା ଓ ଭାବରେ ସେହି ଗହନ ଗୋପନ ଲୀଳାର ସ୍ୱରୂପ ବର୍ଣ୍ଣନା କରିପାରିବ ନାହିଁ । ଏ ପର୍ଯ୍ୟାୟରେ ଭୀମ ଯେଉଁ କବିତ୍ୱ ମାର୍ଗର ଆଶ୍ରୟ ନେଇଛନ୍ତି ତାକୁ ସେ ନାମିତ କରିଛନ୍ତି ଅସାଧନା ମାର୍ଗର ପଦ (ଅଣାନବେ) ଏବଂ ଅବନା ପଦ (ନବେ) । ବ୍ରହ୍ମ ତତ୍ତ୍ୱର ଗହନ ଗୋପନ ମାର୍ଗ ଭୀମଙ୍କ ଦୃଷ୍ଟିରେ ଅସାଧନା ମାର୍ଗ । ଏହି ମାର୍ଗରେ ନିଷ୍ଠାର ସହିତ ଗତି କଲେ ଯାଇ ବ୍ରହ୍ମୋପଲବ୍ଧି ସମ୍ଭବ ହୋଇଥାଏ ।

 

୪୦.

‘ଯେ ଆଦି ଅନାଦି ଏକ ରୂପ ସିଦ୍ଧି ଯେସନେ ଦୁଗ୍ଧ ମଧୁର ସ୍ଵକାମ ନିଷ୍କାମ ବେନି ପରକାର ଜ୍ଞାନୀ ଜନେ ହେତୁ କର । (ଦୁଇଶହ ବୟାଅଶୀ)

୪୧.

ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ପୁରୁଷୋତ୍ତମେ ଜାଣ ଥିଲେ ଯେଉଁ ନାରାୟଣ ସେପ୍ରଭୁ କାହିଁ ରହିଲେ ତିନିଦାରୁକୁ । (ପଞ୍ଚସ୍ତରି) ।

୪୨.

‘ସତ୍ୟ ସାଧୁ ସଙ୍ଗେ ଛନ୍ତି ଗୁରୁ । ଶୂନ୍ୟ ହୋଇ ବୁଦ୍ଧ ଅବତାରୁ । ଯହିଁ ସତ୍ୟଧର୍ମ ତହିଁ ରହେ ବ୍ରହ୍ମ ନ ବାରନ୍ତି ସେ ଯେ ଉଚ୍ଚନୀଚ (ଶହେ ଅଠାନବେ)

 

।। ଚାରି ।।

 

ବ୍ରହ୍ମୋପଲବ୍ଧିର ସୋପାନ ଏବଂ ଶେଷତମ ସିଦ୍ଧି ସମ୍ପର୍କରେ ଭୀମ ଭଜନମାନଙ୍କରେ ଯେଉଁ ସମସ୍ତ ତଥ୍ୟମାନଙ୍କର ସାଂକେତିକ ଉପସ୍ଥାପନା କରିଛନ୍ତି, ତାହା ମଧ୍ୟକାଳୀନ ଭାରତୀୟ ଆଧ୍ୟାତ୍ମିକ ସାଧନାର ଫଳଶ୍ରୁତିମାତ୍ର । ସଗୁଣ ଓ ନିର୍ଗୁଣ ବାଦୀମାନେ ବ୍ରହ୍ମୋପଲବ୍ଧିକୁ ସାଧନାର ମହତ୍ତମ ସ୍ଥିତି ବୋଲି ସ୍ଵୀକାର କଲେ ମଧ୍ୟ ଏଥିପାଇଁ ଭିନ୍ନ ଭିନ୍ନ ସାଧନମାର୍ଗର ଉଲ୍ଲେଖ କରିଛନ୍ତି । ଭୀମଭୋଇ ଏହି ଉପଲବ୍ଧିର ମାନସିକତାକୁ ବ୍ୟକ୍ତ କରିଛନ୍ତି ଏପରି ସାଂକେତିକ ଭାଷାରେ, ‘‘ନିରାମିଷ ନିଅଁଇଠା ପିଉଥିଲେ ଲାଗେ ମିଠା/ ଅଦେଖା ଅନାମେ ସ୍ୱାଦ ଏମନ୍ତେ ସେ ସୁଧାଧାର’’ (ପନ୍ଦର) । ଏହି ଅନୁପମ ଉପଲବ୍ଧି କୌଣସି ଜାଗତିକ ଜଞ୍ଜାଳ (ନିରାମିଷ)ଦ୍ୱାରା ଆଚ୍ଛନ୍ନ ନୁହେଁ । କୌଣସି ପାର୍ଥିବ ସୁଖ ମଧ୍ୟରେ ତାହା ଉପଲବ୍ଧ ହୁଏ ନାହିଁ । ଯଦିଓ ପୂର୍ବରୁ କେହି ସିଦ୍ଧିସାଧକ ଏହା ଲାଭ କରିଛନ୍ତି ତଥାପି ମଧ୍ୟ ଏହା ସ୍ପର୍ଶ ଦୋଷଯୁକ୍ତ ନୁହେଁ ବରଂ ଏହା ନିତ୍ୟନୂତନ (ନିଅଁଇଠା) । ଜାଗତିକ ବସ୍ତୁକୁ ଭୋଗ କରି ସାରିଲାପରେ ବହୁ ଭୋଗରେ ତା ପ୍ରତି ଯେଉଁ ଅରୁଚି ଜନ୍ମେ ଏହି ଉପଲବ୍ଧି ସେପରି ନୁହେଁ, ଅମୃତବିନ୍ଦୁ (ସୁଧାଧାର) ପରି ଯେତେ ଅଧିକ ଅଧିକ ପିଆଯାଏ ସେତେ ଅଧିକ ଅଧିକ ମିଠା ଲାଗେ । ଏହି ଜ୍ୟୋତିର୍ମୟ ଦିବ୍ୟପୂର୍ଣ୍ଣ ସତ୍ତା ସହଜରେ କାହାକୁ ଧରା ଦିଅନ୍ତି ନାହିଁ । ରୂପ ପ୍ରାୟ ପ୍ରତିଭାତ ହେଲେ ମଧ୍ୟ ସେ ରୂପହୀନ ହୋଇ ଲୀଳାଖେଳା କରନ୍ତି ସକଳ ବିଶ୍ଵରେ । ଅବସ୍ଥିତି ତାଙ୍କର ‘ଅଦୃଷ୍ଟି ଆସ୍ତାନ’ ଓ ‘କୃପାଜଳ’ରେ ତାଙ୍କର ଦେହଧାରଣ(ପଞ୍ଚାବନ) । ଏଠାରେ ‘କୃପାଜଳ’ ଶବ୍ଦଟିକୁ ଧ୍ୟାନର ସହ ବିଚାର କରାଯାଇ ପାରେ । ସାରଳାଙ୍କ କବି ସାରଳାଦାସ ‘କୃପାଜଳ ନନ୍ଦିନୀ’ ବୋଲି କହନ୍ତି । ଏଠାରେ ମହାତ୍ମାଭୀମ ବ୍ରହ୍ମଙ୍କ ଶରୀରକୁ କୃପାଜଳ ମଧ୍ୟ କହିଛନ୍ତି । ଏହା ବ୍ରହ୍ମାର୍ଥ ବାଚକ, କାରୁଣ୍ୟଜଳ, କରୁଣାସିନ୍ଧୁ ବା କରୁଣାସାଗରର ପର୍ଯ୍ୟାୟବାଚୀ । ଭକ୍ତଙ୍କ ପ୍ରତି ଅହେତୁକ କୃପା ପ୍ରଦର୍ଶନ କରିଥିବା ହେତୁ ଏବଂ ଭକ୍ତଙ୍କ ଉଦ୍ଧାର ପାଇଁ କଳେବର ଧାରଣ କରିଥିବା ହେତୁ ଭୀମ ବ୍ରହ୍ମଙ୍କୁ ‘କୃପାଜଳ ଶରୀର’ ବୋଲି କହିଛନ୍ତି ।

 

ଭକ୍ତ କିନ୍ତୁ ବ୍ରହ୍ମୋପଲବ୍ଧି ଅତି ସହଜରେ କରିପାରେନା । ଯାହାର ସାଧାରଣ ଚର୍ମଚକ୍ଷୁ ଶେଷ ପର୍ଯ୍ୟନ୍ତ ଥାଏ, ମାନସିକ ତଥା ଆଧ୍ୟାତ୍ମିକ ସ୍ତରରେ ଯଥାଜାତ ହୋଇଥାଏ, ସେ ଏ ଦିବ୍ୟ ବିଭୂତି ସହଜରେ ଦର୍ଶନ କରିପାରେନା । ସେହି ପରମ ସତ୍ତାର ଉପଲବ୍ଧି ପାଇଁ ଜ୍ଞାନଚକ୍ଷୁର ଏକାନ୍ତ ଆବଶ୍ୟକତା ରହିଅଛି (୪୩) । ଜ୍ଞାନଚକ୍ଷୁ ଲାଭ କରିସାରିବା ପରେ ସୁଦୂରର ଅଦୃଶ୍ୟ ବ୍ରହ୍ମ ଅଦୂରରେ ଏପରି ଭକ୍ତିର ଭାବାତିଶୟ ନେଇ ଅନ୍ତରରେ ପ୍ରକାଶିତ ହୁଅନ୍ତି । ସେତେବେଳେ ଯାଇ ହିଁ ଜ୍ଞାନୀମାନେ ଝୁରିମରୁଥିବା ବ୍ରହ୍ମଙ୍କର ସେଇ ଅପରୂପ ‘ଛଟକ ଚାଲି’ ହିଁ ଦୃଷ୍ଟି ଗୋଚର ହୁଏ (ପନ୍ଦର) । ସେହି ଉଜ୍ଜ୍ୱଳ ସ୍ୱରୂପର ଦର୍ଶନପାଇଁ କୋଟିଏ ଚର୍ମଚକ୍ଷୁ କେଉଁକାଳେବି କ୍ଷମ ହୋଇ ପାରେ ନାହିଁ । ସେହି ‘ଝଟଝଟ ଦିବ୍ୟ ମୂରତି’ ଆକର୍ଷଣ କରେ ସମସ୍ତଙ୍କୁ (ପଇଁତିରିଶ) । ମାତ୍ର ତାର ଜ୍ୟୋତିର ଝାସରେ କେହିବି ଯାଇ ପାରନ୍ତି ନାହଁ ପାଖକୁ (କୋଡ଼ିଏ) । ଅନନ୍ତ ପବନ ଦେହରେ ଅଖଣ୍ଡ ଜ୍ୟୋତିରେ ପରିପୂର୍ଣ୍ଣ ରହିଥାନ୍ତି ସେ । କ୍ଷୟବୃଦ୍ଧିର କେଉଁକାଳେବି ଅଧୀନ ନହୋଇ ରୂପ ମଧ୍ୟରେ ଅରୂପ ସ୍ଥିତିରେ ସେହି ‘ଅଲେଖ ଅବଧୂତ ସତ୍ୟବାଦୀ ଅବସ୍ଥାନ କରନ୍ତି (ତେତିଶ) । ଶୂନ୍ୟ ବ୍ରହ୍ମଙ୍କର ଏହି ନିତ୍ୟ ବିରାଜମାନତାର ଚିତ୍ର ଆଙ୍କିଲାବେଳେ ଭୀମ ଯେଉଁ ରହସ୍ୟମୟ କାବା ଲୋକ ସୃଷ୍ଟି କରିଛନ୍ତି ତାହା ଅତୀବ ଆକର୍ଷଣୀୟ । ନର୍ଧୂମ ଅନାୟୋଜିତ ପ୍ରଦୀପ୍ତ ଅଗ୍ନି ଭିତରେ ଏହି ପରମସତ୍ତାଙ୍କର ଅଲୌକିକ ପ୍ରକାଶମୟତା ମଧ୍ୟରେ ଭୀମ ‘ଅମନଦାଣ୍ଡ’ରେ ଶୂନ୍ୟ ଆସନ ପାତି ବସିଥବା ‘ଅନାଦି’ଙ୍କୁ ଦର୍ଶନ କରିଛନ୍ତି (୪୪) । ପାଦପଣି ବିହୀନ ଏହି ପରମସତ୍ତାଙ୍କର ପ୍ରକାଶମୟ ସ୍ଵରୂପ ଭୀମ ଯେଉଁ ଦିବ୍ୟପୁରରେ ଲକ୍ଷ୍ୟ କରିଛନ୍ତି ତାର ବିସ୍ତୃତ ବର୍ଣ୍ଣନା ମଧ୍ୟ କରିଛନ୍ତି ସେ । ସେହି ଦିବ୍ୟପୁରର ଦ୍ୱାର ରକ୍ଷକ ଚାରିଜଣ । ଦକ୍ଷିଣରେ ଜଗନ୍ନାଥ, ଉତ୍ତରରେ ରାମନାଥ, ପଶ୍ଚିମରେ ଶ୍ରୀକୃଷ୍ଣ ଏବଂ ପୂର୍ବଦ୍ୱାରରେ ଅନନ୍ତ । ଚାରିଦ୍ୱାରର ଏହି ଚାରିଜଣ ‘ଦୁଆରୀ’ (ଶହେ ତେଷଠି) ଗହଣରେ ପୁରର ମଧ୍ୟ ସ୍ଥଳରେ ସପ୍ତଫେଣୀ ଉପରେ ବିଜୟ ହୋଇଥାନ୍ତି ଅଲେଖ ମହିମା ଅବଧୂତ ଅଲେଖ (ଶହେ ବାଷଠି) । ଉପଲବ୍ଧିର ଏହି ଅପାର୍ଥିବତା ଯେତେବେଳେ ଜଗତକୁ ସ୍ଵୀକାର କରିନିଏ, ସେତେବେଳେ ଏହି ଅକଳିତ ବ୍ରହ୍ମ ବିଶ୍ଵମୟ ହୋଇଯାନ୍ତି । ଜଡ଼ ଓ ଚେତନ ଉଭୟଙ୍କ ମଧ୍ୟରେ ବିଜେ ହୋଇଯାନ୍ତି ସେ । ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସବୁ ସ୍ଥାନରୁ ତାଙ୍କ ଉପସ୍ଥିତିର ଶୁଭ ବାର୍ତ୍ତା ଭାସି ଆସେ । ଉଭୟ ଦୁର୍ଗନ୍ଧ ଓ ସୁଗନ୍ଧରେ ତାଙ୍କ ସତ୍ତା ମହକି ଉଠେ । ସକଳ ଜଗତର ଅନନ୍ତ ସର୍ଜନା ମଧ୍ୟରେ କେବଳ ମାତ୍ର ସେହି କର୍ତ୍ତା ଓ କର୍ମ ରୂପରେ ବିଜେ ହୁଅନ୍ତି (୪୫) । ଏହିପରି ଭାବରେ ଅବ୍ୟକ୍ତ ସତ୍ତାର ମୂର୍ତ୍ତ ପ୍ରକାଶଲୀଳା ସମ୍ଭବ ହୋଇଯାଏ ।

 

୪୩.

‘ଯାର ଥିବ ଜ୍ଞାନ ଆଖି ସେ ଅବା ପାରିବଦେଖି । ରୂପ ଜାଜ୍ୱଲ୍ୟମୟେ ତା ଜ୍ୟୋତିଗୋ ।’ (ଚାଳିଶ)

୪୪.

‘କାଷ୍ଠରେ ପାଉଁଶ ନାହିଁ ଧୂମ ଧୁଆଁ ନଦିଶଇ/ ଗୁଡ଼ ଘୃତ ନାହିଁ ହୃତାଶନ ପ୍ରଚଣ୍ଡେ + + ବସି ଅଛନ୍ତି ଅନାଦି ଶୂନ୍ୟ ଆସନ ସମ୍ପାଦି/ ଅଣଶବଦେ ପ୍ରକାଶ ଅମନଦାଣ୍ତେ ।’ (ଅଠର) ।

୪୫.

‘କହନ୍ତା ବହନ୍ତା ରୂପେ ବସିଛ । ନବ ଖଣ୍ଡ କରି ମେଦିନୀକି ସ୍ଥାପିଅଛ ହେ । ସ୍ଥିତି ବସ୍ତି ବାଡ଼ି ବୃତ୍ତି ଆପଣେ ଖଞ୍ଜିଛ । ଦୁଃଖୀ ଦରିଦ୍ର ପରଜା ପାଳୁଛହେ । (ଦୁଇଶହ ତେର)

୪୬.

‘ଭଣେ ଭୀମ ଅରକ୍ଷିତ ଶ୍ରୀଗୁରୁ ଚରଣେ ଚିତ୍ତ ସେ ପ୍ରଭୁ ଭଗତ ହିତ କଳ୍‌କୀ ଯେ, ଅବତାର’- (ଦୁଇଶହ ଏକସ୍ତରୀ) ।

 

ବ୍ରହ୍ମଙ୍କର ଅବତାର କଳ୍ପନାବେଳେ ମହାତ୍ମାଭୀମ ଯେଉଁ କଳ୍‌କି ଅବତାରର ଉଲ୍ଲେଖ କରିଛନ୍ତି । ତାହା ପୁରାଣୋକ୍ତ କଳ୍‌କି ଅବତାର ମାତ୍ର ନୁହେଁ । ପୁରାଣ ମାନଙ୍କରେ କଳ୍‌କି ଅବତାର ଧାରଣ କରି ମ୍ଲେଚ୍ଛ ସଂହାର କରିବେ ବୋଲି ଭବିଷ୍ୟବାଣୀ ଗର୍ଭିତ ବର୍ଣ୍ଣନା ସ୍ଥାନ ପାଇଛି । ମାତ୍ର ଭୀମଙ୍କ କଳ୍‌କି ପରିକଳ୍ପନା ଏହି ପୌରାଣିକ କଳ୍ପନାଠାରୁ ସାମାନ୍ୟ ଭିନ୍ନ । ଭୀମ ବିଶ୍ୱାସ କରିଛନ୍ତି ଯେ କେବଳ ମାତ୍ର ‘ରାଘବ’ କଳିକାଳର କ୍ଷୟ ଏବଂ ସତ୍ୟଯୁଗର ପ୍ରତିଷ୍ଠା ପାଇଁ କଳ୍‌କୀ ଅବତାର ଧାରଣ କରିବେ । ଭୀମ କଳ୍‌କୀଙ୍କର ଏହି ପର୍ଯ୍ୟାୟରେ ଯେଉଁ ବର୍ଣ୍ଣନା ଦେଇଛନ୍ତି ତାହା ପୁରାଣଭିତ୍ତିକ । ବେନିପାଦରେ ସପ୍ତପାତାଳ ପୂର୍ଣ୍ଣ ହେବା ମର୍ତ୍ତ୍ୟରେ ଉଦର ଏବଂ ଆକାଶରେ ଶିର ଲାଗିବାର କଳ୍ପନାରେ ସେ ବିଶ୍ଵରୂପ ଚେତନାଟିକୁହିଁ କଳ୍‌କୀ ଚରିତ୍ରରେ ବ୍ୟକ୍ତ କରିଛନ୍ତି । କଳକୀଙ୍କ ଅସ୍ତ୍ରଶସ୍ତ୍ର ବର୍ଣ୍ଣନା ଏବଂ ନବଖଣ୍ଡ ମେଦିନୀରେ ନାନା ଅରିଷ୍ଟ ଦେଖାଯିବାର ଆଶଙ୍କା ଆଦି ମଧ୍ୟରେ ଭୀମ ସେହି ପାରମ୍ପରିକ କଳ୍‌କୀ ସ୍ଵରୂପକୁହିଁ ଆବିଷ୍କାର କରିଛନ୍ତି (ଶହେ ସତାବନ) । ଏହି କଳ୍‌କୀ ଅବତାର କେବଳ ଯେ ଭକ୍ତମାନଙ୍କର ହିତପାଇଁ ଏହା କବି ସ୍ପଷ୍ଟ କରିଦେଇଛନ୍ତି (୪୬) । ମାତ୍ର ଏହି କଳ୍‌କୀଙ୍କ ମଧ୍ୟରେ ଗୁରୁମୂର୍ତ୍ତିକୁ ଦର୍ଶନ କରିବା ଏବଂ ଏକାଧାରରେ କଳକୀ ଚରିତ୍ରମଧ୍ୟରେ ରୁଦ୍ର- କଲ୍ୟାଣ ରୂପର ପରିକଳ୍ପନା କରିବା ଭୀମଙ୍କ ଏକ ବିଶେଷତ୍ୱ । ତାଙ୍କ ଦୃଷ୍ଟିରେ ଅଣାକାର କଳ୍ପତରୁ ସ୍ଵରୂପୀ ଶ୍ରୀଗୁରୁ ବାଟଘାଟରେ ବିଜେ କରିଅଛନ୍ତି (ଚଉରାନବେ) । ଏଣୁ କଳ୍‌କୀ ଅବତାରର ପୌରାଣିକତା ମଧ୍ୟରେ କବି ଭୀମ ଆପଣାର ବିଚାରବୋଧକୁ ଏକତ୍ରକରି ଉପସ୍ଥାପନ କରିଛନ୍ତି । ମାତ୍ର ଭୀମ ଏହି ଯେଉଁ ନୂତନ ଅବତାରର ସନ୍ଦେଶ ଦେଇଛନ୍ତି, ତାର ସ୍ଵରୂପ ଚିତ୍ରଣ କଲାବେଳେ କଳ୍‌କୀ ଅବତାର ଅପେକ୍ଷା ଭଗବାନଙ୍କ ନବମ ଅବତାର ବୁଦ୍ଧଙ୍କ ସହ ଏହି ନୂତନ ଅବତାରର ଅନେକ ଗୁଣ ଏବଂ ରୂପ ସାମ୍ୟ ଦିଅନ୍ତି । ସେ ସ୍ପଷ୍ଟ ଭାବରେ ଏହି ଅବତାରଙ୍କ ‘ପ୍ରବୁଦ୍ଧ ସ୍ଵରୂପ’ ବୋଲି ଘୋଷଣା କରନ୍ତି (ଦୁଇଶହ ଚବିଶ) । ଏହି ପ୍ରବୁଦ୍ଧ ଅବତାର ଯେ ଜଗତର କରଣ ପାଇଁ ଏବଂ ପତିତମାନଙ୍କ ଉଦ୍ଧାର ପାଇଁ ଉଦ୍ଦିଷ୍ଟ ଏହା ମଧ୍ୟ ସେ ସ୍ଵୀକାର କରିଛନ୍ତି (ଦୁଇଶହ ଅଠେଇଶ) । ପ୍ରବୁଦ୍ଧାବତାରଙ୍କ ଏହି ମର୍ତ୍ତ୍ୟ ଲୀଳା ଯେ ପୂର୍ଣ୍ଣତମ ଲୀଳା, ଆଦୌ ଅଂଶ ସ୍ଵରୂପ ନହୋଇ ପୂର୍ଣ୍ଣ ଲୀଳା ‘ପୂର୍ଣ୍ଣ ଶଶୀ’ ଶବ୍ଦର ବ୍ୟଞ୍ଜନାରେ ଭୀମ ଏହା ପ୍ରକାଶ କରିଛନ୍ତି (୪୭) ।

 

୪୭.

‘ଏହି କଳିଯୁଗେ ମର୍ତ୍ତ୍ୟେ ଆସିଗୋ, ପ୍ରବୁଦ୍ଧ ସ୍ଵରୂପ ଶୂନ୍ୟ ଦାସୀଗୋ । ଉଦୟ ହୋଇଛି ପୂର୍ଣ୍ଣ ଶଶୀ ଗୋ ।’ - (ଦୁଇଶହ ଅଠାନବେ)

୪୮.

‘ଭକତ ଲକ୍ଷଣ ନିମେନ୍ତ । ନଲାଗନ୍ତି ମାୟା ସଙ୍ଗତେ । କ୍ଷଣକରେ ରୂପ କ୍ଷଣକେ ଅରୂପ ଭକତ ନିକଟେ ଅଛନ୍ତି । (ଛୟାନବେ)

୪୯.

‘ବଇଷ୍ଣବ ବେଶ ମଞ୍ଚରେ ପ୍ରକାଶ ଦୀକ୍ଷା ଅବଧୂତ ହିଁ ବକଳ ଭୂଷଣ ଦେଖ ସର୍ବଜନ ଜ୍ଞାନ ଭଣ୍ଡାରକୁ ଅଛନ୍ତି ଥୋଇ ।’ (ଏକ ଚାଳିଶ)

 

ପ୍ରକଟନର ହେତୁ ଭାବରେ ଭୀମ ଯେଉଁ କାରଣ କେତୋଟିର ଉପସ୍ଥାପନ କରିଛନ୍ତି ତା ମଧ୍ୟରୁ ପ୍ରମୁଖ କାରଣଟି ହେଉଛି ଭକ୍ତବତ୍ସଳତା । ଭକ୍ତମାନଙ୍କ ହିତ ପାଇଁ ଭଗବାନ୍‌ ପରଂବ୍ରହ୍ମଙ୍କର ଅବତାର ହୋଇଥାଏ (ଶହେ ବାଉନ) । ଭକ୍ତମାନେ ଯେତେବେଳେ ଯୁଗରୁଚିର ପ୍ରଭାବରେ ‘ବିଜାତିଆ’ ହୋଇଯାନ୍ତି, ସେତେବେଳେ ତାଙ୍କୁ ‘ଜାତିଆ’ କରିବା ପାଇଁ ପରମ ସତ୍ତାଙ୍କୁ ଅବତାର ଗ୍ରହଣ କରିବାକୁ ପଡ଼େ (ଊଣେଇଶ) । ସତ୍ୟର ପ୍ରତିଷ୍ଠା ଏବଂ ଭକ୍ତଜନଙ୍କ ହିତରେ ଆରମ୍ଭ ହୁଏ ତାଙ୍କର ନରଲୀଳା (ଶହେ ବୟାନବେ) । କେବଳ ମାତ୍ର ଭକ୍ତ ନିକଟରେ ସେହି ଅଦୃଶ୍ୟ ଶୂନ୍ୟ ସତ୍ତାର ପ୍ରକାଶ ଘଟେ (ଦୁଇଶହ ସଇଁତିରିଶ) । ଚାରିଗୋଟି ଯାକ ଯୁଗରେ ପରମସତ୍ତା କେବଳମାତ୍ର ଭକ୍ତର ଅଧୀନ ହୋଇଥାନ୍ତି, ମାତ୍ର ସକଳ ବିଶ୍ଵକୁ ଆପଣାର ଅଧୀନ କରି ରଖିଥାନ୍ତି । ଭକ୍ତ ଦେହରେ ସେ ପ୍ରକାଶମୟ ବହ୍ନି ପରି ବିଜେ ହୁଅନ୍ତି । ଭକ୍ତର ହୃଦୟ ସିଂହାସନରେ ଆରୂଢ଼ ହୋଇ ସକଳ ବିଶ୍ଵର ଦୁଃଖ ଲାଘବ କରନ୍ତି (ଶହେ ସତୁରି) । ଭକ୍ତର ହାରିଗୁହାରି ବୁଝିବାକୁ ସଦା ସର୍ବଦା ତତ୍ପର ଥାନ୍ତି (ଶହେ ତିନି) । ଭକ୍ତର ସନ୍ତୋଷ ପାଇଁ ସେ ମାୟାଠାରୁ ଦୂରରେ ରହନ୍ତି ଏବଂ ଭକ୍ତର ସନ୍ତୋଷ ପାଇଁ କ୍ଷଣକରେ ରୂପ ଓ ପରକ୍ଷଣରେ ଅରୂପ ହୋଇ ଆବିର୍ଭୂତ ହୁଅନ୍ତି (୪୮) । ଭକ୍ତ ପାଇଁ କେତେବେଳେ ସେ ବୁଦ୍ଧ ରୂପରେ ତ, କେତେବେଳେ ବୈଷ୍ଣବ ରୂପରେ ଆଉ କେତେବେଳେ ବା ଅବଧୂତ ରୂପରେ ଆପଣାର ଲୀଳାଖେଳା କରନ୍ତି । ତ୍ରିପୁର ଉଦ୍ଧାରକରିବା ପାଇଁ ତାଙ୍କର ଅବତରଣ ଲୀଳା ଆରମ୍ଭ ହୁଏ କଳିଯୁଗରେ । ତାଙ୍କର ବେଶ ହେଉଛି ବୈଷ୍ଣବବେଶ ଏବଂ ଦୀକ୍ଷା ହେଉଛି ଅବଧୂତ ଦୀକ୍ଷା ଏବଂ ଆଭୂଷଣ ହେଉଛି ବୈରାଗ୍ୟପ୍ରଦ ବଳ୍‌କଳ (୪୯) । ଚାରିଜାତିକୁ ଉଦ୍ଧାର କରିବା ପାଇଁ ମହିମା ଅବଧୂତ ସ୍ଵରୂପରେ ତାଙ୍କର ଏ ବୈଷ୍ଣବବେଶ ପରିହିତ ନରଲୀଳା ବାସ୍ତବିକ ମନୋମୁଗ୍ଧକର (ଛପନ) । ସେ ଏକାଧାରରେ ବୃଦ୍ଧ ଓ ଯୁବା । ସତରହାତର ମଣିଷ ପୁଣି ଖର୍ବାକୃତି ବିଶିଷ୍ଟ । ତାପଶୀର୍ଣ୍ଣ ପୁଣି ଚିରବସନ୍ତମୟ (ଶହେ ଚଉବନ) । କ୍ଷୀଣସ୍ଵରୂପ ଧରି ସେ ସୃଷ୍ଟି କରନ୍ତି ଅଶେଷ ବ୍ରହ୍ମାଣ୍ଡ । ଛପନକୋଟି ଜୀବଜନ୍ତୁଙ୍କ ପାଇଁ ଖଞ୍ଜିଥାନ୍ତି ପଡ଼ିଭାତ ମାତ୍ର ଆପଣାପାଇଁ ରଖିଥାନ୍ତି ଲୀଳାବନ୍ତ ବାସୀ ପେଜ (ଶହେ ତିନି) । ଲକ୍ଷ୍ୟ କରିବାର କଥା ମହାତ୍ମା ଭୀମ ପରମସତ୍ତାଙ୍କର ଏହି ପ୍ରକଟ ସ୍ଵରୂପ ସ୍ଥିତିରେ ଆପଣାର ଗୁରୁ ପ୍ରବୁଦ୍ଧ ସ୍ଵାମୀ ବା ମହିମା ସ୍ୱାମୀଙ୍କୁ ହିଁ ବ୍ୟଞ୍ଜିତ କରିଛନ୍ତି । ପୁରାଣର କଳ୍‌କୀ, ଇତିହାସର ବୁଦ୍ଧ ଏବଂ ତତ୍‌କାଳୀନ ସମାଜରେ ଗଭୀର ପ୍ରଭାବ ପକାଇଥିବା ବୈଷ୍ଣବ ତଥା ଅବଧୂତ ସମସ୍ତଙ୍କ ସାରତତ୍ତ୍ଵକୁ ଆଣି ମହାତ୍ମା ଭୀମ ଆପଣାର ସଦ୍‌ଗୁରୁ ପ୍ରବୁଦ୍ଧ ସ୍ଵାମୀଙ୍କ ସ୍ଵରୂପ ଅଙ୍କନ କରିଛନ୍ତି ।

 

ବହ୍ମ ସାକ୍ଷାତ୍‌କାରର ସୁଫଳ ସମ୍ପର୍କରେ ଭୀମ ଆପଣାର ଭଜନାବଳୀରେ କିଛି ବକ୍ତବ୍ୟ ରଖିଛନ୍ତି । ଏହି ପରମସତ୍ତାକୁ ସାକ୍ଷାତ କରିଥିବା ମନୁଷ୍ୟ ନିର୍ବେଦ ଦର୍ଶନର ସୌଭାଗ୍ୟ ଲାଭ କରି ଏବଂ କ୍ରିୟା କର୍ମ ବିହୀନ ହୋଇ ଜନ୍ମ ମୃତ୍ୟୁରୁ ମୁକ୍ତ ହୋଇ ଅଖଣ୍ଡିତ ବ୍ରହ୍ମରେ ଲୀନ ହୋଇଯାଏ (ପନ୍ଦର) । ଥରେ ଅକ୍ଷୟ ବ୍ରହ୍ମ ସହ ଏକ ରୂପ ହୋଇଗଲାପରେ ଆପଣାର ଦୁଃଖଦାୟକ ସ୍ଵାତନ୍ତ୍ର୍ୟ ତିରୋହିତ ହୋଇଯାଏ ଏବଂ ତ୍ରିପୁରରେ ଏହିପରି ସୌଭାଗ୍ୟ ଆଉ କେହି ଲାଭ କରିପାରନ୍ତି ନାହିଁ (ଅଠର) । ସେହି ସମୟରେ ଭକ୍ତ ପରଂବ୍ରହ୍ମଙ୍କ ଅଦୃଶ୍ୟପଦ ଦର୍ଶନ କରେ ଏବଂ ପାଦପଦ୍ମରୁ ସୁଧାଧାର ପରି ଝରୁଥିବା ମକରନ୍ଦ ଝରଣାକୁ ପାନ କରିବାକୁ ସମର୍ଥ ହୋଇପାରେ । ଏଥିପାଇଁ ଯେଉଁ ଦୁଇଟି ଅବସ୍ଥା ଏକାନ୍ତ ଆବଶ୍ୟକ ଭୀମଙ୍କ ଦୃଷ୍ଟିରେ ତାହା ପୂର୍ବ ଭାଗ୍ୟ ଏବଂ ଜାଗ୍ରତାବସ୍ଥା (୫୦) । ଭୀମ କୌଣସି ସ୍ଥାନରେ ଦୁଇଟି ପାଦର କଥା କହି ନାହାନ୍ତି । ପରମ ତତ୍ତ୍ୱ ମୁଖ୍ୟତଃ ଏକ-। ସ୍ଵରୂପ ଧାରଣକଲେ ମଧ୍ୟ ଏକ ପାଦରୁ ତାଙ୍କର ସକଳ ବିଭୂତି ଓ ଲୀଳା କ୍ଷରିତ ହୋଇଥାଏ (୫୧) । ଅଦ୍ୱେତ ସିଦ୍ଧାନ୍ତର ଏହି ମହନୀୟ ସତ୍ୟକୁ ଭୀମ ସର୍ବତ୍ର ସ୍ଵୀକାର କରିଛନ୍ତି । ତେଣୁ ପାଦପାଣି ନଥିବା ପୁରୁଷଙ୍କୁ ସେ ଏକପାଦରେ ଆଣି ଠିଆ କରିଛନ୍ତି । ପୁଣି କଳିଯୁଗରେ ଧର୍ମବୃକ୍ଷର ଏକପାଦ ହେବା ତତ୍ତ୍ଵ ମଧ୍ୟ ଏଥିରେ ବ୍ୟଞ୍ଜିତ ହୋଇଅଛି । ଏହି ପାଦର ଭୀମଙ୍କ ଲେଖନୀରେ ବହୁ ବ୍ୟବହୃତ ଶବ୍ଦ ହେଉଛି ପାଦବିନ୍ଦ ଓ ପଦ୍ମପାଦ । କୌଣସି ବୟାକରଣ ତ୍ରୁଟି ପ୍ରତି ଲକ୍ଷ୍ୟ ନାହିଁ ତାଙ୍କର । ଭାବର ସରଳ ପ୍ରବାହ ଭିତରେ ତତ୍ତ୍ୱର ବିଚିତ୍ର ଗୁମ୍ଫନ ବ୍ୟାକରଣର ଅଯଥା ଭ୍ରୁକୁଟୀକୁ ସ୍ଵୀକାର କରିନାହିଁ । ଏହି ପରମପାଦ ପୁଣି ଓଁକାର ସ୍ୱରୂପ (ଓଁ କାର ପରମ ପାଦୁ ପିଅ ମକରନ୍ଦ ମଧୁ-ସତୁରି) । ଏହାର ସ୍ଥାନ ନିରୂପଣ କରି ଭୀମ କହନ୍ତି ଶବ୍ଦ ଉପରେ ନିର୍ବେଦ, ନିର୍ବେଦ ଉପରେ ଅଣାକାର ତତ୍ତ୍ୱ । ଏହି ଅଣାକାର ପାଦ ପଦ୍ମରୁହିଁ ପଦ୍ମମଧୁ ନିର୍ଗତ ହେଉଅଛି (୫୨) । ଆଦୌ ଉଚ୍ଚିଷ୍ଟ ହୋଇ ନଥିବା ଏହି ମକରନ୍ଦ ସକଳଙ୍କ ପ୍ରିୟ ଏବଂ ପୂର୍ବଭାଗ୍ୟ ତଥା ଜାଗ୍ରତସ୍ଥିତିରୁ ସେହି ପଦ୍ମମଧୁ ପାନ କରି ହୁଏ ।

 

୫୦.

‘ନିର୍ଝର ଝରୁଛି ସୁଧା ମଧୁର/ ଜାଗିପାରିଲେ ବସି ତହିଁ ହଜିଆସୁଛି/ ଥିଲେ ପୂର୍ବଭାଗ୍ୟ ତେବେ ସେ ପାଇବ/ ଗଳୁଅଛି ଏକ ପାଦବିନ୍ଦର’- (ଛତିଶ)

୫୧.

(କ) ଗଳୁଅଛି ଏକ ପାଦବିନ୍ଦର’ -(ଛତିଶ) ।

(ଖ) ସୁଧା ମକରନ୍ଦ ଏକ ପାଦବିନ୍ଦ ବହୁଅଛି ଲାଗି ଧାର (ଦୁଇଶହ ବୟାଅଶି)

(ଗ) ଏକାକ୍ଷର ପାଦକୁ ଧ୍ୟାଅ (ଚବିଶ)

(ଘ) ଦୁଇ ପାଦ ନମିଶାଇ ଏକ ପାଦ ଧରଧର (ପନ୍ଦର) ।

(ଙ) ସାର ବ୍ରହ୍ମ ଏକ ପାଦ ରହିଛି ଗୁପତ ହୋଇ (ଚଉଦ)

୫୨.

‘ଶବଦ ଉପରେ ନିର୍ବେଦ । ନିର୍ବେଦ ଉପରେ ଅଣାକାର ପଦ । ଅଣାକାର ପାଦ ବିନ୍ଦ । ଗଳୁଅଛି ମକରନ୍ଦ, (ଶହେ) ।

 

ଅଦ୍ୱିତୀୟ ଏକ ପାଦରୁ ଝରୁଥିବା ପଦ୍ମମଧୁ ବ୍ୟତୀତ ପରମ ସତ୍ତାର ଯେଉଁ ଅପର ବିଶେଷତର ଭକ୍ତକୁ ଆକର୍ଷଣ କରେ ତାହା ମହାତ୍ମା ଭୀମଙ୍କ ଭାଷାରେ ‘ଜ୍ୟୋତି ନାଦ’ । ଦୃଶ୍ୟ (ଜ୍ୟୋତି ବ୍ରହ୍ମ), ସ୍ପର୍ଶ (ପାଦବିନ୍ଦ), ପାନ (ପଦ ପଦ୍ମ ମଧୁ), ଆଘ୍ରାଣ (ପରିମଳ ଅଙ୍ଗରାଗ) ବ୍ୟତୀତ ମନୁଷ୍ୟର ଅନ୍ୟଏକ ପ୍ରମାଥି ଇନ୍ଦ୍ରିୟ ଶ୍ରୁତି ବା ଶ୍ରବଣ କେବଳମାତ୍ର ପରମ ସତ୍ତାର ଜ୍ୟୋତିନାଦ ଶ୍ରବଣରେ ପରିତୃପ୍ତ ହୁଏ । ଏହି ଅନାହତ ଧ୍ଵନିର ସ୍ଵରୂପ ନିର୍ଣ୍ଣୟ ପାଇଁ ଭୀମ କେତେବେଳେ ଏହାକୁ ବୀଣାଧ୍ୱନି ବୋଲି କହିଛନ୍ତି ଓ (ଶହେ) କେତେବେଳେ ଏହାକୁ ପଞ୍ଚସ୍ଵର ବାଦ୍ୟ (ଦୁଇଶହ ଏକଚାଳିଶ) ବୋଲି କହିଛନ୍ତି । ଆଉ କେତେବେଳେ ଏହି ବାଦ୍ୟଧ୍ଵନିକୁ ଏକ ସମ୍ମିଳିତ ବାଦ୍ୟ ଧ୍ଵନି ବୋଲି କହିଛନ୍ତି (୫୩) । ଆଉ କେତେବେଳେ ଭୀମ ଏହି ଧ୍ଵନିକୁ ସାମାନ୍ୟ ରହସ୍ୟାବୃତ କରିଦେଇ ତାହାକୁ ରୂପରେଖ ହୀନ ‘ହୁକ ହୁକ’ ଶବ୍ଦମୟ ‘ରାଗଫୁକାର’ ବୋଲି ବର୍ଣ୍ଣନା କରିଛନ୍ତି (ଦୁଇଶହ ବୟାଳିଶ) । ଏହି ନାଦ ଶୂନ୍ୟରୁ ସଞ୍ଚାରିତ ହୋଇ ମନକୁ ‘ନିର୍ବେଦ’ କରି ଦେଉଥିବାର ଅନୁଭବ କରିଛି ଭୀମଙ୍କୁ (ଶହେ) । ଏହି ଶବ୍ଦ ଭୀମଙ୍କ ଭାଷାରେ ‘ମହିମା ଶବଦ ଧୁନି’ ଯାହା ‘ତିନି ବ୍ରହ୍ମାଣ୍ଡ ମେଦିନୀ’ (ଶହେ ଏକ) ଏବଂ ‘ଚଉଦିଗ’ (ଶହେ ଏକାନବେ)କୁ ଭେଦ କରୁଅଛି । ସାଧାରଣ ମନୁଷ୍ୟ ଏହି ଧ୍ଵନିକୁ ସହଜରେ ଶ୍ରବଣ କରି ପାରେନାହିଁ । ଏଥିପାଇଁ ଏକାନ୍ତ ଆବଶ୍ୟକ ‘ଗୁରୁକୃପା‘ (ଦୁଇଶହ ଏକଚାଳିଶ) । ଥରେ ମାତ୍ର ଏ ଧ୍ଵନିକୁ ନିଜ ଭିତରେ ଅନୁଭବ କରିପାରିଲେ ଜୀବନ ସାର୍ଥକ ହୋଇଯାଏ । ଶୂନ୍ୟପୁରର ଅରୂପାନନ୍ଦସତ୍ତାଙ୍କ ପବିତ୍ର ଆଶିଷଧାରାରେ ହୃଦୟ ଆପ୍ଲୁତ ହୋଇଯାଏ । ଏହି ଧ୍ଵନିର ଆବାହନ ପାଇଁ ଯେଉଁ ଭଜନ ଆବଶ୍ୟକ, ସେ ଭଜନର ଏକ ଆବଶ୍ୟକୀୟ ଅଙ୍ଗ ହେଉଛି ଖଞ୍ଜଣି ବାଦ୍ୟ । କଳିଯୁଗରେ ପାପକ୍ଷୟ ଏବଂ ପୁଣ୍ୟ ଉଦୟ ପାଇଁ ଏହା ଏକ ଶ୍ରେଷ୍ଠ ଆୟୁଧ । ଏହାର ଧ୍ଵନି ଯେତେଦୂର ଯାଏ ଶୁଭେ ଯମ ସେତେ ଦୂର ପର୍ଯ୍ୟନ୍ତ ଛାଡ଼ି ପଳାଇଯାଏ ବୋଲି ଭୀମ ସ୍ପଷ୍ଟ ଘୋଷଣା କରିଛନ୍ତି (୫୪) ।

 

୫୩.

 

‘ମହାନିତ୍ୟ ଶବଦ ନୃତ୍ୟ ଧ୍ଵନି ଘୁ ଘୁ ନାଦ ବାଜୁଛି ମର୍ଦ୍ଦଳ ବାଦ୍ୟ ଗଭୀରହେ । ଆବର ଗିନି ଖଞ୍ଜରୀ ଶଙ୍ଖ ଘଣ୍ଟ ବୀର ତୂରୀ କମ୍ପୁଅଛି ବସୁନ୍ଧରୀ କାତର । (ଦୁଇଶହ ଚଭଷଠି)

୫୪.

‘ଅନନ୍ତ ଖଞ୍ଜଣି ବାଦ୍ୟ ଯେତେଦୂରକୁ ଶବଦ ଗଢ଼ାଇଅଛନ୍ତି ରୂପା ସୁବର୍ଣ୍ଣ ଗିନି, ଯେତେ ଦୂରକୁ ଶୁଭିବ ଯମ ଛାଡ଼ି ପଳାଇବ ଭିଆଇ ଅଛନ୍ତି କଳିଯୁଗକୁ ଜାଣି । (ଦୁଇଶହ ଚଉଦ)

 

।। ପାଞ୍ଚ ।।

 

ମହାତ୍ମାଭୀମଙ୍କ ଦୃଷ୍ଟିରେ ବ୍ରହ୍ମ ଚିରସତ୍ୟ, ନିତ୍ୟ ପ୍ରକଟମୟ, ଭକ୍ତବତ୍ସଳ ଏକ ଅଲୌକିକ ଶାଶ୍ୱତ ସତ୍ତା । ପ୍ରତ୍ୟେକ ପ୍ରାଣୀର ପ୍ରାଣବାୟୁରେ ବିଜେ କରିଥାନ୍ତି ସେ । ତଥାପି ତାଙ୍କର ପରମ ଆବାସସ୍ଥଳ ସଂପର୍କରେ କବି କିଛି ବକ୍ତବ୍ୟ ରଖିଛନ୍ତି । ଭୀମଙ୍କ ଭାଷାରେ ତାହା ଅଲେଖ ପାଟଣାପୁର (ପନ୍ଦର), ଅଭୟପୁର ମଣ୍ଡଳ (ଷୋଳ), ଅମନ ମନ୍ଦିର (ସାତ), ଶୂନ୍ୟ ମନ୍ଦିର (ପନ୍ଦର), ଅବନା ମଣ୍ଡଳ (ସତର), ତପୋବନ (ଅଠତିରିଶ), ଅପୋଡ଼ାବନ (ଅଶି), ଅଲେଖ ଅନାଦିତ ନିଗମ ଭୂମି (ସତାଅଶି), ମହାନିତ୍ୟ (ଶହେ ସତର), ଅନାହତ ପୁର (ଶହେ ଏକାନବେ) ଓ ନିଗମ ଭୂବନ (ଦୁଇଶହ ତିନି) । ଏହି ପ୍ରତ୍ୟେକ ନାମହିଁ ପରଂବ୍ରହ୍ମଙ୍କ ନିତ୍ୟସ୍ଥଳର ମହିମା ପ୍ରତିପାଦକ ଏକ ଏକ ସାଙ୍କେତିକ ଶବ୍ଦ । ଏହି ପ୍ରତ୍ୟେକ ଶବ୍ଦ ଏକ ଅଲୌକିକ ତଥା କାଳ୍ପନିକ ପୁରର ମହିମା ଗାନ କରନ୍ତି, ଯାହା ମର୍ତ୍ତଲୋକର ପରିସୀମାରେ ଅବସ୍ଥିତ ନୁହେଁ । ଶ୍ରୀମଦ୍‌ଭାଗବତଗୀତାରେ ଶ୍ରୀକୃଷ୍ଣ ଆପଣାର ଧାମ ବର୍ଣ୍ଣନା କଲାବେଳେ ଯେପରି ସେଠାରେ ସୂର୍ଯ୍ୟ, ଚନ୍ଦ୍ର. ଅଗ୍ନିଙ୍କ ଜ୍ୟୋତି ଆପଣାକୁ ପ୍ରକାଶ କରିପାରେ ନାହିଁ, ଏବଂ ସେଠାକୁ ଥରେ ଗଲେ ଆଉ ଏ ଜନ୍ମମୃତ୍ୟୁଚକ୍ର ବିକ୍ଷୋଭିତ ସଂସାରକୁ ଫେରି ଆସି ହୁଏ ନାହିଁ ବୋଲି କହିଛନ୍ତି, ମହାତ୍ମାଭୀମ ସେହିପରି ଶୂନ୍ୟପୁରର ବର୍ଣ୍ଣନା କଲାବେଳେ ତାହାର କେତୋଟି ବିଶେଷ ଅପାର୍ଥିବ ଗୁଣ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହି ପୁରରେ ଥଣ୍ଡା ଅଥବା ଉଷୁମ ଅନୁଭୂତ ହୁଏ ନାହିଁ (ପନ୍ଦର) । ଉଦୟ ଏବଂ ଅସ୍ତର ସୂଚନା ମଧ୍ୟ ସେଠାରେ ନଥାଏ, ଥାଏ କେବଳ ଏକ ନିତ୍ୟ ବର୍ତ୍ତମାନ ଲୀଳା (ପନ୍ଦର) । ତେଣୁ ଅନ୍ଧାର କିମ୍ବା ଆଲୋକ ଥିବାର ପ୍ରଶ୍ନ ସେଠାରେ ନଥାଏ (ଷୋଳ) । ଏହି ମନ୍ଦିରର କୌଣସି ନିର୍ଦ୍ଦିଷ୍ଟ ରୂପରେଖ ନଥିବାରୁ (ପନ୍ଦର) ଏହା ବଚନ ମାଧ୍ୟମରେ ବର୍ଣ୍ଣିତ ହୋଇପାରେ ନାହିଁ (ସାତ) । ଏହି ନିତ୍ୟପରିବେଶର ଏକ କାବ୍ୟିକ ବର୍ଣ୍ଣନା ଦେଲାବେଳେ ଭୀମ ଏହାକୁ ଜୀବନର ଏକମାତ୍ର ଆଶ୍ରୟସ୍ଥଳ ବୋଲି ପ୍ରତିପାଦନ କରିଛନ୍ତି । ଚିର ବସନ୍ତମୟ, କ୍ଷୁଧା ତୃଷା ବାଧାହୀନ ପରମପାବନ ସ୍ଥଳ ସେ (ଅଠତିରିଶ) । ଗୋଟିଏ ଭଜନରେ ଏହି ମହା ଶୂନ୍ୟପୁର ପୂର୍ବ ଦିଗରେ ଅବସ୍ଥିତ ବୋଲି ଭୀମ ପ୍ରକାଶ କରିଛନ୍ତି (କୋଡ଼ିଏ) । ଶୂନ୍ୟଶିଖରରେ ଅବସ୍ଥାପିତ ଥିବା ଏହି ଦିବ୍ୟପୁରକୁ ଜ୍ଞାନ ଓ ଭକ୍ତିର ନିଶୁଣି ବିନା ପ୍ରବେଶ କରି ହୁଏ ନାହିଁ (ସତର)-। ବେଳହୁଁ ଠାବ କରିଥିଲେ ଯାଇ ସେ ପୁରରେ ପ୍ରବେଶ କରିହୁଏ ନହେଲେ ଏହା ଅସମ୍ଭବ ହୋଇ ଉଠେ (ଅଶି) । ସାଧାରଣ ଚର୍ମଚକ୍ଷୁରେ ସେହି ପୁର ପରିଦୃଶ୍ୟ ହୁଏ ନାହିଁ, ଜ୍ଞାନ ଦୃଷ୍ଟିଦ୍ୱାରା ଏହି ପୁର ଦର୍ଶନ ସମ୍ଭବ ହୋଇଥାଏ (ଚଉରାଅଶି) । ଥରେ ସେଠାକୁ ପ୍ରବେଶ କଲେ ପୁନର୍ବାର ଫେରି ଆସିବାର ଆଉ ଭୟ ନଥାଏ । (୫୫) ।

 

ଏହି ମହାନିତ୍ୟ ପୁରର ସ୍ଵରୂପ ବର୍ଣ୍ଣନା କଲାବେଳେ ଭୀମ କମ୍ ରହସ୍ୟମୟ ହୋଇ ଉଠିନାହାନ୍ତି । ଏହାହିଁ ତାଙ୍କ ଭାଷାରେ ‘ମୂଳ ଶୂନ୍ୟ ଘର’ । ଏହି ନିଃଶବ୍ଦ ଭୁବନରେ ଅଗାଧ ସାଗର ଭଳି ପ୍ରତି ନିୟତ ଘୁ ଘୁ ଧ୍ଵନି ଶୁଭୁଥାଏ, ମାତ୍ର ସେଠାରେ ଆଦୌ ଟଳମଳ ପଣ ନଥାଏ (ଚଉତିରିଶି) । ସେ ଘରର କାନ୍ଥ ହେଉଛି ‘ଶବ୍ଦବ୍ରହ୍ମ, ସୂର୍ଯ୍ୟ ହୋଇଛନ୍ତି ଦୀପ ଏବଂ ଚନ୍ଦ୍ର ଦର୍ପଣ । ଭଣ୍ଡାର ରକ୍ଷକ ହେଉଛନ୍ତି ଭେଦ ତତ୍ତ୍ଵ । ସେହିପରି ସେଘରେ କର୍ମ କାଣ୍ଡ ହୋଇଛନ୍ତି ଇଟାପଥର, ଜ୍ଞାନ କଳା ଚୂନ, ସୁ ସତ୍ୟ ପୁଣ୍ୟ ହେଉଛି ଲିପା ହୋଇଥିବା ମାଟି, ଧର୍ମ ଛାଞ୍ଚୁଣି ପହଁରା, ରାମକୃଷ୍ଣନାମ ହେଉଛି କବାଟ ଏବଂ ଏହା ସୁରକ୍ଷିତ ହୋଇଛି ଅର୍ଥରୂପକ ଲୁହା କଣ୍ଟାରେ । ଏକାକ୍ଷର ରୂପକ କଞ୍ଚିକୋଲପଦ୍ୱାରା ଜ୍ୟୋତି ବ୍ରହ୍ମରୂପକ ଦ୍ୱାରୀ ଏହି ମହାନିତ୍ୟ ପୁରକୁ ଜଗି ରହିଅଛି (ପଞ୍ଚାଅଶି) । ଅନ୍ୟ ଏକ ଭଜନରେ ମହାତ୍ମାଭୀମ ସମଗ୍ର ବିଶ୍ୱକୁ ସେହି ମହାନିତ୍ୟ ପୁର ବୋଲି ବର୍ଷା କରିଛନ୍ତି । ସେହି ମହିମାସାଗର ବ୍ରହ୍ମପୁରୀରେ ପାରିଆ ହୋଇଛି ଉତ୍ତର ଓ ଦକ୍ଷିଣ ଦିଗ, ‘ଉଦେ ଅସ୍ତ୍ର ମେରୁ’ (ଉତ୍ତର ଓ ଦକ୍ଷିଣ ମେରୁ) ହୋଇଛନ୍ତି ତୁଳିଆ, ଚାରିଦିଗ ହୋଇଛନ୍ତି ଚାରିଖଣ୍ଡ ଶ୍ରେଣୀ ଏବଂ ଅତିଯତ୍ନରେ ଏହି ଘରର ମଉଡ଼ ମାରିଛନ୍ତି ଅଲେଖ ପୁରୁଷ । ଅନୁମାନ ଏବଂ ବୁଦ୍ଧିରୂପକ ବାରିଶ ନିହାଣଦ୍ୱାରା ଏହି ଚତୁର ଶିଳ୍ପୀ ମନକୁ ବିବେକ ସୂତ୍ରରେ ଧରି ଏହି ଗୃହ ଅତିଯତ୍ନରେ ନିର୍ମାଣ କରି ଅଛି (୫୬) । ଏହି ଘରେ ମୋଟ ସାତଗୋଟି ଦ୍ୱାର ବିଶିଷ୍ଟ ଷୋଳ ଗୋଟି ବଖରା ଅଛି । ପ୍ରତ୍ୟେକ ଦ୍ୱାରରେ ଖଞ୍ଜା ହୋଇଛି ଯାଉଁଳି କବାଟ । ଏହି ସାତଗୋଟି ଦ୍ୱାରକୁ ଜଗି ରହିଛି ବତିଶ ବେଢ଼ାରେ ବସିଥିବା ଜଣେ ମାତ୍ର ଦ୍ୱାରୀ । ଏହାର ମଧ୍ୟବଖରାରେ ମଠ ବାନ୍ଧିଛନ୍ତି ପରମପୁରୁଷ । ଏହି ମଠର ମଧ୍ୟ ଭାଗରେ ଅବସ୍ଥାପିତ ହୋଇଛି ଅନାହତ ଧୁନି ଏବଂ ଏହି ଧୁନିର କାଠ ହୋଇଛନ୍ତି ଶାନ୍ତି, ଶୀଳ, ଦୟା ଏବଂ କ୍ଷମା । ଏହି ଅନାହତ ଧୁନିର ତେଜ ପ୍ରବଳ-। ଏହି ଧୁନିର ଝୁଲା ହୋଇଛନ୍ତି ନବଲକ୍ଷ ତାରା (ଛୟାଅଶି) ।

 

‘ନିର୍ଧୂମ ଅନଳ ବିଶିଷ୍ଟ, ଏହି ଅନାହତ ଧୁନି, ଯାହା ଶୂନ୍ୟ ମଣ୍ଡଳର ମଧ୍ୟମପୁର ଅର୍ଥାତ୍‌ ଅଲେଖ ପୁରୁଷଙ୍କ ‘ମଠ’ରେ ପ୍ରତିନିୟତ ପ୍ରଜ୍ଜ୍ୱଳିତ ତାର ମହିମା ଭୀମ ଅନେକ ଭଜନମାନଙ୍କରେ ବର୍ଣ୍ଣନା କରିଛନ୍ତି । ଏହି ଧୁନିର ସୃଷ୍ଟିରେ ରହିଛି ମଧ୍ୟ ଅନେକ ଅଲୌକିକ କଥା । କୁଣ୍ଡ ଖୋଳା ନହୋଇ ଲଗାହୋଇଛି ଏ ଧୁନି । କାଠ ଅନେକ ପୋଡ଼ା ହେଉଥିଲେ ମଧ୍ୟ ଆଦୌ ସୃଷ୍ଟି ହେଉନାହିଁ ପାଉଁଶ । ଏହାର ଶିଖା ଅନନ୍ତଆକାଶକୁ ସ୍ପର୍ଶ କରୁଥିଲେ ମଧ୍ୟ କେତେବେଳେ ଧୂମମୟ ଦିଶୁନାହିଁ (ବୟାନବେ) । ଅବନା ମନ୍ଦିରରେ ଏହି ଅନାହତ ଧୁନି ଜଳିଆସୁଛି କଳ୍ପ କଳ୍ପାନ୍ତରୁ । ଅଜ୍ଞାନ ଓ ପାପରୂପକ ଅନ୍ଧକାରକୁ ଭେଦ କରି ତିନିପୁରକୁ ଆଲୋକିତ କରୁଛି ସେ (ଶହେ ପାଞ୍ଚ) । ଏହି ଧୁନିର ସ୍ଥାପନା ମୁଖ୍ୟତଃ ଦୁଇଜଣଙ୍କଦ୍ୱାରା । ଜଣେ ଭଗବାନ ଏବଂ ଅପର ଜଣକ ସାଧୁସନ୍ଥ (୫୭) । ଲକ୍ଷ୍ୟ କରିବାର କଥା ଅନାହତପୁରରେ ଯଦିଓ ଅଦ୍ୱୈତ ଶୂନ୍ୟସତ୍ତାଙ୍କର ଆଶ୍ରମ ତଥାପି ଭଗବାନ ଓ ଭକ୍ତ ଉଭୟଙ୍କ ଏକତ୍ରୀକରଣ ମଧ୍ୟରେ ଦ୍ୱୈତ ସତ୍ତାକୁ ହିଁ ସ୍ୱୀକାର କରିଛନ୍ତି ଭୀମ । ଏହି ଅଲେଖଧୁନିର ମାହାତ୍ମ୍ୟ ବର୍ଣ୍ଣନାକରି ଭୀମ କହନ୍ତି, ମହାମାୟାଙ୍କ ଉପରି ଭାଗରେ ଯଜ୍ଞକୁଣ୍ଡ ସ୍ଥାପିତ ଏବଂ ଓଁକାର ଶ୍ରୁବଦ୍ୱାରା ଏହି କୁଣ୍ଡରେ ଆହୁତି ପ୍ରଦାନ କରାଯାଏ । ଏହି ଧୁନିର ମହିମା ଅକଳିତ । ଚତୁର୍ମୁଖରେ ବ୍ରହ୍ମା ଏହାର ମହିମା କହି ପାରନ୍ତି ନାହିଁ । ନାରଦ ବୀଣାଯନ୍ତ୍ରରେ ସପ୍ତସ୍ଵର ତୋଳି ମଧ୍ୟ ତାହାର ବର୍ଣ୍ଣନାପାଇଁ ସମର୍ଥ ହୋଇପାରନ୍ତି ନାହିଁ । ଜଗତର ହିତପାଇଁ ଅନାହତପୁରର ଏହି ଧୁନିକୁ ବ୍ରହ୍ମାଣ୍ଡରେ ସ୍ଥାପନା କରାଗଲା । ମହାତ୍ମା ପ୍ରବୁଦ୍ଧସ୍ଵାମୀ ମର୍ତ୍ତ୍ୟପୁରର ଜମ୍ବୁଦ୍ୱୀପରେ ଏହି ଧୁନିର ସ୍ଥାପନା କଲେ (ଦୁଇଶହ ଚଉତିରିଶ) । ଅନ୍ୟଏକ ଭଜନରେ ଭୀମ ଧୁନି ସ୍ଥାପନାର ନିର୍ଦ୍ଦିଷ୍ଟ ନାମଟିକୁ ମଧ୍ୟ ପ୍ରକାଶ କରିଛନ୍ତି, ତାହା ହେଉଛି ମାଳବେହାର ପୁର (ଶହେ ଅଠଷଠି) । ତାଙ୍କର ଅନେକ ଭଜନରୁ ପ୍ରମାଣ ମିଳେଯେ ଏହି ମାଳବେହାର ପୁରରେ ହିଁ ମହିମା ସ୍ଵାମୀ ତାଙ୍କର ନରଲୀଳା ପାଇଁ ଅବତାର ଗ୍ରହଣ କରିଛନ୍ତି । ଏହି ଧୁନି ସ୍ଥାପନର ମୁଖ୍ୟ ଲକ୍ଷ ହେଉଛି ପୃଥିବୀର ପାପଭାରା ହରଣ (ଦୁଇଶହ ସତଚାଳିଶ) । ସଂସାରରେ ବଢ଼ି ଚାଲିଥିବା ପାପରଭାରାକୁ ଦୂର କରିବା ପାଇଁ ପ୍ରଭୁଙ୍କର ନିର୍ଦ୍ଦେଶ ଅନୁସାରେ ମର୍ତ୍ତ୍ୟରେ ଏହି ଧୁନି ପ୍ରଥମେ ମାଳବେହାରପୁରରେ ସ୍ଥାପିତ ହୋଇ ପରେ ଅନ୍ୟତ୍ର ସ୍ଥାପିତ ହୋଇଛି ।

 

ଧୁନି ପରି ପରମସତ୍ତାଙ୍କ ମହିମା ପ୍ରକଟନର ଅନ୍ୟ ଏକ ଉପାଦାନ ହେଉଛି ‘ବାନା’ । ଏହି ବାନାର ନାମ ପୁଣି ଭୀମଙ୍କ ଭଜନମାନଙ୍କରେ ବିବିଧ । ସେମାନେ ହେଲେ ବୀରଧୂବାନା (ବାର), ଅବଧୂତବାନା (ଦୁଇ), ଅଲେଖଅବଧୂତ ବାନା (ପଚିଶ), ଗରବଗଞ୍ଜନ ବାନା (ଶହେ ତିନି), ବୀରବଧୂବାନା (ଶହେ ପାଞ୍ଚ), ଅଭୟଶୂନ୍ୟବାନା (ଶହେ ଅଠର), ଶରଣ ରକ୍ଷଣ ବାନା (ଶହେ ତେୟାଶି), ଅଭୟ ଚରଣ ବାନା (ଶହେ ଚଉରାଅଶି), ଧର୍ମ ବାନା (ଦୁଇଶହ ନଅ), ଗୁରୁବାନା (ଦୁଇଶହ ବାର), ବୈକୁଣ୍ଠପୁର ବାନା (ଦୁଇଶହ ଚଉଦ), ମହିମା ବାନା (ଦୁଇଶହ ଛତିଶ), ଶୂନ୍ୟବାନା (ଦୁଇଶହ ପଇଂଚାଳିଶ), ଦୀକ୍ଷାବାନା (ଦୁଇଶହ ଏକାନବେ), ସତ୍ୟାଦି ବାନା (ଦୁଇଶହ ତେୟାନବେ) ଅଭୟପଞ୍ଜର ବାନା (ଦୁଇଶହ ତେୟାନବେ), ଶୂନ୍ୟଚକ୍ର ବାନା (ଦୁଇଶହ ତେୟାନବେ) ଏବଂ ଆତଙ୍କ ଫେଡ଼ନ ବାନା (ତିନିଶହ ଆଠ) । ଏହି ପ୍ରତ୍ୟେକ ଶବ୍ଦ ମହିମାଧର୍ମ ଦର୍ଶନର ଏକ ଏକ ବିଶେଷ ଶବ୍ଦ । ଉଦାହରଣ ସ୍ଵରୂପ ଅଲେଖ, ଅବଧୂତ, ଶୂନ୍ୟ, ଧର୍ମ, ଗୁରୁ, ମହିମା, ଦୀକ୍ଷା ଓ ସତ୍ୟ ଆଦି ଶବ୍ଦ ମହିମାଧର୍ମର ଏକ ଏକ ବହୁ ବ୍ୟବହୃତ ଶବ୍ଦ । ଏତଦ୍‌ବ୍ୟତୀତ ଯେଉଁ ପାରମ୍ପରିକ ଧର୍ମଧାରଣାର ଶବ୍ଦ ସେ ପ୍ରୟୋଗ କରିଛନ୍ତି ସେମାନଙ୍କୁ ମଧ୍ୟରୁ ଗରବଗଞ୍ଜନ, ଅଭୟ ପଞ୍ଜର ଏବଂ ଆତଙ୍ଗ ଫେଡ଼ନ ଆଦି ଶବ୍ଦ ଅନ୍ୟତମ । ଥରେ ବାନାରେ ଶରଣାପନ୍ନ ହୋଇଗଲା ପରେ ପ୍ରଭୁଙ୍କ ଶରଣ ନମିଳିବାରୁ ଭୀମଙ୍କ ଦୁଃଖର ଅନ୍ତ ନାହିଁ । କବିଙ୍କ ଦୃଷ୍ଟିରେ ଏହି ବାନା ଭକ୍ତଙ୍କ ଶରଣପାଇଁ ‘ସେହ୍ନା’ ଭଳି (ଦୁଇ) ବଜ୍ର ଦୁଃଖୀର ଦୁଃଖକୁ ଦୂରକରିବା ପାଇଁ ଯେଉଁ ବାନା ସତତ ସଚେଷ୍ଟଥାଏ ତାର ଅହେତୁକ ନୀରବତା କବିଙ୍କୁ କମ୍ ଦୁଃଖ ଦେଇନାହିଁ । କେବଳ ମର୍ତ୍ତ୍ୟରେ ନୁହେଁ, ତିନିପୁରରେ ଏହି ବାନାର ମହିମା ବିଖ୍ୟାତ । ଏହି ବାନା କାହାର ଗର୍ବକୁ ରଖେ ନାହିଁ (ଗରବତା ପଣ ଗଞ୍ଜେ - ଶହେ ତିନି) । ସକଳଜଗତର ପାପଭାର ଛେଦନ ପାଇଁ ଏହି ବାନା ବଦ୍ଧପରିକର (ଶହେବାର) । ମର୍ତ୍ତ୍ୟପୁରରେ ପ୍ରକାଶ ହୋଇଥବା ଏହି ବାନା ହିଁ ଅଭୟ ଶୂନ୍ୟପୁରରୁ ଆସିଅଛି ଏବଂ ଭକ୍ତମାନେ ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଛନ୍ତି (୫୮) । କେବଳ ଭକ୍ତ ନୁହେଁ ଛପନାକୋଟି ଜୀବଙ୍କ ଶରଣପାଇଁ ଏହି ବାନାର ଆତ୍ମପ୍ରକାଶ ହୋଇଅଛି । ଶୂନ୍ୟରେ ଉଡ଼ୁଥିବା ଏହି ଅବଧୂତବାନାର ଦୋଳନରେ ସମଗ୍ର ପୃଥିବୀ ଏବଂ ଆକାଶରେ ଏକ ଚଞ୍ଚଲ୍ୟଭାବ ଖେଳିଯିବାର ଭୀମ ଅନୁଭବ କରିଛନ୍ତି । ଗୁରୁଦେବହିଁ ଏହି ଶରଣରକ୍ଷଣ ବାନାର ଅଧିକାରୀ (ଶହେ ତେୟାଅଶି) । ପରଂବ୍ରହ୍ମ ଶ୍ରୀଗୁରୁ ରୂପରେ ଅବତୀର୍ଣ୍ଣ ହେଲାବେଳେ ଧର୍ମ ଓ ସତ୍ୟର ଆୟୁଧଭାବେ ସେ ଧାରଣ କରନ୍ତି ଏହି ବାନା (୫୯) ।

 

୫୫.

‘ନିଗମ ଭୁବନ ସେହି ମହାଦୁର୍ଗମ ଅଟଇ ଗଲେ ନ ଆସନ୍ତି ଗୋ ପେଲି ନ ପଶନ୍ତି । ତହିଁକି ଦୃଷ୍ଟି ଲଗାଇ କେ ପାରିଲେ ଧରଯାଇ ଭକତ ପଣକୁ ଯେହୁ ଶକତି ଗୋ । (ଦୁଇ ଶହ ତିନ)

୫୬.

‘ଅନୁମାନ ବୁଦ୍ଧି ବାରେସି ନିହାଣ ଚାଞ୍ଚି ଫୋଡ଼ି ପୋଛି କରିଛି ନିର୍ମାଣ ସାଲ ପିଆଇଛି ବାରିତ ନୋହୁଛି ବିବେକ ମନକୁ ସୂତ୍ରେଧରି । (ଛୟାଅଶି)

୫୭.

‘ବ୍ରହ୍ମାଣ୍ଡେ ଥାପିଲେ ଧୁନି ଘୃତି ଯେ ପକାଇ । ଶାନ୍ତିଶୀଳ ଦୟା ବହି । ଭକ୍ତଜନ ଭଗବାନ ସାଧୁସନ୍ଥ ଦୁଇ । (ଶହେ ବାର) ।

୫୮.

‘ଶୂନ୍ୟମଣ୍ଡଳରୁ ବାନା ଆସିଛି ଚାଲି । ଭକ୍ତଗଣ ରଖିବେ ଶରଣ ସମ୍ଭାଳି ।’ (ଶହେ ଷୋହଳ) ।

୫୯.

‘ଯୁଗେ ଯୁଗେ ବାନା ମୂରତି ଧର । ବାନା ତୁମର ଶରଣ ପଞ୍ଜରହେ ।’ (ଦୁଇଶହ ଦଶ)

 

ଏହି ଶୂନ୍ୟବାନା ଭୀମଙ୍କ ଦୃଷ୍ଟିରେ ଭକ୍ତମାନଙ୍କ ପାଇଁ ଆପଣା ଧର୍ମପରମ୍ପରାର ଏକ ପ୍ରତୀକ । ଭେକଭଳି ଏହି ବାନା ମଧ୍ୟ ଏକ ପରିଚୟପତ୍ର ଭକ୍ତମାନଙ୍କର (ଏକାନବେ) । କଳିର ପାପଭାରାକୁ ଦୂରକରିବାପାଇଁ ଭୀମ ଯେତେବେଳେ ପରମସତ୍ତାଙ୍କ ନିକଟରେ ସ୍ତୁତି କରନ୍ତି ସେତେବେଳେ ବାନା ସମ୍ଭାଳି ରଖିବାକୁ ନିବେଦନ କରନ୍ତି (୬୦) । ବାନା ତେଣୁ ପରଂବ୍ରହ୍ମଙ୍କର ଦିବ୍ୟ ବିତରଣର ଏକ ପ୍ରତିଶ୍ରୁତି, ଏକ ସମ୍ଭାବନା, ଏକ ଆଶ୍ଵାସନା ରୂପେ ଭୀମଙ୍କ ଭଜନମାନଙ୍କରେ ବ୍ୟବହୃତ ହୋଇଛି ।

 

ମହାଶୂନ୍ୟରେ ବିଜେ କରିଥିବା ଭୀମଭୋଇଙ୍କର ଏହି ଅଲେଖ ପରଂବ୍ରହ୍ମ କେତେବେଳେ ମୂର୍ତ୍ତ ଓ କେତେବେଳେ ଅମୂର୍ତ୍ତ । ମାତ୍ର ଏହି ଉଭୟଭାବ ପରସ୍ପରର ବିରୋଧୀ ନହୋଇ ପରିପୂରକ । ପ୍ରକଟ ଓ ଅପ୍ରକଟ ତତ୍ତ୍ଵ ମଧ୍ୟରେ ଯେଉଁ ସୂକ୍ଷ୍ନ ପାର୍ଥକ୍ୟଟି ଭୀମଙ୍କ ଦୃଷ୍ଟିରେ ନିହିତ ତାହା ହେଉଛି ଦେଖିବାର ଭଙ୍ଗୀ (ଯାକୁ ଯେମନ୍ତ ଦିଶି ଲିହି ପୁରାଣେ ଘୋଷି -ଶହେ ସତର) । ନିତ୍ୟପୁରରେ ବିହାର କରୁଥିବା ଅଲେଖ ପରଂବ୍ରହ୍ମଙ୍କ ସ୍ଵରୂପ ଅଙ୍କନ କଲାବେଳେ ଭୀମ ମୁଖ୍ୟତଃ ବ୍ରହ୍ମକର ଦ୍ୱିବିଧ ମୂର୍ତ୍ତରୂପର ବର୍ଣ୍ଣନା କରନ୍ତି । ପ୍ରଥମଟି ଦଧିସମୁଦ୍ର କୂଳରେ ଶିଶୁମାନଙ୍କ ମେଳରେ ଖେଳୁଥିବା ବାଳ-ବ୍ରହ୍ମ ରୂପ (ଶହେ ସତର) ଏବଂ ଦ୍ୱିତୀୟଟି ହେଉଛି କଦମ୍ବତରୁ ମୂଳେ ସତୀରାଧିକାଙ୍କ ସହ ସୁରତି ଲୀଳାରେ ତଥା ଅନ୍ୟ ଗୋପୀମାନଙ୍କର ରାସଲୀଳାରେ ବ୍ୟସ୍ତଥିବା ରାସ ବିନୋଦୀ ‘ନଟବରନା’ ବ୍ରହ୍ମରୂପ (ଶହେ ପନ୍ଦର) । ଏହି ଲୀଳାର ସ୍ଥାନ ହେଉଛି ‘ଅଲେଖ ମନ୍ଦିର’ ଯେଉଁଠାରେ ଅନ୍ତିମ ସମୟରେ ଜୀବ ପରମଙ୍କ ଭେଟ ହୋଇଥାଏ । ନିତ୍ୟ ସୁନ୍ଦର ଏହି ରାମମନ୍ଦିରର ବର୍ଣ୍ଣନା ଦେଲାବେଳେ ଭୀମଙ୍କ କବିତ୍ୱକଳା ଲକ୍ଷଣୀୟ । ଜ୍ଞାନମିଶ୍ରା ଭକ୍ତିମାର୍ଗର ବୈଷ୍ଣବ କବିମାନଙ୍କ ପରି ଭୀମ ରାସମନ୍ଦିରର ଶୂନ୍ୟ ତଥା ପିଣ୍ଡ ବ୍ରହ୍ମାଣ୍ଡ ପରବ ବର୍ଣ୍ଣନା ଦିଅନ୍ତି ଆପଣା ଭଜନ ମାନଙ୍କରେ । ବୈଷ୍ଣବୀୟ ରାସନୃତ୍ୟପରି ଏହି ରାସମଣ୍ଡଳରେ ଷୋଳ ସହସ୍ର କୁମାରୀ ନୃତ୍ୟ ଉନ୍ମାଦିନୀ ହୋଇଛନ୍ତି (ନୃତ୍ୟରେ ଉନ୍ନାଦିନୀ ଷୋଳ ସସ୍ରକୁମାରୀ - ଶହେ ପନ୍ଦର)-। ମାତ୍ର ଏହି ସମସ୍ତ ମୂର୍ତ୍ତ ସ୍ୱରୂପରେ ଅନ୍ତର୍ନିହିତ ଥିବା ଅମୂର୍ତ୍ତସ୍ଵରୂପର ସୂଚନା ଭୀମ ଭଜନର ଶେଷରେ ଦିଅନ୍ତି (୬୧) । ଏହିପ୍ରକାର ସମସ୍ୟାମୂଳକ ଅର୍ଥକୁ ଭୀମ ‘ପରମାର୍ଥ’ ନାମରେ ନାମିତ କରିଛନ୍ତି ଏବଂ ରାସଲୀଳାରେ ମୂକସାକ୍ଷୀ କଦମ୍ବ ବୃକ୍ଷହିଁ ଭୀମଙ୍କ ଦୃଷ୍ଟିରେ ଓଲଟରେ ରହିଥିବା ବୃକ୍ଷ । ଦେହରେ ରହିଥିବା ଅଲେଖପୁରର ବର୍ଣ୍ଣନା ଭୀମ ଅତି ସାଙ୍କେତିକ ଭାଷାରେ କରିଛନ୍ତି । ସେ ସ୍ପଷ୍ଟ କହିଛନ୍ତି ଏଠାର ବର୍ଣ୍ଣନା ଦେବା କବିଙ୍କ ପକ୍ଷରେ ଅସମ୍ଭବ (୬୨) । ତଥାପି ଆପଣାର ଆସମର୍ଥ୍ୟ ପଣର ସୂଚନା ଦେଇ ମଧ୍ୟ ଭୀମ କିଛି କିଛି ବର୍ଣ୍ଣନା କରିଛନ୍ତି ଦେହ ଦେହଳୀରେ ଅଦୃଶ୍ୟ ଭାବରେ ଅବସ୍ଥିତ ସେ ନିତ୍ୟପୁରର ଯେଉଁଠାରେ ଅନନ୍ତ ସମୟ ପାଇଁ ଅଖଣ୍ଡିତ ପୂର୍ଣ୍ଣବ୍ରହ୍ମ ଅବସ୍ଥାନ କରିଛନ୍ତି (୬୩) ।

 

୬୦.

‘ହେ ଅନାଦି ଅଲେଖ’ ତୁମ୍ଭ ବାନା ତୁମ୍ଭେ ସମ୍ଭାଳି ରଖ ।’ (ଦୁଇଶହ ତିରିଶ)

୬୧.

‘ଭଣିଲେ ଭୀମ ହୋଇ ପରମାର୍ଥରେ କହି କଦମ୍ବ ବୃକ୍ଷ ଯେହି ଓଲଟେ ଅଛି ରହି’ (ଶହେ ସତର)

୬୨.

‘ସେଠାରୁ ଉଦ୍ୟାପନ ହେଉଛି କବିକୃତ । ମୁଦା ପଡ଼ିଛି କୁଞ୍ଜ ଫୁଟିଅଛି ଫୁଲତ ।’ (ଶହେ ଚଉଦ)

୬୩.

‘ତାଲୁକା ଦୁଆର ଶିଖେ ଅଲେଖ ପୁର’ ଅଖଣ୍ଡିତ ପୂର୍ଣ୍ଣ ବ୍ରହ୍ମ ବିଜେ ସେଠାର । ସେ ଗୁରୁଦେବ ସ୍ଵାମୀ ଅଣଶେଷ ମହିମା । ମୁଁ କିସ ସାମରଥ ବର୍ଣ୍ଣିବାକୁ ଉପମା (ଶହେ ଚଉଦ) ।

 

ଏଣୁ ଯଥାର୍ଥରେ ଭୀମ ଭୋଇଙ୍କ ଅଲେଖ ପରଂବ୍ରହ୍ମହିଁ ଅଣାକାର ଏବଂ ତାଙ୍କ ପ୍ରକଟର ଭାବହିଁ ‘ଅଣରୂପେ ଉଦୟ’ ଭାବ । ଚର୍ମ ନେତ୍ର ନୁହେଁ, ଜ୍ଞାନ ନେତ୍ରରେ ସେ ଦିବ୍ୟ ମୂରତି ଝଟଝଟ ଦିଶିଯାନ୍ତି । ସେହି ଅନାମିକା ଅଦୃଶ୍ୟ ସ୍ଥିତି ପ୍ରତିନିୟତ ପିଣ୍ଡ ଓ ବ୍ରହ୍ମାଣ୍ଡରେ ସଞ୍ଚାରିତ ହୋଇ ସଂସାରଲୀଳା ଜାରି ରଖନ୍ତି ଏବଂ ସମୟ ଆସିଲେ ମୋହଗ୍ରସ୍ତ ମଣିଷର ମୋହମୁକ୍ତି ପାଇଁ ଅବତରଣଲୀଳା ରଚାନ କରନ୍ତି । ମାୟାଧର ସେ । ପଦ୍ମପତ୍ରର ଜଳଭଳି ତାଙ୍କୁ କେବେ ବି ମାୟା ସ୍ପର୍ଶ କରିପାରେନା । ଭକ୍ତଙ୍କ ମନୋରଥ ସିଦ୍ଧି ପାଇଁ ସେ ଭେକ ଓ ବାନା ଧାରଣ କରି ଏକପଦରେ କରୁଣାର ସୁଧାଧାର ବୃଷ୍ଟି କରନ୍ତି । ଯୁଗଯୁଗ ଧରି ତତ୍ତ୍ଵାନ୍ୱେଷୀ କବିଗଣ ତାଙ୍କ ରୂପବର୍ଣ୍ଣନା ପାଇଁ ଚେଷ୍ଟା କଲେ ମଧ୍ୟ ତାହା କେବଳ ମାତ୍ର କେତେକ ସାଂକେତିକ ଶବ୍ଦପୁଞ୍ଜ ମଧ୍ୟରେ ସୀମିତ ରହିଯାଏ । କୌଣସି ଅନ୍ଧବିଶ୍ଵାସ ଏବଂ କାଏମୀ ସ୍ଵାର୍ଥପରତା ମଧ୍ୟରେ ସେ କେବେ ବି ସୀମିତ ନୁହନ୍ତି । ପାଦପାଣି ବିହୀନ ଏହି ବିଚିତ୍ରଦେବତା କେବଳ ଭକ୍ତର ଭାବପସରାରେ ଆପଣାର ସର୍ବସ୍ଵ ସମର୍ପଣ କରନ୍ତି, ମହାନିତ୍ୟର ଦିବ୍ୟ ବିଭୂତି ଛାଡ଼ି ଗରିବର ପତ୍ର କୁଡ଼ିଆରେ ଆପଣାର ଅଦୃଶ୍ୟ ପାଦ ଥାପନ୍ତି, କୋଟିଏ ସୂର୍ଯ୍ୟର ଦୀପ୍ତିମୟତାର ସୌମ୍ୟ ରୂପରେ ପ୍ରତିଭାତ କରନ୍ତି, ସେ ପବନର ସଂଜୋତି ଅଣଶ୍ରୁତି ଅମୂର୍ତ୍ତି ହୋଇଥିଲେ ମଧ୍ୟ ଜ୍ଞାନନେତ୍ରରେ ସରଳ ସନ୍ନ୍ୟାସୀର ବେଶରେ ଆତ୍ମପ୍ରକାଶ କରନ୍ତି । ଜଗତର କଲ୍ୟାଣ ତଥା ଭକ୍ତମାନଙ୍କ ଉଦ୍ଧାର ପାଇଁ କ୍ଷମାଶୀଳ ପୁରୁଷ ସତତ ଜାଗ୍ରତ ଥାନ୍ତି । ଉଦେ ଅସ୍ତ ନଥିବା ଭୂମିରୁ ଆପଣାର ସଂସାରପାବନ ଭଜେ ଅସ୍ତଲୀଳା ଜାରି ରଖିଥାନ୍ତି ।

 

 

‘ଅନ୍ନେଷା’,

ଦଣ୍ତୁଆସୀପଡ଼ା, ଆୟତପୁର,

କିଶୋର ନଗର, କଟକ ।

 

***

 

Unknown

ଗଙ୍ଗାଧରଙ୍କ ଆଦର୍ଶବାଦ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

ସ୍ଵଭାବକବି ଗଙ୍ଗାଧରଙ୍କ ଆବିର୍ଭାବ ହୋଇଥିଲା ଆମ ସଭ୍ୟତା ଓ ସଂସ୍କୃତିର ଏକ ସଂକଟପୂର୍ଣ୍ଣ ମୁହୂର୍ତ୍ତରେ, ଯେତେବେଳେ ଆମ ଦେଶର କେତେକ ନବ୍ୟସଭ୍ୟ-ଶିକ୍ଷିତ ବ୍ୟକ୍ତି ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି ପ୍ରତି ଏକାନ୍ତ ଅନୁରକ୍ତ ହୋଇ ଐତିହ୍ୟସଂପନ୍ନ ତଥା ଆଦର୍ଶପଣ୍ଡିତ ସ୍ଵଦେଶୀ ସଭ୍ୟତା ଓ ସଂସ୍କୃତିକୁ ଉପେକ୍ଷା କରିବାକୁ କୁଣ୍ଠାବୋଧ କରୁ ନଥିଲେ । ଫଳରେ ସ୍ଵଦେଶୀ ସଭ୍ୟତା ଓ ସଂସ୍କୃତି ଘୋର ସଙ୍କଟର ସମ୍ମୁଖୀନ ହେଲା ଓ ଏହି ସଙ୍କଟର ଦୂରୀକରଣ ନିମିତ୍ତ ଚିନ୍ତାଶୀଳ ଓ ସଂସ୍କାର ମନୋବୃତ୍ତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡ଼ିଲା । ଗଙ୍ଗାଧରଙ୍କ ସାରସ୍ଵତ ଅଭ୍ୟୁଦୟବେଳକୁ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ର ସଂଘର୍ଷ (୧୮୯୩- ୯୪) ଓଡ଼ିଆ ସାହିତ୍ୟରେ ଏକ ନୂତନ ଦିଗନ୍ତ ଉନ୍ମୋଚିତ କରିଥିଲା । ଏହି ସମୟକୁ ଗଙ୍ଗାଧରଙ୍କ କୃତିମାନଙ୍କ ମଧ୍ୟରେ ଏକମାତ୍ର ଉଲ୍ଲେଖଯୋଗ୍ୟ ଗ୍ରନ୍ଥ ଥିଲା ‘ଇନ୍ଦୁମତୀ’ (୧୮୯୩) । ଏହା ପରେ ରଚିତ ହୋଇଥଲା ତାଙ୍କର ‘କୀଚକ ବଧ’, ‘ପ୍ରଣୟବଲ୍ଲରୀ’, ‘ତପସ୍ୱିନୀ’ ଇତ୍ୟାଦି ଅନ୍ୟାନ୍ୟ ବିଶିଷ୍ଟ କୃତିମାନ ।

 

‘ଇନ୍ଦ୍ରଧନୁ’ ପ୍ରକାଶିତ ହୋଇଥିଲା ୧୮୯୩ ଅଗଷ୍ଟ ୧୬ ତାରିଖରେ ବାମଣ୍ଡା ଦରବାର ପ୍ରେସ୍‌ରୁ । ତତ୍‌କାଳୀନ ବାମଣ୍ଡା ରାଜଦରବାର ଥିଲା ଆଧୁନିକ ଓଡ଼ିଆ ସାହିତ୍ୟଚର୍ଚ୍ଚାର ଏକ ପ୍ରଧାନ ପୀଠ । ‘ଇନ୍ଦ୍ରଧନୁ’ ରାଧାନାଥୀୟ ସାହିତ୍ୟର ପ୍ରଶଂସାରେ ମୁଖର ଥିଲା ଏବଂ ମଧ୍ୟଯୁଗୀୟ ଓଡ଼ିଆସାହିତ୍ୟ, ବିଶେଷକରି ଭଞ୍ଜସାହିତ୍ୟର ତୀବ୍ର ସମାଲୋଟନା ଏଥିରେ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ତା'ପର ମାସ (୧୮୯୩ ସେପ୍ଟମ୍ୱର ୧୬ ତାରିଖ)ରେ ଆତ୍ମପ୍ରକାଶ କଲା ‘ବିଜୁଳି’ ପତ୍ରିକା, ଯେଉଁଥିରେ ରାଧାନାଥୀ-ସାହିତ୍ୟର ବିଜାତୀୟ ତଥା ନୀତିବିବର୍ଜିତ ପ୍ରେମଚିତ୍ର ବିରୋଧରେ ବିଷୋଦ୍‌ଗାର କରାଗଲା । ‘ଇନ୍ଦ୍ରଧନୁ’ ପୃଷ୍ଠାରେ ପ୍ରକାଶିତ ଏହି ଆକ୍ରମଣ ରାଧାନାଥ-ସାହିତ୍ୟର ଦୁର୍ବଳ ଦିଗମାନଙ୍କର ସନ୍ଧାନ ଦେବା ଫଳରେ ସଚେତନ ଓଡ଼ିଆ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଏହା ଏକ ଆଲୋଚ୍ୟ ବିଷୟ ହୋଇପଡ଼ିଲା; ଏପରିକି ରାଧାନାଥଙ୍କ ସପକ୍ଷବାଦୀ ସମାଲୋଚକମାନଙ୍କ ମଧ୍ୟରେ ମଧ୍ୟ ଏହା ବଳିଷ୍ଠ ପ୍ରତିକ୍ରିୟା ସୃଷ୍ଟିକଲା । ଏହି ପ୍ରତିକ୍ରିୟାରୁ ସାହିତ୍ୟରାଜ୍ୟରେ ସୃଷ୍ଟିହେଲା ଏକ ସ୍ଵତନ୍ତ୍ର ସରଣୀ ଏବଂ ଏହି ସରଣୀରେ ଅଗ୍ରଗାମୀ ହେଲେ ଫକୀରମୋହନ, ନନ୍ଦକିଶୋର, ଗଙ୍ଗାଧର, ଗୋପାଳବଲ୍ଲଭ ପ୍ରଭୃତି ସାହିତ୍ୟ ସ୍ରଷ୍ଟାଗଣ । ଏମାନଙ୍କ ରଚନାବଳୀ ଏକ ସ୍ଵତନ୍ତ୍ର ସାହିତ୍ୟାଦର୍ଶର ପ୍ରତୀକ କେବଳ ନୁହନ୍ତି, ଅନ୍ୟ ଅର୍ଥରେ ଏଗୁଡ଼ିକ ରାଧାନାଥୀ ସାହିତ୍ୟର ମୌନ ପ୍ରତିବାଦ ବା ପ୍ରତିକ୍ରିୟା । କାବ୍ୟଧାରା ବିଚାର ଦୃଷ୍ଟିରୁ କିନ୍ତୁ ସେମାନଙ୍କ ମଧ୍ୟରେ ଗଙ୍ଗାଧରଙ୍କ ନାମ ଉଲ୍ଲେଖନୀୟ ।

 

କବିବର ରାଧାନାଥ ଥିଲେ ଗଙ୍ଗାଧରଙ୍କ ପ୍ରେରଣାର ଉତ୍ସ । ସ୍ଵଭାବକବି ଗଙ୍ଗାଧରଙ୍କ କବିପ୍ରତିଭାର ଉନ୍ମେଷବେଳକୁ ସମଗ୍ର ସାହିତ୍ୟରାଜ୍ୟରେ କବିବରଙ୍କ ଅସପତ୍ନ ରାଜତ୍ୱ । ରାଧାନାଥଙ୍କ ସାହିତ୍ୟର ବିପୁଳ ଆଲୋଡ଼ନ ସ୍ଵଭାବକବିଙ୍କୁ ତେଣୁ ବେଶ୍‌ ନିୟନ୍ତ୍ରଣ କରିଛି । ବ୍ୟକ୍ତିଗତ ପରିଚିତି ନଥିଲେ ହେଁ ସେ ଏକଲବ୍ୟ ଭଳି ରାଧାନାଥଙ୍କୁ ନିଜର ଗୁରୁରୂପେ ଗ୍ରହଣ କରିଛନ୍ତି ଏବଂ ନିଜର ଅନେକ ରଚନାବଳୀ ରାଧାନାଥଙ୍କ ନିକଟକୁ ସଂଶୋଧନ ଓ ଅଭିମତ ପାଇଁ ପ୍ରେରଣ କରିଛନ୍ତି । ରାଧାନାଥଙ୍କର ମଧ୍ୟ ଅଶେଷ କରୁଣା; ସେ ନିଜର ସମସ୍ତ କାର୍ଯ୍ୟବ୍ୟସ୍ତତା ସତ୍ତ୍ଵେ ଏହି ରଚନାଗୁଡ଼ିକୁ ଅନୁଶୀଳନ କରିଛନ୍ତି ଏବଂ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ଏହା ଗଙ୍ଗାଧରଙ୍କୁ ସୃଷ୍ଟିକର୍ମ ପାଇଁ ପ୍ରଚୋଦିତ କରିଛି । ଗଙ୍ଗାଧରଙ୍କ ପ୍ରତି ଯେଉଁ ଉପଦେଶମାନ କବିବର ନିଜ ପତ୍ରମାନଙ୍କରେ ଦେଇଛନ୍ତି, ତାହା ଗୁରୁଙ୍କର ଶିଷ୍ୟ ପ୍ରତି କେବଳ ଉପଦେଶ ନୁହେଁ, ନବବିକଶିତ ପ୍ରତିଭାକୁ ଅସ୍ତଗାମୀ ପ୍ରତିଭାର ହାର୍ଦ୍ଦିକ ଅଭିବାଦନ ମଧ୍ୟ; ଏହି ଦୃଷ୍ଟିରୁ ରାଧାନାଥ ନିଜ ଯୁଗାବସାନ ପରେ ଆଧୁନିକ କାବ୍ୟଜଗତର ସ୍ଵର୍ଣ୍ଣସିଂହାସନ କେବଳ ଗଙ୍ଗାଧରଙ୍କୁ ସମର୍ପଣ କରିଯାଇଥିଲେ ବୋଲି ବରେଣ୍ୟ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟ ବ୍ୟକ୍ତ କରିଛନ୍ତି । (ଗଙ୍ଗାଧର ସାହିତ୍ୟ ସମୀକ୍ଷା, ୧୯୭୬, ପୃ. ୧୩; ଏ ସମ୍ବନ୍ଧରେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କଦ୍ୱାରା ସଂପାଦିତ ‘କବିଲିପି’ରେ ପ୍ରକାଶିତ ସ୍ଵଭାବକବିଙ୍କ ନିକଟକୁ ପ୍ରେରିତ କବିବରଙ୍କ ପତ୍ରଗୁଡ଼ିକ ଦ୍ରଷ୍ଟବ୍ୟ ।)

 

ଗଙ୍ଗାଧରଙ୍କର ପାଣ୍ଡିତ୍ୟ ଆଧାରିତ ଥିଲା ସଂସ୍କୃତ, ହିନ୍ଦୀ, ପ୍ରାଚୀନ ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ଗଭୀର ଅଧ୍ୟୟନ ଉପରେ । ପାଶ୍ଚାତ୍ୟ ସାହିତ୍ୟକୁ ବିଶେଷ ଭାବରେ ଅନୁଶୀଳନ ଓ ଅଧ୍ୟୟନ କରିଥିବାରୁ ରାଧାନାଥଙ୍କ ସାହିତ୍ୟ ପାଶ୍ଚାତ୍ୟ ରସଧାରାରେ ପରିପ୍ଲୁତ । ମାତ୍ର ଗଙ୍ଗାଧର ପ୍ରାଚ୍ୟସାହିତ୍ୟର ବାର୍ତ୍ତାବହ । ରାଧାନାଥ ଯେପରି ପାଶ୍ଚାତ୍ୟ ବିଷୟବସ୍ତୁର ଅନୁସରଣ ସହିତ ମୌଳିକ କଳ୍ପନା ଓ ଯୁଗୋପଯୋଗୀ ଭାବ-ପ୍ରକାଶ-ବୈଚିତ୍ର୍ୟର ସମନ୍ୱୟ କରି ଏକ ନୂତନ କାବ୍ୟଶୈଳୀ ସୃଷ୍ଠି କଲେ, ଗଙ୍ଗାଧର ସେହିପରି ଭାରତୀୟ ସାହିତ୍ୟର କଥାବସ୍ତୁ ଓ ରସଧାରାକୁ ଉପଜୀବ୍ୟ କରି ନିର୍ମାଣ କଲେ ନିଜର କାବ୍ୟସୌଧ ଏବଂ ଏଥିରେ ରୂପାୟିତ କଲେ ପ୍ରାଚ୍ୟର ମହତ୍ତ୍ଵପୂର୍ଣ୍ଣ ଉନ୍ନତ ଜୀବନଧାରା ଅତି ମନୋଜ୍ଞ ଭାବରେ । କିନ୍ତୁ କାବ୍ୟକବିତାର ଆଙ୍ଗିକ ଓ ଆତ୍ମିକରେ ଗଙ୍ଗାଧର ରାଧାନାଥଙ୍କୁ ଅନେକତ୍ର ଅନୁସରଣ କରିଥିଲେ । କାରଣ ସେତେବେଳେ ରାଧାନାଥଙ୍କ କାବ୍ୟ-କବିତା ଗଙ୍ଗାଧରଙ୍କ ସୃଷ୍ଟିମାନସରେ ଥିଲା ଚାରଣଭୂମି । ଏହି ପରିପ୍ରେକ୍ଷୀରେ ବିଚାର କଲେ, ଗଙ୍ଗାଧରଙ୍କ ସାହିତ୍ୟରେ ପ୍ରାଚୀନ ପରମ୍ପରା ଆଧୁନିକ ସୃଷ୍ଟି ଆଦର୍ଶରେ ହେଲା ରସାଣିତ ଏବଂ ଆଧୁନିକ ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ପରିଚିତ ହେଲେ ପ୍ରାଚୀନ ଓ ନୂତନର ଜଣେ ସମନ୍ୱୟବାଦୀ କବି ଭାବରେ । ତେଣୁ ମେହେର ସାହିତ୍ୟ-କୀର୍ତ୍ତି ଶିଳ୍ପକଳା ଭାବରେ ଯେପରି ଉପଭୋଗ୍ୟ, ଜୀବନବେଦ ହିସାବରେ ମଧ୍ୟ ସେହିପରି ପରୀକ୍ଷଣୀୟ ବୋଲି ପ୍ରଖ୍ୟାତ ସମାଲୋଚକ ଡକ୍ଟର କୃଷ୍ଣଚରଣ ବେହେରା ପ୍ରକାଶ କରିଛନ୍ତି । (ଅଶ୍ଲୀଳତା ବିପକ୍ଷରେ, ପୃ. ୭୮) ତାଙ୍କ କାବ୍ୟସୃଷ୍ଠିର ଏହି ଦିଗଟିକୁ ଲକ୍ଷ୍ୟକରି ସେତେବେଳେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଇଥିଲା–‘‘ଗଙ୍ଗାଧର ବାବୁ ପ୍ରକୃତିଦତ୍ତ କବିଦୃଷ୍ଟି ଓ କବି-ତୁଳିକା ପାଇଅଛନ୍ତି ଏବଂ ତାହାର ସାବହିତ ଓ ସୁସଂଜତ ବ୍ୟଵହାର ନିପୁଣତା ଲାଭକରି ଅଛନ୍ତି । ସୁତରାଂ ତାଙ୍କ ହସ୍ତରେ ପୁରାତନ (ବିଷୟ ନୂତନ ଆକାର ଧାରଣ କରିବା ସ୍ଵାଭାବିକ ।’’ (ନବମ ଭାଗ ତୃତୀୟ ସଂଖ୍ୟା), ପାରମ୍ପରିକ ଉପାଖ୍ୟାନର ନବନ୍ୟାସରେ ମେହେରସାହିତ୍ୟ ଉତ୍ସର୍ଗୀକୃତ ଥିବାରୁ କବିବର ରାଧାନାଥ ଗଙ୍ଗାଧରଙ୍କୁ ପ୍ରଶଂସା କରିଛନ୍ତି ଏବଂ ଗଙ୍ଗାଧରଙ୍କ ସାହିତ୍ୟରେ ଏହି ପ୍ରବୃତ୍ତିକୁ ଲକ୍ଷ୍ୟକରି ‘କୀଚକ ବଧ'ର ମନ୍ତବ୍ୟରେ ଲେଖୁଛନ୍ତି–‘‘ପୁରାତନରେ ନୂତନତା ଓ ଆହୃତିରେ ମୌଳିକତା ପ୍ରତିଫଳିତ କରିବାର ପ୍ରତିଭାର ବିଧି-ପ୍ରତିପାଦିତ ଅଧିକାର ଅଟେ । ଏ ସମ୍ବନ୍ଧରେ କବି ଗଙ୍ଗାଧର ଯେପରି ଶକ୍ତିମତ୍ତା ଦେଖାଇଛନ୍ତି, ତାହା କି ପ୍ରାଟୀନ କି ଆଧୁନିକ ଯେକୌଣସି ଉତ୍କଳୀୟ କବିଙ୍କ ପକ୍ଷରେ ଗୌରବାବହ ହୁଅନ୍ତା ।’’ (କବିଲିପି, ପୃ. ୯୬-୯୭)

 

ସ୍ୱଭାବକବି ‘‘କାବ୍ୟହିଁ ଗଲେଣି କାବ୍ୟ ରଚିବାକୁ ରାଧାନାଥ ନାମ ବହି/ତାହାଙ୍କ ଭାରତୀବଳେ ହେବ ଖ୍ୟାତ ଭାରତେ ଉତ୍କଳ ଭୂଇଁ’’ (ଉତ୍କଳ ଲକ୍ଷ୍ମୀ) କହି କାବ୍ୟଗୁରୁ ରାଧାନାଥଙ୍କ ପ୍ରତି ଅନ୍ତରର ଗଭୀର ଶ୍ରଦ୍ଧା ଓ ଭକ୍ତି ଜ୍ଞାପନ କରିଥିଲେହେଁ ରାଧାନାଥଙ୍କ କାବ୍ୟରାଜିରେ ପ୍ରକଟିତ ବିଜାତୀୟ ପ୍ରେମକୁ ଅନୁମୋଦନ କରିପାରି ନାହାନ୍ତି । କୌଶଲ୍ୟା, ପାର୍ବତୀ, ନନ୍ଦିକା, ଚନ୍ଦ୍ରଭାଗା ଇତ୍ୟାଦି କବିବରଙ୍କ କାବ୍ୟ-ଚରିତ୍ରାବଳୀ ତାଙ୍କଦ୍ୱାରା ହୋଇଛି ପ୍ରଚ୍ଛନ୍ନ ସମାଲୋଚନାର ଶରବ୍ୟ । ପରମ୍ପରାପ୍ରେମୀ ରଙ୍ଗାଜୀବ ଗଙ୍ଗାଧର ଆଦର୍ଶ ପୌରାଣିକ ବିଷୟବସ୍ତୁର ଆଧାରରେ ରଚନାକଲେ ନିଜର କାବ୍ୟସୌଧ । ବାଲ୍ଲୀକି, ବ୍ୟାସ, କାଳିଦାସଙ୍କ ସାହିତ୍ୟ-କାନନରେ ପରିଭ୍ରମଣ କରି ସେ ଉପାଦେୟ ତଥା ସୌରଭପୂର୍ଣ୍ଣ ପ୍ରସୂନ ଚୟନ କରି ମାଳା ଗୁନ୍ଥିଛନ୍ତି ଏବଂ ଉତ୍କଳ ଭାରତୀଙ୍କୁ ଭେଟି ଦେଇଛନ୍ତି । ଏହା ତାଙ୍କ ପରମ୍ପରା-ପ୍ରୀତି ଏବଂ ଧର୍ମପ୍ରାଣତାର ସାର୍ଥକ ନିଦର୍ଶନ । ଧର୍ମପ୍ରାଣ ତଥା ଆଦର୍ଶବାଦୀ ଗଙ୍ଗାଧର ନିଜ ସଂସ୍କୃତି, ପରମ୍ପରା ଓ ଐତିହ୍ୟଠାରୁ ବିଚ୍ଛନ୍ନ ନାସ୍ତିକ ମଣିଷମାନଙ୍କୁ ବିଦୁରଙ୍କ ମୁଖରେ ଧର୍ମର ମହତ୍ତ୍ଵ ବଖାଣିଛନ୍ତି ସ୍ଵରଚିତ ‘ବିଦୁର ପ୍ରଜାଗର’ରେ । ଧର୍ମପ୍ରାଣ ବ୍ୟକ୍ତି ଯୁଗେ ଯୁଗେ ଆଦର୍ଶବାଦୀ; ତେଣୁ ଗଙ୍ଗାଧରଙ୍କ ଚରନାରେ ବିଷୟବସ୍ତୁ ନିର୍ବାଚନ, କାବ୍ୟ ନାୟକ-ନାୟିକାଙ୍କ ଚରିତ୍ର ଚିତ୍ରଣ, କାବ୍ୟିକ ଆଭିମୁଖ୍ୟ ଇତ୍ୟାଦିର ଛତ୍ରେ ଛତ୍ରେ ସେଇ ଆଦର୍ଶ ସ୍ରଷ୍ଟାମାନସର ପ୍ରତିବିମ୍ବନ ସୁସ୍ପଷ୍ଟ । ସୁସମାଲୋଚକ ଡକ୍ଟର ଅସିତ କବି ଏ ସମ୍ପର୍କରେ ଯଥାର୍ଥରେ କହିଛନ୍ତି–‘‘କବିଙ୍କର ପ୍ରେରଣା ପ୍ରସୂତି ଯେଉଁଠାରେ ପୁରାଣ, ସେଠାରେ ପାଠକର ଚିତ୍ତ ସମୁନ୍ନତ ଘଟାଇବା ତା’ର ଐକାନ୍ତିକ ଲକ୍ଷ୍ୟ । ଯେଉଁଠି ଇତିହାସର ସ୍ମରଣୀୟ ଅଧ୍ୟାୟ ତାଙ୍କୁ ଉଦ୍‌ବୁଦ୍ଧ କରିଛି, ସେଠାରେ ମହତ୍ତର ଜୀବନ ପ୍ରତି ତାଙ୍କ ଶ୍ରଦ୍ଧା ଓ ସମ୍ମାନ ଆଭାସିତ, ଯେଉଁଠାରେ କଳ୍ପନାର ଲଘୁପକ୍ଷ ମେଲାଇ ତାଙ୍କର ଚିନ୍ତାଧାରା ଆକାଶ ଚୁମ୍ବନ କରିଛି ସେଠାରେ ମଧ୍ୟ ଆଦର୍ଶର ଅନୁପ୍ରେରଣା କାବ୍ୟିକ କାରୁକଳାରେ ଆମ ମର୍ମ ସ୍ପର୍ଶକରିଛି ।’’ (‘ଆଲୋଚନା ଓ ସ୍ମୃତିଚାରଣ, ପୃ.୧)

 

ସ୍ଵଭାବ କବିଙ୍କ ଅଧିକାଂଶ କାବ୍ୟ ପ୍ରେମାଶ୍ରୟୀ; ମାତ୍ର ଆଦର୍ଶବାଦୀ କଟି ସବୁକ୍ଷେତ୍ରରେ । ପ୍ରେମରେ ଆଦର୍ଶବାଦ ଫୁଟାଇବାକୁ ଚେଷ୍ଟା କରିଛନ୍ତି । ପାଶ୍ଚାତ୍ୟ କାବ୍ୟାଦର୍ଶର ପ୍ରାଞ୍ଜଳତା ଓ ଅଭିନବତା ତାଙ୍କ କାବ୍ୟରେ ସହଜଲଭ୍ୟ ହେଲେହେଁ ଏହାର ମୂଳଭତ୍ସ ହେଉଛି ପ୍ରାଚ୍ୟ ପରମ୍ପରାର ଜୀବନାଦର୍ଶ । ଏ ମାଟିର ଅଗଣିତ ପ୍ରେମୋପାଖ୍ୟାନକୁ ଗ୍ରହଣ କରି ଏବଂ ସେଥିରୁ ଅବାସ୍ତବ ଓ ଅସମ୍ଭାବ୍ୟ ରୂପକୁ ପରିହାର କରି ସେ ସୃଷ୍ଟି କରିଛନ୍ତି ତ୍ୟାଗପୂତ ପ୍ରେମ, ଉଚ୍ଚାଙ୍ଗ ଜୀବନାଦର୍ଶ ଓ ଆଦର୍ଶ ଚରିତ୍ରରାଜିର ସମାହାରରେ ତାଙ୍କ କାବ୍ୟ ଅଟ୍ଟାଳିକା, ଯାହା ଅପୂର୍ବ କବିତ୍ୱ ଶୈଳୀରେ ଏକାନ୍ତ ମନୋଜ୍ଞ ହୋଇ ଉଠିଛି । ଏହି ଦୃଷ୍ଟିରୁ ଗଙ୍ଗାଧରଙ୍କ କାବ୍ୟ ନୈସର୍ଗିକ ପ୍ରେମର ଶାଶ୍ୱତ ଲୀଳାକ୍ଷେତ୍ର । ପ୍ରାଚ୍ୟ ପରମ୍ପରାରେ ଜୈବିକ ପ୍ରବୃତ୍ତିରୁ ଜାତ ପ୍ରେମ ଅବଶ୍ୟ ସର୍ବଦା ପରିହାର୍ଯ୍ୟ ନୁହେଁ । ଏପରି ହୋଇଥିଲେ ବିଶାଳ ରୀତିସାହିତ୍ୟର ସ୍ଥିତି ଆଜି ଅବଜ୍ଞାତ ହୋଇଥା’ନ୍ତା । ସେ ଯାହାହେଉ, ନଗ୍ନପ୍ରେମର ଚିତ୍ରଣ ସାମାଜିକ ଜୀବନକୁ ଦୁର୍ବଳ କରେ ଏବଂ କବିର ଲେଖନୀ ମଧ୍ୟ ଏହାଦ୍ୱାରା କଳଙ୍କିତ ହୁଏ । ରୀତିସାହିତ୍ୟ ଓ ରାଧାନାଥୀ- ସାହିତ୍ୟର ପରିଣତିକୁ ଏହାର ଜ୍ୱଳନ୍ତ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ । ସେହି ସମୟର ପ୍ରାଣସ୍ପନ୍ଦନ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଜଣାଯାଏ, ଗଙ୍ଗାଧରଙ୍କ ଅଭ୍ୟୁଦୟ କାଳରେ ‘ବିଜୁଳି’ ଓ ‘ଇନ୍ଦ୍ରଧନୁ’ର ସଂଘର୍ଷ ଯଥାର୍ଥରେ ଥିଲା ପ୍ରାଚୀନତା ଓ ଆଧୁନିକତାର ସଂଘର୍ଷ ଏବଂ ଭଞ୍ଜ ଓ ରାଧାନାଥ ଥିଲେ ସେହି ସଂଘର୍ଷର ଉପଲକ୍ଷ୍ୟ ମାତ୍ର । ଏହା ଗଙ୍ଗାଧରଙ୍କୁ ସଚେତନ କରିଦେଇଥିବ ନିଶ୍ଚୟ । ତେଣୁ ନୀତି ଓ ଆଦର୍ଶର ପୂଜାରୀ ଗଙ୍ଗାଧର ଅଧିକ ଆଦର୍ଶବାଦୀ ଓ ନୀତିବାଦୀ ହୋଇପଡ଼ି ନିଜ କାବ୍ୟରାଜିରେ ପ୍ରେମର ପରିଶୀଳିତ ଓ ଶୁଚିବନ୍ତ ରୂପ ପ୍ରଦାନ କରିଥିବା ନିଶ୍ଚିତ । ଆଦର୍ଶବାଦୀ କବି ମେହେର ପବିତ୍ରପ୍ରେମର ମଧୁରଚିତ୍ର ତାଙ୍କର କାବ୍ୟାବଳୀରେ ପ୍ରଦାନ କରିଛନ୍ତି । ତାଙ୍କର ଅମରକାବ୍ୟ ‘ତପସ୍ଵିନୀ’ରୁ ଅଳ୍ପ କେତୋଟି ଦୃଷ୍ଟାନ୍ତ ଦେଲେ ଯଥେଷ୍ଟ ହେବ ।

 

‘ତପସ୍ଵିନୀ’ କାବ୍ୟର ନାୟିକା ସତୀ ଶିରୋମଣି ସୀତା । ଅଯୋଧ୍ୟାରୁ ନିର୍ବାସିତା ହୋଇ ସେ ଘୋର ଜଙ୍ଗଲରେ ବଳାପରତା । ମିଥ୍ୟା ଅପବାଦର ଶିକାର ହୋଇଛନ୍ତି ସେ । ଶତ ଶତ ପରିଚାରିକା ଯାହାଙ୍କ ସେବାରେ ନିଯୁକ୍ତ ଥିଲେ, ସେ ଆଜି ଏକାକିନୀ, ପତିଙ୍କର ଏ. ଅନ୍ୟାୟ ଆଚରଣ ସତ୍ତ୍ୱେ ତାଙ୍କ ମନରେ ପତିଙ୍କ ପ୍ରତି ବିଦ୍ରୋହଭାବ ଜାଗିନାହିଁ । ସେ ସ୍ଵାମୀଙ୍କ ପ୍ରତି କ୍ରୋଧ ପ୍ରକାଶ କରିନାହାନ୍ତି । ଏହି ଦୁର୍ଦ୍ଦଶାକୁ ସେ ନିଜ ପୂର୍ବ ଦୁଷ୍କୃତିର ପରିଣାମ ବୋଲି ଗ୍ରହଣ କରି ନେଇଛନ୍ତି । ପତି ବିଚ୍ଛେଦ ସେ ସହ୍ୟ କରିପାରିନାହାନ୍ତି ଓ ତଦ୍‌ଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ସଂଜ୍ଞାହୀନ ହୋଇ ପଡ଼ିଛନ୍ତି । ଯେତେବେଳେ ତାଙ୍କର ସଂଜ୍ଞା ଫେରିଛି ସେ ପତି ଶ୍ରୀରାମଙ୍କୁ କେବଳ ଦେଖିଛନ୍ତି । ସମସ୍ତ ଦିଗ ତାଙ୍କୁ ଶ୍ରୀରାମମୟ ଦିଶିଛି । ଶ୍ରୀରାମଙ୍କ ଦୋଷ ନ ବାଛି ତାଙ୍କ ପାଣିଗ୍ରହଣ ଶ୍ରୀରାମଙ୍କ ପ୍ରତି ଅଶେଷ ଦୁଃଖର କାରଣ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । କବିଙ୍କ ଭାଷାରେ-

 

‘‘ଧିକ ମୋ ଜୀବନ ନାଥ ! ଏକା ମୋହଲାଗି

ଅକଳଙ୍କ ଥାଇ ହେଲ ଅପଯଶ ଭାଗୀ

କି କୁଲଗ୍ନେ ଧରିଥିଲ ଅଭାଗିନୀ କର,

ତା ଲାଗି ଆଳୟ ହେଲ ଦାରୁଣ ଦୁଃଖର ।’’

-ପ୍ରଥମ ସର୍ଗ, ଗ୍ରନ୍ଥାବଳୀ, ପୃ. ୨୫୬

 

ନିଜର ଅକଥନୀୟ ଦୁର୍ଦ୍ଦଶା ମଧ୍ୟରେ ସତୀଶିରୋମଣି ସୀତା ପତିଙ୍କୁ ଯେଉଁ ରୂପରେ ଦେଖିଛନ୍ତି, ତାହା ତାଙ୍କ ଚାରିତ୍ରିକ ମହନୀୟତାକୁ ବହୁଗୁଣିତ କରେ । କବି ମେହେରଙ୍କ ଆଦର୍ଶବାଦୀତା ହିଁ କେବଳ ସତୀ ଶିରୋମଣିଙ୍କ ତ୍ୟାଗପୂତ ପ୍ରେମର ଏହିପରି ଏକ ସଫଳ ଚିତ୍ର ପ୍ରଦାନ କରିବାକୁ ସମର୍ଥ ହୋଇଛି ।

 

ରାମୈକପ୍ରାଣା ସୀତା କେବଳ ଇହଜନ୍ମରେ ନୁହେଁ, ପରଜନ୍ମରେ ମଧ୍ୟ ସ୍ଵାମୀଙ୍କ ଚରଣାଶ୍ରିତା ହେବାକୁ ଇଚ୍ଛାକରିଛନ୍ତି । ଅଗ୍ନିପରୀକ୍ଷା ସମୟରେ ତେଣୁ ସେ ଧର୍ମଦେବଙ୍କୁ ସମ୍ବୋଧନ କରିଛନ୍ତି -

 

‘‘ଜୀବନେ ନ ପାରିଲେ ମୋତେ ମରଣେ

ସେବିକା କରିଦେବ ପ୍ରଭୁ ଚରଣେ ହେ !

ମୋ ତନୁ ଦଗ୍‌ଧ ହେଲେ ହେବ ତ ଖାର,

ତାହାକୁ କରାଇବ ପାଦପେ ସାର;

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ

କରାଇଦେବ ପ୍ରଭୁ ପାଦୁକା ମତେ ହେ !’’

ସପ୍ତମ ସର୍ଗ, ଗ୍ରନ୍ଥାବଳୀ, ପୃ ୨୮୮

 

ଏହିପରି ବହୁ ଉଦାହରଣ ଦେଇ ପବିତ୍ରପ୍ରେମ ଚିତ୍ରଣରେ କବିଙ୍କ ପାରଦର୍ଶିତା ପ୍ରଦର୍ଶନ କରା ଯାଇପାରିବ । ଯେଉଁ ତ୍ୟାଗପୂତ ତଥା ଆଦର୍ଶ ପ୍ରେମର ହୃଦୟସ୍ପର୍ଶୀ ଚିତ୍ର କବି ମେହେର ସ୍ଵକାବ୍ୟରେ ପ୍ରଦାନ କରିଛନ୍ତି ସେଥିରେ ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ପ୍ରତିବିମ୍ୱିତ । କବିଙ୍କର ‘ଇନ୍ଦୁମତୀ’ କାବ୍ୟ ପାଠକରି ପଲ୍ଲୀକବି ନନ୍ଦକିଶୋର ମୁଗ୍‌ଧ ହୋଇଯାଇଥିଲେ ଏବଂ ଏହି ଧରଣର ପବିତ୍ର ଓ ସୁନ୍ଦର କାବ୍ୟମାନ ରଚନା କରି ମାତୃଭୂମିର ଗୌରବ ବୃଦ୍ଧିକରିବା ନିମିତ୍ତ କବିଙ୍କୁ ଉତ୍ସାହିତ କରିଥିଲେ । ପଲ୍ଲୀକବିଙ୍କ ଭାଷାରେ -

 

‘‘ପବିତ୍ର ସୁନ୍ଦର କାବ୍ୟ ଲେଖି ପ୍ରିୟକବି

ସମୁଜ୍ଜ୍ୱଳ କର ମାତୃଭୂମି ମୁଖଛବି ।’’

-ଗଙ୍ଗାଧର ଗ୍ରନ୍ଥାବଳୀ, ପୃ. ୨୪

 

କେବଳ ନୈସର୍ଗିକ ପ୍ରେମଚିତ୍ର ପ୍ରଦାନ କରି କବି ଆଦର୍ଶବାଦର ଡିଣ୍ଡିମ ପିଟି ନାହାନ୍ତି, ଆଦର୍ଶ ପଥରୁ ବିଚ୍ୟୁତ ବ୍ୟକ୍ତିକୁ ଅଶେଷ ଯାତନା ଭୋଗ କରିବାକୁ ପଡ଼େ ବୋଲି ମଧ୍ୟ ଦର୍ଶାଇଛନ୍ତି-। ଯେଉଁ ପୌରାଣିକ କଥାବସ୍ତୁରେ ଏହିପରି ଆଦର୍ଶବାଦ ବିରୋଧଜନିତ କ୍ଲେଶ ଭୋଗ ବର୍ଣ୍ଣିତ ହୋଇଛି, ତା'ର ଅନୁସରଣରେ କବି ଏହି ଦିଗଟିକୁ ଯଥେଷ୍ଟ ଆଲୋକିତ କରିଛନ୍ତି । କାଳିଦାସଙ୍କ ଅନୁସରଣରେ କବି ‘ପ୍ରଣୟ ବଲ୍ଲରୀ’ର ନାୟିକା ଶକୁନ୍ତଳାଙ୍କ ଚରିତ୍ର ଚିତ୍ରଣ କରିଛନ୍ତି । ଦୁଷ୍ମନ୍ତଙ୍କୁ ଶୟନେ, ସ୍ଵପନେ, ଜାଗରଣେ ଚିନ୍ତା କରୁଥିବା ଶକୁନ୍ତଳା ଅତିଥି ସତ୍କାର କରିବାକୁ ଭୁଲିଯାଇଛି । ଏହା ତା' ପକ୍ଷରେ ଏକ ଆଶ୍ରମଆଦର୍ଶ ବିରୋଧୀ କାର୍ଯ୍ୟ ଏବଂ ଏଥିପାଇଁ ସେ ମହର୍ଷି ଦୁର୍ବାସାଙ୍କଦ୍ୱାରା ଅଭିଶାପଗ୍ରସ୍ତା ହୋଇଛି । ଅନ୍ୟଦୃଷ୍ଟିରୁ ଦୃଷ୍ମନ୍ତ ଓ ଶକୁନ୍ତଳା ପ୍ରଚଳିତ ପରମ୍ପରାକୁ ଉପେକ୍ଷାକରି ଦେହଜ କାମନାକୁ ଚରିତାର୍ଥ କରିଥିବାରୁ ଆଦର୍ଶ ତଥା ପରମ୍ପରା ବିଚ୍ୟୁତ ହୋଇଛନ୍ତି-। ତେଣୁ କାଳିଦାସଙ୍କ ଅନୁସରଣରେ କବି ଏମାନଙ୍କ ପ୍ରତି ଶାସ୍ତିବିଧାନ କରିଛନ୍ତି ଦୁର୍ବାସାଙ୍କଦ୍ୱାରା ଅଭିଶାପଗ୍ରସ୍ତ କରାଇ । ସେମାନଙ୍କର କାମଜ ପ୍ରେମକୁ ପରିଶୋଧିତ କରିବା ନିମନ୍ତେ ଏହି ଅଭିଶାପାନଳ ଅଭିପ୍ରେତ । ଆଦର୍ଶ- ବିଚ୍ୟୁତ ଏହି ପ୍ରଣୟ- ପ୍ରଣୟୀଙ୍କୁ ବିଚ୍ଛେଦ- ବେଦନା ସହ୍ୟ କରିବାକୁ ପଡ଼ିଛି । ଜୀବନର ସମସ୍ତ ସୁଖ- ସ୍ଵାଚ୍ଛନ୍ଦ୍ୟ, କାମନା - ବାସନା ବିସ୍କୃତ ହୋଇ ସେମାନେ କ୍ଷଣକର ତ୍ରୁଟି ଲାଗି ପ୍ରାୟଶ୍ଚିତ୍ତ କରିଛନ୍ତି ଏବଂ ଶେଷରେ ପରସ୍ପରକୁ ଫେରି ପାଇଛନ୍ତି । ସେହିପରି ଆଦର୍ଶହୀନତା ଓ ନୈତିକହୀନତାର ପ୍ରତୀକ କୀଚକ ହୋଇଛି ମୃତ୍ୟୁମୁଖର ସମ୍ମୁଖୀନ । ମାନବସମାଜରେ ଆଦର୍ଶବାଦ ପ୍ରତି ଅନୁରାଗ ସୃଷ୍ଟିକରିବା ପାଇଁ ମେହେରଙ୍କର ଏହି ଅଭିନବ ପରିକଳ୍ପନା ବାସ୍ତବିକ ପ୍ରଶଂସନୀୟ ।

 

ମେହେର ଥିଲେ ମାନବିକତାର କବି । ସମାଜରୁ ସମସ୍ତ ପ୍ରକାର କୁସଂସ୍କାର ଦୂରକରି ଏକ ସୁସ୍ଥ ତଥା ଆଦର୍ଶସମାଜ ଗଠନ କରିବାକୁ ପରମ କର୍ଭବ୍ୟ ବୋଲି ସଂସ୍କାରବାଦୀ କବି ଗ୍ରହଣ କରି ନେଇଥିଲେ । ତତ୍‌କାଳୀନ ସମାଜରେ ପରିଦୃଷ୍ଟ ଅପକର୍ମ ଓ ସ୍ଖଳନ ପ୍ରତି ଅଙ୍ଗୁଳି ନିର୍ଦେଶ କରି ବ୍ୟଙ୍ଗ ଓ ବିଦ୍ରୂପ ମାଧ୍ୟମରେ କେତେକ କବିତାରେ ସେ ନିଜ ସଂସ୍କାରବାଦୀ ମନୋଭାବର ପରିଚୟ ଦେଇଛନ୍ତି । ‘ଅର୍ଘ୍ୟଥାଳୀ’ରେ ଗ୍ରଥିତ ବହୁ କବିତାରେ କବିଙ୍କର ତୀବ୍ର ସମାଲୋଚନାର ଶରବ୍ୟ ହୋଇଛନ୍ତି ବହୁ ସମାଜପତି ସେମାନଙ୍କ ଅନୀତି ଓ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପ ପାଇଁ । ‘ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର’ କବିତାରେ ଖୋଲା ଖୋଲି ଭାବରେ ସେ ତଦାନୀନ୍ତନ ଶାସନ ପ୍ରତି କଟାକ୍ଷପାତ କରିଛନ୍ତି ।

 

‘‘ବିଦ୍ୟା ଯାର ମୋଡ଼ୁଥାଏ ଧର୍ମନୀତି ମୁଣ୍ଡ,

ବୁଦ୍ଧି ଯାର କରୁଥାଏ ଶତ ସତ୍ୟ ଗୁଣ୍ଡ,

ଧନେ କ୍ରୀତ ହେଉଥାଏ ଯାହାର ବିଚାର

ତାକୁ ମଧ୍ୟ ବୋଲୁଥାନ୍ତି ଧର୍ମ ଅବତାର ।’’

-ଗଙ୍ଗାଧର ଗ୍ରନ୍ଥାବଳୀ, ପୃ. ୩୨୭ ।

 

କ୍ଷମତାର ଅପବ୍ୟବହାର କରୁଥିବା ଏବଂ ଦୁର୍ନୀତିକୁ ଅସ୍ଥିମଜ୍ଜାଗତ କରିନେଇଥିବା ପଦସ୍ଥ କର୍ମଚାରୀଙ୍କୁ ସେ ମଧ୍ୟ ଅନୁରୂପ ଢଙ୍ଗରେ ଆକ୍ଷେପ କରିଛନ୍ତି-

 

‘‘ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତ।

ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା,

କରୁଥାଏ କ୍ଷମତାର ଅପବ୍ୟବହାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।''

-ଗଙ୍ଗାଧର ଗ୍ରନ୍ଥାବଳୀ, ପୃ. ୩୨୬

 

ପ୍ରାଚ୍ୟସଂସ୍କୃତିର ଦାୟାଦ ହିସାବରେ କବି ଦେଶର ନାଗରିକଙ୍କୁ କେବଳ ସାହିତ୍ୟ ମାଧ୍ୟମରେ ଆନନ୍ଦଦାନକୁ ନିଜର ଏକମାତ୍ର ଲକ୍ଷ୍ୟଭାବରେ ଗ୍ରହଣ କରିନାହାନ୍ତି, ଏକ ଆଦର୍ଶ ସାମାଜିକ ଜୀବନ ଯାପନ କରିବା ଉଦ୍ଦେଶ୍ୟରେ ନିଜ କାବ୍ୟ-କବିତାରେ ନୀତିପୂର୍ଣ୍ଣ ବହୁ ଉପଦେଶ ମଧ୍ୟ ଦେଇଛନ୍ତି ଏବଂ ନୀତି ଓ ଆଦର୍ଶର ସତର୍କଘଣ୍ଟି ବଜାଇଛନ୍ତି ।

 

ନୀତିବାଣୀର ଗନ୍ତାଘର ମେହେର-ସାହିତ୍ୟରୁ ଅଳ୍ପ କେତୋଟି ନୀତିବାଣୀ ଏଠାରେ ଉଦ୍ଧାର କରିବାର ଇଚ୍ଛାକୁ ଦମନ କରିହେଉ ନାହିଁ ।

 

‘‘ନ କର ମାନବେ କ୍ଷୁଦ୍ର ଜୀବେ ଉପହାସ

ନିଜର ଜୀବନ-ଜ୍ୟୋତି କର ପରକାଶ ।’’

-ଖଦ୍ୟୋତର ଖେଦ, ଗ୍ରନ୍ଥାବଳୀ, ପୃ. ୩୨୧

 

‘‘ଏହି ରୂପେ କେତେ ଲୋକ ଶାସ୍ତ୍ରସଙ୍ଗ ଗୁଣ

ଘେନି ହୋଇଥାନ୍ତି ହିତ ଭାଷଣେ ନିପୁଣ ।

କିନ୍ତୁ କର୍ମେ କରିଥାନ୍ତି ଅତ୍ୟନ୍ତ ଅହିତ

ବଦ୍ଧ ହୋଇ ନୀଚ ଦୁଷ୍ଟ ପ୍ରବୃତ୍ତି ସହିତ ।’’

-ସଙ୍ଗଫଳ, ଗ୍ରଛାବଳୀ, ପୃ. ୩୨୩

 

‘‘ନୀଚ ହୃଦୟ ସଞ୍ଚି ରଖେ ଧନ,

ସାଧୁ ସାଧଇ ଲୋକ ପ୍ରୟୋଜନ ।’’

-ବର୍ଷାଋତୁ ପ୍ରତି, ଗ୍ରନ୍ଥାବଳୀ- ପୃ. ୩୨୧

 

କବିଙ୍କର ନୈତିକ ଚେତନା ତାଙ୍କ ଆଦର୍ଶବାଦର ଅକପଟ ପରିପ୍ରକାଶ ।

 

ମେହେର କବିଙ୍କ ଆବିର୍ଭାବ ଦେଶ ଓ ଜାତିର ଏକ ସଂକଟପୂର୍ଣ୍ଣ ମୁହୂର୍ତ୍ତରେ ହୋଇଥିଲା । ଇଂରେଜମାନଙ୍କ ରାଜନୈତିକ ଅଭିସନ୍ଧିର ଶିକାର ହୋଇ ଉତ୍କଳ ହୋଇଥଲା ଖଣ୍ତ ବିଖଣ୍ଡିତ ଏବଂ ପରାଧୀନତାର ଶୃଙ୍ଖଳାବଦ୍ଧ ହେବା ଫଳରେ ଏହାର ସଭ୍ୟତା, ସଂସ୍କୃତି ଓ ଭାଷା ବିପନ୍ନ ହେଲା । କବି ଗଙ୍ଗାଧର ଉଚ୍ଚକୋଟୀର କାବ୍ୟ-କବିତା ରଚନା କରି ଭାଷା ଓ ସାହିତ୍ୟକୁ ଉନ୍ନତ କରିବାକୁ ଚେଷ୍ଟାକଲେ ଏବଂ ଏହାରି ମାଧ୍ୟମରେ ଦେଶବାସୀଙ୍କୁ ଜାତୀୟତାର ମନ୍ତ୍ର ଶିଖାଇଲେ । କବି ଜାତୀୟଜୀବନ-ତରୀର ନାବିକ । ତା’ର ଦାୟିତ୍ୱ ହେଉଛି ଏହି ତରୀକୁ ବିପଦସଂକୁଳ ପଥରୁ ଉଦ୍ଧାର କରି ନିରାପଦ ସ୍ଥାନକୁ ବାହିନେବା । ଏକଥା ଗଙ୍ଗାଧର ଭଲ ଭାବରେ ହୃଦୟଙ୍ଗମ କରିଥିଲେ ଏବଂ ଏହି ଆଦର୍ଶ କର୍ତ୍ତବ୍ୟରୁ ଓହରିଯାଇପାରି ନଥିଲେ । କବି ‘ଭାରତୀ ଭାବନା’ରେ ବିଦେଶୀ ସରକାରଙ୍କୁ ଯେଉଁ ସମାଲୋଚନା କରିଛନ୍ତି, ତାହା ସ୍ଵକୀୟ ଦେଶପ୍ରେମ ତଥା ଅକୁତୋଭୟତାର ପରିଚୟ ପ୍ରଦାନ କରେ । ଏହି ଦ୍ୱିଅର୍ଥବୋଧକ ‘ଭାରତୀ ଭାବନା' ଏକ ଅର୍ଥରେ ଗୋପୀମାନଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଓ ଅନ୍ୟଅର୍ଥରେ ଉତ୍କଳମାତାର ବୈଦେଶିକ ଶାସକମାନଙ୍କ ପ୍ରତି ପ୍ରକାଶ କରିଛନ୍ତି । ‘ମଳୟ ଆବାହନରେ ମଧ୍ୟ ସେ ସ୍ଵାଧୀନତାର ସ୍ଵପ୍ନ ଦେଖୁଛନ୍ତି । ତାଙ୍କ ମତରେ ମଳୟ ଆଗମନରେ ଧରାପୃଷ୍ଠ ପୁଲକିତ ହେଲାଭଳି ସ୍ଵାଧୀନତାର ଆଗମନରେ ଭରିଉଠିବ ଆନନ୍ଦ ଓ ଉଲ୍ଲାସ । ଏହା ପରୋକ୍ଷରେ ସ୍ଵାଧୀନତାର ଆବାହନ । ‘ଉତ୍କଳ ଲକ୍ଷ୍ମୀ’ ଓ ‘ଅର୍ଘ୍ୟଥାଳୀ’ରେ ସନ୍ନିବେଶିତ କେତୋଟି କବିତାରେ ମଧ୍ୟ ଗଙ୍ଗାଧରଙ୍କ ଦେଶାତ୍ମବୋଧର ପରିଚୟ ମିଳେ ।

 

କବି ଆହୁରି ମଧ୍ୟ ଅନୁଭବ କରିଥିଲେ ଯେ ଜାତୀୟ ଏକତା ପ୍ରତିଷ୍ଠା ପାଇଁ ମାତୃଭାଷାକୁ ସମୃଦ୍ଧ କରିବାର ଏକାନ୍ତ ଆବଶ୍ୟକତା ରହିଛି । ଉନ୍ନତ ତଥା ସର୍ବଜନଗ୍ରାହ୍ୟ ଭାଷାହିଁ ଯେକୌଣସି ଜାତିର ସ୍ଵାତନ୍ତ୍ର୍ୟ ପ୍ରତିପାଦନ କରିବାକୁ ସମର୍ଥ । ତେଣୁ କବି ଯଥାର୍ଥରେ କହିଛନ୍ତି-

 

‘‘ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚକର ଆଗେ ନିଜ ମାତୃଭାଷା ।’’

-ଉଦ୍‌ବୋଧନ, ଗ୍ରନ୍ଥାବଳୀ, ପୃ. ୩୪୦

 

ତତ୍‌କାଳୀନ ଓଡ଼ିଶାରେ ବହୁ ଆଞ୍ଚଳିକ ଭାଷା ଥିଲେହେଁ ସେ ଏକ ସର୍ବଜନବୋଧ୍ୟ ଭାଷାର ପ୍ରୟୋଗ କରିଛନ୍ତି ସ୍ଵକୃତିରାଜିରେ, ଯାହା ତାଙ୍କ ଜାତୀୟତାର ଏକ ବଳିଷ୍ଠ ଦିଗ ନିର୍ଦ୍ଦେଶିତ କରିବା ସଙ୍ଗେ ସଙ୍ଗେ ଦେଶମାତୃକାର ଉନ୍ନତିକଳ୍ପେ ଏକ ଆଦର୍ଶ ମାର୍ଗ ପ୍ରଦର୍ଶନ କରେ ।

 

ପ୍ରକୃତି ବର୍ଣ୍ଣନାରେ ମଧ୍ୟ ଗଙ୍ଗାଧର ନୀତି, ଆଦର୍ଶ ଓ ପରମ୍ପରାଠାରୁ ଦୂରେଇଯାଇ ନାହାନ୍ତି । କାବ୍ୟ ରଚନା କାଳରେ ସେ ରାଧାନାଥଙ୍କଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷରେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଅନୁସରଣ କ୍ଷେତ୍ରରେ ତାଙ୍କ ସ୍ଵତନ୍ତ୍ରତା ସଂରକ୍ଷିତ । ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ମୌଳିକତା ଓ ପ୍ରାଚ୍ୟାଦର୍ଶ ତାଙ୍କ ସ୍ଵାତନ୍ତ୍ରତା ଘୋଷଣା କରିଛି । ପ୍ରକୃତି ତାଙ୍କ କାବ୍ୟରେ ମାନବାୟିତ ଏବଂ ଆଦର୍ଶାୟିତ । ବିନୟ, ନମ୍ରତା, ସାଧୁତା ଓ ଲୋକହିତ ସାଧନ କବିଙ୍କ ଜୀବନର ବିଶିଷ୍ଟ ଗୁଣାବଳୀ । କବି ମେହେରଙ୍କ ବ୍ୟକ୍ତିତ୍ୱ ବାସ୍ତବରେ କାବ୍ୟର ବ୍ୟକ୍ତିତ୍ୱ । ତେଣୁ ପ୍ରକୃତି କ୍ଷେତ୍ରରେ ଅନୈତିକତା, ଅସାମାଜିକତା, କାମାନ୍ଧ ପ୍ରକୃତିର ପରୋକ୍ଷ ସମର୍ଥନ ମଧ୍ୟ ପରିଦୃଷ୍ଟ ହୁଏ ନାହିଁ । ପ୍ରକୃତି ବର୍ଣ୍ଣନାରେ ତାଙ୍କ ପାରଦର୍ଶିତା ଲକ୍ଷ୍ୟକରି ‘କୀଚକ ବଧ’ କାବ୍ୟର ‘ମନ୍ତବ୍ୟ’ରେ କବିବର ଯଥାର୍ଥତଃ ଉଲ୍ଲେଖ କରିଛନ୍ତି- ‘‘କି ବହିଃ ପ୍ରକୃତି, କି ଅନ୍ତଃ ପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ । ଗ୍ରନ୍ଥାଧ୍ୟୟନ କରି ଲୋକେ ପଣ୍ଡିତ ହୋଇପାରନ୍ତି: ମାତ୍ର କବି ହେବାକୁ ହେଲେ କେବଳ ଗ୍ରନ୍ଥାଧ୍ୟୟନ ପର୍ଯ୍ୟାପ୍ତ ନୁହେଁ, ପ୍ରକୃତି ଗ୍ରନ୍ଥାଧ୍ୟୟନ ମଧ୍ୟ ଅପରିହାର୍ଯ୍ୟ ରୂପେ ଆବଶ୍ୟକ । ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି ପ୍ରକୃତିକୁ ସ୍ଵଚକ୍ଷୁରେ ଦେଖି ଲେଖନ୍ତି-। ଏହି ହେତୁରୁ ତାହାଙ୍କର ଭକ୍ତି ଗୁଡ଼ିକ ଭାବପ୍ରଧାନ ନହୋଇ ରସପ୍ରଧାନ ହୁଏ । ଏହାର ଭୂରି ଭୂରି ପ୍ରମାଣ ତାଙ୍କ ରଚନାରେ ସୁଲଭ । ତାହାଙ୍କର ପ୍ରଭାତ ବର୍ଣ୍ଣନା, ସନ୍ଧ୍ୟାବର୍ଣ୍ଣନା ଓ ଋତୁବର୍ଣ୍ଣନା ପ୍ରଭୃତି ବହିଃ ପ୍ରକୃତିର ଆଲେଖ୍ୟଗୁଡ଼ିକ ଯେମନ୍ତ ଉଜ୍ଜ୍ୱଳ ଏବଂ ମନୋହର, ତାହାଙ୍କର ମନୁଷ୍ୟ-ଚରିତ୍ର ଚିତ୍ର ମଧ୍ୟ ତଦପେକ୍ଷା କୌଣସି ଅଂଶରେ ହୀନକଳ୍ପ ନୁହେଁ ।’’

 

ଏକ ଉତ୍ତୁଙ୍କ ଆଦର୍ଶବୋଧ ମେହେର ଚରିତ୍ର ପରିକଳ୍ପନାର ବୈଶିଷ୍ଟ୍ୟ । ପୁରୁଷ ହେଉ କି ନାରୀ ହେଉ, ସାହିତ୍ୟ ମାଧମରେ ଆଦର୍ଶ ଚରିତ୍ର ସୃଷ୍ଟିକରିବା ଥିଲା ମେହେର କବିଙ୍କ ଲକ୍ଷ୍ୟ । ଓଡ଼ିଆସାହିତ୍ୟରେ ଆଧୁନିକ ଯୁଗର ଅନ୍ୟତମ ପ୍ରାଣସ୍ରଷ୍ଟା କବିବର ନିଜ କାବ୍ୟସାହିତ୍ୟକୁ ଜୀବନ୍ୟାସ ଦେଲେ ବିଦେଶୀ ଚରିତ୍ରମାନଙ୍କୁ ନେଇ । ଏହି କାବ୍ୟରାଜି କଳାଦୃଷ୍ଟିରୁ ଉନ୍ନତ ଓ ଉଚ୍ଚକୋଟୀର ହେଲେହେଁ ବିଦେଶୀ ସଂସ୍କୃତିର ଛାୟାରେ ସଂଜୀବିତ ହୋଇଥିବାରୁ ସଚେତନ ପାଠକ ମହଲରେ ଆଦୃତ ହୋଇପାରିଲା ନାହିଁ । ଓଡ଼ିଆ ନାମମାତ୍ର ଧାରଣ କରି ତାଙ୍କର ବିଦେଶିନୀ ନାୟିକା ଗଣଙ୍କ କାର୍ଯ୍ୟକଳାପ ଭାରତୀୟ ନାରୀ ଆଦର୍ଶର ବିରୁଦ୍ଧାଚରଣ କରୁଥିବାରୁ ରାଧାନାଥ ନିନ୍ଦିତ ହୋଇଥିଲେ । ଗଙ୍ଗାଧର ମଧ୍ୟ ନିଜର ଅନ୍ୟତମ କାବ୍ୟଗୁରୁ ରାଧାନାଥଙ୍କୁ ଏ ଦିଗରେ ସମର୍ଥନ କରିପାରିଲେ ନାହିଁ । ତେଣୁ ତାଙ୍କର କାବ୍ୟ ନାୟକ-ନାୟିକାଗଣ ଭାରତୀୟ ସଂସ୍କୃତି ଓ ଆଦର୍ଶର ଯଥାର୍ଥ ପ୍ରତିନିଧିତ୍ୱ କରନ୍ତି ।

 

ସ୍ଵଭାବକବି ମେହେରଙ୍କ ‘ତପସ୍ଵିନୀ’ରେ ଶ୍ରୀରାମ ଧର୍ମାତ୍ମା, ସତ୍ୟସନ୍ଧ ଓ ମର୍ଯ୍ୟାଦା, ପୁରୁଷୋତ୍ତମ । ତାଙ୍କର ଆଦର୍ଶ କାବ୍ୟର ଅନେକତ୍ର ବର୍ଣ୍ଣିତ । ଜଣେ ଆଦର୍ଶ ପୁତ୍ର ହିସାବରେ ସେ ପିତାଙ୍କ ସତ୍ୟପାଳନ କରିଛନ୍ତି । ରାଜ୍ୟାଭିଷେକର ଅବ୍ୟବହିତ ପୂର୍ବରୁ ପାଇଥିବା ବନବାସର ଦାରୂଣ ଆଦେଶକୁ ସେ ପ୍ରଫୁଲ୍ଲ ଚିତ୍ତରେ ଗ୍ରହଣ କରି ନେଇଛନ୍ତି । ଏ କ୍ଷେତ୍ରରେ ଭାରତୀୟ ପରମ୍ପରା ତଥା ଆଦର୍ଶକୁ ସେ ସମ୍ମାନ ଦେବାରେ ତିଳେମାତ୍ର କୁଣ୍ଠିତ ହୋଇନାହାନ୍ତି । ପ୍ରଜାପାଳନର ଆଦର୍ଶରେ ସେ ପରିତ୍ୟାଗ କରିଛନ୍ତି ନିଜର ପ୍ରାଣାଧିକା ପତ୍ନୀ ସତୀ ସାଧ୍ଵୀ ସୀତାଙ୍କୁ-। ଆଦର୍ଶ ନିକଟରେ ସେ ନିଜର ବ୍ୟକ୍ତିଗତ ସ୍ଵଚ୍ଛନ୍ଦକୁ ବଳି ଦେଇଛନ୍ତି । ଏହା ତାଙ୍କ ଆଦର୍ଶ ଚରିତ୍ରର ଏକ ଉଜ୍ଜ୍ୱଳ ଦିଗ ଉନ୍ମୋଚିତ କରେ । ପତ୍ନୀ ବିରହରେ ପତି ବିଷଣ୍ଣ ହୁଏ, ବିଷାଦଗ୍ରସ୍ତ ହୁଏ । କିନ୍ତୁ ପତ୍ନୀ ତ୍ୟାଗ କରିଥିଲେ ମଧ୍ୟ ଆଦର୍ଶ ପୁରୁଷ ରାମଚନ୍ଦ୍ରଙ୍କୁ କବି ବିଷାଦର ଶିକାର କରାଇ ନାହାନ୍ତି । ପୁନଶ୍ଚ ଜୀବନର ଶେଷ ପର୍ଯ୍ୟନ୍ତ ଦ୍ୱିତୀୟ ଦାରା ଗ୍ରହଣ ନକରି ରାମଚନ୍ଦ୍ର ଏକ ପତ୍ନୀ ବ୍ରତ ପାଳନ କରିଛନ୍ତି, ଯାହା ଭାରତୀୟ ସଂସ୍କୃତିର ଏକ ମୌଳିକ ଆଦର୍ଶ ।

 

କାଳିଦାସଙ୍କ ଅନୁସରଣରେ ମେହେର-କବି ଦୃଷ୍ମନ୍ତଙ୍କୁ ଜଣେ ଧାର୍ମିକ ଓ ନୀତିବାନ ଆଦର୍ଶ ପୁରୁଷ ରୂପେ ଚିତ୍ରଣ କରିଛନ୍ତି । ‘ଇନ୍ଦୁମତୀ’ କାବ୍ୟରେ କାବ୍ୟନାୟକ ଅଜ ମଧ୍ୟ ଜଣେ ଆଦର୍ଶ ପୁରୁଷ । ସେ ବୀରତ୍ୱର ଚରମ ପରୀକ୍ଷାର ସମ୍ମୁଖୀନ ହୋଇ ବିଜୟଶ୍ରୀ ମଣ୍ଡିତ ହୋଇଛନ୍ତି ଏବଂ ଇନ୍ଦୁମତୀ ଲାଭ କରିଛନ୍ତି । ବିପରୀତ ପକ୍ଷର ରଣକ୍ଳାନ୍ତ ସୈନ୍ୟମାନଙ୍କୁ ସେ ବଧକରି ନାହାନ୍ତି: ସେମାନଙ୍କ ପ୍ରତି ତାଙ୍କ ହୃଦୟରେ କରୁଣା ଜାତ ହୋଇଛି ଏବଂ କ୍ଷତ୍ରିୟର ନ୍ୟାୟବୋଧ- ଚେତନା ତାଙ୍କ ଚରିତ୍ରର ମହନୀୟତାକୁ ବହୁଗୁଣିତ କରିଛି । ଅଜ ଓ ଦୁଷ୍ମନ୍ତଙ୍କ ଆଦର୍ଶ ଶାସନ ନୀତିକୁ କବି ମଧ୍ୟ ପାଠକଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ଅଜଙ୍କ ଦୃଢ଼ ଶାସନରେ ରାଜ୍ୟରୁ ପରଶ୍ରୀକାତରତା, ପ୍ରତାରଣା, ଆଳସ୍ୟ, ଗର୍ବ, ଲମ୍ଫଟତା, ଚୌର୍ଯ୍ୟବୃତ୍ତି ଇତ୍ୟାଦିର ମୂଳୋତ୍ପାଟନ ହୋଇଥିଲା ଏବଂ ସେ ଏପରି ପ୍ରଜାନୁରଞ୍ଜକ ଆଦର୍ଶ ଶାସକ ହୋଇପାରିଥିଲେ ଯେ ପ୍ରଥିତଯଶା ମହାରାଜା ରଘୁଙ୍କୁ ମଧ୍ୟ ପ୍ରଜାକୁଳ ଭୂଲିଯାଇଥିଲେ । ମେହେରସାହିତ୍ୟ ଅନୁଧ୍ୟାନ କଲେ ଦେଖାଯାଏ ଯେ ମେହେର ସୃଷ୍ଟିରେ ପ୍ରତ୍ୟେକ ନାୟକ ଜଣେ ଜଣେ ଋତ୍ୱିକ୍‌, ଯେଉଁମାନେ ନୀତି ଓ ଆଦର୍ଶର ପବିତ୍ର ଯଜ୍ଞ ସୂଚାରୁ ରୂପେ ସଂପନ୍ନ କରିବାରେ ନିପୁଣ ।

 

ଚରିତ୍ର ଚିତ୍ରଣ କାଳରେ ମଧ୍ୟ ଆଦର୍ଶବାଦୀ ମେହେର-ମାନସ ଆର୍ଯ୍ୟଯୁଗୀୟ ରମଣୀୟ ଆଦର୍ଶ, ପବିତ୍ରତା ଓ ମହନୀୟତା ବିସ୍ତୃତ ହୋଇ ନାହିଁ । ତାଙ୍କ କାବ୍ୟରାଜ୍ୟରେ ବିଚରଣଶୀଳା ନାରୀ ଚରିତ୍ରଗୁଡ଼ିକ ଉଚ୍ଚ ଆଦର୍ଶ ଓ ମର୍ଯ୍ୟାଦାର ଅଧିକାରିଣୀ । ‘ତପସ୍ଵିନୀ’ର ସୀତା କିନ୍ତୁ ଏମାନଙ୍କ ମଧ୍ୟରେ ସର୍ବୋଚ୍ଚ ଆସନରେ ଅଭିଷିକ୍ତା । ସେ ଭାରତୀୟ ନାରୀଆଦର୍ଶର ଚରମ ଅଭିବ୍ୟକ୍ତି । ପତି ପରିତ୍ୟକ୍ତା ହୋଇ ମଧ୍ୟ ସେ ପତିଙ୍କ ପ୍ରତି ସାମାନ୍ୟତମ ଦୋଷାରୋପ କରି ନାହାନ୍ତି । ବରଂ ନିଜ ଦୁର୍ଦ୍ଦଶାକୁ ସେ ନିଜର ଭାଗ୍ୟଦୋଷ ବୋଲି ଗ୍ରହଣ କରିଛନ୍ତି । ତାଙ୍କ ଅଗ୍ନିପରୀକ୍ଷା ଦେବା ସମୟର ମନସ୍ତତ୍ତ୍ୱ ବିଶ୍ଳେଷଣ କରିଛନ୍ତି କବି ଅତି ମନୋଜ୍ଞ ଭାବରେ । ତାଙ୍କ ଆତ୍ମସମର୍ପଣବାଦର ଚରମ ଆଦର୍ଶ ପ୍ରଦର୍ଶନ କରିବା ଲକ୍ଷ୍ୟରେ କବି ସୀତାଙ୍କ କଣ୍ଠରେ ଭରିଦେଇଛନ୍ତି ଭାରତୀୟ ନାରୀର ସର୍ବଶ୍ରେଷ୍ଠ ଆଦର୍ଶବାଦର ସ୍ଵର । ଯଥା -

 

‘‘ଭାବିଲି, ଥିଲି ସିନା ଧରି ଜୀବନ

ସେବିବି ବୋଲି ପ୍ରଭୁ ପଦ୍ମଚରଣ;

ନ ହେବି ଯଦି ପଦସ୍ପର୍ଶେ ଭାଜନ,

ଜୀବନେ ଆଉ ମୋର କି ପ୍ରୟୋଜନ ଗୋ !

 

ଦହିବ ଦେହ ଚାହିଁ ଚାହିଁ ଶ୍ରୀମୁଖ

ଏଥୁଁ ଅଧିକ ମୋର କି ଅଛି ସୁଖ ?

ଦଗ୍ଧ ହେଲେ ଦେହ, ଅବଶ୍ୟ ପ୍ରାଣ

ପ୍ରଭୁ ଶ୍ରୀ ଅଙ୍ଗେ ଯାଇ ପାଇବ ସ୍ଥାନ ଗୋ !’’

-ସପ୍ତମ ସର୍ଗ, ଗ୍ରନ୍ଥାବଳୀ ପୃ ୨୮୭

 

ରାମୈକପ୍ରାଣା ସୀତାଙ୍କୁ ଆଦର୍ଶପତ୍ନୀ, ଆଦର୍ଶମାତା ଓ ସବୌପରି ଆଦର୍ଶ ନାରୀରୂପେ ଚିତ୍ରଣ କରି ତାଙ୍କ ଚାରିତ୍ରିକ ମହନୀୟତା ଫୁଟାଇବା ପାଇଁ କବି ଗଙ୍ଗାଧର ‘ତପସ୍ଵିନୀ’ କାବ୍ୟର ପରିକଳ୍ପନା କରିଛନ୍ତି । ଏହି କଥା ତାଙ୍କ କାବ୍ୟର ମୁଖବନ୍ଧରୁ ସ୍ପଷ୍ଟ ହୁଏ । କବିଙ୍କ ଭାଷାରେ ପିତୃସତ୍ୟ -ରକ୍ଷା ନିମନ୍ତେ ବନବାସୀ ହେବାରୁ ରାମଙ୍କର ଓ ସ୍ଵାମୀଙ୍କର ଅନୁଗାମିନୀ ହେବାରୁ ସୀତାଙ୍କର ଯେଉଁ ମାହାତ୍ମ୍ୟ ପରିସ୍ଫୁଟ ହୋଇଥିଲା, ସୀତାଙ୍କ ନିର୍ବାସନରେ ତାହା ସୌରଭମୟ ହେଲା । ନିର୍ବାସନ କଷ୍ଟ ସହିବାଦ୍ଵାରା ସୀତାଙ୍କର ପତିଭକ୍ତି ଯେପରି ତେଜୋମୟୀ ହୋଇଗଲା, ତାଙ୍କର ହିରଣ୍ମୟୀ ପ୍ରତିକୃତି ରଖି ଅଶ୍ଵମେଧ-ଯଜ୍ଞ ନିର୍ବାହ କରିବାଦ୍ୱାରା ରାମଙ୍କର ପତ୍ନୀ ପ୍ରେମ ସେହିପରି ପ୍ରଦୀପ୍ତ ହୋଇଉଠିଲା । ଉପଯୁକ୍ତ ପତିଙ୍କର ଉପଯୁକ୍ତ ପତ୍ନୀ । ସୀତା ମିଥ୍ୟାପବାଦରେ ସ୍ଵାମୀକର୍ତ୍ତୃକ ପରିତ୍ୟକ୍ତା ହୋଇଥିଲେ ହେଁ ସ୍ଵାମୀଙ୍କ ହୃଦୟର ପ୍ରେମ ବୁଝିପାରିଥିଲେ । ସେ ନିର୍ବାସନକୁ ନିଜର ଭାଗ୍ୟ ଦୋଷବୋଲି ପତିଭକ୍ତିକୁ କିପରି ଦୃଢ଼ତର ଓ ଉଚ୍ଚତର କରିଥିଲେ-ବନବାସକୁ ପତି-ହିତ-ସାଧିନୀ ତପସ୍ୟାରେ ପରିଣତ କରି ତପସ୍ୱିନୀ ରୂପେ କିପରି ଦିନଯାପନ କରିଥିଲେ, ତାହା ପ୍ରକଟ କରିବା ଏହି ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ ।” ତେଣୁ ଏଇ ଚରିତ୍ରଟିକୁ ତାଙ୍କ ସମଗ୍ର ସୃଷ୍ଟିରେ ପ୍ରତିନିଧି ସ୍ଥାନୀୟା କରିବା ପାଇଁ ଗଙ୍ଗାଧରଙ୍କର ଏତେ ପ୍ରଯତ୍ନ, ଏତେ ଶ୍ରଦ୍ଧା, ଏତେ ନିଷ୍ଠା ।

 

‘ପ୍ରଣୟ ବଲ୍ଲରୀ’ର କବି ମେହେର କାଳିଦାସଙ୍କ ‘ଅଭିଜ୍ଞାନ ଶକୁନ୍ତଳମ୍‌’ ଅନୁସରଣରେ ଏହି କାବ୍ୟର ପ୍ରାଣ ପ୍ରତିଷ୍ଠା କରିଥିଲେ ହେଁ କାବ୍ୟ-ନାୟିକା ଶକୁନ୍ତଳାଙ୍କୁ ସେ କାଳିଦାସଙ୍କ ଶକୁନ୍ତଳାଠାରୁ ଅଧିକ ସଂଯତ ଓ ଆଦର୍ଶ ବାଦିନୀ କରିଛନ୍ତି । ‘କୀଚକ ବଧ’ କାବ୍ୟର ନାରୀଚରିତ୍ର ସୈରିନ୍ଧ୍ରୀ, ସୁଦେଷ୍ଠା ଓ ଦାସୀ ଚପଳା ଏବଂ ‘ଇନ୍ଦୁମତୀ’ କାବ୍ୟର ନାରୀଚରିତ୍ର ଇନ୍ଦୁମତୀ ଓ ତାଙ୍କ ସହଚରୀ ସୁନନ୍ଦା ମଧ୍ୟ କବିଙ୍କ ଅମରତୁଳୀରେ ଆଦର୍ଶବାଦ ଓ ମହନୀୟତାର ପ୍ରତିନଧରୂପେ ଚିତ୍ରିତ ।

 

ଗଙ୍ଗାଧରଙ୍କ ରଚନାବଳୀରେ ଭଗବତ ଉପଲବ୍‌ଧି ପାଇଁ ଯଥେଷ୍ଟ ପ୍ରେରଣା ରହିଛି । କାରଣ ଏକ ଗଭୀର ଆଧ୍ୟାତ୍ମିକ ଭାବନା ତାଙ୍କ ଜୀବନକୁ ଆଦର୍ଶ ପଥରେ ପରିଚାଳିତ କରୁଥିଲା । ଦୃଶ୍ୟମାନ ଜଗତରେ ସମସ୍ତ ସତ୍ତା ମଧ୍ୟରେ ସେ ଈଶ୍ଵରଙ୍କ ଅନନ୍ତଶକ୍ତିର ପ୍ରକାଶ ଉପଲବ୍‌ଧି କରିପାରିଛନ୍ତି । ସନାତନଧର୍ମ ପରମ୍ପରାରେ ପ୍ରଚଳିତ ଦେବଦେବୀଙ୍କ ନିକଟରେ ଅନ୍ତରର ଗଭୀର ଭକ୍ତି ନିବେଦନ କରି ସନ୍ତୋଷ ଲାଭ କରିଛନ୍ତି । କବି ପ୍ରତିଭାର ଆଦ୍ୟ ଓଁକାରଧ୍ଵନି ବିନିର୍ଗତ ହୋଇଥବା ‘ରସରତ୍ନାକର’ରେ ଭକ୍ତ ହୃଦୟର ସ୍ଵତଃ ପରିପ୍ରକାଶ ଘଟିଛି । ‘ଅହଲ୍ୟା ସ୍ତବ’ ପ୍ରାରମ୍ଭରେ ମଧ୍ୟ କବି ଭକ୍ତ ହୃଦୟର ନୈବେଦ୍ୟ ବାଢ଼ିଛନ୍ତି ଭଗବାନଙ୍କ ଚରଣାରବିନ୍ଦରେ । ‘ତପସ୍ଵିନୀ’ କାବ୍ୟର ମଙ୍ଗଳାଚରଣରେ ସେ ବାଗ୍‌ଦେବୀଙ୍କୁ ସ୍ତୁତି କରିଛନ୍ତି ଗ୍ରନ୍ଥରଚନାରେ ସାଫଲ୍ୟ ଲାଭ ନିମନ୍ତେ । କବି ନିଜ ସ୍ତୁତି ମଧ୍ୟରେ ‘ଶୁଦ୍ଧ ଶୁଭ୍ରକେଶା’ ଜ୍ୟୋତିର୍ମୟୀ ଦେବୀଙ୍କ ରୂପଗୁଣର ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତପୋବନରେ ନିର୍ବାସନ-ଜୀବନ ବିତାଉଥିବା ସତୀ ସୀତାଙ୍କୁ ମନୋରାଜ୍ୟରେ ଦର୍ଶନ କରି ସେହିଦୃଶ୍ୟର ଏକ ମନୋଜ୍ଞ ଚିତ୍ର ଅଙ୍କନ କରିବାର ଯେଉଁ ଅଭିଳାଷ ପୋଷଣ କରିଛନ୍ତି, ତା’ର ସିଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି -

 

‘‘କୃପାବହି କୃପାମୟୀ, ଶକ୍ତି ଦାନକର

ପବିତ୍ର ହେଉ ମୋ ମନ ଦେଖି, ଲେଖିକର ।’’

-ପ୍ରଥମ ସର୍ଗ, ଗ୍ରନ୍ଥାବଳୀ, ପୃ. ୨୫୫ ।

 

କବିଙ୍କ ‘ଅର୍ଘ୍ୟଥାଳୀ’ରେ ସନ୍ନିବେଶିତ ଅଧିକାଂଶ କବିତା ଈଶ୍ୱର ଚିନ୍ତାଶ୍ରୟୀ । ବିଶ୍ଵର ସମସ୍ତ ସୃଷ୍ଟିକୁ କବି ଏକ ନୈର୍ବେକ୍ତିକ ଚେତନ ଦୃଷ୍ଟିରେ ଦେଖିବାରେ ଆଗ୍ରହୀ । ତେଣୁ ସେ ଅନୁଭବ କରିଛନ୍ତି ‘ଗୀତା-ଦର୍ଶନ’ର ନିର୍ଲିପ୍ତତା । ପୃଥିବୀର କୌଣସି ପାର୍ଥିବ ସମ୍ପତ୍ତିକୁ ସେ ନିଜର ବୋଲି ଜ୍ଞାନ କରି ନାହାନ୍ତି; ଏପରିକି ତାଙ୍କର ଆତ୍ମୀୟ ସ୍ଵଜନ ମଧ୍ୟ ତାଙ୍କ ନିଜର ନୁହନ୍ତି । କବି ‘ଦ୍ୱିତୀୟ ଇଶ୍ଵର ରୂପେ ପରିକଳ୍ପିତ ହୋଇଥିଲେ ମଧ୍ୟ ଗଙ୍ଗାଧର ନିଜର ସାରସ୍ଵତ । ସୃଷ୍ଟିଗୁଡ଼ିକୁ ନିଜର ବୋଲି ଭାବିପାରି ନାହାନ୍ତି । ବିଶ୍ଵର ସମସ୍ତପଦାର୍ଥ ସେହି ପରମପିତା ପରମେଶ୍ୱରଙ୍କର । ତେଣୁ ସେ ତାଙ୍କୁ କ’ଣ ବା ଅର୍ପଣ କରିବେ ? କେବଳ ଈଶ୍ଵରଙ୍କୁ ସେ ଗଭୀର ପ୍ରଣିପାତ ଜଣାଇ ଗାଇଛନ୍ତି-

 

“କି ଦେଇ ପୂଜିବି            ଯାହା ମୁଁ ଦେଖୁଛିଁ

ସବୁ ତୁମରି ପ୍ରସାଦ,

ଯାହା ପରସାଦ            ତାଙ୍କୁ ଅରପିଲେ

ହେବ ସିନା ଅପରାଧ ।’’

-ଭକ୍ତ (ଅର୍ଘ୍ୟଥାଳୀ), ଗ୍ରନ୍ଥାବଳୀ - ପୃ. ୩୧୭ ।

 

‘ସମଲାଇ ଦେବୀଙ୍କ ପ୍ରତି’ କବିତାର ନିମ୍ନୋଦ୍ଧୃତ ପଙ୍‌କ୍ତିଦ୍ୱୟରେ ମଧ୍ୟ ଏହି ଭାବର ପୁନରାବୃତ୍ତି ହୋଇଛି । ଯଥା-

‘‘ଜଗତରେ ଯାହା ଅଛି ସବୁ ତୋର ସିନା

କି ଦେଇ ପୂଜିବି ପଦେ ପ୍ରେମ-ଭକ୍ତି ବିନା।’’

-ଅର୍ଘ୍ୟଥାଳୀ, ଗ୍ରନ୍ଥାବଳୀ - ପୃ. ୩୧୭

 

ଗଙ୍ଗାଧର ଥିଲେ ଚିର ଆଶାବାଦୀ । ଦୁଃଖଦୈନ୍ୟ ମଧ୍ୟରେ କାଳାତିପାତ କରୁଥିଲେ ମଧ୍ୟ ବିଷାଦ ତାଙ୍କୁ କେବେହେଲେ ସ୍ପର୍ଶ କରିପାରି ନାହିଁ । ଅପେକ୍ଷାକୃତ ଅଧିକ ସ୍ୱଚ୍ଛଳ ଆର୍ଥିକାବସ୍ଥାରେ ଥାଇ କବିବର ଜୀବନକୁ ‘ଜୀବନ୍ତ ମରଣ’ ରୂପେ ଦେଖିଥିବା ବେଳେ ସତ୍ୟ-ଶିବ-ସୁନ୍ଦରର ଉପାସକ ଆଶାବାଦୀ ଗଙ୍ଗାଧରଙ୍କ ଜୀବନ ସଦା ଆଶା ଓ ଆଲୋକରେ ଉଦ୍‌ଭାସିତ । ତାଙ୍କୁ କେବଳ ଜୀବନ ନୁହେଁ, ସମଗ୍ର ବିଶ୍ୱ ମଧୁମୟ ଓ ଅମୃତମୟ ବୋଧହୋଇଛି । ସେ ଗାଇଉଠିଛନ୍ତି-

 

‘‘ବିଶ୍ଵ ଦେଖ ମଧୁମୟରେ ଜୀବନ

ବିଶ୍ଵ ଦେଖ ମଧୁମୟ,

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟରେ ଜୀବନ ।’’

-ମଧୁମୟ (ଅର୍ଘ୍ୟଥାଳୀ), ଗ୍ରନ୍ଥାବଳୀ - ପୃ. ୩୧୮

 

କବି ଜୀବନରେ ନିରାଶାକୁ ସ୍ଥାନ ଦେଇନାହାନ୍ତି । ସୃଷ୍ଟିର ସର୍ବତ୍ର ସେ ଅମୃତମୟ । ଭାବସତ୍ତାର ପରଶ ପାଇଛନ୍ତି । ଜୀବନର ପ୍ରତି ପଦପାତରେ ସେ ସନ୍ଧାନ ପାଇଛନ୍ତି ସେହି ବହୁ ଈପ୍‌ସିତ ଅମୃତର । କବି ନିଜକୁ ଅମୃତ ସାଗରର ଏକ ବିନ୍ଦୁରୂପେ ଅଥାତ୍‌ ବିଶ୍ଵବ୍ୟାପୀ ଅମର ଆତ୍ମାଶକ୍ତିର ଏକ ଅଂଶରୂପେ ଅନୁଭବ କରିଛନ୍ତି ଏବଂ ପାପତାପରେ ନଷ୍ଟ ନ ହୋଇ ପୁନର୍ବାର ଅମୃତ ସାଗର ସହିତ ମିଶିଯିବାର ଅଭିଳାଷ ପୋଷଣ କରିଛନ୍ତି । କବିଙ୍କ ଭାଷାରେ -

 

‘‘ମୁଁ ତ ଅମୃତ ସାଗର ବିନ୍ଦୁ,

ନଭେ ଉଠିଥିଲି ତେଜି ସିନ୍ଧୁ,

ଖସି ମିଶିଚି ଅମୃତଧାରେ,

ଗତି କରୁଛି ସେ ଅକୂପାରେ,

 

ପଥେ ଶୁଖିଗଲେ ପାପ ତାପରେ

ହୋଇ ଶିଶିର ଖସିବି ତା ପରେ,

ଅମୃତ ମୟ ଅମୃତ ରୟ

ସହିତ ମିଶିବି ସାଗରେ ।’’

-ଅମୃତମୟ (ଅର୍ଘ୍ୟଥାଳୀ), ଗ୍ରଛାବଳୀ - ପୃ. ୩୧୮ ।

 

ଏ ଅମୃତ ଲୋକବିଶ୍ଵାସର ଅମୃତ ନୁହେଁ, ଏହା ‘ବିଭୁସତ୍ତା’ର ଏବଂ ସାଙ୍କେତିକ ପ୍ରତିଶବ୍ଦ । ସେ ଯାହା ହେଉ, ଗଙ୍ଗାଧରଙ୍କ ରଚନାବଳୀରେ ଭଗବତ ଉପଲବ୍‌ଧ ପାଇଁ ପ୍ରଚୁର । ଉପାଦାନ ଓ ସମ୍ୟକ୍‌ ପ୍ରେରଣା ଥିବାରୁ ତାହାହିଁ ଯଥାର୍ଥରେ ସତ୍ୟଧର୍ମୀ ତଥା ଆଦର୍ଶବାଦୀ ସାହିତ୍ୟ ଓ ତାହାହିଁ ଯୁଗ ଯୁଗାନ୍ତରର ମାନସ ଚେତନାର ଆଲୋକିତ ପ୍ରତିଫଳନ ।

 

ଗଙ୍ଗାଧରଙ୍କ ସାହିତ୍ୟରେ ତାଙ୍କର ଜୀବନାଦର୍ଶ ଅତି ସ୍ପଷ୍ଟ, ଅତି ହୃଦ୍ୟ । ସେ ଜଣେ ବରେଣ୍ୟ ଆଦର୍ଶବାଦୀ ଏବଂ ପରିଚ୍ଛନ୍ନ ନୀତି ଲାଳିତ ହୃଦୟର ଭାଷ୍ୟକାର । ତେଣୁ ତାଙ୍କର ଆଦର୍ଶ ପଦେ ପଦେ ନୀତିପୂର୍ଣ୍ଣ । ପୁନଶ୍ଚ ତାଙ୍କର ଏହି ଆଦର୍ଶର ଦୀପ୍ତି ଭୋଗରେ ନୁହେଁ, ତ୍ୟାଗରେ ହିଁ ନିହିତ । ଆଦର୍ଶ-ବିହୀନ ମାନବଜୀବନ ଓ କର୍ଣ୍ଣଧାର-ବିହୀନ ନୌକା ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିବାରୁ ଆଦର୍ଶବାଦୀ କବି ମାନବଜୀବନକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରିବା ନିମିତ୍ତ ତା’ ସମ୍ମୁଖରେ ଝୁଲାଇ ରଖୁଛନ୍ତି ଆଦର୍ଶର ଏକ ଚିତ୍ରପଟ ଏବଂ ତାଙ୍କର ସାହିତ୍ୟ ହେଉଛି ଏହି ଚିତ୍ରପଟର ଏକ ଛନ୍ଦୋବଦ୍ଧ ପରିପ୍ରକାଶ ।

 

 

ଅର୍ଥବିଭାଗ,

ଓଡ଼ିଶା ସଚିବାଳୟ, ଭୁବନେଶ୍ଵର

 

***

 

ଯୋଗଜନ୍ମା ପଣ୍ଡିତ ଗୋପନାଥ ନନ୍ଦ

ଡକ୍ଟର ବେଣୀମାଧବ ପାଢ଼ୀ

 

ପାରଳାଖିମୁଣ୍ଡି ଦିନେ ଓଡ଼ିଶାର ବିଦ୍ୟାନଗରୀ ରୂପେ ପରିଚିତ ଥିଲା । ଏଠାରେ ‘ଲକ୍ଷଣ ଚନ୍ଦ୍ରୋଦୟ’କାର କବିଚନ୍ଦ୍ର ରଘୁନାଥ ପରିଚ୍ଛା, କବି କଳହଂସ ଗୋପାଳକୃଷ୍ଣ, ଓଡ଼ିଶୀ ପଦ୍ୟଲେଖକ । ଗୌରହରି ପରିଚ୍ଛା, ନାଟ୍ୟରସିକ ଶ୍ରୀ ଶ୍ରୀ ପଦ୍ମନାଭ ଦେବ ଗଜପତି, ଓଡ଼ିଆ ଭାଷା ଓ ସାହିତ୍ୟର ଅଭିନବ ସମାଲୋଚକ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ପ୍ରମୁଖ ଜନ୍ମଲାଭ କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧିଶାଳୀ କରିଯାଇଛନ୍ତି । ଉପରୋକ୍ତ ପ୍ରତିଭାବନ୍ତ ବ୍ୟକ୍ତିଗଣ ଥିଲେ ପ୍ରାୟ ସମସାମୟିକ । ତାହାଥିଲା ଉନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧି ଏବଂ ବିଂଶଶତାବ୍ଦୀର ପ୍ରଥମାର୍ଦ୍ଧ । ସେତେବେଳକୁ ପାରଳା ସମେତ ସମଗ୍ର ଗଂଜାମ ଜିଲ୍ଲା ଇଂରେଜି ଶାସିତ ମାନ୍ଦ୍ରାଜ ପ୍ରିସିଡ଼େନ୍‌ସିରେ ଅନ୍ତର୍ଭୁକ୍ତ ଥିଲା । ଫଳରେ ଦକ୍ଷିଣାଗତ ଶାସକ ଗୋଷ୍ଠୀ ବିଶେଷତଃ ତୈଲଙ୍ଗା ଭାଷାଭାଷୀ ରାଜକର୍ମଚାରୀଙ୍କ ଯୋଗୁଁ ଓଡ଼ିଆଙ୍କ, ବେଶଭୂଷା, ସଭ୍ୟତା, ସଂସ୍କୃତି, ତଦ୍ଭବଭବିତ ହୋଇ ସ୍ଵତନ୍ତ୍ର ସତ୍ତା ହରାଇବାକୁ ବସିଥିଲା । ସ୍କୁଲ, ଚାଟଶାଳୀ, କଲେଜ, କଚେରୀ ପ୍ରଭୃତିରେ ତେଲିଙ୍ଗିଭାଷା ଜ୍ଞାନ, ବିନା କେହି କୌଣସି ରାଜପଦବୀ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିଲେ । କଚେରି ଶାସନକ୍ଷେତ୍ରରେ ମାତୃଭାଷା ଅନାବଶ୍ୟକ ହୋଇ ପଡ଼ିବାଯୋଗୁଁ. ବୀତସ୍ପୃହ ଜନସାଧାରଣ ଓଡ଼ିଆ ବଦଳରେ ତେଲିଙ୍ଗି ଭାଷା ଶିକ୍ଷା କରିବାକୁ ଅଧିକ ମନ ବଳାଉଥିଲେ । ଏଭଳି ସଂକଟ ଜନକ ଅବସ୍ଥାରେ ପାରଳାର ବରପୁତ୍ରଗଣ ଅବହେଳିତ ମାତୃଭାଷାର ସ୍ୱାତନ୍ତ୍ର୍ୟ ଓ ସମୃଦ୍ଧିକଳ୍ପେ, ଅଧ୍ୟବସାୟରେ ଯେଉଁ ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ଭାବିଲେ ଅଭିଭୂତ ହେବାକୁ ପଡ଼େ । ସେମାନଙ୍କ ପ୍ରଗାଢ଼ ପ୍ରଚେଷ୍ଟା ଫଳରେ ମ୍ରିୟମାଣ ଓଡ଼ିଆ ଭାଷା ଏ ପ୍ରାନ୍ତରେ ଲୁପ୍ତ ହେବା ତେଣେ ଥାଉ ଅଧିକତର ତେଜସ୍କାର ହୋଇ ଉଠିଥିଲା, ସେତିକି ନୁହେଁ । ଓଡ଼ିଶାର ଅପରପ୍ରାନ୍ତ ଜନମାନସରେ ମଧ୍ୟ ସୁପ୍ତ ଚେତନା ଜାଗ୍ରତ କରାଇଥିଲା । ସେ ସମସ୍ତଙ୍କ ମଧ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ଯାହାଙ୍କ ସକାଶେ ଆଜି ଆମେ ଏଠାରେ ଏକତ୍ରିତ ହୋଇଛେ ।

 

ନନ୍ଦେ ପାରଳାବାସୀ ହେଲେ ସୁଦ୍ଧା ତାଙ୍କ ପୂର୍ବପୁରୁଷଗଣ ପୁରୀ ବଳଭଦ୍ରପୁର ଶାସନରୁ ଉଠିଆସିଥିଲେ ବୋଲି କୁହାଯାଏ । ୧୭୧୯ ମସିହାରେ ତତ୍କାଳୀନ ଗଜପତି ମହାରାଜା ତାଙ୍କ ପୂର୍ବପୁରୂଷ ଭିକାରି ନନ୍ଦଙ୍କୁ ବଳଭଦ୍ରପୁରରୁ ଅଣାଇ ପାରଳାଖି‌ମୁଣ୍ଡି ରାଜଗୁରୁ ସାହିରେ ଅବସ୍ଥାପିତ କରିଥିଲେ । ତାଙ୍କ ବଂଶର କୌଳିକ ବୃତ୍ତି ଥିଲା ଆୟୁବୈଦ ପଦ୍ଧତିରେ ଔଷଧ ପ୍ରସ୍ତୃତ କରି ରୋଗଚିକିତ୍ସା କରିବା । ସେ ଯାହ ହେଉ, ପଣ୍ଡିତ ନନ୍ଦ କିନ୍ତୁ ଜନ୍ମ ଲାଭ କରିଥିଲେ ବର୍ତ୍ତମାନ । ବିଚ୍ଛିନ୍ନାଞ୍ଚଳ ରୂପେ ପରିଚିତ ମଞ୍ଜୁଷାଗଡ଼ରେ ଥିବା ତାଙ୍କ ମାମୁ ଘରେ ୧୮୬୯ ମସିହାରେ ତାଙ୍କ ପିତାଙ୍କ ନାମ ରଘୁନାଥ ଏବଂ ମାତା ଥିଲେ ରମାଦେବୀ, ଗୋପୀନାଥ ନନ୍ଦ ପିତା-ମାତାଙ୍କ ଦ୍ୱିତୀୟ ସନ୍ତାନ ଥିଲେ । ଶିଶୁ ଗୋପୀନାଥଙ୍କୁ ଦେଢ଼ବର୍ଷ ହେଲା ପରେ ସେ ସ୍ୱପିତୃଗୃହ ପାରଳାଖେମୁଣ୍ଡିକୁ ପ୍ରତ୍ୟାବର୍ତ୍ତନ କରନ୍ତି । କିଛିକାଳପରେ ଶୈଶବ ଅବସ୍ଥାରୁ ହିଁ ସେ ପିତାଙ୍କ ନିକଟରୁ ପ୍ରଥମେ ଅମରକୋଷ ଅଭିଧାନ ପଢ଼ିବା ଆରମ୍ଭ କରନ୍ତି । କାରଣ, ସେତେ ବେଳର ପ୍ରବାଦ ଥିଲା-‘‘ଅମର ଜୁମର ନିଠେଇ ଘୋଷ, ବାକି ସବୁ ପାଠ ଚାଳରେ ଖୋସ’ । ଏହିପରିଭାବେ ନନ୍ଦେ ଅମର ଓ ଜୁମର ଆୟତ୍ତ କରିସାରି ନ’ ବର୍ଷ ବୟସରେ ଅର୍ଥାତ୍‌ (୧୮୭୮) ମସିହାରେ ସ୍ଥାନୀୟ ମଧ୍ୟଇଂରେଜି ବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ ମାତ୍ର ଚାରିବର୍ଷ ଅଧ୍ୟୟନ କଲାପରେ ସ୍କୁଲ ଶିକ୍ଷାର ପରିସମାପ୍ତି ଘଟେ । କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ, ସେତିକିବେଳୁ ସେ ବୈଷ୍ଣବଧର୍ମ ପ୍ରତି ଆକୃଷ୍ଟ ହୋଇ ଧର୍ମକର୍ମରେ ଆପଣାକୁ । ନିୟୋଜିତ କରିବାକୁ ସ୍ଥିର କରନ୍ତି । ସେଥିପାଇଁ ସେ ପିତା ଓ ଜ୍ୟେଷ୍ଠ ଭ୍ରାତାଙ୍କ ଅଜ୍ଞାତସାରରେ ବୃନ୍ଦାବନ ଯାଇଁ ସନ୍ନ୍ୟାସ ବ୍ରତ ଗ୍ରହଣ କରିବା ମନସ୍ଥ କରନ୍ତି ଓ ତଦନୁଯାୟୀ ଦିନେ ଗୃହତ୍ୟାଗ କରି ପଳାଇଯାନ୍ତି । କିନ୍ତୁ ପୁତ୍ରବତ୍ସଳ ପିତା ପୁଅର ବୃନ୍ଦାବନ ଯାତ୍ରା କଥାଶୁଣି ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ କରି ତାଙ୍କୁ କଟକଠାରୁ ପ୍ରତ୍ୟାବର୍ତ୍ତନ କରାଇ ଆଣନ୍ତି । ପୁତ୍ରର ଏତାଦୃଶ ମନୋଭାବ ଦେଖି ପିତା ରଘୁନାଥ ପୁତ୍ରକୁ ବିବାହ ବନ୍ଧନରେ ଆବଦ୍ଧ କରାଇଦେବା ମନସ୍ଥ କରନ୍ତି ଓ ତଦନୁଯାୟୀ ପୁତ୍ରର ଚଉଦବର୍ଷ ବୟସରେ ତାର ବିବାହ କର୍ମ ସଂପାଦନ କରନ୍ତି, କିନ୍ତୁ ବିଧିର ବିଧାନ ଅଳଂଘନୀୟ । ବିବାହର ବର୍ଷ ନ ପୁରୁଣୁ ଗୋପୀନାଥଙ୍କ ପତ୍ନୀ ବିୟୋଗ ଘଟେ, କେବଳ ସେତିକି ନୁହେଁ, ମାତା ରମାଦେବୀ ମଧ୍ୟ ସେହି ବର୍ଷ ଇହଲୀଳା ସାଙ୍ଗ କରନ୍ତି । ଏହା ହେଲା ୧୮୮୩ ମସିହାର କଥା । ୟାର କିଛି ଦିନ ପରେ ଅର୍ଥାତ୍‌ ୧୮୮୬ ମସିହାରେ ତାଙ୍କର ପୁନର୍ବିବାହ ସଂଘଟିତ ହୁଏ । ଫଳରେ ସନ୍ନ୍ୟାସି ଧର୍ମାଭିଳାଷୀ ଗୋପୀନାଥ ଗୃହସ୍ଥାଶ୍ରମ ଅବଲମ୍ବନ କରି କାଳାତିପାତ କରିବାକୁ ଲାଗନ୍ତି ।

 

ଏ ପର୍ଯ୍ୟନ୍ତ କିନ୍ତୁ ନନ୍ଦଙ୍କ ବିଦ୍ୟା ଥିଲା ଅମର ଜୁମର ସହିତ ସପ୍ତମ ଶ୍ରେଣୀର ଯାହା ପାଠ୍ୟ ମାତ୍ର । କିନ୍ତୁ କଥା ଅଛି-‘ପୂର୍ବ ଜନ୍ମନି ଯା ବିଦ୍ୟା ପୂର୍ବ ଜନ୍ମନି ଯଦ୍ଧନଂ, ପୂର୍ବ ଜନ୍ମନି ଯା ଭାର୍ଯା ଅଗ୍ରେ ଧାବତି ଧାବତି । ତଦନୁଯାୟୀ ତେଣୁ ନନ୍ଦଙ୍କ ପୂର୍ବଜନ୍ମସଞ୍ଚିତ ବିଦ୍ୟାର ଆବିର୍ଭାବ ଘଟିବାକୁ ଲାଗେ । କେବଳ ମଧ୍ୟଇଂରାଜି ବିଦ୍ୟାଳୟର ଶିକ୍ଷାରେ ସେ ସନ୍ତୁଷ୍ଟ ନ ରହି ସମଧିକ ଜ୍ଞାନ ଲାଭ ସକାଶେ ଘରୋଇ ଭାବେ ସଂସ୍କୃତ ଭାଷାଧ୍ୟୟନ କରିବା ସହିତ ତେଲୁଗୁ, ତାମିଲ୍‌, ପାର୍ସି, ପାଲି, ବଙ୍ଗଳା ଓ ହିନ୍ଦୀଭାଷାରେ ବ୍ୟତ୍ପତ୍ତି ଲାଭ କରନ୍ତି । ଏହିପରି କଠୋର ସାଧନା କାଳରେ ପୁଣି ତାଙ୍କର ପିତୃ ବିୟୋଗ ଘଟେ । ତଥାପି ସେ ଦୁଃଖରେ ମ୍ରିୟମାଣ ନହୋଇ ଆପଣା ଜ୍ଞାନାର୍ଜନ ସାଧନା ପଥରୁ ତିଳେସୁଦ୍ଧା ବିଚ୍ୟୁତ ହୋଇ ନଥିଲେ । ଦୀର୍ଘ କୋଡ଼ିଏ ବର୍ଷ କାଳ ଅକ୍ନାନ୍ତ ପରିଶ୍ରମ କରି ଏପରି ଏକ ଧୁରନ୍ଧର ପଣ୍ଡିତଭାବେ ପରିଚିତ ହେଲେ ଯାହାଦ୍ୱାରା ତତ୍କାଳ ପାରଳାର ଗଜପତି ମହାରାଜା ତାଙ୍କୁ ସ୍ଵତଃପ୍ରବୃତ୍ତ ଭାବେ ପ୍ରଥମେ ଉଚ୍ଚଇଂରେଜି ବିଦ୍ୟାଳୟ ଓ ପରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ସଂସ୍କୃତ ଓ ଓଡ଼ିଆ ଉଭୟ ଅଧ୍ୟାପକ ଭାବେ ନିଯୁକ୍ତି ଦିଅନ୍ତି ଏହା ଥିଲା ୧୯୧୦ ମସିହାର କଥା, ନନ୍ଦେ ଅଧ୍ୟାପନା କାର୍ଯ୍ୟରେ ଯୋଗ ଦେବା ପରେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିକଳ୍ପେ ମନପ୍ରାଣ ଢ଼ାଳି ଦିଅନ୍ତି । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ନିମିତ୍ତ ସେ ସଂସ୍କୃତ ଭାଷାରେ ଲିଖିତ ମହାକବିମାନଙ୍କର ପ୍ରସିଦ୍ଧ କୃତି ଗୁଡ଼ିକର ଓଡ଼ିଆ ଅନୁବାଦ କରିବା ସଙ୍ଗେ ସଙ୍ଗେ ନବୀନ ପଦ୍ଧତିରେ କେତେକ ମୌଳିକ କାବ୍ୟକବିତା ଓ ସମାଲୋଚନା ଲେଖିବା ଆରମ୍ଭ କରନ୍ତି । ଏହାଛଡ଼ା ସେ ସଂସ୍କୃତ ଗଣ-ବୃତ୍ତ-ଛନ୍ଦ ପ୍ରଭୃତି ପ୍ରୟୋଗ କରି ଅନୁରୂପ ଶୈଳୀରେ ଓଡ଼ିଆରେ ଶ୍ଳୋକ ଓ ଛନ୍ଦମାନ ରଚନା କରିବାରେ ପାରଦର୍ଶୀ ଥିଲେ । ଏହାଦେଖି ପାରଳା ମହାରାଜାଙ୍କ ଦରବାରକୁ ମଣ୍ଡିତ କରିଥିବା ପଣ୍ଡିତମାନେ ତାଙ୍କର ଉଚ୍ଚ ପ୍ରଶଂସା କରି କହୁଥିଲେ ।

 

‘‘ଯେ ନନ୍ଦବଂଶ ଲବଣାର୍ଣ୍ଣବ ପୂଣ୍ଣଚନ୍ଦ୍ର

ଯେ ଜାନକୀ ପରିଣୟାଭିଧ ନାଟକ ଶ୍ରୀ ।

ନିର୍ମାଣରମ୍ୟ ଗଣ-ବନ୍ଧ-ସବୃତ୍ତ ରତ୍ନେ

ସନ୍ତୋଷିଲେ ଭୁବନମୋହନ ପଣ୍ଡିତଙ୍କୁ’’

 

ଏଥିରୁ ଜଣାପଡ଼େ ପଣ୍ଡିତ ନନ୍ଦେ ସଂସ୍କୃତ ଭାଷାରେ ଲିଖିତ ‘‘ଜାନକୀ ପରିଣୟ’ ନାଟକକୁ ଅନୁବାଦ କଲାବେଳେ ସଂସ୍କୃତବୃତ୍ତରେ ଓଡ଼ିଆ ଶ୍ଳୋକ ମାନ ରଚନା କରିଥିଲେ । ଏକା ‘ଜାନକୀ ପରିଣୟ’ ନୁହେଁ ସୀତା ବନବାସ’ ଓ ରାମାଶ୍ୱମେଧ ନାଟକ’ ନାମରେ ମହାକବି ଭବଭୂତି ପ୍ରଣୀତ ଓ ‘ଉତ୍ତର ରାମଚରିତ’ର ମଧ୍ୟ ଅନୁବାଦ କରିଥିଲେ । ତାଛଡ଼ା କାଳିଦାସଙ୍କ ‘ବିକ୍ରମୋର୍ବଶୀୟ’ ନାଟକ, ଭାସ୍କରାଚାର୍ଯ୍ୟଙ୍କ ‘ଉନ୍ମତ୍ତରାଘବ’ ନାଟକ, ଦୌପଦୀ ବସ୍ତ୍ରାପହୃତ’ ନାଟକର ମଧ୍ୟ ଓଡ଼ିଆ ଅନୁବାଦ କରି ସେ ସବୁକୁ ସ୍ଥାନୀୟ ପଦ୍ମନାଭ ରଙ୍ଗାଳୟରେ ଅଭିନୀତ କରାଇଥିଲେ । ନାଟକ ଛଡ଼ା ମୁକୁନ୍ଦାନନ୍ଦ ଭାଣ, ରତ୍ସୋଲ୍ଲାସ, ରଥୋତ୍ସବ, ପୀୟୂଷଧାରା, ବିହ୍ଳଣୀୟ କାବ୍ୟ, ଉଦ୍ଧବଦୂତ କାବ୍ୟ ସମେତ କାଳିଦାସ କୃତ ‘କୁମାର ସମ୍ଭବ’ର ଗଦ୍ୟାନୁବାଦ ଏବଂ ମେଘଦୂତର ପଦ୍ୟାନୁବାଦମାନ ଏତେ ଲୋକପ୍ରିୟ ହୋଇଥିଲାଯେ ସେ ସମସ୍ତ ତତ୍‌ତ୍କାଳ ଓଡ଼ିଶାର ଅରୁଣୋଦୟ ପ୍ରେସ୍‌, ପାରଳାଖେମୁଣ୍ଡିର ଗଜପତି ପ୍ରେସ୍‌, କଟକର ଉତ୍କଳ ସାହିତ୍ୟ ପ୍ରେସ୍‌ ପ୍ରଭୃତିରେ ବିନା ବିଚାରରେ ପ୍ରକାଶିତ ହୋଇଥିଲା । ଏ ସମସ୍ତ ଉପରେ ଗଭୀର ଗବେଷଣା ପ୍ରସୂତ ‘ଭାରତ ଦର୍ପଣ’ ଓ ‘ଶ୍ରୀମଦ୍‌ ରାମାୟଣ ସମାଲୋଚନା’ ବିଶେଷଭାବେ । ଉଲ୍ଲେଖ ଯୋଗ୍ୟ, କିନ୍ତୁ ଦୁଃଖର ବିଷୟ ଏ ମଧ୍ୟରୁ ଅଧିକାଂଶ କାହିଁକି, ସବୁ ବୋଲି କହିଲେ ଚଳେ ବହି ବଜାରରୁ ଲୁପ୍ତପ୍ରାୟ, କେହି ସେଗୁଡ଼ିକର ପୁନଃ ପ୍ରକାଶନ ପାଇଁ ଆଗ୍ରହୀ ନୁହନ୍ତି । ଏହା ବଡ଼ ଦୁର୍ଭାଗ୍ୟର କଥା-

 

କିନ୍ତୁ ଏଠାରେ ସ୍ମରଣ ରଖିବା ଉଚିତ ଯେଉଁ ଗୁଡ଼ିକ ପଣ୍ଡିତ ନନ୍ଦଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୁହାଗଲା ତାହା ତାଙ୍କର ପ୍ରକୃତ ପରିଚୟ ନୁହେଁ । ଯାହା ଯୋଗୁଁ ପଣ୍ଡିତ ନନ୍ଦ ଓଡ଼ିଶାବାସୀଙ୍କ ଚିରସ୍ମରଣୀୟ ହୋଇ ରହିଛନ୍ତି ତାହା ହେଲା ତାଙ୍କର ‘ଓଡ଼ିଆ ଭାଷାତତ୍ତ୍ୱ ଓ ‘ଶବ୍ଦ ତତ୍ତ୍ୱ ବୋଧ’’ ଅଭିଧାନ, କାରଣ, ଓଡ଼ିଆ ଭାଷାର ତାତ୍ତ୍ୱିକ ଆଲୋଚନା ଓଡ଼ିଆ ଶବ୍ଦସଂଭାରକୁ ଏକତ୍ରିତ କରି ଅଭିଧାନ ପ୍ରଣୟନ କରିବାର ଆଦିମ ଦିଗ୍‌ଦର୍ଶକ ହେଉଛନ୍ତି ସେ । ତେଣୁ ସେ ସମ୍ବନ୍ଧରେ କିଂଚିତ୍‌ ଆଲୋକପାତ ନକଲେ ପଣ୍ଡିତ ନନ୍ଦଙ୍କୁ ଆମେ କଦାପି ଚିହ୍ନି ପାରିବା ନାହିଁ । ସେହି ଦୃଷ୍ଟିରେ ଏଠାରେ କିଂଚିତ୍‌ ଆଭାସ ମାତ୍ର ଦିଆଯାଉଅଛି ।

 

ଆଗରୁ କହିଛି, ପଣ୍ଡିତ ନନ୍ଦେ ଥିଲେ ଜଣେ ନୈଷ୍ଠିକ ଶାସନୀ ବ୍ରାହ୍ମଣ । ସଂସ୍କୃତ ଥିଲା ତାଙ୍କ ପାରଂପରିକ ବିଦ୍ୟା । ସେଥିଲାଗି ତାଙ୍କୁ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯିବାକୁ ପଡ଼ି ନଥିଲା । ତାଙ୍କ ଶିକ୍ଷା କେବଳ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ସୀମାବଦ୍ଧ ଥଲା । କିନ୍ତୁ ପ୍ରତିଭା ହେଉଛି ଏକ ଐଶ୍ଵରିକ ଦାନ-ତାହା ଜନ୍ମସିଦ୍ଧ । ସେହି ପ୍ରତିଭାବଳରେ ସେ ବିଭିନ୍ନ ଭାଷାରେ ବ୍ୟୁତ୍ପନ୍ନ ହୋଇ ପାରିଥିଲେ । କେବଳ ସେତିକିରେ ସେ ସନ୍ତୁଷ୍ଟ ନ ରହି ସେହି ଭାଷାସହିତ ଓଡ଼ିଆଭାଷାର କି ସଂପର୍କ ରହିଛି ଏବଂ ଓଡ଼ିଆଭାଷାର ବୈଶିଷ୍ଟ୍ୟ କେଉଁଠି - ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଆପଣାକୁ ଉତ୍ସର୍ଗ କରନ୍ତି । ପାରଳାରେ ସେକାଳ ତେଲଙ୍ଗାଙ୍କର ଓଡ଼ିଆ ଭାଷା ପ୍ରତି ଆକ୍ଷେପ ଓ ବିଦ୍ରୁପ ନନ୍ଦଙ୍କୁ ଅତିମାତ୍ରାରେ ବିଚଳିତ କରିଥିଲା । ଓଡ଼ିଆମାନେ ଅନୁନ୍ନତ ଦ୍ୱିତୀୟ ଶ୍ରେଣୀର ନାଗରିକ ମଧ୍ୟରେ ପରିଗଣିତ ହେଉଥିଲେ । ସେମାନଙ୍କୁ ଦୟାର ଗାତ୍ର ରୂପେ ବିବେଚନା କରାଯାଉଥଲା । ଓଡ଼ିଆଭାଷାରେ କଥାବାର୍ତ୍ତା କରିବା କିମ୍ବା ଚିଠିପତ୍ର ଲେଖିବାକୁ ଓଡ଼ିଆମାନେ ସଂକୋଟବୋଧ କରୁଥିଲେ । ପାରଳା ଜମିଦାରି ଏକ ଖାଣ୍ଟି ଓଡ଼ିଆରାଜାଙ୍କ ଅଧୀନରେ ଥିଲେ ସୁଦ୍ଧା ଶାସନକ୍ଷେତ୍ରରେ ତେଳଙ୍ଗାଙ୍କ ପ୍ରତିପତ୍ତି ହିଁ ପ୍ରବଳ ଥିଲା । ତାଦୃଶ ଦୁରବସ୍ଥା ଦର୍ଶନରେ ସ୍ଵାଭିମାନୀ ପଣ୍ଡିତ ନନ୍ଦଙ୍କ ମନ ବିଦ୍ରୋହୀ ହୋଇ ଉଠେ । ତେଣୁ ଓଡ଼ିଆଭାଷାର ଉତ୍ପତ୍ତି ଓ ଉତ୍କର୍ଷ ପ୍ରତିପାଦନ ସକାଶେ ପ୍ରତିଜ୍ଞାବଦ୍ଧ ହୁଅନ୍ତି । ଏବଂ ଓଡ଼ିଆଭାଷାର ମୂଳବୀଜ ସଂଧାନରେ ମନପ୍ରାଣ ଢାଳି ଦିଅନ୍ତି । ଭାଷା ଚର୍ଚ୍ଚାରେ ଦିନରାତି ଲାଗି ପଡ଼ନ୍ତି । ତାହାରି ଫଳ ସ୍ଵରୂପ ଦେଖାଦିଏ ‘ଓଡ଼ିଆ ଭାଷାତତ୍ତ୍ୱ’ ସୃଷ୍ଟି ହୁଏ ଓଡ଼ିଆ ଭାଷାରାଜ୍ୟରେ ଏକ ନୂତନଯୁଗ ।

 

ନନ୍ଦେ ଭଲଭାବେ ଜାଣିଥିଲେ ଭାଷା ହେଉଛି ଜାତିର ମେରୁଦଣ୍ଡ । ଯାହାର ଭାଷା ଯେତିକି ବଳିଷ୍ଠ ସେ ଜାତି ସେତିକି ଉନ୍ନତ, କାରଣ ଭାବ ପ୍ରକାଶନ ସକାଶେ ଭାଷାର ପ୍ରୟୋଜନୀୟତା ଅପରିହାର୍ଯ୍ୟ । ନୃତ୍ୟ, ଭାସ୍କର୍ଯ୍ୟ, ଚିତ୍ରକଳା ପ୍ରଭୃତି ଭାବ ପ୍ରକାଶନୋପଯୋଗୀ ଉପାଦାନମାନ ରହିଥଲେ ସୁଦ୍ଧା ସ୍ପଷ୍ଟାର୍ଥବୋଧ ସକାଶେ ଭାଷା ଯେ ପରିପୂର୍ଣ୍ଣସମର୍ଥ ତାହା ଅନ୍ୟତ୍ର ବିରଳ । ଅତଏବ ନନ୍ଦଙ୍କ ସର୍ବପ୍ରଥମେ ଦୃଷ୍ଟି ପଡ଼େ ଓଡ଼ିଆ ଭାଷାରେ ବ୍ୟବହୃତ ବିଭିନ୍ନ ଶବ୍ଦାବଳୀ ଉପରେ । ସମକାଳୀନ ପ୍ରାଦେଶିକ ଭାଷା ଚର୍ଚ୍ଚା ସେତେବେଳକୁ ଇତର ରାଜ୍ୟମାନଙ୍କରେ ଆରମ୍ଭ ହୋଇ ନ ଥଲା କହିଲେ ଚଳେ । ଯାହା ବା ଥିଲା ତାହା ନିତାନ୍ତ ନଗଣ୍ୟ । ନନ୍ଦେ ତେଣୁ ପ୍ରାଚୀନ ସଂସ୍କୃତ ଓ ପ୍ରାକୃତ ବୈୟାକରଣଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଆଭାଷାର ଉତ୍ପତ୍ତି ଓ କ୍ରମପରିଣତି ଦର୍ଶାଇବା ପାଇଁ ସ୍ଵକୀୟ ସୃକ୍ଷ୍ମ ବୁଦ୍ଧିବଳରେ ପ୍ରଯତ୍ନ ଆରମ୍ଭ କଲେ । ଓଡ଼ିଆ ଭାଷାର ସ୍ଵରୂପ କଣ ? କେବେଠୁଁ ଏହାର ଉତ୍ପତ୍ତି ? କେଉଁ ନିୟମରେ ଏହା ଗଠିତ ? ଏ ସବୁ ଥିଲା ତାଙ୍କ ମନର ମୂଳ ପ୍ରଶ୍ନ । ସେହି ପ୍ରଶ୍ନର ସମାଧାନ ଲାଗିନାଙ୍କୁ କେତେ ଯେ ଅଧ୍ୟବସାୟ କରିବାକୁ ପଡ଼ିଛି, କେତେ ଶାସ୍ତ୍ର ଅଧ୍ୟୟନ କରିବାକୁ ପଡ଼ିଛି ‘ତଦ୍ଧି ଜାନନ୍ତି ତଦ୍‌ବିଦଃ’ । ଅବଶ୍ୟ ଏହି ଦୁରୁହ କାର୍ଯ୍ୟର ପ୍ରଥମ ପଥପ୍ରଦର୍ଶକ ଭାବେ ସ୍ଵର୍ଗତ ଶ୍ୟାମସୁନ୍ଦର ରାଜଗୁରୁଙ୍କ ନାମ ସବୀଦୌ ଉଲ୍ଲେଖଯୋଗ୍ୟ । କାରଣ, ତତ୍କାଳ ‘‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଶ୍ରୀଯୁକ୍ତ ରାଜଗୁରୁ ‘ପିଙ୍ଗଳ ସୂତ୍ର’ ଓ ଅପଭ୍ରଂଶ ବ୍ୟାକରଣକୁ ଭିତ୍ତିକରି ଓଡ଼ିଆ ଶବ୍ଦମାନଙ୍କର ତୁଳନାତ୍ମକ ବିଚାର ପ୍ରଥମେ ଆରମ୍ଭ କରିଥିଲେ । ତାଙ୍କ ଲକ୍ଷ୍ୟ ହେଲା, ପ୍ରାକୃତ ଶବ୍ଦାବଳୀ ମାଧ୍ୟମରେ ଓଡ଼ିଆ ଶବ୍ଦମାନଙ୍କର ଉତ୍ପତ୍ତିସ୍ଥଳ ଦର୍ଶାଇବା । ତାଦୃଶ କେତୋଟି ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହେଲା ପରେ ଦୁର୍ଭାଗ୍ୟକୁ ସେ ଅକାଳରେ ଇହଧାମରୁ ବିଦାୟ ନିଅନ୍ତି । ଫଳରେ ଶ୍ରୀ ରାଜଗୁରୁଙ୍କଦ୍ୱାରା ପ୍ରାରମ୍ଭ ଅସମାହିତ ଦାୟିତ୍ୱ ନନ୍ଦଙ୍କୁ ବହନ କରିବାକୁ ପଡ଼ିଲା । କିନ୍ତୁ ତାହା ଥିଲା ସ୍ଵତନ୍ତ୍ର ସ୍ଫୁର୍ତ୍ତ ପ୍ରେରଣା ସେଥିପାଇଁ ତାଙ୍କୁ କେହି ପ୍ରବର୍ତ୍ତାଇ ନ ଥିଲେ । କେବଳ ସ୍ୱାଭିମାନୀ ଓଡ଼ିଆଭାବେ କର୍ତ୍ତବ୍ୟ ସଂପାଦନ କରିବାକୁ ସେ ଆଗେଇ ଆସିଥିଲେ । ଯୋଗକୁ ସେ ଦିହେଁ ଯାକ ଥିଲେ ଏକା ସାହିର ବାସିନ୍ଦା- ରାଜଗୁରୁ ସାହିର-

 

ଓଡ଼ିଆଭାଷାର ଉତ୍ପତ୍ତି ସମ୍ବନ୍ଧରେ ନନ୍ଦଙ୍କ ଧାରଣା କହିବାକୁ ଯିବା ପୂର୍ବରୁ ଏଠାରେ ସୂଚାଇ ଦେବା ଉଚିତ ଯେ, ସଂସ୍କୃତ ଓ ପ୍ରାକୃତ ମଧ୍ୟରେ ସମ୍ପର୍କ ଦର୍ଶାଇବାକୁ ଯାଇ ଭାଷା ବିଜ୍ଞନୀମାନେ ତ୍ରିବିଧ ସୂତ୍ରର ଆଶ୍ରୟ ନିଅନ୍ତି । ପ୍ରଥମ ହେଲା-ସଂସ୍କୃତ ଯେଉଁ ବାଟ ଦେଇ ଆଧୁନିକ କଥିତଭାଷାରେ ପରିଣତ ତାହାକୁ ‘ପ୍ରାକୃତ’ ବୋଲି କୁହାଯାଏ । ସଂସ୍କୃତର ଅପଭ୍ରଂଶ ଶବ୍ଦାବଳୀ ଲୋକମୁଖରେ ଉଚ୍ଚାରିତ ହୋଇ ପରବର୍ତ୍ତୀ କାଳରେ ବିଭିନ୍ନ କାରଣ ଯୋଗୁଁ ଓଡ଼ିଆ, ବଙ୍ଗଳା, ଆସାମୀ, ହିନ୍ଦୀ ପ୍ରଭୃତି ନାମରେ ନାମିତ ହୋଇ ପଡ଼ିଛି, ଅଥାତ୍‌ ମୂଳସଂସ୍କୃତରୁ ‘ପ୍ରାକୃତ’ ଭାଷା ଜନ୍ମଲାଭ କରିଛି । ଏ ମତରେ ‘ପ୍ରକୃତିଃ ସଂସ୍କୃତଂ; ତସ୍କାଦାଗତଂ ପ୍ରାକୃତଂ’ । ଏହାର ଅର୍ଥ ପ୍ରକୃତି ବୋଇଲେ ସଂସ୍କୃତ, ତହିଁରୁ ଉତ୍ପନ୍ନ ଭାଷା ପ୍ରାକୃତ । ଏହି ପ୍ରକାର ଧାରଣା ‘ପ୍ରାକୃତ ପ୍ରକାଶ’ କାର ବରରୁଚିଙ୍କଠାରୁ ଆରମ୍ଭ ହୋଇ କାତ୍ୟାୟନ, ହେମଚନ୍ଦ୍ର ଏହପରି କି ପ୍ରାକୃତ ସର୍ବସ୍ଵକୁ ଲେଖକ ମାର୍କଣ୍ଡେୟଙ୍କ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ରହି ଆସିଛି । ତେଣୁ ପଣ୍ଡିତ ଗୋପୀନାଥ ନନ୍ଦ ସେହି ମତାନୁସରଣରେ ଓଡ଼ିଆ ଶବ୍ଦମାନଙ୍କର ମୂଳ ଖୋଜିବାକୁ ଯିବା ଆଶ୍ଚର୍ଯ୍ୟ ନୁହେଁ । ସେତେବେଳକୁ ପଡ଼ୋଶୀ ବଙ୍ଗାଳୀଭାଷାର ତତ୍ତ୍ୱାନୁସନ୍ଧିସତ୍ସୁ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ପଣ୍ଡିତଗଣ ସେହି ପନ୍ଥାରେ ବ୍ୟାକରଣ ପୁସ୍ତକମାନ ରଚନା କରିଥାନ୍ତି ।’ ବରରୁଚି,କାତ୍ୟାୟନ, ମୌଦଗଲାୟନ ପ୍ରଭୃତି ମହାମନୀଷୀମାନେ ଯେତେବେଳେ ସଂସ୍କୃତକୁ ମୂଳଭାଷା ରୂପେ ଗ୍ରହଣ କରି ନେଇଛନ୍ତି ତାକୁ ଛାଡ଼ି ଅନ୍ୟ ଏକ ମାର୍ଗରେ ଭାଷାଲୋଚନା କରିବାକୁ କେହି ସାହସ ବାନ୍ଧି ନଥିଲେ । କିନ୍ତୁ ‘କର୍ପୂର ମଞ୍ଜରୀ’ ନାଟକ ଲେଖକ ରାଜଶେଖରଙ୍କ ଭଳି ପ୍ରାକୃତ ଭାଷାପ୍ରେମୀ ପ୍ରାକୃତକୁ ସଂସ୍କୃତର ଅପଭ୍ରଂଶ କହିବା ପରିବର୍ତ୍ତେ ଉଭୟ ଭାଷାକୁ ସମାନ ଆସନରେ ବସାଇଥିଲେ । ତାଙ୍କ ମତରେ ସଂସ୍କୃତ ଅପେକ୍ଷା ପ୍ରାକୃତଭାଷା ଅଧିକତର ମଞ୍ଚୁଳ ଓ ସୁକୁମାର । ତେଣୁ ସେ କହିଛନ୍ତି -

 

‘‘ପରୁସା ସକ୍ଳଅ ବନ୍ଧା ପାଉଅ ବନ୍ଧୋ ବିହୋଇ ସୁଉମାରେ ପୁରୁସ-ମହିଳାଣଂ ଜେତ୍ତିଅ ମିହନ୍ତରଂ ତେଭିଆ ମିମାଣଂ’’ ଏ ଭକ୍ତିରୁ ଜଣାପଡ଼େ, ସଂସ୍କୃତ ଓ ପ୍ରାକୃତ କେହି କାହାଠାରୁ ଉତ୍ପନ୍ନ ନୁହନ୍ତି । ଦୁହେଁ ପୁରୁଷ ଓ ରମଣୀ ଭଳି ସମାନ ଶ୍ରେଣୀର । ଉଭୟର ସ୍ୱତନ୍ତ୍ର ସତ୍ତା ରହିଛି । ପୁରୁଷର ଅଙ୍ଗ ଭଳି ସଂସ୍କୃତ କଠିନ ହେଲା ବେଳେ ପ୍ରାକୃତଭାଷା ରମଣୀଭଳି ସୁକୁମାର ଓ ଲାବଣ୍ୟମୟୀ । ସେହି କାରଣରୁ ସେ ଅବିମିଶ୍ରିତ ପ୍ରାକୃତ ଭାଷାରେ ‘କର୍ପୂର ମଞ୍ଜରୀ’’ ନାମରେ ଏକ ପୂର୍ଣ୍ଣାଙ୍ଗ ନାଟକ ରଚନା କରିଛନ୍ତି । ସେଥିଦ୍ୱାରା ସେ ପ୍ରମାଣିତ କଲେ ଯେ ସଂସ୍କୃତ ସମାନ ପ୍ରାକୃତ ମଧ୍ୟ ଏକ ବଳିଷ୍ଠ ପୂର୍ଣ୍ଣାବୟବ ଭାଷା । ତାଙ୍କ ଦୃଷ୍ଟିରେ ଉଭୟ ଭାଷାର ଜନ୍ୟ-ଜନକ ସମ୍ବନ୍ଧ କଳ୍ପନା କରିବା ଅପେକ୍ଷା ପ୍ରକୃତି ଓ ପୁରୁଷ ପରି ଉଭୟର ସ୍ୱାତନ୍ତ୍ର୍ୟ ମାନିନେବା ଅଧିକ ଯୁକ୍ତିଯୁକ୍ତ । କିନ୍ତୁ ଉକ୍ତ ଦୃଷ୍ଟିଭଙ୍ଗୀଧରି କୌଣସି ଭାଷାବିଜ୍ଞାନୀ ଏ ଯାବତ୍‌ ଉଭୟର ସଂପର୍କ ଦର୍ଶାଇବାକୁ ଯାଇଥିବା ଜଣାନାହିଁ । ଉଭୟଭାଷା ସ୍ୱତନ୍ତ୍ର ବୋଲି ସ୍ଵୀକାର କରିବାକୁ କେହି ଆଗ୍ରହ ପ୍ରକାଶ କରି ନାହାନ୍ତି ।

 

ଏହା ବ୍ୟତୀତ, ବିଂଶ ଶତାବ୍ଦୀରେ ଆଉ ଏକ ନବୀନ ଚିନ୍ତାଧାରା ତତ୍ଵ ସନ୍ଧାନୀଙ୍କ ମନକୁ ସ୍ପର୍ଶ କରିଛି, ଯହଁରେ ସଂସ୍କୃତକୁ ମୂଳଭାଷା ବୋଲି କହିବା ବଦଳରେ ପ୍ରାକୃତକୁ ସେହି ଆସନ ଅଧିକାରୀ କରାଯାଇଛି, ଏହା ନୂତନ ଭାଷାବିଜ୍ଞାନୀଙ୍କ ମାନସସନ୍ତାନ କହିଲେ ଚଳେ । ଏଥିପାଇଁ ବୈଜ୍ଞାନିକ ପଦ୍ଧତିରେ ଭାଷାର ଧ୍ୱନି, ଶବଦ, କ୍ରିୟା, ବାକ୍ୟଗଠନାଦିର ତୁଳନାତ୍ମକ ଅଧ୍ୟୟନ ସଙ୍ଗେ ସଙ୍ଗେ ଐତିହାସିକ ଓ ନୃତାତ୍ତ୍ୱିକ ଗବେଷଣାଲବ୍ଧ ଜ୍ଞାନର ଆଶ୍ରୟ ନିଆ ହୋଇଛି । ଏ ମତର ସର୍ବପ୍ରଥମ ଭିତ୍ତି ହେଲା ଉଭୟ ଭାଷାର ନାମକରଣ । ‘ସଂସ୍କୃତ’ର ଅର୍ଥ ସଂସ୍କାରପ୍ରାପ୍ତ । ‘ସଂସ୍କାର’ କହିଲେ ସଂଶୋଧନ ବା ବିଶୋଧନ, ବସ୍ତୁର ପୂର୍ବାବସ୍ଥିତି ବିନା ସଂସ୍କାର ସମ୍ଭବ ନୁହେଁ, କାରଣ, ଅସଂସ୍କୃତ ବସ୍ତୁର ସଂସ୍କାର କରାଯାଏ । ବିଚର୍ଯ୍ୟ କ୍ଷେତ୍ରରେ ମଧ୍ୟ ସେଇକଥା । ସେହିଭଳି କିଛି ଅସଂସ୍କୃତ ଭାଷା ଥିଲା ଯାହାକୁ ପରେ ସଂସ୍କୃତ କରାଗଲା । କଣ ଥିଲା କେବେ ? ଯାହା ଥିଲା ତାହା ‘ପ୍ରାକୃତ’ ଛଡ଼ା ଅନ୍ୟ କିଛି ହୋଇ ନପାରେ । ‘ପ୍ରାକୃତ’ ଶବ୍ଦର ବ୍ୟୁତ୍ପତ୍ତି ହେଲା ‘ପ୍ରକୃତ୍ୟା ସୃଷ୍ଟଂ ପ୍ରାକୃତଂ” ଅର୍ଥାତ୍‌ ଯାହା ପ୍ରକୃତିଦ୍ୱାରା ସୃଷ୍ଟ । ପ୍ରକୃତି ବୋଇଲେ ସ୍ଵଭାବ ଏବଂ ପ୍ରଜା, ସ୍ୱଭାବତଃ କିମ୍ବା ପ୍ରଜାଙ୍କଦ୍ୱାରା ଯାହା ସୃଷ୍ଟି ହୋଇଛି ତାହା ‘ପ୍ରାକୃତ’ ସେହିପରି, ‘ସଂସ୍କାର ଜୁଷ୍ଟଂ ସଂସ୍କୃତଂ’ ଅର୍ଥାତ୍‌ ସଂସ୍କାରଦ୍ୱାରା ଯାହା ମାର୍ଜିତ ତାହା ସଂସ୍କୃତ । ଏ ଦୃଷ୍ଟିର ବିଚାର କଲେ ଜଣାପଡ଼େ, ପ୍ରାକୃତ ଭାଷା ମୂଳତଃ ନୈସର୍ଗିକ ରୀତିରେ ପ୍ରଥମେ ଲୋକମୁଖରେ ପ୍ରଚଳିତ ଥିଲା ଏବଂ ପରେ ତାହା ମାର୍ଜିତ ହୋଇ ‘ସଂସ୍କୃତ’ ଆଖ୍ୟା ଧାରଣ କଲା, ଏ ମତରେ ଲୋକମୁଖର ସ୍ଵତ୍ତଃସ୍ପୂର୍ତ୍ତ ଶବ୍ଦାବଳୀ ନିୟମାବଦ୍ଧ ହୋଇ ସଂସ୍କୃତ ହୋଇଛି, କାରଣ, ଲୋକମୁଖରେ ଉଚ୍ଚାରିତ ଭାଷା ଶୃଙ୍ଖଳାବଦ୍ଧ ହେବା ସମ୍ଭବ ନୁହେଁ, ଯେହେତୁ ବାକ୍‌ଯନ୍ତ୍ରର ବୈବିଧ୍ୟ, ଶ୍ରୁତିଶକ୍ତିର ଅସମାନତା, ଅନୁକରଣରେ ପାର୍ଥିକ୍ୟ ଏବଂ ଦେଶ -କାଳ- ପାତ୍ରାଦିର ବିଭିନ୍ନତା ଯୋଗୁଁ ଶବ୍ଦର ପରିବର୍ତ୍ତନ ଅବଶ୍ୟଂଭାବୀ ।

 

ସେ ଯାହା ହେଉ, ନନ୍ଦେ ପ୍ରଥମ ସୂତ୍ରଟି ଧରି ଓଡ଼ିଆଭାଷାର ଉତ୍ପତ୍ତିକ୍ରମ ସ୍ଥିର କରିବାକୁ ଯାଇଛନ୍ତି । କାରଣ, ତାଙ୍କ ବେଳକୁ ଦ୍ୱିତୀୟ ସୂତ୍ରଟି ଭାଷା ବିଜ୍ଞାନୀଙ୍କ ବିଚାର ପରିସରକୁ ଆସିନଥିଲା ଏବଂ ତୃତୀୟ ସୂତ୍ରର ବୀଜବପନ ହୋଇ ନଥଲା । ତେଣୁ ପଡ଼ୋଶୀ ବଙ୍ଗଳା, ଆସାମିଆ ଓ ମୈଥିଳୀ ସଦୃଶ ଓଡ଼ିଆ ଭାଷାର ମଧ୍ୟ ଉତ୍ପତ୍ତି ଘଟିଥିବା ସେ ଅନୁମାନ କରିଥିଲେ । ଯଦିଚ ଦାକ୍ଷିଣାତ୍ୟ ଭାଷାର ଅନାହୂତ ପ୍ରବେଶଦ୍ୱାରା ଆଞ୍ଚଳିକ ଉଚ୍ଚାରଣ ଶୈଳୀରେ କେତେକାଂଶ ପରିବର୍ତ୍ତନ ଘଟିଥିଲା କିନ୍ତୁ ସେ ପ୍ରମାଣିତ କରିବାକୁ ଗଲେ, ଅନ୍ୟାନ୍ୟ ଭାଷାପରି ଓଡ଼ିଆ ସଂସ୍କୃତ ଶବ୍ଦାବଳୀଯୁକ୍ତ ହେଲେ ସୁଦ୍ଧା ଏହାର ବ୍ୟାକରଣ ପ୍ରାକୃତ ନିୟମାନୁଗାମୀ । ବିଶେଷ୍ୟ, ବିଶେଷଣ, ସର୍ବନାମ, ବିଭକ୍ତି, ଅବ୍ୟୟ ଓ କ୍ରିୟାପଦ ସଂସ୍କୃତର ରୂପାନ୍ତର, କିନ୍ତୁ ପ୍ରାକୃତ ନିୟମାବଦ୍ଧ, ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତ ତୁକୁମୁକୁ, ମାନନ୍ତ, ପୁତ୍ରନ୍ତ ମୋହରେ, ହସିଲା ହୋଇ ପ୍ରଭୃତି ପ୍ରୟୋଗ ଓଡ଼ିଆର ଏକାନ୍ତ ନିଜସ୍ଵ । ତେଣୁ ସେଗୁଡ଼ିକର ମୂଳ ଉଦ୍‌ଘାଟନ ପାଇଁ ସେ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ । ତାଙ୍କ ଦୃଷ୍ଟିରେ ପ୍ରାକୃତ ଭାଷାଜ୍ଞାନ ବିନା ଓଡ଼ିଆ ଭାଷା ଲୋଚନା ସମ୍ଭବ ନୁହେଁ । ତାତ୍ତ୍ଵିକ ସରଣୀରେ ଏ କଥା ଭଷାତତ୍ତ୍ଵ ଗ୍ରନ୍ଥରେ ସେ ସ୍ପଷ୍ଟ ଦର୍ଶାଇଛନ୍ତି । କଠୋର ଅଧ୍ୟବସାୟ, ନିରବଚ୍ଛିନ ସାଧନା, ଅଦମ୍ୟ ଅନୁସନ୍ଧିତ୍ସା ଓ ଅନାଲୋଚିତ ଶବ୍ଦ ସଂଗ୍ରହଦ୍ୱାରା ଯେପରି ଆପଣାର ମତ ପ୍ରତିଷ୍ଠା କରି ଯାଇଛନ୍ତି ସେହିପରି ପ୍ରତିପକ୍ଷବାଦୀଙ୍କୁ ବଳିଷ୍ଠ ଯୁକ୍ତିବଳରେ ନୀରବ କରି ପାରିଛନ୍ତି । ‘ପ୍ରକୃତିଃ ସଂସ୍କୃତଂ, ତଦାଗତଂ ପ୍ରାକୃତଂ ସୂତ୍ରକୁ ସେ ମୁଖ୍ୟତଃ ଗ୍ରହଣ କଲେ ସୁଦ୍ଧା ରାଜଶେଖରଙ୍କ ଦ୍ୱୈତସିଦ୍ଧାନ୍ତ ପ୍ରତି ଉଦାସୀନ ରହି ନାହାନ୍ତି । ବରଂ ତାହାକୁ ଅପରୋକ୍ଷ ଭାବେ ଅନୁମୋଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଆକୁ ସ୍ଵତନ୍ତ୍ର ପ୍ରାକୃତ ରୂପେ ପ୍ରତିଷ୍ଠିତ କରିବାର ପ୍ରବଳ ଆକାଂକ୍ଷା ତାଙ୍କ ମନରେ ଜାଗ୍ରତ ଥିଲା । କିନ୍ତୁ ଋଷିପ୍ରତିମ ବରରୁଚି ଓ କାତ୍ୟାୟନାଦିଙ୍କ ପ୍ରଦର୍ଶିତ ପାରଂପରିକ ମାର୍ଗରୁ ଚ୍ୟୁତ ହୋଇ ଇତର ପନ୍ଥାରେ ଗତି କରିବାକୁ ତାଙ୍କର ସାହସ ହୋଇନଥିଲା । ସେଥିଲାଗି ରାଜଶେଖରଙ୍କ ସ୍ପଷ୍ଟ୍ରୋକ୍ତି ଥିଲେ ବା କଣ ହୁଅନ୍ତା, କିନ୍ତୁ ତାହା ଆଳଂକାରିକ ରୀତିରେ ଉପମାଛଳରେ କେବଳ ପ୍ରଦତ୍ତ । ଅତଏବ ନନ୍ଦେ ଦ୍ୱନ୍ଦରେ ପଡ଼ି ତାହା ଗ୍ରହଣ କରି ନାହାନ୍ତି କିମ୍ବା ଛାଡ଼ି ମଧ୍ୟ ପାରିନାହାନ୍ତି । ଫଳରେ ଓଡ଼ିଆର ନିଜସ୍ଵ ପ୍ରୟୋଗଗୁଡ଼ିକ ‘ଲୋକପ୍ରସିଦ୍ଧ’ ଆଖ୍ୟା ଦେଇ ଉତ୍ତର ଦାୟାଦଙ୍କ ଉପରେ ତା’ର ବିଚାର ଛାଡ଼ି ଯାଇଛନ୍ତି । ସେତେବେଳକୁ ଓଡ଼ିଆ ଭାଷାରେ କୌଣସି ଭାଷାତାତ୍ତ୍ଵିକ ଗ୍ରନ୍ଥ ଏପରି କି ବ୍ୟାକରଣଟିଏ ବି ରଚିତ ହୋଇନଥିଲା । ଓଡ଼ିଆ ବ୍ୟାକରଣ ବୋଇଲେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରଣୀତ ବଙ୍ଗଳାବ୍ୟାକରଣ ଅନୁସରଣରେ ତତ୍କାଳ ସ୍କୁଲପରିଦର୍ଶକ ରାଧାନାଥ ରାୟଙ୍କ ବ୍ୟାକରଣ । ପୁସ୍ତକଟି ପାଠ୍ୟରୂପେ ଗୃହୀତ ହୋଇଥିଲା ଯାହାକି ମୋ ପିଲା ବେଳେ ମୁଁ ପଢ଼ିଥିଲି । ତାହାଥିଲା ସଂସ୍କୃତ ସୂତ୍ରମାନଙ୍କର ଅବିକଳ ଅନୁବାଦ ବା ଅନୁସରଣ, ସଂସ୍କୃତ ନିୟମାନୁଯାୟୀ ଗଠିତ ଓଡ଼ିଆଭାଷା ଶୁଦ୍ଧ ଏବଂ ତଦତିରିକ୍ତ ପ୍ରୟୋଗ ଅଶୁଦ୍ଧ ବୋଲି ସେଥିରେ ସୂଚିତ ଥିଲା । କିନ୍ତୁ ନନ୍ଦଙ୍କ ବଚାରରେ ସଂସ୍କୃତ ଅପେକ୍ଷା ପ୍ରାକୃତ ଓଡ଼ିଆଭାଷାର ଅଧିକତର ନିକଟବର୍ତ୍ତୀ । ସୁତରାଂ ପ୍ରାକୃତ ନିୟମରେ ଓଡ଼ିଆର ଶୁଦ୍ଧାଶୁଦ୍ଧ ନିରୂପଣ ଅଧିକ ଯୁକ୍ତିଯୁକ୍ତ । ଏତାଦୃଶ ଚିନ୍ତାଧାରା ଶ୍ରୀ ରାଧାନାଥ ରାୟ ଓ ତାଙ୍କ ଅନୁଗାମୀ ସାହିତ୍ୟିକବର୍ଗଙ୍କୁ ଅନୁକୂଳ ମନେ ହୋଇ ନଥିଲା । ତେଣୁ ସେମାନେ ନନ୍ଦଙ୍କ ଉକ୍ତିର ସାରବତ୍ତା ଗ୍ରହଣ କରି ପାରି ନଥିଲେ; ଅଥଚ ସେମାନେ ହିଁ ଥିଲେ ତତ୍କାଳ ଓଡ଼ିଶାର ସାହିତ୍ୟିକ କର୍ଣ୍ଣଧାର ।

 

ସବୁଦିନ ସମାନ ରହେ ନାହିଁ । ‘କାଳୋହ୍ୟୟଂ ନିରବଧି ବିପୁଳା ଚ ପୃଥ୍ୱୀ’ ବୋଲି । କଥା ଅଛି, ନନ୍ଦେ ଆଜି ନାହାନ୍ତି । ଜନ୍ମ ହେଲେ ସମସ୍ତେ ମରନ୍ତି । କିନ୍ତୁ ନନ୍ଦେ ମରି ସୁଦ୍ଧା ଆଜି ଅମର ରହିଛନ୍ତି । ଯେଉଁ ସମୟରେ ଦେଶ ଖଣ୍ଡ ବିଖଣ୍ଡିତ, ଦକ୍ଷିଣରୁ ତେଲଙ୍ଗା, ଉତ୍ତରପଟୁ ବଙ୍ଗଳା ଏବଂ ପଶ୍ଚିମରୁ ହିନ୍ଦୀ କବଳିତ ହୋଇ ଓଡ଼ିଆ ପ୍ରାଣ କଣ୍ଠାଗ୍ରତ, ବାସସ୍ଥାନ ଭେଦରେ ଓଡ଼ିଆଭାଷୀ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଆତ୍ମଗ୍ଳାନିରେ ମ୍ରିୟମାଣ ସେତିକିବେଳେ କିଏ ଜାଣିଥିଲା ପାରଳାର କେଉଁ ଅଖ୍ୟାତ କୋଣରେ ଏପରି ଜଣେ ଆଲୌକିକ ପ୍ରତିଭାସଂପନ୍ନ ପିଲାଟିଏ ଜନ୍ମ ହୋଇ ସମଗ୍ର ଦେଶରେ ଚହଳ ପକାଇଦେବ କିଏ ଜାଣିଥିଲା ଏଭଳି ଏକ ଅଭିନବ ଚିନ୍ତାସମ୍ବଳିତ ଭାଷାଶାସ୍ତ୍ର ସୃଷ୍ଟି ହେବ ଯାହାର ମୂଲ୍ୟାଙ୍କନ କରିବାକୁ ଓଡ଼ିଆସାହିତ୍ୟ ସମାଜର ରଥୀ-ମହାରଥୀମାନେ ଅସମର୍ଥ ହେବେ ? ପରିତାପର ବିଷୟ ଏପର୍ଯ୍ୟନ୍ତ ଆମେ ତାଙ୍କୁ ଚିହ୍ନିପାରିଲୁ ନାହିଁ, ଯଥାର୍ଥ ସମ୍ମାନ ଦେଇ ପାରିଲୁ ନାହିଁ, କିମ୍ବା ତାଙ୍କ ପ୍ରଦର୍ଶିତ ପନ୍ଥାରେ ଗତି କରିବା ଚେଷ୍ଟା ବି କଲୁ ନାହିଁ । ଆଶ୍ୱାସନାର କଥା, ସେ କାଳରେ ଜଣେ ମାତ୍ର ଗୁଣଗ୍ରାହୀ ପଣ୍ଡିତ ଥିଲେ ସ୍ଵଗୀୟ ପଣ୍ଡିତ ନୀଳକଣ୍ଠ ଦାସ ଯେ କି ନନ୍ଦଙ୍କ ପ୍ରତିଭାକୁ ଟିକିନିଖି ହୃଦୟଙ୍ଗମ କରିଥିଲେ ଏବଂ ଭାଷାତତ୍ତ୍ୱର ମୁଖବନ୍ଧରେ ଲେଖିଥିଲେ-‘‘.... ଏସବୁ ସତ୍ତ୍ୱେ ନନ୍ଦେ ଭାଷାତତ୍ତ୍ଵ ଆଲୋଚନାରେ ଯେ ମୂଳଦୂଆ ପକାଇଛନ୍ତି; ନିଜର ଆପାତତଃ ବ୍ୟସ୍ତ ଆଲୋଚନାରେ ମଧ୍ୟ ସେ ସାମଗ୍ରୀ ସଂଗ୍ରହ କରି ରଖି ଯାଇଛନ୍ତି, ତାହା ଏକା ଓଡ଼ିଆରେ କାହିଁକି, ସମଗ୍ର ଚଳିତ ଭାରତୀୟ ଭାଷାରେ ମଧ୍ୟ ଏବେ ନୂତନ ଓ ଅନନ୍ୟ ସାଧାରଣ ।..... ନନ୍ଦେ ଯେଉଁ ତକ କରିଛନ୍ତି ସେତିକି ମଧ୍ୟ ଦୃଷ୍ଟି ପ୍ରସାର କରି ଦେଖିବା ପାଇଁ ଓଡ଼ିଶାରେ ବୀରପୁରୁଷର ଏକାନ୍ତ ଅଭାବ,...ଦୁଃଖର କଥା, ଓଡ଼ିଶାର ସାହିତ୍ୟସେବୀମାନେ କୃତ୍ରିମ ଆଦର୍ଶର ବନ୍ଧନରେ ଚିରକାଳ ବଦ୍ଧଦୃଷ୍ଟି ଥିବାରୁ ସେତେବେଳେ ନନ୍ଦଙ୍କର ଏ ନୂତନତା, ଏ ପୁରୋଦୃଷ୍ଟି, ଏ ସତସାହସ, ଏ ସାଧୁ ଉଦ୍ୟମ ବୁଝି ନାହାନ୍ତି’’,(ଇ.ଗ୍ରନ୍ଥପ୍ରବେଶ) ।

 

ଇଏ ହେଉଛନ୍ତି ସେହି ଗୋପୀନାଥ ନନ୍ଦ, ଯାହାଙ୍କ ପାଇଁ ଆଜି ଆମେ ଜୟନ୍ତୀ ପାଳନ କରୁଛୁ । ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶା ସାହିତ୍ୟ ଏକାଡେମୀର ଏତାଦୃଶ ଉଦ୍ୟମ ସର୍ବଥା ଅଭିନନ୍ଦନୀୟ ।

 

 

ଚନ୍ଦ୍ରପ୍ରଭା ଗଳି

ବ୍ରହ୍ମପୁର ଗଞ୍ଜାମ

 

***

 

ଗୋପବନ୍ଧୁଙ୍କ ସାଂଧ୍ୟ ଅନୁଚିନ୍ତା

ଡକ୍ଟର ଶ୍ରୀମତୀ ଚିନ୍ମୟୀ ମହାପାତ୍ର

 

ପ୍ରକୃତି ସହିତ ମାନବର ବାହ୍ୟ ଓ ଅନ୍ତର୍ସମ୍ବନ୍ଧ ସ୍ଵତଃସିଦ୍ଧ ଓ ସଦା ସ୍ଵୀକୃତ । ଭାରତୀୟ ଆର୍ଯ୍ୟସଂସ୍କୃତିର ପ୍ରଥମ ବାଙ୍‌ମୟ ଋଗ୍‌ବେଦରେ ତେଣୁ ପ୍ରକୃତିର ନାନା ବିଭାବର ମହତ୍ତ୍ଵ ବର୍ଣ୍ଣିତ ହେବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ସୁଖୀ ଓ ସମୃଦ୍ଧ କରିବା ଲାଗି ପ୍ରାର୍ଥନା କରାଯାଇଛି । ବେଦବନ୍ଦିତ ପ୍ରକୃତିର ବିଭିନ୍ନ ଅଙ୍ଗ ମଧ୍ୟରେ ପରମ-ସ୍ତୃତ୍ୟ ହୋଇଛନ୍ତି ‘ସୂର୍ଯ୍ୟ’ । ସମଗ୍ର ଜୀବଜଗତର ଆତ୍ମା ସ୍ଵରୂପ । (୧) ସେ ସ୍ଵକୀୟ ଜ୍ୟୋତିରେ ଅନ୍ଧକାରକୁ ବିଦୂରିତ କରି ବିଶ୍ଵକୁ ଆଲୋକିତ କରିବା ସଙ୍ଗେ ସଙ୍ଗେ ମନୁଷ୍ୟର ରୋଗ, କ୍ଳେଶ, ପାପ ଓ ଦାରିଦ୍ରକୁ ଦୂର କରିବାକୁ ମଧ୍ୟ ସମର୍ଥ (୨) । ପୁଣି ଅନ୍ଧକାରର ଉର୍ଦ୍ଧ୍ୱରେ ଆଦିତ୍ୟ-ମଣ୍ଡଳ-ସ୍ଥିତି ପରି ପୂର୍ଣ୍ଣ ପ୍ରକାଶଦାନଶୀଳ ଓ ପରମାତ୍ମା ସ୍ଵରୂପ ସେହି ମହାନ୍‌ ପୁରୁଷଙ୍କୁ ଜାଣିଲେ ମଣିଷ ମୃତ୍ୟୁକୁ ଅତିକ୍ରମ କରିପାରେ (୩) । ସେ-ହିଁ ମନୁଷ୍ୟକୁ ଅସତ୍ୟରୁ ସତ୍ୟ ଆଡ଼କୁ, ଅନ୍ଧକାରରୁ ଆଲୋକ ଆଡ଼କୁ ଓ ମୃତ୍ୟୁର ଅମୃତ ଆଡ଼କୁ ଅଗ୍ରସର କରାଇଥାନ୍ତି (୪) । ଜନନୀ ଅଦିତି ଅଷ୍ଟମ ପୁତ୍ର ଆଦିତ୍ୟଙ୍କର ତେଜର ପ୍ରଭାବ ସହି ନପାରି ତାଙ୍କୁ ଉର୍ଦ୍ଧ୍ୱକୁ ନିକ୍ଷେପ କରିବା ଓ ପ୍ରାଣୀ ଜଗତର ଜନ୍ମ-ମରଣ ପାଇଁ ପୁନଃ ଆହରଣ କରିବା ବିଷୟ ମଧ୍ୟ ବେଦରେ ବର୍ଣ୍ଣିତ ଅଛି । (୫) ଅତଏବ ପ୍ରାଣୀମାନଙ୍କର ଜନ୍ମ-ମରଣ ସୂର୍ଯ୍ୟଙ୍କର ଉଦୟାସ୍ତରେ ପ୍ରତୀକିତ ହୋଇଥାଏ ।

 

ସପ୍ତଭିଃ ପୁତ୍ରୈରଦିତିରୁକ୍ଷ ପ୍ରୈତ୍‌ ପୂର୍ବ୍ୟଂ ଯୁଗମ୍‌ ।

ପ୍ରଜାୟୈ ମୃତ୍ୟବେ ତ୍ୱତ୍‌ ପୁନର୍ମାର୍ତ୍ତଣ୍ଡମାଭରତ୍‌ ।

(ଋଗ୍‌ବେଦ-୧୦/୭୨/୯/୯)

 

୧.

ସୂର୍ଯ୍ୟ ଆତ୍ମା ଜଗତ ତସ୍ତୁତଶ୍ଚ (ଋଗ୍‌ବେଦ-୧/୧୦୫/୧)

୨.

ଯେନ ସୂର୍ଯ୍ୟୋ ଜ୍ୟୋତିଷା ବାଧସେ ତମୋ ଜଗଚ୍ଚ ବିଶ୍ଵମୁଦିୟର୍ଷି ଭାନୁନା ତେନାସ୍ଵଦ୍‌ ବିଶ୍ୱା ମନିରାମନାହୁତି- ମପାମୀବା ମପ ଦୁଃସ୍ଵପ୍ମ୍ୟଂ ସୁବ ॥ (ଋଗ୍‌ବେଦ- ୧୦/୩୭୪)

୩.

ବେଦାହମେତଂ ପୁରୁଷଂ ମହାନ୍ତମାଦିତ୍ୟବର୍ଣ୍ଣଂ ତମସଃ ପୁରସ୍ତାତ୍‌ ତମେବ ବିଦିତ୍ୱାତି ମୃତ୍ୟୁ ମେତି ନାନ୍ୟଃ ପନ୍ଥା ବିଦ୍ୟତେଽୟନାୟ ॥ (ଶୁକ୍ଳଯଜୁର୍ବେଦ ୩୧-୧୮)

୪.

ଅସତୋ ମା ସଦ୍‌ଗମୟ । ତମସୋ ମା ଜ୍ୟୋତିର୍ଗମୟ ମୃତ୍ୟୋର୍ମାମୃତଂ ଗମୟ ॥-(ଶତ୍‌ପଥ ବାହ୍ମଣ-୧୪/୪/୧୩୦)

୫.

ଅଷ୍ଟୌ ପୁତ୍ରାସୌ ଅଦିତେର୍ଯେ ଜାତାସ୍ତନ୍ୱନରି । ଦେବା ଓକ୍ଷପ୍ରୈତ୍‌ ସପ୍ତଭିଃ ପରାମାର୍ଭଣ୍ଡମାସ୍ୟତ୍‌ ।

 

ପ୍ରାୟ ସକଳ ଧର୍ମରେ ସୂର୍ଯ୍ୟଙ୍କର ଉଦୟ-କାଳ ବା ଉଷା, ମଧ୍ୟାକାଶରେ ଅବସ୍ଥାନ କାଳ ବା ମଧ୍ୟାହ୍ନ ଓ ଅସ୍ତକାଳ ବା ସଂଧ୍ୟାର ମହତ୍ତ୍ଵ ସ୍ଵୀକାର କରାଯାଇଛି ଓ ଏହି ତ୍ରିକାଳକୁ ଈଶୋପାସନା ପାଇଁ ନିର୍ଦ୍ଦିଷ୍ଟ କରାଯାଇଛି । ହିନ୍ଦୁ-ଦର୍ଶନରେ ସୂର୍ଯ୍ୟ ବେଦ-ତ୍ରୟର ଆଧାର ଓ ସେ ପୂର୍ବାହ୍ନରେ ଋଗ୍‌ବେଦ, ମଧ୍ୟାହ୍ନରେ ଯଜୁର୍ବେଦ ଓ ଅପରାହ୍ନରେ ସାମବେଦ ଯୁକ୍ତ ହୁଅନ୍ତି ବୋଲି କୁହାଯାଇଛି । ଏହି ବେଦତ୍ରୟ ଯଥାକ୍ରମେ ଭୂ ବା ଭୂଲୋକ, ଭୂବଃ ବା ଅନ୍ତରୀକ୍ଷ ଲୋକ ଓ ସ୍ଵଃ ବା ସ୍ଵର୍ଗଲୋକର ପ୍ରାପ୍ତିରେ ସହାୟକ ହୋଇଥାନ୍ତି । ତେଣୁ ଏଥି ମଧ୍ୟରୁ ଉର୍ଦ୍ଧ୍ୱତମ ଲୋକ ସ୍ୱର୍ଗ ବା ଦେବଲୋକ ପ୍ରାପ୍ତିର ଅଭିଳାଷରେ ଅପରାହ୍ନଣର ଶେଷଭାଗ ସଂଧ୍ୟାକାଳରେ ଉପାସନାର ମହତ୍ତ୍ୱ ସର୍ବଜନସ୍ଵୀକୃତ । ସୂର୍ଯ୍ୟଙ୍କର ଶକ୍ତି ଗାୟତ୍ରୀଙ୍କୁ ପ୍ରାତଃ କାଳରେ ହଂସାରୂଢ଼ା ଶ୍ଵେତପଦ୍ମାସନା ବେଦ-ଅକ୍ଷମାଳା -କମଳ-ଦଣ୍ତଧାରିଣୀ ତ୍ରିଭୁବନ-ଜନନୀ, ମଧ୍ୟାହ୍ନ କାଳରେ ବୃଷେନ୍ଦ୍ରବାହିନୀ ଜ୍ଵଳତ୍‌-ତ୍ରିଶିଖଧାରିଣୀ ଶ୍ଵେତାମ୍ବରା ଶ୍ଵେତନାଗାଭରଣା ଜଟାଧରା ଭବାନୀ ଓ ସଂଧାକାଳରେ ଖଗବାହିନୀ କୃଷ୍ଣବର୍ମା ଶଙ୍ଖ-ଚକ୍ର ଧର ବୀଣା-ଅକ୍ଷମାଳାଧାରିଣୀ କୃଷ୍ଣପୁଷ୍ପମାଲ୍ୟଭୂଷିତା ସର୍ବଜ୍ଞାନମୟୀ ସରସ୍ଵତୀରୂପେ ବର୍ଣ୍ଣନା କରାଯାଇଛି । ସୂର୍ଯ୍ୟ ମଧ୍ୟ ଉଦୟ କାଳରେ ବ୍ରହ୍ମା, ମଧ୍ୟାହ୍ନ କାଳରେ ମହେଶ୍ଵର ଓ ଅସ୍ତକାଳରେ ବିଷ୍ଣୁରୂପେ ଅଭିହିତ । (୬) ସୁତରାଂ ସନାତନ ହିନ୍ଦୁଧର୍ମର ଶ୍ରେଷ୍ଠ ଦେବତାରୂପେ ପରିଗୃହୀତ ବିଷ୍ଣୁ-ରୂପୀ ସୂର୍ଯ୍ୟ ଓ ଜ୍ଞାନପ୍ରଦା ସରସ୍ଵତୀ ରୂପିଣୀ ସୂର୍ଯ୍ୟ-ଶକ୍ତି ଗାୟତ୍ରୀଙ୍କ ଉପାସନାର ସମୟ ସଂଧ୍ୟାକାଳର ଭୂମିକା ପ୍ରତ୍ୟେକ ହିନ୍ଦୁର ଜୀବନରେ ନିଃସନ୍ଦେହରେ ମହତ୍ତ୍ୱପୂର୍ଣ୍ଣ ।

 

ଉତ୍କଳମଣି ଗୋପବନ୍ଧୁ ଥିଲେ ଜଣେ ଯଥାର୍ଥ ହିନ୍ଦୁ । ସନାତନ ହିନ୍ଦୁ ଧର୍ମର ବିଶ୍ଵତୋମୁଖ ଆଦର୍ଶ ଓ ଭାଗବତ-ଜୀବନ ଥିଲା ତାଙ୍କର ଧ୍ୟେୟ । ବାସ୍ତବ ଦୃଷ୍ଟିରେ ଜଗତ ଓ ଜୀବନର ଗତିକୁ ଲକ୍ଷ୍ୟ କରି(୭) ସେ ଉପଲବ୍‌ଧି କରିଥିଲେ ପ୍ରକୃତି ସହିତ ମାନବ-ଜୀବନର ଓତପ୍ରୋତ ସଂପର୍କକୁ-। (୮) ତେଣୁ ତାଙ୍କ ପାଇଁ କାଠଯୋଡ଼ିର ତୀର-ଭୂମି ଯେପରି ସନ୍ତାପ-ହାରକ ଥିଲା, ଦକ୍ଷିଣାମଳୟ ଥିଲା ସେହିପରି ତାଙ୍କ ଦରଦୀପ୍ରାଣର ବାର୍ତ୍ତାବହ, ପବିତ୍ର ସଂଧ୍ୟାକାଳ ମଧ୍ୟ ଥିଲା ଅନୁରୂପ ଭାବରେ ପ୍ରଭାବ-ପ୍ରସାରୀ ବା ମହତ୍ତ୍ଵପୂର୍ଣ୍ଣ । ସୀମିତ ଜୀବନ ପରିସରର ବିଭିନ୍ନ ଅବସ୍ଥାରେ ସେ ଏହି ସଂଧ୍ୟା ସମୟର ଅନୁଭୂତି, ଅଭିଭୂତି ଓ ଅନୁଚିନ୍ତାକୁ ନାନା ଭାବରେ ନାନା କବିତାରେ ପ୍ରକାଶ କରିଛନ୍ତି ।

 

ତରୁଣ ବୟସରେ ଗୋପବନ୍ଧୁ କଟକର ରେଭେନ୍‌ସା କଲେଜରେ ଅଧ୍ୟୟନ କରୁଥିଲେ । ସେତେବେଳେ ରେଭେନ୍‌ସା କଲେଜିଏଟ୍‌ ସ୍କୁଲରେ ହିଁ କଲେଜ ଚାଲୁଥିଲା । ଦରଦୀ-ପ୍ରାଣ ଗୋପବନ୍ଧୁ ଯେତେବେଳେ ପ୍ରବଞ୍ଚନାମୟ ସଂସାରର କଷାଘାତରେ ମର୍ମପୀଡ଼ାରେ ଜର୍ଜରିତ ବୋଧ କରୁଥିଲେ, ସେତେବେଳେ ଚାଲି ଯାଉଥିଲେ ଅଦୂର-ବାହିନୀ କାଠଯୋଡ଼ିର ତଟ- ଦେଶରେ ନିଭୃତ-ବିଚରଣ କରି ସେହି ମାନସିକଯାତନାର ଉପଶମ କରିବାକୁ । (୯)

 

ବିବିଧ ସ୍ଵର୍ଗୀୟ ଚିନ୍ତା ନାନା ପ୍ରିୟ ଭାବ

କଳୁଷିତ ହୃଦେ ମୋର କରାଉ ଉଦ୍ଭବ ।

-ପୂର୍ବୋକ୍ତ, ପୃ.୩୫ ।

 

୬.

ଉଦୟେ ବ୍ରହ୍ମଣୋପେତଂ ମଧ୍ୟାହ୍ନେ ତୁ ମହେଶ୍ୱରଃ । ଅସ୍ତକାଳେ ଉବେତ୍‌ବିଷ୍ଣୁଃ ତ୍ରିମୂର୍ତ୍ତିଶ୍ଚ ଦିବାକରଃ ॥ (ଆଦିତ୍ୟ ହୃଦୟ ସ୍ତୋତ୍ରମ୍‌)

୭.

ଦେଖେ ମୁଁ ଜୀବନଗତି ବାସ୍ତବ ନୟନେ । -କାରାରେ ଜଣେ ବନ୍ଧୁଙ୍କ ବିୟୋଗବାର୍ତ୍ତା ଶୁଣିବା ପରେ’ -କାରା କବିତା, ପୃ -୪୨

୮.

ଜାଣିଲି ମାନବ-ହୃଦ ସଙ୍ଗେ ଆଦିକନ୍ଦ । ସୃଜିଛନ୍ତି ପ୍ରକୃତିର ବିଚିତ୍ର ସମ୍ବନ୍ଧ - ‘କାଠଯୋଡ଼ି ତୀରେ ଚନ୍ଦ୍ରାଲୋକ ନୀଶୀଥ’’, ଅବକାଶ ଚିନ୍ତା', ଗୋପବନ୍ଧୁ ରଚନାବଳୀ ପ୍ରଥମ ଭାଗ, ପୃ-୩୬ ।

୯.

ସଂସାରର ଲଜ୍ଜା ଘୃଣା ପ୍ରବଞ୍ଚନା ଜାଳେ ପ୍ରପୀଡ଼ିତ ହୁଏ ମୋର ମାନସ ଯେ କାଳେ, ନିଭୃତେ ତୋ ତୀରେ ଆସି କରେ ବିଚରଣ । କି ମୋହନ ମନ୍ତ୍ରେ କରୁ ସକଳ ହରଣ ।

 

କାଠଯୋଡ଼ିତୀରରେ ଯାପିତ ସଂଧ୍ୟାର ଦୁଇଟି ଚିତ୍ର ‘ଅବକାଶ ଚିନ୍ତା’ ସଂକଳନରେ ସ୍ଥାନିତ ଦୁଇଟି କବିତା - ‘‘କାଠଯୋଡ଼ି ତୀରେ ସାୟଂକାଳ (୧) ‘ଓ ‘କାଠଯୋଡ଼ି ତୀରେ ସାୟଂକାଳ(୨)’ କବି-ପ୍ରାଣର ସାବଲୀଳ ଅଥଚ ଭାବମୟ ରୂପାୟନ । ବାରୁଣୀ ଦିଗନ୍ତରେ ଅସ୍ତମିତ ରବିଙ୍କର ରକ୍ତରାଗ, ମଧୁର ମୃଦୁଳ ସୁଗନ୍ଧ ପବନରେ ବିହ୍ୱଳ ଅନ୍ତରରୁ ଝରି ପଡ଼ିଛି ଭାବୁକତାର ଝର-

 

‘‘ଅଦୂରେ ଶ୍ୟାମଳ ଶଇଳେ ଆହା କି ଶୋଭାଯୁକ୍ତ !

ପ୍ରକୃତି ଦେବୀ କି କରିଛି ନଦୀ ଚାରୁ ସୀମନ୍ତ ।’’

ସୀମନ୍ତ ମଧ୍ୟରେ ସିନ୍ଦୂର-ବିନ୍ଦୁ ସମ ବର୍ତ୍ତୁଳ

ଅସ୍ତମିତ ରବି-ମଣ୍ଡଳ ଦିଶେ କେଡ଼େ ମଞ୍ଜୁଳ ।

ନିଶି ଆଗମନେ ରସିକା ରୂପବତୀ ପରାୟେ

ଦିବ୍ୟ ବେଶ ସାଜି ତଟିନୀ ସିନ୍ଧୁ ସଙ୍ଗମେ ଯାଏ । (୧୦)

 

୧୦.

‘କାଠଯୋଡ଼ି ତୀରେ ସାୟଂକାଳ (୧) ଅବକାଶ ଚିନ୍ତା, ଗୋପବନ୍ଧୁ ରଚନା ବଳୀ, ପ୍ରଥମ ଭାଗ, ପୃ. ୩୦ ।

 

ତେବେ ଗୋପବନ୍ଧୁ କେବଳ ଭାବପ୍ରବଣ କବି ମାତ୍ର ନ ଥିଲେ; ଥିଲେ ମଧ୍ୟ ଜଣେ ଉଚ୍ଚ ମାନର ଦାର୍ଶନିକ । ନଦୀ -ତୀରର ସୁନ୍ଦର ସୂର୍ଯ୍ୟାସ୍ତ ତେଣୁ କେବଳ ତାଙ୍କର ସୌନ୍ଦର୍ଯ୍ୟ-ଚେତନାକୁ ମୁଗ୍ଧ କରି ନାହିଁ । ବରଂ ସେ ସମୟର ଦୃଶ୍ୟ ଦେଖୁ ଦେଖୁ ଭାବ-ଜଗତରେ ତାଙ୍କର ହୋଇଛି ଅଧିକତର ମହତ୍ତ୍ୱପୂର୍ଣ୍ଣ ଉପଲବ୍‌ଧି । ସାୟଂକାଳର ଗମ୍ଭୀର ପରିବେଶରେ କାଠଯୋଡ଼ିର ପ୍ରବାହରେ ନୌକା-ଚାଳନର ଆୟାସ ଲକ୍ଷ୍ୟ କରି ଭବ-ସିନ୍ଧୁ ପାର ହେବାର ବିଷମ କ୍ଳେଶର କଥା ତାଙ୍କ ମନକୁ ଆସିଛି । ସେହି ବିଷମସାଗର ପାର ହେବା ପାଇଁ ମନୁଷ୍ୟ କି ଉପାୟ କରିବା ଆବଶ୍ୟକ, ତା’ର ସୂଚନା ମଧ୍ୟ ସେ ଦେଇଛନ୍ତି-

 

“ନୈତିକ ସାହସେ ହୋଇଣ ସାହସୀ

କର୍ତ୍ତବ୍ୟ-ରୂପିଣୀ ତରୀ ପରେ ବସି ।

ବିବେକ-ଆହୁଲା ଅବିରତେ ମାର

ହେବ ଯେବେ ଭବ-ମହାସିନ୍ଧୁ ପାର ।’’ (୧୧)

 

୧୧.

‘କାଠଯୋଡ଼ି ତୀରେ ସାୟଂକାଳ (୨)’ , ଅବକାଶ ଚିନ୍ତା, ଗୋବନ୍ଧୁ ରଚନାବଳୀ, ପ୍ରଥମ ଭାଗ, ପୃ. ୨୭

 

ଅସ୍ତାୟମାନ ସୂର୍ଯ୍ୟଙ୍କର କନକପ୍ରଭ କିରଣରେ ରଞ୍ଜିତ ମେଘ-ଖଣ୍ଡର ସୌନ୍ଦର୍ଯ୍ୟ ଅତୀବ ମନୋମୁଗ୍ଧକର । ସତେ ଅବା କେଉଁ ଅଦୃଶ୍ୟ ଶିଳ୍ପୀର ତୁଳିକା ଛବିଟିଏ ଆଙ୍କି ତା’ର ଧାର ଧାରେ ବୋଳି ଦେଇଥାଏ ସୁବର୍ଣ୍ଣର ରାଗ । ସେ ଦୃଶ୍ୟକୁ ଅନେକେ ଦେଖି ନ ଦେଖିଲା ପରି ଭୁଲିଯାଆନ୍ତି; ହୁଏ ତ ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ମାତ୍ର ଗୋପବନ୍ଧୁଙ୍କ ଭାବୁକପ୍ରାଣ ଆଚାର୍ଯ୍ୟ ଶଙ୍କରଙ୍କ ସ୍ଵର (୧୨)ର ଅନୁସରଣ କଲା ପରି ଗାଇ ଉଠିଛି-

 

୧୨.

‘କ୍ଷଣମିହ ସଜ୍ଜନ ସଙ୍ଗତିରେକା ଭବତିଭବାର୍ଣ୍ଣ ବତରଣେ ନୌକା ।.

-ମୋହ ମୁଦ୍‌ଗର, ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ, ପୃ. ୧

 

ମହତ ଜନର ଲାଗି ଅଙ୍ଗଛାୟା

ପବିତ୍ର ହୁଅଇ କ୍ଷୁଦ୍ର ପ୍ରାଣୀ କାୟା ।

କ୍ଷଣ ମାତ୍ର ହେଲେ ସଜ୍ଜନ-ସଙ୍ଗତି

ତୁଟେ ସିନା ସତେ ସଂସାର ଦୁର୍ଗତି ।

 

ସେଦିନର ଛାତ୍ର ଗୋପବନ୍ଧୁ ସମୟକ୍ରମେ ଆଇନ-ଶିକ୍ଷା ସମାପ୍ତ କରି କର୍ମ-କ୍ଷେତ୍ରରେ ପ୍ରବେଶ କଲେ । ମାତ୍ର ଆଇନ-ଜୀବୀର ଜୀବନ ଓ କର୍ମର ଧାରା ତାଙ୍କୁ ସୁହାଇଲା ନାହିଁ । ଛାତ୍ର-ଜୀବନରେ ହିତାକାଙ୍‌କ୍ଷୀ ଅଭିଭାବକ ମୁକ୍ତାର ରାମଚନ୍ଦ୍ର ଦାଶଙ୍କ ଜିଜ୍ଞାସାର ଉତ୍ତରରେ ଗୋପବନ୍ଧୁଙ୍କ ସହାଧ୍ୟାୟୀମାନେ ଶିକ୍ଷା-ସମାପ୍ତି ପରେ ଧନ-ମାନ, ପଦ-ଗୌରବ ଅଧିକାର ସମ୍ବନ୍ଧୀୟ ଆକାଙ୍‌କ୍ଷା ପ୍ରକାଶ କରିଥିଲାବେଳେ ଗୋପବନ୍ଧୁ ଦେଶ-ସେବାର ବ୍ରତ ଗ୍ରହଣ କରିବାର ସଂକଳ୍ପ ନେଇଥିଲେ, ସେହି ସଂକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଓକିଲାତିର ତାରଣ-ମାରଣ ବୃତ୍ତି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ । ସେତେବେଳେ ରାଜନୀତିର ଅନ୍ୟ ନାମ ଥିଲା ଦେଶସେବା ।

 

ରାଜନୀତିର ବନ୍ଧୁର ପଥରେ ଗତି କରି ତାଙ୍କୁ ବହୁବାର ପୀଡ଼ା ସହିବାକୁ ହୋଇଥିଲା । ପରମପ୍ରିୟ ସ୍ଵପ୍ନ-ପୀଠ ବକୁଳ-ଛୁରିଅନା ବେଷ୍ଠିତ ବନ-ବିଦ୍ୟାଳୟର ମଧୁର ପରିବେଶ, ଚିରଧ୍ୟେୟ ଦୀନ-ଦୁଃଖୀ ସ୍ଵଦେଶବାସୀଙ୍କର ସେବାର ଆନନ୍ଦରୁ ବଞ୍ଚିତ ହୋଇ ତାଙ୍କୁ କାରାବାସର ଯାତନା ଭୋଗିବାକୁ ପଡ଼ିଥିଲା ବହୁବାର-ନିଜ ଦେଶ ଓ ଜାତିକୁ ଭଲ ପାଇବା ଓ ତା’ର ଭଲ ଚାହିଁବାର ଅପରାଧରେ । ତେବେ ଗାନ୍ଧୀ ଓ ନେହେରୁଙ୍କ ପରି ସେ ମଧ୍ୟ କାରା-କକ୍ଷରେ କଲମର କସରତ କରିବାରେ ହିଁ ଆନନ୍ଦ ପାଉଥିଲେ । ଅଧିକନ୍ତୁ ସେ ଥିଲେ କବି । ତେଣୁ ତାଙ୍କ ଦରଦୀ ମରମର ଭାବ ଝରି ପଡ଼ୁଥିଲା କବିତାର ଛଳଛଳ ତରଳ ଭାଷାରେ । ଗୋଧୂଳି ଲଗ୍ନରେ ପ୍ରାଚୀ ଦିଗର ଭାଲ-ଦେଶରେ ପ୍ରଦୋଷର ପ୍ରଥମ ତାରା ଜ୍ୟୋତିର ସ୍ପର୍ଶ ଦେଲା ମାତ୍ରେ ଚେଇଁ ଉଠେ ତାଙ୍କର ଚେତନା, ସଜାଗ ହୋଇଉଠେ ତାଙ୍କର ସ୍କୃତି । କାହିଁ କେଉଁ ଅମାପ ଦୂରତାରୁ ମିଟି ମିଟି ଚାହୁଁଥିବା ତାରାଟି ସତେ ଅବା କାନ୍ଥ ଆର ପାଖରେ ଲୁଚି କୌତୁହଳରେ ଉଙ୍କି ମାରୁଥିଲା ପରି ଲାଗେ । ସେଥିସହିତ କାରା-ରୁଦ୍ଧ ଗୋପବନ୍ଧୁଙ୍କ କବି-ହୃଦୟର ନୀଳାର୍ଣ୍ଣବରେ ଅସୁମାରି ଦୃଶ୍ୟର ଫେନିଳ ତରଙ୍ଗ ଉଠି ମଥା ପିଟେ ସ୍କୃତି-ତାରକିତ ବେଳା-ଭୂମିରେ । ପ୍ରଖ୍ୟାତ ଇଂରେଜ କବି Samuel Tayler Coleridge ଙ୍କ ସୈନ୍ଧବ ସଂଧ୍ୟାର ଅଭିଭୂତ ଚିତ୍ରାୟନ (୧୩) ପରି ତାଙ୍କର ମାନସ-ଚକ୍ଷୁରେ ଭାସି ଉଠେ ସାୟଂତନ ସମୁଦ୍ରର ଫେନିଳ ଉଦ୍‌ବେଳନ, ଚକ୍ରବାଳ ମୂଳ ଯାଏ ବିସ୍ତାରିତ ସୁନୀଳ ନଭୋବିତାନ ଓ ଦୂର ତୀରଭୂମିର ଶ୍ୟାମଳ ପାଦପରାଜି । ଦିନ ଢଳି ଯାଉଥିବାର ଦେଖି ମାଛ ଧରି ଫେରି ଆସୁଥିବା ନୋଳିଆର ମମତା -ମୁଖର ପାରିବାରିକ ଜୀବନର ଆଭାସ ସ୍ନେହୀ ହୃଦୟକୁ ଆର୍ଦ୍ର କରି ପକାଏ-

 

‘‘ପଢ଼ଉରେ ମାଛ ଘେନି ନୋଳିଆ ଲେଉଟି ଆସେ ।

କୂଳେ ତା’ ପିଲାଏ ଚାହିଁ ଗୀତ ଗା’ନ୍ତି ଅଟ୍ଟହାସେ ।

ପାଣିକି ଡିଅଁନ୍ତି କେତେ ଭାଙ୍ଗିବେ ଲହଡ଼ି ସାତ ।

ପାଛୋଟି ଆଣିବେ କୂଳେ ଧରି ଯେଝା ବାପ ହାତ ।’’

 

୧୩.

The Sun’s rim dips; the stars rush out, At one stride comes the dark;

with far-heard whisper,‘er the sea,

Off shot the spectre-bark.

-S.T. Coleridge, The Rhyme Ancient Marimer, Part .III.

 

ମଣିଷ ତ ମଣିଷ, ମାନବେତର ପଶୁ-ପକ୍ଷୀ, ବଣ-ପାହାଡ଼ର ଦୃଶ୍ୟ ମଧ୍ୟ ସେ ସଜଳ ସ୍କୃତିରୁ ବାଦ୍‌ ପଡ଼ି ନାହିଁ । ସାମୁଦ୍ରିକ ଆକାଶରେ ଧାଡ଼ି ଧାଡ଼ି ପକ୍ଷୀଙ୍କର ନୀଡ଼-ବାହୁଡ଼ାର ଉନ୍ମୁଖ ଦୃଶ୍ୟ, ସେ ଭିତରେ ପୁଣି ଦଳଛଡ଼ା ଏକାକୀ ପକ୍ଷୀର ଫେରା କବିଲେଖନୀରେ ମନଛୁଆଁ ହୋଇଛି-

 

‘‘ଦଳ ଛାଡ଼ି ଏ ପକ୍ଷୀଟି ଥିଲା ପରା ପଥ ହୁଡ଼ି ।

ବସା ଖୋଜି କେଡ଼େ ବେଗେ ଏକାକୀ ଯାଉଛି ଉଡ଼ି ।

ହେବ ପରା ଏହା ବସା କିନ୍ନରୀ ପାହାଡ଼ ଚୂଳେ ।

ବିତାଇବ ତହିଁ ରାତି ସ୍ଵଚ୍ଛନ୍ଦେ ଶାବକ ତୁଲେ ।’’

 

ଜନ୍ମମାଟିଠାରୁ ଦୂରରେ-ସୁଦୂର କାରାରେ ଥାଇ ସୁଦ୍ଧା ସାଂଧ୍ୟ ପରିବେଶର ପ୍ରଭାବ ତାଙ୍କ ମନରେ ପ୍ରିୟ ପରିଚିତ ଗୁପ୍ତ-ବୃନ୍ଦାବନ, ବରୁଣୀପାହାଡ଼ ଓ ପୁରୁଣାନଅର ସମେତ ନୀଳାଚଳର ସ୍ମୃତି-ସିକ୍ତ କଳ୍ପନାର ଛାୟା-ଛବି ଆଙ୍କି ଦେଇଛି । (୧୪) ବେଣୁ-ବାଦନରତ ଗାଈଆଳ ପିଲା ଗୋଠବା ହୁଡ଼ାଇ ଆଣିବା, ବେପାରୀଏ ହାଟ କାମ ସାରି ଭଞ୍ଜ ଚଉପଦୀ ଗାଇ ଗାଇ ଘରକୁ ଫେରିବା, ଗାଁ କୁମାରୀଏ ଗ୍ରାମଦେବତୀଙ୍କ ନିକଟରେ ଦୀପ ଜାଳି ହସ-ଖେଳ, କଳି-ଗୋଳ କରି କରି ଘରକୁ ଫେରିବା, କାଖରେ କଅଁଳ ପିଲା ଧରି ନବ-ଯୁବତୀ ଭାଇ ସାଙ୍ଗରେ ଶାଶୂ-ଘରକୁ ଯିବା ଆଦି ଦୈନନ୍ଦିନ ନଗଣ୍ୟ ଦୃଶ୍ୟ ମଧ୍ୟ କବିଙ୍କ ସ୍ମୃତିରୁ ବାଦ୍‌ ଯାଇ ନାହିଁ । (୧୫)

 

୧୪.

ପଣ୍ଡିତ ଗୋପବନ୍ଧୁ ଦାସ - “ବନ୍ଦୀର ସଂଧ୍ୟାଭାବନା , କାରାକବିତା, ପୃ. ୩୮ -୩୯ ।

୧୫.

ପଣ୍ଡିତ ଗୋପବନ୍ଧୁ ଦାସ-“ବନ୍ଦୀର ସ୍ୱଦେଶ ଚିନ୍ତା, ପୂବୌକ୍ତ, ପୃ. ୨୦ ।

 

ଗୋପବନ୍ଧୁଙ୍କ ସାଂଧ୍ୟ ଅନୁଚିନ୍ତାର ଏକ ସମୁଜ୍ଜ୍ୱଳ ରୂପାୟନ ‘ବନ୍ଦୀର ସାଂଧ୍ୟଉକ୍ତି’ । ସଂଧ୍ୟା କବି-ଦୃଷ୍ଟିରେ କେବଳ ପୃଥିବୀର ଆବର୍ତ୍ତନ ଜନିତ ଏକ ନିତ୍ୟ-ନୈମିତ୍ତିକ ପରିବର୍ତ୍ତନର ବ୍ୟାପାର ନୁହେଁ; ଏ ଏକ ପବିତ୍ର ଅବସର । ସତ୍ୟ ଓ ସ୍ଵାଧୀନତା ଲାଗି ନିର୍ଭୀକ ସଂଗ୍ରାମ କରି ଯେଉଁମାନେ ରାଜ-ଦଣ୍ଡରେ ଦଣ୍ଡିତ ହୋଇଥା’ନ୍ତି, କାରା-କକ୍ଷର କୁତ୍ସିତ ଜୀବନକୁ ବରଣ କରି ନେଇଥା’ନ୍ତି, ଏ ପୁନିତ ଲଗ୍ନ ବିଶେଷତଃ ସେହିମାନଙ୍କ ପାଇଁ ବିହିତ ବୋଲି ସେ ମନେ କରିଛନ୍ତି । ଏହାର ସାକ୍ଷୀ ଇତିହାସ । ଏହିପରି ଏକ ପୁଣ୍ୟ ଅବକାଶରେ ଆତତାୟୀର ଗୁଳି-ଚୋଟରେ ଟଳି ପଡ଼ିଥିଲେ ଭାରତର ମହାନ୍‌ ଜନ-ନେତା ଜାତିର ପିତା ମହାତ୍ମା ଗାନ୍ଧି । ଏହିପରି ଏକ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଥିଲା ମନୀଷୀ ସକ୍ରେଟିସ୍‌ଙ୍କର ମହାପ୍ରୟାଣ ପାଇଁ । ଜୀବନ ଓ ଜଗତର ନିଚ୍ଛକ ସତ୍ୟକୁ ଅନ୍ତର୍ଲୋକରେ ଉପଲବ୍‌ଧି କରି ବହିର୍ଜଗତରେ ଉପସ୍ଥାପିତ କରିଥିବା ମହାମନୀଷୀ ଓ ସକ୍ରେଟିସ୍‌ ପ୍ରାଣ-ଭୟରେ ତଥାକଥିତ ଧର୍ମଧ୍ଵଜୀ ଓ ରାଜଶକ୍ତିଙ୍କ ନିକଟରେ ମଥା ନୁଆଇଁ ନଥିଲେ । ବରଂ ସତ୍ୟର କଣ୍ଠ-ରୋଧ କରିବାର ଅପ-ପ୍ରୟାସ ତାଙ୍କ ମୃତ୍ୟୁ-ଦଣ୍ଡକୁ ନିର୍ବିରୋଧରେ ଗ୍ରହଣ କରି ନେଇଥିଲେ । ସୂର୍ଯ୍ୟାସ୍ତର ଲଗ୍ନକୁ ସ୍ଥିର କରା ଯାଇଥଲା ତାଙ୍କ ଜୀବନର ଅସ୍ତ-ଲଗ୍ନ ରୂପେ । ଜୀବନର ମୋହ, ପଛରେ ଛାଡ଼ି ଯାଉଥିବା ସଂସାରର ମମତା, ଆଉ କିଛି କାଳ ଅପେକ୍ଷା କରିବା ପାଇଁ ଶିଷ୍ୟମାନଙ୍କର ସବିନୟ ଅନୁରୋଧ ସବୁ କିଛିକୁ ଉପେକ୍ଷା କରି ନିଜ ହାତରେ ନିଜେ ନିଃସଙ୍କୋଚରେ ବିଷ ପାନ କରିଥିଲେ ଅମୃତର ସନ୍ଧାନୀ ସକ୍ରେଟିସ୍‌ । ଆତ୍ମାର ଅମରତ୍ୱର ତତ୍ତ୍ୱ ପ୍ରଚାର କରିଥିବା ଧର୍ମବୀର ସକ୍ରେଟିସ୍‌ଙ୍କର ଅମର ଆତ୍ମା ମର୍ତ୍ତ୍ୟର ମର ଶରୀରର ବନ୍ଧନ ଛିଣ୍ଡାଇ ଚାଲିଗଲା ମୁହୂର୍ତ୍ତକ ମଧ୍ୟରେ । ସଂସାର ଚିର କାଳ ଲାଗି ହରାଇଲା ଜଣେ ସୁମହାନ୍‌ ଦିଗ୍‌ଦର୍ଶକଙ୍କୁ । ମାନବତାର ଏ ନିଦାରୁଣ ନିଗ୍ରହରେ ଆଥେନ୍‌ସର ଆକାଶରେ ଅସ୍ତମିତ ସୂର୍ଯ୍ୟ ବୁଣି ଦେଇଥିଲେ ବେଦନା-ବିଧୂର ବ୍ୟାଜ-ହାସ୍ୟର କ୍ରମ-ବିଲୀୟମାନ ଲାଲିମା । ଚାହୁଁ ଚାହୁଁ ଚତୁର୍ଦ୍ଦିଗ ଆଚ୍ଛନ୍ନ ହୋଇ ଯାଇଥିଲା ବିଷାଦର ଅନ୍ଧକାରରେ । (୧୬)

 

ମାତ୍ର ଏ ଅନ୍ଧକାର ତ ଚିରନ୍ତନ ନୁହେଁ । ମାନବ-ସଭ୍ୟତାର ଇତିହାସରେ ଏ ଅନ୍ଧକାର ବାରମ୍ବାର ଆମନ୍ତ୍ରିତ ହୋଇଥିଲେ ହେଁ ପ୍ରତିଷ୍ଠିତ ହୋଇ ପାରିନାହିଁ । ନିତିପ୍ରତି ନଭୋବିହାର କରୁଥିବା ଗ୍ରହରାଜ ସୂର୍ଯ୍ୟ ତା’ର ସାକ୍ଷୀ । ପ୍ରତ୍ୟହର ସାୟଂତନ ସୂର୍ଯ୍ୟାସ୍ତ ପରବର୍ତ୍ତୀ ସୂର୍ଯ୍ୟୋଦୟର ଆୟୋଜନ ଛଡ଼ା କିଛି ନୁହେ; ପଶ୍ଚିମରେ ଲୁଚି ଯାଉଥିବା ସୂର୍ଯ୍ୟ ସତେ ଅବା ଲୋକ-ଲୋଚନର ଅନ୍ତରାଳରେ ପୂର୍ବରେ ଥିବା ତାଙ୍କର ଅନ୍ୟ ଆବାସ ଅଭିମୁଖରେ ହିଁ ଚାଲିଯା’ନ୍ତି । (୧୭) ମାନବତାର ଇତିହାସରେ ସତ୍ୟ- ସୂର୍ଯ୍ୟର ଉଦୟାସ୍ତ ଓ ଅସ୍ତୋଦୟ ମଧ୍ୟ ଅନୁରୂପ କ୍ରମରେ ଘଟିଥାଏ । ସଭ୍ୟତା-ବିକାଶର ଆବହମାନ କାଳରୁ ଅଦ୍ୟାବଧି କେତେବାର ଯେ ଶାନ୍ତି ଓ ସୁଶାସନ ପ୍ରତିଷ୍ଠା ନାମରେ ସତ୍ୟସନ୍ଧ, ସ୍ଵାଧୀନଚେତା ମହାତ୍ମାମାନଙ୍କୁ ପାଶବିକ ଅତ୍ୟାଚାର, ମର୍ମନ୍ତୁଦ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଛି, ସତ୍ୟ ଓ ସ୍ଵାଧୀନତା -ଲିପ୍ସାର ମସ୍ତକ ବିଚୂର୍ଣ୍ଣିତ କରିବା ପାଇଁ କେତେ ସତ୍‌ସ୍ଵଭାବ ସାଧୁପୁରୁଷଙ୍କୁ ଯେ ନିର୍ମମ ଭାବରେ ହତ୍ୟା କରାଯାଇଛି, ତା’ର ଇୟତ୍ତା ନାହିଁ । ମାତ୍ର ପରିଣାମରେ ସତ୍ୟ ଓ ସ୍ୱାଧୀନତାର ବିଜୟ- ନିଶାଣ ହିଁ ଫରଫର ଉଡ଼ିଛି-ସଗର୍ବ । ଅତ୍ୟାଚାରୀ ରାଜନ୍ୟଗୋଷ୍ଠୀର ତିରସ୍କାର ଓ ସତ୍ୟ-ସ୍ଵାଧୀନତାକାଙ୍‌କ୍ଷା ସଦାଶୟବର୍ଗର ବିଜୟ-ଡିଣ୍ଡିମ-ବାଦନରେ ମୁଖରିତ ହୋଇଛି ଇତିହାସର ପ୍ରତିଟି ଛତ୍ର । ସତ୍ୟର ଏହି ଅବିନଶ୍ୱରତା ପ୍ରତିପାଦନରେ ଗୋପ ସାହିତ୍ୟ ମୁଖରିତ । (୧୮)

 

୧୬.

ଆତ୍ମାର ଅମର ତତ୍ତ୍ୱ ପ୍ରଚାରି ଲୋକରେ

ସତ୍ୟସନ୍ଧ ସକ୍ରେଟିସ ଯେବେ ଅକାତରେ

ପାଷଣ୍ଡ ଶାସନଦଣ୍ଡେ ଦେଖାଇଲେ ଶିର

ମୁଖେ ଯେବେ ବିଷ-ପାତ୍ର ଲଗାଇଲେ ବୀର

 

ଆଥେନସ୍‌ ଆକାଶେ ଏହି ଅସ୍ତମିତ ରବି

ଦେଖାଇଲା ହାସ୍ୟଭାସେ ନିରାନନ୍ଦ ଛବି ।

ଗଲା ସେ ଅମର ଆତ୍ମା ଛାଡ଼ି ନିଜ କାୟା

ଆଚ୍ଛାଦିଲା ଚଉଦିଗେ ବିଷାଦର ଛାୟା

-ପଣ୍ଡିତ ଗୋପବନ୍ଧୁ ଦାସ - ‘ବନ୍ଦୀର ସାନ୍ଧ୍ୟ ଉକ୍ତି, କାରାକବିତା, ପୃ-୧୭

 

୧୭.

And the slope Sun his upward beam

Shoots agains the dusky pale.

Poeing toward the other goal

Of his chamber in the east,

John Milton.Comus.

 

୧୮.

(କ) ସତ୍ୟେ ମାନବର ସତ୍ୱ ପରକାଶେ ।

ଭୀମ ରାଜଶକ୍ତି ନାଶେ ସତ୍ୟ ପାଶେ ।

-ପଂ, ଗୋପବନ୍ଧୁ ଦାସ-ବନ୍ଦୀର ଆତ୍ମକଥା, ପୃ. ୩୦

 

(ଖ) ଉଡ଼ିଅଛି ଅବଶେଷେ ସତ୍ୟର ନିଶାଣ,

ବାଜିଅଛି ସ୍ୱାଧୀନତା ବିଜୟ-ବିଷାଣ ।

ହୋଇଅଛି ରାଜଶକ୍ତି ଲୀନ କାଳଗ୍ରାସେ,

ପାଉଅଛି ଅପଯଶ ଭାବୀ ଇତିହାସେ ।

-ପଂ. ଗୋପବନ୍ଧୁ ଦାସ-ବନ୍ଦୀର ସାଂଧ୍ୟ ଉକ୍ତି”, କାରାକାବିତା, ପୃ.୧୮ ।

 

ମାତ୍ର ଗୋପ-ମାନସ ନିଛକ ବିପ୍ଳବର ଉଦ୍‌ଗାତା ମାତ୍ର ନୁହେଁ; ଆଧ୍ୟାତ୍ମ-ଭାବ-ଭାବନାରେ ପରିପ୍ଳାବିତ ବିଭୂପ୍ରାଣତାର ହୋତା ମଧ୍ୟ । ତାଙ୍କର ଜୀବନ ଓ ସାହିତ୍ୟ ଗଭୀର ଈଶ୍ଵର-ବିଶ୍ଵାସ ଓ ଅବିଚଳ ଭକ୍ତି ଭାବରେ ପରିପୂର୍ଣ୍ଣ । ସଂଧ୍ୟାର ପାବନ ସମୟ, ଯାହା ପ୍ରତ୍ୟେକ ଧର୍ମରେ ଈଶୋପାସନା ପାଇଁ ନିର୍ଦ୍ଦିଷ୍ଟ ହୋଇଛି, ସେ ସମୟରେ କବି ଗୋପବନ୍ଧୁଙ୍କ ନୈଷ୍ଠିକ ଅନ୍ତର ଭାବଗ୍ରାହୀଙ୍କ ପ୍ରତି ଭକ୍ତି ଭାବରେ ଉଚ୍ଛଳ ହୋଇ ଉଠୁଥିବା ସ୍ଵାଭାବିକ । କାରା-ରୁଦ୍ଧ ଗୋପବନ୍ଧୁଙ୍କ ମାନସ-ଚକ୍ଷୁରେ ସଂଧ୍ୟା ହେଲେ ହିଁ ଉଦ୍ଭାସି ଉଠୁଥିଲା ନୀଳାଚଳ ଧାମର ସଂଧ୍ୟା- ଆରତୀର ଦୃଶ୍ୟ, କର୍ଣ୍ଣ-କୁହରରେ ଅନୁରଣିତ ହେଉଥିଲା ଶ୍ରୀମନ୍ଦିରର ଘଣ୍ଟା-ଭେରୀ-ତୂରୀର ନାଦ, ଉପସ୍ଥିତ ଭକ୍ତମାନଙ୍କର ସ୍ତୃତି ଓ ସଂକୀର୍ତ୍ତନର ସ୍ଵର, ଗାଁ ଭାଗବତ ଘରେ ଉଚ୍ଚ କଣ୍ଠରେ ଗୀତ ହେଉଥିବା ଭାଗବତର ଅମିୟ ପଦାବଳୀ ବନ୍ଦୀ-ଗୃହର ପ୍ରତିକୂଳ ପରିବେଶରେ ମଧ୍ୟ ସାଂଧ୍ୟ ଉପାସନା କରିବାକୁ ସେ ଭୁଲୁ ନ ଥିଲେ । ତାଙ୍କ ବିଚାରରେ-

 

‘‘ପୂରି ରହିଛନ୍ତି ପ୍ରଭୂ ସର୍ବଭୂତେ ସର୍ବସ୍ଥାନେ ।

ପାଇବି ପରାଣେ ଶାନ୍ତି ତାଙ୍କ ପାଦ-ପଦ୍ମ-ଧ୍ୟାନେ ।

ବଜାଇବି ହୃଦେ ଘଣ୍ଟା ଅନ୍ତରେ ପ୍ରଦୀପ ଜାଳି

ଆରତି ରଚିବି ଏଥି ପଦେ ପ୍ରେମ-ପୁଷ୍ପ ଢାଳି ।’’

 

ସଂଧ୍ୟାର ପୁନିତ ଲଗ୍ନରେ ବିଶ୍ଵ-ବିଖ୍ୟାତ ଇଂରେଜ କବି ଓ୍ୱାଡ଼ସ୍‌ୱର୍ଥ ମଧ୍ୟ ଆପଣାର ଅଭ୍ୟନ୍ତରରେ ଈଶୋପାସନା ରଚିବାର ଅନୁରୂପ ଉପଲବ୍‌ଧି କରିଥିଲେ-

 

“And worshipp’st at the Temple’s inner shrime,

God being within when we know it not.”

(William Wordsworth-It is a Beautious Evening)

 

ଦୁଃଖ-କ୍ଲିଷ୍ଟ ଯନ୍ତ୍ରଣା-ପିଷ୍ଟ ଜୀବନର ନିବିଡ଼ ତମସା ମଧ୍ୟରେ ସେହି ଏକା କବି-ଜୀବନର ଦିଗ୍‌-ନିର୍ଦ୍ଦେଶକ ‘ଧ୍ରୁବତାରା’ ସେହିଁ ସଖା, ସେ ହିଁ ସୋଦର, ସେହିଁ ତ ସ୍ଵାମୀ । ତାଙ୍କରି ପଦାରବିନ୍ଦରେ ଆତ୍ମ-ସମର୍ପଣ ହିଁ ଦୁଃସହ କାରାବାସରେ ସୁଦ୍ଧା କବି-ପ୍ରାଣକୁ ତୀର୍ଥ-ବାସର ପବିତ୍ର ଅନୁଭୂତିରେ ସିକ୍ତ କରେ । (୧୯)

 

୧୯.

ଫ. ଗୋପବନ୍ଧୁ ଦାସ- ‘ବନ୍ଦୀର ସଂଧ୍ୟା ଭାବନା’, କାରାକବିତା, ପୃ. ୫୦

‘ସଂଧ୍ୟା’ ବିଶ୍ୱ-ବିଧାତାଙ୍କର ଏକ ମହିମାମୟ ସୃଷ୍ଟି ।

 

ଏ ସମୟ ଯୁଗପତ୍‌ ମଧୁର ଓ ବିଧୂର, ବିଚିତ୍ର ଓ ପବିତ୍ର ଅନୁଭୂତିରେ ଅନ୍ତରକୁ ଅଭିଭୂତ କରେ । ଦିନନାଥଙ୍କ ଦିନାନ୍ତର ରକ୍ତ-ରଶ୍ମିରେ ବିଚର୍ଚ୍ଚିତ ଆସନ୍ନ ନୈଶ ଶୀତଳତାର ସ୍ପର୍ଶରେ ସ୍ନିଗ୍ଧ ଏ ସମୟ, ଦିବା-ରାତ୍ରର ନିରୁପମ ଏ ସନ୍ଧି-ଲଗ୍ନ ପରମ ଶୋଭାଶାଳିତାରେ, ଦିବ୍ୟାନୁଭବର ଶୁଦ୍ଧ ସ୍ୱର୍ଗୀୟତାରେ ଅତ୍ୟନ୍ତ ପ୍ରଭାବଶାଳୀ । ତେଣୁ ମାନବ-ସଭ୍ୟତାର ଆଦିମ କାଳରୁ ଏହା ମାନବ-ପ୍ରାଣକୁ ନାନା ଭାବରେ ଆପ୍ଲୁତ କରିଛି । ସାହିତ୍ୟସୃଷ୍ଟିର ପ୍ରାରମ୍ଭରୁ ଅଦ୍ୟାବଧି ବହୁ ସାହିତ୍ୟ -ସ୍ରଷ୍ଟାଙ୍କ ଅନ୍ତରରେ ଏହି ସମୟ ବିବିଧ ଭାବରେ ଜୁଆର ଉଠାଇ, ବିବିଧ ଚିନ୍ତାର ସ୍ରୋତ ଛୁଟାଇ ବିଶ୍ଵ-ସାହିତ୍ୟକୁ ବହୁ ବିଚିତ୍ର ସମ୍ପଦରେ ସମୃଦ୍ଧ କରିଛି । କେଉଁଠି ମିଳନର ପ୍ରତ୍ୟାଶା ତ କେଉଁଠି ବିଚ୍ଛେଦର ବ୍ୟଥା, କାହିଁ ନିରାଶାର ଘଟା ତ କାହିଁ ବିପ୍ଳବର ଉଚ୍ଚକିତ ଆହ୍ୱାନ, କେଉଁଠି ପୁଣି ପରମଚେତନାର ଚରମ ଉପଲବ୍‌ଧିର ରୂପାୟନ । ତେବେ ଗୋପ ସାହିତ୍ୟରେ ସାୟଂତନ ଅନୁଭବର ଏ ବିବିଧ ବୈଚିତ୍ର୍ୟର ନାନାବିଧ ଉପସ୍ଥାପନର ସମାବେଶ ଏକାଧାରରେ ସୁନ୍ଦରତା, ସତ୍ୟତା ଓ ଶିବତ୍ୱର ବାର୍ତ୍ତାବହ-ଏଥିରେ ମତ-ଦ଼୍ୱୈଧର ଅବକାଶ ହିଁ ନାହିଁ ।

 

 

ଅଧ୍ୟାପିକା, ଓଡ଼ିଆ ଭାଷା-ସାହିତ୍ୟ ବିଭାଗ

ଢେଙ୍କାନାଳ ମହିଳା ମହାବିଦ୍ୟାଳୟ,

ଢେଙ୍କାନାଳ

 

***

 

ଗୋଦାବରୀଶଙ୍କ ଆତ୍ମ ଜୀବନୀ ଚରିତ: ଏକ ଅଧ୍ୟୟନ

ଡକ୍ଟର ପ୍ରମୋଦ କୁମାର ବେହେରା

 

ଓଡ଼ିଆସାହିତ୍ୟରେ ଚରିତ ସାହିତ୍ୟର ଇତିହାସ ସୁପ୍ରାଚୀନ । ଷୋଡ଼ଶ ଶତାବ୍ଦୀରୁ ଆମେ ଏହାର ବିଦ୍ୟମାନତା ଲକ୍ଷ୍ୟ କରିଥାଉଁ । ପଞ୍ଚସଖାଯୁଗର ଅବିସ୍ମରଣୀୟ ପ୍ରତିଭା ଜଗନ୍ନାଥ ଦାସଙ୍କର ଜୀବନଚରିତକୁ କେନ୍ଦ୍ରକରି ଦିବାକର ଦାସ ଲେଖିଥିଲେ ‘ଶ୍ରୀଜଗନ୍ନାଥ ଚରିତାମୃତ’ । ଅନୁରୂପ ଭାବରେ ଈଶ୍ଵରଦାସଙ୍କର ଶ୍ରୀଚୈତନ୍ୟ ଭାଗବତ ସପ୍ତଦଶ ଶତାବ୍ଦୀର ଏକ ସ୍ମରଣୀୟ ସୃଷ୍ଟି । ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ସାମାଜିକ ଓ ଐତିହାସିକ ପୃଷ୍ଠଭୂମି ଦୃଷ୍ଟିରୁ ଏହି ଗ୍ରନ୍ଥର ଉପାଦେୟତାକୁ ସ୍ଵୀକାର କରିଛନ୍ତି (୧) । ପ୍ରାଚୀନସାହିତ୍ୟରେ ଚରିତସାହିତ୍ୟ ବିଦ୍ୟମାନ ଥିଲା, କିନ୍ତୁ ଆଧୁନିକ ଯୁଗରେ ହିଁ ଚରିତ ସାହିତ୍ୟର ବିକାଶ ଘଟିଛି । ଆତ୍ମଜୀବନ ଚରିତ ଦୃଷ୍ଟିରୁ ଫକୀରମୋହନ ସେନାପତି (୧୮୪୩-୧୯୧୮)ଙ୍କ କୃତି ଓଡ଼ିଆ ଚରିତସାହିତ୍ୟର ସର୍ବଶ୍ରେଷ୍ଠ ଆକର୍ଷଣରୂପେ ଆତ୍ମପ୍ରକାଶ କରି ସାହିତ୍ୟର ଏହି ବିଭାଗକୁ ସୁଦୃଢ଼ ଭିରି ପ୍ରଦାନ କରିଥିଲା । ଡକ୍ଟର ମାୟାଧର ମାନସିଂହଙ୍କ ଭାଷାରେ (୨) ..... This Atmacharita is as interesting as any book of fiction. It may safely be taken to be one of the few really great autobiographies in the whole of the nation..(୨)

 

Chittaranjan Das : Studies in medieval Religion and literature of Orissa (1951), Page - 47,48, Viswabharati. !

Dr. Mayadhar Mansingh : History of Oriya literature 1st Edition, Page : 172

 

ଫକୀର ମୋହନଙ୍କ ଆତ୍ମଜୀବନ ଚରିତ ପରେ କଳାତ୍ମକ ଦୃଷ୍ଟିରୁ ଏବଂ ସମକାଳୀନ ଓଡ଼ିଶାର ସାମାଜିକ, ରାଜନୈତିକ, ସାଂସ୍କୃତିକ ପଟ୍ଟଭୂମି ଦୃଷ୍ଟିରୁ ଯଦି ଅନ୍ୟ କାହାରି ଆତ୍ମଜୀବନ ଚରିତ ସେହିଭଳି ଆମ ଅନ୍ତରକୁ ସ୍ପର୍ଶ କରି ପାରିଥାଏ ତେବେ ତାହା ହେଉଛି ପଣ୍ଡିତ ଗୋଦାବରୀଶଙ୍କର ଆତ୍ମଜୀବନ ଚରିତ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ।’

 

ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନର ମୂଲ୍ୟାୟନ’ କାଳରେ ଡକ୍ଟର ଅସିତ କବିଙ୍କ କେତୋଟି ଉକ୍ତି ଉଲ୍ଲେଖଯୋଗ୍ୟ- ଡକ୍ଟର ଜନ୍‌ସନ୍‌ ଜୀବନୀ ଅପେକ୍ଷା ଆତ୍ମଜୀବନ ଚରିତକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କ ମତରେ, ପ୍ରତ୍ୟେକ ବ୍ୟକ୍ତିର ଜୀବନୀ ସେହି ବ୍ୟକ୍ତିଙ୍କଦ୍ୱାରା ଲିଖିତ ହେଲେ ତାହା ସର୍ବୋତ୍ତମ ହୋଇପାରିବ । ଆତ୍ମଜୀବନ ଚରିତ, ଲେଖକର ଜୀବନ ଇତିହାସ । ଏ ଇତିହାସ ଲେଖକର ନିଜ ଜୀବନର କଥା, ତା’ର ପରିବେଶର ଆତ୍ମିକ ଗାଥା, ତା’ର ସାମାଜିକ ଜୀବନର ଅନ୍ତରଫୁଟା କାହାଣୀ । ଯେଉଁ ବ୍ୟକ୍ତିର କର୍ମକ୍ଷେତ୍ରରେ ବ୍ୟାପ୍ତି ଯେତେ ବ୍ୟାପକ ଓ ସାମାଜିକ ଜୀବନନାଟିକାରେ ଭୂମିକା ଯେତେ ଗୁରୁତ୍ୱପୂର୍ଣ୍ଣ, ସେହି ବ୍ୟକ୍ତିର ଆତ୍ମଜୀବନ ଚରିତରେ ସମାଜଜୀବନର ସେତେ ବ୍ୟାପକ ଚିତ୍ର ଫୁଟି ଉଠେ । ଦେଶ ଓ ଜାତିର ଆଶା-ଆକାଙ୍‌କ୍ଷାର ଯେ ପ୍ରତିନିଧିତ୍ୱ କରେ, ତା’ର ଆତ୍ମଜୀବନୀରେ ଦେଶ ଓ ଜାତିର ଚିତ୍ର ଫୁଟି ଉଠିବା ସ୍ଵାଭାବିକ । ଆତ୍ମଜୀବନ ଚରିତ ତେଣୁ ବ୍ୟକ୍ତି ଓ ତା’ର ସାମାଜିକ ଜୀବନର ପ୍ରତିଫଳନ । ଏହା କିନ୍ତୁ ବ୍ୟକ୍ତିର ଓ ସାମାଜିକ ଜୀବନର କେବଳ କେତେକ ଘଟଣାର ଧାରାବାହିକ ବିବରଣୀ ନୁହେଁ - ଏହା ସାହିତ୍ୟ । ତେଣୁ ଲଳିତ କଳାବିଭବ ଏହାର ପରମ ସଂପଦ । କଳା ବିବର୍ଜିତ, କେବଳ ବିବରଣୀସର୍ବସ୍ଵ ଆତ୍ମଜୀବନ ଚରିତର ଐତିହାସିକ ମୂଲ୍ୟଥିବା ସତ୍ତ୍ଵେ ତାହା ଜନଗଣ ଚିତ୍ତରେ ଅନୁରାଗର ପ୍ରଦୀପ ପ୍ରଜ୍ଜ୍ୱଳିତ କରିପାରେ ନାହିଁ । ଯେଉଁ ଆତ୍ମଜୀବନ ଚରିତରେ କଳାର ସୁଷମା ଫୁଟି ଉଠିଥାଏ, ତାହାହିଁ କାଳଜୟୀ ସୃଷ୍ଟି ହୋଇଥାଏ । ଏଥିରେ ବର୍ଣ୍ଣିତ ବିବିଧ ଘଟଣା ଭିତରେ ଇତିହାସର କଙ୍କାଳକୁ କଳାର ବିଭବହିଁ ପ୍ରାଣର ଅଫୁରନ୍ତ ପ୍ରବାହରେ ଆବେଗ କମ୍ପିତ ଓ ରସସିକ୍ତ କରିଥାଏ (୩) । ସେନାପତି ଫକୀର ମୋହନଙ୍କର ଆତ୍ମଜୀବନ ଚରିତ ପରି ଗୋଦାବରୀଶ ମିଶ୍ରଙ୍କ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ କଳାତ୍ମକ ଦୃଷ୍ଟିରୁ ବିଶେଷ ମର୍ଯ୍ୟାଦାର ଅଧିକାରୀ । ପୁଣି ଗୋଦାବରୀଶ ନିଜ ସଂପର୍କରେ ଏବଂ ସମକାଳୀନ ଓଡ଼ିଶା ସଂପର୍କରେ ଲେଖିଲାବେଳେ ଯେଉଁ ସଚ୍ଚୋଟ ପଣର ପରିଚୟ ଦେଇଛନ୍ତି ତାହା ବହୁ ଆତ୍ମଜୀବନ ଚରିତରେ ଦୁର୍ଲଭ ।

 

୩.

ଡକ୍ଟର ଅସିତ କବି : ଫକୀରମୋହନଙ୍କ କୃତିରେ ସମକାଳୀନ ସମାଜ ଚିତ୍ର, ପୃଷ୍ଠା - ୨୦୬/୨୦୭, ପ୍ରକାଶକ - ଗ୍ରନ୍ଥ ମନ୍ଦିର,କଟକ - ୨

 

ନିଜ ଗ୍ରନ୍ଥରେ କଅଣ ଲେଖିବି ଶିରୋନାମାରେ ଲେଖକ ଲେଖିଛନ୍ତି- ‘‘ପରିପାଟୀ ଛାଡ଼ି ମୋତେ କେବଳ ମୋର ସାଧାରଣ ଦୁଃଖୀଜୀବନର ଘଟଣାବଳୀ ବର୍ଣ୍ଣନା କରିବାକୁ ହେବ । ଆଉ କେହି ମୋ ଜୀବନୀ ଲେଖିଲେ ସେ ସବୁ ଘଟଣାରୁ ଅନେକ ପାଛୁଡ଼ି ବାହାର କରି ଦିଅନ୍ତେ । ସେଥିରେ ହୁଏତ କେତେକ ଅପ୍ରକାଶ୍ୟ ବିଷୟ ଲୁଚିଥାନ୍ତା । ଧାନକୁଟି ଚଷୁକୁ ପାଛୁଡ଼ି ପକାଇ ଦେଲା ପରେ ଚାଉଳ ରହିଯାଏ, କିନ୍ତୁ ଅଗାଡ଼ି ମିଶା ଧାନରୁ ଚାଉଳ ବାହାରେ କମ୍‌, ଚଷୁହିଁ ବେଶୀ ବାହାରେ । ଅତଏବ ଏ ଲେଖାରେ ମୋର ଚଷୁ ପାଛୁଡ଼ି ପକାଇ ଦେବାର ବାଟ ନାହିଁ, କାରଣ ସେପରି କଲେ ସବୁ ହୁଏତ ଉଡ଼ିଯିବ । ମାତ୍ର ପୂରା ଅଗାଡ଼ିପାଲଟି ନଥିବା ମଲାଧାନରୁ ଖଇଚଡ଼ା ବାହାରେ । ତାହା ଦରିଦ୍ରର ଖାଦ୍ୟ । ମୋ’ଭଳି ଅନେକ ଦୀନଦରିଦ୍ର ଲୋକ, ସମାଜର ନିମ୍ନସ୍ତରରେ ଅହରହ ଜୀବନ ସଂଗ୍ରାମରେ ଲାଗିଛନ୍ତି । ସେହିମାନଙ୍କ ପକ୍ଷେ ଏ ଲେଖାରୁ ହୁଏତ ଉପାଦାନ ମିଳିବ - ବିଭବଶାଳୀ ଓ ସୁବିଧା ଭୋଗୀଙ୍କ ପାଇଁ ଏହା ନୁହେଁ’’ (୪) । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଜ ଜୀବନ ଚରିତ ବ୍ୟତୀତ ଗୋଦାବରୀଶ ଅନ୍ୟ ଜୀବନୀଗ୍ରନ୍ଥ ମଧ୍ୟ ଲେଖିଛନ୍ତି । ଏ ସଂପର୍କରେ ଗବେଷିକା ଡକ୍ଟର ଲାବଣ୍ୟ ନାୟକ ଲେଖିଛନ୍ତି - ତାଙ୍କର ଆତ୍ମଜୀବନୀ ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋସ୍ଥାନ ଓ ୱାସିଂଟନଙ୍କ ଆତ୍ମ ଜୀବନୀର ଅନୁକୃତିରେ ରଚିତ ‘ଦାସତ୍ୱ ମୋଚନ’ ଗ୍ରନ୍ଥ ଦୁଇଟି ଆତ୍ମଚରିତ ପର୍ଯ୍ୟାୟର । ‘ନେପୋଲିୟନ’ ହେଉଛି ତାଙ୍କ ଦ୍ୱାରା ପ୍ରଣୀତ ଏକ ଜୀବନୀଗ୍ରନ୍ଥ । ଏହା ଖ୍ରୀ: ୧୯୨୭ରେ ରଚିତ ଓ ଖ୍ରୀ: ୧୯୩୦ରେ ପ୍ରକାଶିତ । ଏମିଲ୍‌ ଲୁଡ଼ଉଇରାଙ୍କ ଲିଖିତ ‘ନେପୋଲିୟନ’ ଗ୍ରନ୍ଥର ଇଂରାଜୀ ଅନୁବାଦକୁ ଅବଲମ୍ବନ କରି ଗୋଦାବରୀଶ ମିଶ୍ର ଏ ଜୀବନୀଟି ରଚନା କରିଥଲେ । ନେପୋଲିଅନଙ୍କ ଜୀବନପରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜନୀତିକ ଜୀବନ ସଂଗ୍ରାମ ବହୁଳ ଥିଲା । ସେହି ହେତୁ ଏପରି ଜଣେ ବ୍ୟକ୍ତିଙ୍କ ଜୀବନୀ ରଚନା ପ୍ରତି ସେ ମନ ବଳାଇ ଥିବା ସମ୍ଭବ । ଓଡ଼ିଆ ଭାଷାରେ ନେପୋଲିଅନଙ୍କୁ କେନ୍ଦ୍ରକରି ଅନେକ ଜୀବନୀ ରଚିତ ହୋଇଛି, ଯଥା ଗୋଦାବରୀଶ ମିଶ୍ରଙ୍କ ରଚିତ ‘ନେପୋଲିଅନ’(୧୯୩୦), ବନମାଳୀ ପଣ୍ଡାଙ୍କର ‘ନେପୋଲିଅନ’(୧୯୩୦), ପଦ୍ମଚରଣ ପଟ୍ଟନାୟକଙ୍କ ‘ନେପୋଲିୟନ’(୧୯୩୮), ବାବା ବୈଦ୍ୟନାଥ ପାଢ଼ୀଙ୍କ ପ୍ରଣୀତ ‘ନେପୋଲିଅନ’, ବନମାଳୀ ବ୍ରହ୍ମଚାରୀଙ୍କ ଲିଖିତ ‘ନେପୋଲିଅନ’ ପ୍ରଭୃତି । ଏମାନଙ୍କ ମଧ୍ୟରୁ ଗୋଦାବରୀଶ ମିଶ୍ରଙ୍କ ରଚିତ ଗ୍ରନ୍ଥଟି ପ୍ରଥମ ମନେହୁଏ । ଗୋଦାବରୀଶ, ବିଦେଶୀ ଭାଷାରେ ରଚିତ ‘ନେପୋଲିଅନ’ଙ୍କ ଜୀବନୀ ଉପରେ ବିଶେଷ ଭାବରେ ନିର୍ଭର କରିଛନ୍ତି । ଏହା ଏକ ବୈଦେଶିକ ବୀରଜୀବନୀ । ତତ୍‌କାଳୀନ ଫରାସୀ ସମାଜର ଚିତ୍ର, ଶିକ୍ଷାର ପରିବେଶ ଓ ସମସାମୟିକ ବ୍ୟକ୍ତିଙ୍କ ସଂପର୍କରେ ବହୁ ତଥ୍ୟ ଏଥିରୁ ମିଳିଥାଏ । ଦଶବର୍ଷ ବୟସରେ ନେପୋଲିଅନ ବ୍ରାଏନ ନଗରରେ ଥିବା ସୈନିକ ଆଖଡ଼ାରେ ଭର୍ତ୍ତି ହେଲେ । ସେଠାରେ ଶିକ୍ଷା ଦିଆଯାଉଥିଲା ଯେ - ସଂସାରରେ ସୁଖ୍ୟାତିର ମାର୍ଗ ହେଉଛି, ରକ୍ତ ରଞ୍ଜିତ ରଣଭୂମି (୫) । ପୁଣି- ବୀରତ୍ୱର ଏଇ ରକ୍ତ ଲିପ୍‌ସୁ ପ୍ରବୃତ୍ତି ଅନ୍ତରାଳରେ ଦୟା, ନ୍ୟାୟ, ମାନବୀୟ ବିଚାରବୋଧର ସୂତ୍ର ଯେ ପ୍ରତିଭାଧର ବ୍ୟକ୍ତିଙ୍କୁ ମହିମା ମଣ୍ଡିତ କରି ପାରେ, ତାହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଥିଲେ ନେପୋଲିଅନ । ପ୍ରତିଭାଧର ବ୍ୟକ୍ତିଗଣ କିପରି ପରିବେଶରେ ବଢ଼ି ମହନୀୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଆନ୍ତି, ତାହା ଜାଣିବାର ଆଗ୍ରହ ସାଧାରଣତଃ ପାଠକର ଜାତ ହୁଏ । ନେପୋଲିଅନଙ୍କ ଜୀବନୀ ପାଠକଲେ ସ୍ପଷ୍ଟ ଭାବରେ ସୂଚୀତ ହୁଏଯେ, ନୋପୋଲିଅନ ଯେଉଁ ବୁଦ୍ଧିର ପ୍ରଖରତାରେ ସମଗ୍ର ୟୁରୋପ ମହାଦେଶକୁ କମ୍ପିତ କରୁଥିଲେ ତାହାପାଇଁ ତାଙ୍କୁ କଠିନ ମାନସିକ ସାଧନା କରିବାକୁ ହୋଇଥିଲା (୬) ।

 

ପଣ୍ଡିତ ଗୋଦାବରୀଶ ମିଶ୍ର : ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ, ପୃଷ୍ଠା - ୩, ପ୍ରକାଶକ : ଗ୍ରନ୍ଥ ମନ୍ଦିର, ଅଷ୍ଟମ ସଂସ୍କରଣ ।

ଡକ୍ଟର ଲାବଣ୍ୟ ନାୟକ : ଓଡ଼ିଆ ଚରିତ ସାହିତ୍ୟ, ପୃଷ୍ଠା - ୧୭୩/୧୭୪, ପ୍ରକାଶକ - ପ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ-

୬.

ତତ୍ରୈବ, ପୃଷ୍ଠା - ୧୭୪

 

ଗୋଦାବରୀଶଙ୍କ ଆତ୍ମଜୀବନ ଚରିତ ସତେଯେପରି ଏ ଯୁଗର ଅନ୍ୟତମ ଗଦ୍ୟମହାକାବ୍ୟ । ଏଥିରେ ଅଛି ତାଙ୍କ ସୁଖର କଥା, ଦୁଃଖର କଥା, ଅଙ୍ଗେ ନିଭେଇବା କଥା ଏବଂ ଏ ସବୁ ପୁଣି ସମକାଳୀନ ଜାତୀୟ ଜୀବନର ବିଭିନ୍ନ ଅଧ୍ୟାୟର ପୃଷ୍ଠଭୂମିରେ ବିବୃତ ହୋଇଛି । ଆତ୍ମଜୀବନ ଚରିତ ମାତ୍ରେ ଅସମ୍ପୂର୍ଣ୍ଣ ହେବାକୁ ବାଧ୍ୟ । କିନ୍ତୁ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ଅନ୍ୟଦୃଷ୍ଟିରୁ ଅସମ୍ପୂର୍ଣ୍ଣ । ଏହାର କେବଳ ଦ୍ୱିତୀୟଭାଗ ଯେ ଲିଖିତ ହୋଇପାରିନି ତାହା ନୁହେଁ, ପ୍ରଥମଭାଗର ୧୧ଟି ଅଧ୍ୟାୟ ମଧ୍ୟ ଅଲିଖିତ ହୋଇ ରହିଗଲା । ଲେଖକ ଦ୍ୱିତୀୟ ଭାଗଟି ୪୦ଟି ପରିଚ୍ଛେଦରେ ଲେଖିବାର ପରିକଳ୍ପନା କରିଥିଲେ । ଅଧ୍ୟାୟଗୁଡ଼ିକର ନାମକରଣ ବି କରିସାରିଥିଲେ । କିନ୍ତୁ ଏ ଯୋଜନା ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ । ଯଦି ପ୍ରଥମ ଭାଗର ୩୫ରୁ ୪୫ ଅଧ୍ୟାୟ ଏବଂ ଦ୍ୱିତୀୟ ଭାଗଟି ଲିଖିତ ହୋଇଥାଆନ୍ତା ତେବେ କେବଳ ଗୋଦାବରୀଶଙ୍କ ଜୀବନର ଉତ୍‌ଥାନ ପତନ, ବନ୍ଧୁର ପଥ ଭିତରେ ଗତିଶୀଳ ଏକ ପ୍ରଚଣ୍ଡ ପ୍ରତିଭା ଓ ଜାତୀୟ ବୀରର ଜୀବନଗାଥାର ବହୁ ଜ୍ଞାତବ୍ୟ ତଥ୍ୟ ତାଙ୍କ ଜୀବନ ଉତ୍ତାପଭରା ଭାଷାରେ ଆମେ ପାଇପାରି ଥାଆନ୍ତୁ ତାହା ନୁହେଁ, ଅଧିକନ୍ତୁ ସମକାଳୀନ ଓଡ଼ିଶାର ବହୁ ରୋମାଞ୍ଚକର ଉଲ୍ଲେଖଯୋଗ୍ୟ ଘଟଣା ସହିତ ପରିଚିତ ହୋଇପାରିଥାଆନ୍ତୁ । ତଥାପି ସେ ଯେତିକି ଆମକୁ ଦେଇଯାଇଛନ୍ତି ସେଗୁଡ଼ିକର ସାର୍ଥକ ଆତ୍ମଜୀବନ ଚରିତର ଯଥାର୍ଥ ଦୃଷ୍ଟାନ୍ତ ଆମେ ପାଇ ପାରିଛୁ । ନିଷ୍କପଟ ଭାବରେ ଜୀବନର ବିବିଧ ଘଟଣାକୁ ସତ୍ୟ, ଶିବ, ସୁନ୍ଦରର ପୂଜାରୀ ଗୋଦାବରୀଶ ଅତ୍ୟନ୍ତ ଜୀବନ୍ତ ଭାବରେ ବର୍ଣ୍ଣନା କରିଯାଇଛନ୍ତି ।

 

ଗୋଦାବରୀଶଙ୍କ ଜବୀନ ଏକ ନିସ୍ତରଙ୍ଗ ସରସୀ ନୁହେଁ, କିନ୍ତୁ ବାତ୍ୟା ବିକ୍ଷୁବ୍ଧ ମହାସାଗର ସହିତ ତାଙ୍କ ଜୀବନକୁ ତୁଳନା କରାଯାଇ ପାରିବନି । ବରଂ ସେ ଏକ ପବିତ୍ର ଜଳଧାରା । ଯାତ୍ରାପଥରେ ବାଧା ବନ୍ଧନର ସମ୍ମୁଖୀନ ହୋଇ ବି ଲକ୍ଷ୍ୟ ଆଡ଼କୁ କଳ କଳ ନାଦରେ ଛଳଛଳ ହୋଇ ବହିଯାଇଛି । ନିଜ ଆତ୍ମ ଜୀବନଚରିତର କୌଣସି ପର୍ଯ୍ୟାୟରେ ସେ ସତ୍ୟକୁ ଲୁଚାଇବା ପାଇଁ ପ୍ରୟାସ କରି ନାହାନ୍ତି । ନିଜ ଜୀବନର ଅନ୍ଧାର ଓ ଆଲୋକକୁ ସେ ଯଥାଯଥ ଭାବରେ ବର୍ଣ୍ଣନା କରିଛନ୍ତି । ଛାତ୍ର ଜୀବନର ଆଦ୍ୟପର୍ଯ୍ୟାୟରେ ଶଶିଭୂଷଣ ରାୟ ଚୌଧୁରୀ ଏବଂ ଜୀବନର ବିକାଶ ପର୍ବରେ ପଣ୍ଡିତ ଗୋପବନ୍ଧୁ ଥିଲେ ତାଙ୍କର ଦିଗ୍‌ଦର୍ଶକ । ତାଙ୍କ ଜୀବନର ଆଦ୍ୟପର୍ଯ୍ୟାୟ ଥିଲା ରକ୍ତମାଂସର କରୁଣ କବିତା । କୈଶୋରରେ ସେ ହରାଇଥିଲେ ବାପା ଓ ବୋଉଙ୍କୁ । ପରବର୍ତ୍ତୀ କାଳରେ ସାନ ଭଉଣୀଙ୍କୁ । ପିତା ମାତାଙ୍କୁ ହରାଇବା ସମୟରେ ହଇଜାରେ ଆକ୍ରାନ୍ତ ପୁରୀ ସହରର ସେ ଥିଲେ ସ୍ଵେଚ୍ଛାସେବକ ।

 

ପଣ୍ଡିତ ନୀଳକଣ୍ଠଙ୍କ ପରି ଗୋଦାବରୀଶ ମଧ୍ୟ କୁସଂସ୍କାରର ବିରୋଧୀ ଥିଲେ । ନିଜ ଆତ୍ମଜୀବନ ଚରିତରେ ସେ ଏ ପ୍ରସଙ୍ଗରେ ଲେଖିଛନ୍ତି - ମୋର ଇଂରେଜୀ ପଢ଼ିବା ଯୋଗେ ହେଉ ବା ନିଜ ପ୍ରକୃତି ଦୋଷରୁ ହେଉ ମୁଁ ପିଲା ବେଳୁ ନାସ୍ତିକ ଥିଲି ବୋଲି କହିଲେ ଚଳେ । ସୁଗୁଣକଥା ଅଲଗା; କିନ୍ତୁ ଦୁର୍ଗୁଣ ଅନୁକୂଳ ପରିସ୍ଥିତିରେ ହୁ-ହୁ ବଢ଼ିଯାଏ । ଅକସ୍ମାତ ନିଆଁଲାଗିଲେ ଲୋକେ ପାଣି ଢୁଳାଢ଼ୁଳି କରି ଲିଭାଇ ଦିଅନ୍ତି; କିନ୍ତୁ ସେତେବେଳେ ପବନ ପଟିଲେ ନିଆଁ ଚାଳକୁ ଚାଳ ଡେଇଁ ସାହି ସାହି ଚାଟି ଦେଇଯାଏ । ମୋର ବାପା, ବୋଉ, ବୁଢ଼ୀମା, ଭଉଣୀ ଏପରି ଚାରିଜଣ ଚାରିଆଡ଼ୁ ମୋତେ ସ୍ନେହ ସୂତ୍ରରେ ବାନ୍ଧି ରଖିଥିଲେ । ସେଗୁଡ଼ିକ ଗୋଟି ଗୋଟି ଯେତିକି ଛିଡ଼ିଲା, ମୋର ଆସ୍ଥା, ବିଶ୍ଵାସ, ଆସକ୍ତ ସେତିକି କମିବାକୁ ଲାଗିଲା । ଫଳରେ ମୁଁ ଦେଉଳକୁ ଗଲେ ମୁଣ୍ଡିଆ ମାରେ ନାହିଁ । ଏକାଦଶୀ ଉପବାସ ଛାଡ଼ିଦେଲି । ପଇତା କାଢ଼ି ହାତରେ ଧରି ଖେଳିଲି । ମୁଣ୍ଡରେ ଚୈତନ୍ୟ ଚୁଟି କାଟି ପକାଇଲି । ସନ୍ଧ୍ୟା, ଚଳୁ ପ୍ରଭୃତି ଛାଡ଼ି ଦେଲି । କଛା ନ ଫିଟାଇ, ପାଣି ନଘେନି ପ୍ରସାକଲି(୭) ।

 

୭.

ଗୋଦାବରୀଶ ମିଶ୍ର : ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ, ପୃଷ୍ଠା -୮୯, ପ୍ରଥମ ସଂସ୍କରଣ

 

ଗୋଦାବରୀଶଙ୍କ ଜୀବନଥିଲା ଏକ ସାଧନା ସ୍ନିଗ୍ଧ ଜୀବନ । ସତ୍ୟବାଦୀରେ ଶିକ୍ଷକତା, ସିଂହଭୂମିରେ ଓଡ଼ିଆଭାଷା ଓ ସଂସ୍କୃତିର ପ୍ରଚାର ପାଇଁ ଐତିହାସିକ ସାଧନାଭିତରେ ତାଙ୍କ ଉତ୍ସର୍ଗୀକୃତ ଜୀବନର ସୁରଭିତ ଦିଗ ଆମ ଦୃଷ୍ଟି ଆକର୍ଷଣ କରିଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୀବନର ଗୋଧୂଳିବେଳା ପର୍ଯ୍ୟନ୍ତ ଏହି ଗୋଦାବରୀଶ ବିଚ୍ଛିନ୍ନ ଉତ୍କଳରେ ଓଡ଼ିଆଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଅନାହତ ସାଧନା କରିଥିଲେ । ଚକ୍ରଧରପୁରରେ ତାଙ୍କର ଅବସ୍ଥାନ କାଳରେ ସେ ଯାହା କରି ଯାଇଛନ୍ତି ତାହା ଜାତୀୟ ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ ।

 

ଗୋପବନ୍ଧୁଙ୍କ ଆଦର୍ଶ ଗୋଦାବରୀଶଙ୍କୁ ଗଭୀର ଭାବରେ ଉଦ୍‌ବୁଦ୍ଧ କରିଥିଲା । ନିଜ ଜୀବନତରୀର କର୍ଣ୍ଣଧାର ରୂପେ ତାଙ୍କୁ ସେ ବିଚାରିଥିଲେ । ତାଙ୍କ ଭାଷାରେ- ‘‘ଏ ଭବ ପାରାବାରରେ ମୋ କ୍ଷୁଦ୍ର ଜୀବନ ତରୀର କର୍ଣ୍ଣଧାର ସେ । ମୋ ପ୍ରାଣର ଉପାସୀ ଦେବତା । ଦୁର୍ବଳ ମୁହୂର୍ତ୍ତମାନଙ୍କରେ ଆଜିସୁଦ୍ଧା ମୁଁ ତାଙ୍କରି ମୂର୍ତ୍ତି ଆଖି ଆଗରେ କଳ୍ପନାରେ ଦେଖି ସାନ୍ତ୍ୱନା ପାଏ । ଗୋପବନ୍ଧୁଙ୍କ ପରି ସୁହୃଦ୍‌ ପଥପ୍ରଦର୍ଶକ ଓ ଦର୍ଶନ ଗୁରୁ ନିତାନ୍ତ ବିରଳ ।’’ ଗୋପବନ୍ଧୁଙ୍କ ସଂପର୍କରେ ତାଙ୍କର ବକ୍ତବ୍ୟହେଉଛି ସେ ଯାହା କହନ୍ତି ଖରାଦିନର ନାଳପରି ଛୋଟବଡ଼ ସବୁ ଫାଟ ଭିତରେ ପଶିପାରେ । ଏପରିକି ପଥର ସନ୍ଧି କି ମଧ୍ୟ ଚାଲିଯାଏ (୮) । ଦୁଃଖୀର ଦୁଃଖରେ ତାଙ୍କର ପ୍ରଥମ ପ୍ରତିକ୍ରିୟା କାଳ (୯) । ପୁଣି- ‘‘କେତେ ଦିନ ଗୋପବନ୍ଧୁଙ୍କ ନିନ୍ଦା ନ ଶୁଣିଛି ! ମୁଁ ତାଙ୍କୁ ଦେବତାମଣି ଭକ୍ତି କରୁଥିଲେ ହୁଏତ ହୃଦୟବେଦୀରୁ କାଢ଼ି ଫିଙ୍ଗି ଦେଇଥାନ୍ତି । କିନ୍ତୁ ମୁଁ ତାଙ୍କୁ ମନୁଷ୍ୟ ଦୃଷ୍ଟିରେ ଦେଖୁଥିଲି । ମୁଁ ଯୁକ୍ତି କରୁଥିଲି; କିନ୍ତୁ ଚନ୍ଦ୍ରର କଳଙ୍କ ପରି ମନୁଷ୍ୟର ଦୋଷ ଥାଇପାରେ । ମୁଁ ଚନ୍ଦ୍ରର କଳଙ୍କ ଯେପରି ଦେଖୁନାହିଁ, ସେହିପରି ଗୋପବନ୍ଧୁ ବାବୁଙ୍କର ଦୋଷାଦୋଷ ନବାରି ତାଙ୍କ ଗୁଣ ଗୁଡ଼ିକ ଦେଖିଚି (୧୦)’’ ।

 

୮.

ତତ୍ରୈବ, ପୃଷ୍ଠା - ୧୭୮, (୯) ତେତ୍ରୈବ, ପୃଷ୍ଠା - ୮୫ (୧୦) ତତ୍ରୈବ, ପୃଷ୍ଠା - ୧୭୩, (୧୧) ତତ୍ରୈବ, ପୃଷ୍ଠା - ୧୬୪, (୧୨) ତତ୍ରୈବ, ପୃଷ୍ଠା - ୧୬୫

 

ନୀଳକଣ୍ଠଙ୍କ ସଂପର୍କରେ ଗୋଦାବରୀଶଙ୍କର ଅବଧାରଣା ମଧ୍ୟ ତାଙ୍କ ଆତ୍ମଜୀବନ ଚରିତରେ ସୁସ୍ପଷ୍ଟ ରୂପେ ଫୁଟି ଉଠିଛି - ମୁଁ ଯେ ନୀଳକଣ୍ଠ ବାବୁଙ୍କର କେବଳ ବନ୍ଧୁ ବା ସହକର୍ମୀ ଥିଲି ତା’ନୁହେଁ, ତାଙ୍କର ଅନୁଗତ ଭୃତ୍ୟ ମଧ୍ୟ ଥିଲି । ଦୁହେଁ ଏକାଠି ଗାଧୋଇଲେ ମୁଁ ତାଙ୍କର ପାଲଟା ଲୁଗା ଚିପୁଡ଼ି କାନ୍ଧରେ ଧରୁଥିଲି ଏବଂ ଘରକୁ ଫେରିଲେ ତାଙ୍କର ଖଡ଼ମ୍‌ ଓ ପାଣି ଆଣି ଗୋଡ଼ଧୁଆ ଜାଗାରେ ରଖୁଥିଲି । × × × ନୀଳକଣ୍ଠ ବାବୁଙ୍କ ସହିତ ମୋର ସାମଞ୍ଜସ୍ୟ ଅତିକମ୍‌ । ସେ ଚରିତ୍ରବାନ ଥିଲେ, ମୁଁ ନଥିଲି । ଶ୍ରେୟ ଓ ପ୍ରେୟ ମଧ୍ୟରୁ ତାଙ୍କ ଆଦର୍ଶ ଶ୍ରେୟ ଓ ମୋର ଥିଲା ପ୍ରେୟ (୧୧) । ପୁଣି- ସେ ଯେ ମୋତେ କାହିଁକି ଏତେ ଭଲ ପାଉଥିଲେ କିମ୍ବା ମୁଁ ଯେ କାହିଁକି ତାଙ୍କୁ ଏତେ ଶ୍ରଦ୍ଧା କରୁଥିଲି ତେବେ ଭଲ ରୂପେ ବୁଝିନାହିଁ । ଚୁମ୍ବକର ବିପରୀତ ବିନ୍ଦୁ ପରସ୍ପର ପ୍ରତି ଟଣାଟଣି ହୁଅନ୍ତି (୧୨) ।

 

‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନର ପ୍ରତିଟି ପର୍ଯ୍ୟାୟରେ ପ୍ରତିକୂଳତା ଭିତରେ ଗୋଟିଏ ଅପ୍ରତିହତ ବ୍ୟକ୍ତିତ୍ୱର ଜୀବନଧାରା ଜୀବନ ଉତ୍ତାପଭରା ଭାଷାରେ ରୂପ ପାଇଛି ।

 

ତା ସହିତ ରୂପ ପାଇଛି କେବଳ ତାଙ୍କ ସମକାଳୀନ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ନୁହେଁ, ଅଧିକନ୍ତୁ ବିଚ୍ଛିନ୍ନ ଉତ୍କଳର ମଧ୍ୟ ଅନ୍ତରଫୁଟା କାହାଣୀ ଯେଉଁ କାହାଣୀରେ ଗୋଦାବରୀଶ ନିଜେ ଏକ ଚରିତ୍ର । ନିଜ ଦୋଷ-ଦୁର୍ବଳତାଠାରୁ ଆରମ୍ଭ କରି ସମକାଳୀନ ବିଭିନ୍ନ ଉଲ୍ଲେଖଯୋଗ୍ୟ ଘଟଣାର ଅକପଟ ଆଲେଖ୍ୟ ଅଙ୍କନ କରିଯାଇଛନ୍ତି ପ୍ରବାଦପୁରୁଷ ଗୋଦାବରୀଶ । ଫକୀରମୋହନଙ୍କ ଆତ୍ମଜୀବନ ଚରିତ ପରେ ଓଡ଼ିଆସାହିତ୍ୟରେ ଗୋଦାବରୀଶଙ୍କର ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ଯେଭଳି ମର୍ଯ୍ୟାଦା ଲାଭ କରିଛି ଓଡ଼ିଶାର ଅନ୍ୟକୌଣସି ଆତ୍ମଚରିତ ସେଭଳି ମର୍ଯ୍ୟାଦାଲାଭ କରି ନାହିଁ ।

 

ଗୋଦାବରୀଶଙ୍କ ଆତ୍ମଜୀବନ ଚରିତ ଏକ ଅନବଦ୍ୟ ସୃଷ୍ଟି । ଏହା ପ୍ରତ୍ୟେକ ପର୍ଯ୍ୟାୟରେ ଆମେ ତାଙ୍କର ଅନନ୍ୟ ଗଦ୍ୟଶୈଳୀର ମହିମା ସହିତ ପରିଚିତ ହୋଇଥାଉଁ । ଏହା ଯେତେ ପଢ଼ିଲେ ବି ପୁଣି ଥରେ ପଢ଼ିବାକୁ ମନହୁଏ । ଆତ୍ମଜୀବନ ଚରିତ ଭିତରେ ଗୋଦାବରୀଶଙ୍କ ଆତ୍ମାହିଁ କଥା କହିଛି । ନିଜର ଆତ୍ମାର କଥାକୁ ପ୍ରତିଟି ଶବ୍ଦ ତରଙ୍ଗରେ ଗୁମ୍ଫିତ କରିବା ପାଇ ଯେଉଁ ଅପୂର୍ବ ରଚନାଶୈଳୀ କାମ୍ୟ ତାହା ତାଙ୍କର ଥିଲା ।

 

 

ଅଧ୍ୟାପକ,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ଦେବଗଡ଼ କଲେଜ, ଦେବଗଡ଼ (ଓଡ଼ିଶା)

 

***

 

ପ୍ରାବନ୍ଧିକ ଗୋବିନ୍ଦ୍ର ତ୍ରିପାଠୀଙ୍କ ତିନୋଟି ବିସ୍ମୃତ ଉପନ୍ୟାସ

ଡକ୍ଟର ଇନ୍ଦୁ ମିଶ୍ର

 

ଆଧୁନିକ ଓଡ଼ିଆ ପରମ୍ପରାରେ ଗୋବିନ୍ଦ ତ୍ରିପାଠୀ ମୁଖ୍ୟତଃ ଜଣେ ପ୍ରାବନ୍ଧିକ ଭାବେ ପରିଚିତ । ‘ବଟୁଆ, ‘‘କଖାରୁ ଫୁଲ’’ ଭଳି ରମ୍ୟ-ରଚନାରେ ଚଟୁଳ ରସିକତାର ଅନ୍ତରାଳରେ ତାଙ୍କର ଶାଣିତ ଅନ୍ତର୍ଦୃଷ୍ଟି ପ୍ରାୟ ସୁବିଦିତ । ତେବେ ତ୍ରିପାଠୀଙ୍କ ଲେଖନୀ ଯେ କେବଳ ପ୍ରବନ୍ଧ ରଚନାରେ ସୀମାବଦ୍ଧ ନୁହେଁ, ବରଂ ତାହା ତ୍ରିମୁଖୀ- ଏହା ପ୍ରମାଣିତ ହୁଏ ତାଙ୍କର ନାଟକ(୧) ଓ ଉପନ୍ୟାସ-କୃତିରୁ । ଓଡ଼ିଆ ସମାଲୋଚନା ସାହିତ୍ୟରେ ତାଙ୍କର ବିସ୍ମୃତ ପ୍ରାୟ ଉପନ୍ୟାସ- ତ୍ରୟ ଉପରେ ହିଁ ଶଂସିତ ସୀମକ୍ଷାଟି ନିବଦ୍ଧ ।

 

ଜହର, ‘ଗରିବର ପ୍ରେମ’, ‘ହମ୍‌ ହୈ’, ‘ଶିଶୁପାଳ’, ‘ଶକୁନ୍ତଳା’, ‘ବଳରାମ ଦାସ’ - ଗୋବିନ୍ଦ ତ୍ରିପାଠୀଙ୍କର କେତୋଟି ଅପ୍ରକାଶିତ ନାଟକ ।

 

ମାନବିକ ଶ୍ରଦ୍ଧା, ସମ୍ବେଦନା ତଥା ସାମାଜିକ ଜୀବନର ଉତ୍‌ଥାନ, ପତନ ପୁଣି ଲୋକ ଚରିତ୍ରର ବୈଚିତ୍ର୍ୟବିମଣ୍ଡିତ ରସରୂପାୟନ ଲାଗି ଉପନ୍ୟାସ ହିଁ ସର୍ବୋତ୍କୃଷ୍ଟ ସାହିତ୍ୟିକ -ମାଧ୍ୟମ । ଆଧୁନି ଯୁଗରେ ଉପନ୍ୟାସ -କଳାର ବିବିଧ ପରୀକ୍ଷା- ନିରୀକ୍ଷା ସତ୍ତ୍ୱେ ଏଯାବତ୍‌ ଏହାକୁ ମାନବ-ଜୀବନର ପୂର୍ଣ୍ଣାଙ୍ଗ ରୂପରେଖ ଭାବରେ ସ୍ୱୀକାର କରାଯାଉଛି । ସମସାମୟିକ ସମାଜ ଓ ସଂସ୍କୃତିର ପ୍ରତିଫଳକ ମୁକୁର ଭାବରେ ଏହାର ଉପଯୋଗିତା ସର୍ବବାଦୀସମ୍ମତ । ରମ୍ୟ-ନିବନ୍ଧରେ ବିପୁଳ ବ୍ୟଙ୍ଗ ମାଧ୍ୟମରେ ଜୀବନ-ସମୀକ୍ଷାରେ ବିଶ୍ୱାସ ରଖିଥିବା ସଷ୍ଟ୍ରା ତ୍ରିପାଠୀ ସ୍ଵୟଂ ଯେ ଜଣେ ସମ୍ବେଦନଶୀଳ ଜୀବନବାଦୀ କଳାକାର ତାହା ସ୍ପଷ୍ଟ ଅନୁଭୂତ ହୁଏ ତାଙ୍କ ଉପନ୍ୟାସ ପରମ୍ପରାରେ-। କଳାକୁ ଜୀବନ ଓ ଜୀବନକୁ ନୈତିକତାଠାରୁ ବିଚ୍ଛିନ୍ନ ଭାବେ ବିଚାର କରି ନଥିବା କଳାକାରର ପରମ ହୃଦୟବକ୍ତା ପ୍ରତିଫଳିତ ହୋଇଛି ତାଙ୍କର ଉପନ୍ୟାସ କଳାରେ ।

 

ଗୋବିନ୍ଦ ତ୍ରିପାଠୀଙ୍କ ‘ପ୍ରମାଦ’ (୧୯୨୫), ‘ପତିତାର ଆତ୍ମକଥା’’ (୧୯୩୦) ଓ “ମାୟାବୀ”(୧୯୩୦) ଶୀର୍ଷକ ତିନୋଟି ଉପନ୍ୟାସ ମୁଖ୍ୟତଃ ତତ୍‌କାଳୀନ ସାମାଜିକ ଜୀବନର ଚିତ୍ର ଓ ଚେତନାକୁ ବହନ କରିଛନ୍ତି । ସେ ସମୟକୁ ଓଡ଼ିଆ ଉପନ୍ୟାସ- ସାହିତ୍ୟକୁ ନିଜର ବଳିଷ୍ଠ ଲେଖନୀରେ ସମୃଦ୍ଧ କରିସାରିଛନ୍ତି ଫକୀରମୋହନ ସେନାପତି, ଗୋପାଳବଲ୍ଲଭ ଦାସ, ଉପେନ୍ଦ୍ର କିଶୋର ଦାସ, ନନ୍ଦ କିଶୋର ବଳ, କୁନ୍ତଳା କୁମାରୀ ସାବତ, ବୈଷ୍ଣବ ଚରଣ ଦାସ ପ୍ରମୁଖ । ଜନ୍ମ ନେଇ ସାରିଛି ମାମୁ, ଛମାଣ ଆଠ ଗୁଣ୍ଠ, ଭୀମା ଭୂୟାଁ, ମନେ ମନେ, ମଲାଜହ୍ନ, କନକଲତା, କାଳୀ ବୋହୂ, ରଘୁ ଅରକ୍ଷିତ ପ୍ରଭୃତି ଉପନ୍ୟାସ । ସମସାମୟିକ ସମାଜର ନ୍ୟାୟ-ଅନ୍ୟାୟର କଷଟି ପଥରରେ ପରୀକ୍ଷିତ ହେବା ବେଳେ କେତେବେଳେ ସ୍ରଷ୍ଟାର ଜୟ ଘଟିଛି ତ କେତେବେଳେ ସମାଜର । ଫକୀରମୋହନଙ୍କ ଉପନ୍ୟାସର ପରସ୍ୱାପହରଣ ପ୍ରବୃତ୍ତି ଜାରି ରହିବା ସହିତ ସମାଜ ଓ ବ୍ୟକ୍ତିର ଅନ୍ତଃସଂଘର୍ଷ ଫଳରେ ସୃଷ୍ଟି ହୋଇଥିବା ବହୁ ନୂତନ ସମସ୍ୟା ଓ ସଂକଟ ମଧ୍ୟ ଉପସ୍ଥାପିତ ହୋଇଛି ଉପନ୍ୟାସ ପରମ୍ପରାରେ । ସେ ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି-ବିଧବା ବିବାହ, ପତିତାବୃତ୍ତିର କାରଣ ନିରାକରଣ ପୁଣି ଭାଷା ଓ ସଂସ୍କୃତି ଜନିତ ପାରସ୍ପରିକ ହେୟ ମନୋଭାବ । ରାୟ ବାହାଦୂର ଶାରଦାପ୍ରସାଦ ଆଇନ ପ୍ରଚଳିତ ହେବା ସତ୍ତ୍ୱେ‌ ରକ୍ଷଣଶୀଳ ହିନ୍ଦୁସମାଜ ବିଧବାବିବାହକୁ ଏକ ଧର୍ତ୍ତବ୍ୟ ଅପରାଧ ମନେ କରୁଥିଲେ । ବୈଧବ୍ୟର ଦୁଃଖକୁ କବି ଓ କଳାକାରଗଣ ବାରମ୍ବାର ରୂପାୟିତ କଲେ ମଧ୍ୟ ଉପନ୍ୟାସର ପରିଧିରେ ବିଧବାବିବାହ ପ୍ରାୟ ଏକ ଗର୍ହିତକାର୍ଯ୍ୟ ଥିଲା । ‘କନକଲତା’ ଉପନ୍ୟାସରେ ‘ଉମା’ ଥିଲା ବିଧବା । ବିଧବା ଉମାକୁ ରାଜେନ୍ଦ୍ର ସହ ବିବାହ ନ ଦେଇ କୌଶଳର ସହ ବିସୂଚିକା ବ୍ୟାଧିରେ ତାକୁ ପୀଡ଼ିତ କରାଇ ଦେଇଥିଲେ ତା’ର ସ୍ରଷ୍ଟା । ଉମାର ମୃତ୍ୟୁ ଜରିଆରେ ରାଜେନ୍ଦ୍ର ସହ ତା’ର ବିବାହର ସମ୍ଭାବନାକୁ ଏଡ଼ାଇ ଦିଆଯାଇଥିଲା ‘କନକଲତା’ ଉପନ୍ୟାସରେ । କାହ୍ନୁଚରଣଙ୍କ ‘ଶାସ୍ତି’ରେ ମଧ୍ୟ ବିଧବା ଧୋବୀ ସନେଇକୁ ଦ୍ୱିତୀୟ ହେବା ସମ୍ଭବ ହୋଇ ନାହିଁ । ଧୋବୀର ବାପା ଉପନ୍ୟାସର ପରିଣତିରେ ନିଜର ବିଧବା ଝିଅର ଦ୍ୱିତୀୟ ବିବାହ ପାଇଁ ପ୍ରାୟ ବ୍ୟାକୁଳ ହୋଇପଡ଼ିବା ବେଳେ ସନେଇ ସେ ପ୍ରସ୍ତାବକୁ ଅସ୍ଵୀକାର କରିଛି । ଧୋବୀର ସ୍ରଷ୍ଟା ସେଥିପାଇଁ ବହୁ ପୂର୍ବରୁ କଇଁ ସହ ଛନ୍ଦି ଦେଇଛନ୍ତି ସନେଇକୁ ।

 

ଗୋବିନ୍ଦ ତ୍ରିପାଠୀଙ୍କ ‘ପ୍ରମାଦ’ ଉପନ୍ୟାସରେ କିନ୍ତୁ ପଦ୍ମା ବୈଧବ୍ୟ ପରେ ବିବାହ କରିଛି ନୀଳାମ୍ବରକୁ । ସୁଦୂର କାଶୀରେ ଏ ବିବାହ ସଂପନ୍ନ ହେବା ଯୋଗୁ ପଦ୍ମାର ବୈଧବ୍ୟ ସଂପର୍କରେ ଅଜ୍ଞ ରହିଛି ତା’ର ସ୍ଵାମୀ ନୀଳାମ୍ବର । ଆକସ୍ମିକଭାବେ ଝିଅଟିକୁ କାଶୀରେ ବାହା ହୋଇ ଗାଁକୁ ସେ ବାହୁଡ଼ି ଆସିଛି ତାକୁ ସାଥୀରେ ଧରି । ଦାଂପତ୍ୟ ଜୀବନର ମାଧୁର୍ଯ୍ୟ ଭିତରେ ଅଚାନକ ଭଟ୍ଟା ପଡ଼ିଛି-ଉପନ୍ୟାସର ପରିଧି ଭିତରେ ଆବିର୍ଭୂତ ହୋଇଛି ପଦ୍ମାର ଏକଦା ପ୍ରତ୍ୟାଶୀ ସୋମନାଥ । ସୋମନାଥ ଏକ ନରହତ୍ୟା ଅପରାଧରୁ ରକ୍ଷା ପାଇବା ପାଇଁ ପଦ୍ମାର ସ୍ଵାମୀ ନିକଟରେ ଆଶ୍ରୟ ନେଇଛି । ସୋମନାଥକୁ ଅନୁସରଣ କରିଛି ତା’ର ହତ୍ୟାକାଣ୍ଡର ଜଣେ ପ୍ରତ୍ୟକ୍ଷଦର୍ଶୀ । ସୋମନାଥ ସେଇ ପ୍ରତ୍ୟକ୍ଷଦର୍ଶୀ କବଳରୁ ରକ୍ଷା ପାଇବା ପାଇଁ ପଦ୍ମାଠାରୁ ଅର୍ଥ ଦାବୀ କରିଛି । ଅନ୍ୟଥା ପଦ୍ମାର ବୈଧବ୍ୟ ସଂପର୍କରେ ତା’ର ସ୍ୱାମୀକୁ ଅବଗତ କରାଇ ଦେବା ପାଇଁ ଧମକ୍‌ ଦେଇଛି । ନୀଳ ସୋମନାଥକୁ ନେଇ ପଦ୍ମାକୁ ସନ୍ଦେହ କରିଛି ଓ ସେମାନଙ୍କର ଦାଂପତ୍ୟ ଜୀବନରେ ମନୋମାଳିନ୍ୟ ସୃଷ୍ଟି ହୋଇଛି । ପରିଶେଷରେ ଶାଶୂଘରର ସଂପର୍କୀୟା ମଣିନାନୀଙ୍କ ଉଦ୍ୟମରେ ସମସ୍ତ ରହସ୍ୟ ଉଦ୍‌ଘାଟିତ ହୋଇଛି । ବୈଧବ୍ୟ ବ୍ୟତୀତ ପଦ୍ମା ଯେ ନିଷ୍କଳଙ୍କ-ଏ ସଂପର୍କରେ ସନ୍ଦେହ ମୁକ୍ତ ହୋଇଛନ୍ତି ମଣିନାନୀ ଓ ନୀଳାମ୍ବର । ପଦ୍ମାର ବୈଧବ୍ୟ ଓ ଦ୍ୱିତୀୟବିବାହକୁ ସେମାନେ ଉଦାରଚିତ୍ତରେ ସ୍ଵୀକୃତି ଦେଇଛନ୍ତି ।

 

‘ପ୍ରମାଦ’ର କଥା-ଭାଗ ସରଳ । ସରଳ ଗଳ୍ପାଂଶଟିକୁ ଯଥା ସମ୍ଭବ ଉତ୍କଣ୍ଠା ରକ୍ଷା କରି ଔପନ୍ୟାସିକ କଥା-ବସ୍ତୁର ରହସ୍ୟ ଉନ୍ମୋଚନ କରିଛନ୍ତି ଓ ଉପନ୍ୟାସଟିକୁ ପରିଣତି ଆଡ଼କୁ ଘେନି ଯାଇଛନ୍ତି । ଏଥିରେ ଚରିତ୍ର ଅଥବା ଘଟଣାର ଘନଘଟା ନାହିଁ । ତେବେ ମନୋବିଶ୍ଳେଷଣ କ୍ଷେତ୍ରରେ ଏହାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅବଶ୍ୟ ଏହି କାଳକୁ ଓଡ଼ିଆ ଉପନ୍ୟାସ ପରମ୍ପରାରେ ମନୋବୈଜ୍ଞାନିକ ଚିନ୍ତାଧାରାର ପ୍ରଭାବ ବିଶେଷ ଘଟିନଥିଲା । ଏ କ୍ଷେତ୍ରରେ ବୈଷ୍ଣବ ଚରଣ ଦାସଙ୍କ ‘ମନେ ମନେ’ ଉପନ୍ୟାସଟିକୁ ଏକମାତ୍ର ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯାଏ । ଗୋବିନ୍ଦ ତ୍ରିପାଠୀଙ୍କ ‘ପ୍ରମାଦ’ରେ ପଦ୍ମା ଓ ମଣିନାନୀ ଚରିତ୍ରରେ ମାନସିକ ଦ୍ୱନ୍ଦ୍ୱର କିଞ୍ଚିତ୍‌ ଝଲକ ରହିଛି । ତେବେ ମଣିନାନୀ ପଦ୍ମାର ପ୍ରତିଦ୍ୱନ୍ଦୀ ନହୋଇ ହୋଇଛନ୍ତି ରକ୍ଷାକର୍ତ୍ତ୍ରୀ । ତ୍ରିପାଠୀଙ୍କ ସୃଷ୍ଟିଶିଳ୍ପରେ ନାରୀ ସର୍ବଦା ନାରୀର ଏହି ରକ୍ଷାକର୍ତ୍ତ୍ରୀ ଭୂମିକାରେ ହିଁ ଅବତୀର୍ଣ୍ଣ ହୋଇଛି । ନାରୀମାନଙ୍କ ସଂପର୍କରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି -

 

‘‘ନାରୀ ହୃଦୟର କଥା ପୁରୁଷ ବୁଝିବ କଅଣ ? × × ନାରୀ ଏକା ଏକଶ ଗୁପ୍ତ ସମସ୍ୟା-। କହନ୍ତି ନାରୀ ଜାତିଟା କିଛି ପେଟରେ ରଖିପାରେ ନାହିଁ । ଗୋଟିଏ କଥା କହିଲେ ତା’କୁ ଫେଣେଇ ଫେଣେଇ ପଚାଶ କଥା କରି ପାଞ୍ଚଜଣଙ୍କ ଆଗରେ ନକହିବା ପର୍ଯ୍ୟନ୍ତ ତା’ ତୁଣ୍ଡ ଖଜବଜ ହେଉଥିବ । ଭ୍ରାନ୍ତ ! ନାରୀର ହୃଦୟ ତୁମେ କେବେ ଦେଖି ନାହଁ, ପ୍ରକୃତ ନାରୀକୁ ତୁମେ ଚିହ୍ନି ନାହଁ । ତମେ ଚିହ୍ନିଚ ତମର ବିଳାସ ସାମଗ୍ରୀ, ହାତପୋଛା ମାଟି କଣ୍ଢେଇ, ରକ୍ତମାଂସର ଖେଳନା । ପ୍ରକୃତ ନାରୀ ତା’ଠାରୁ ଢେର ଉଚ୍ଚରେ, ଢେର ଗମ୍ଭୀରରେ । ତୁମେ ତା’କୁ ଖୋଜି ନାହଁ-। ସୁତରାଂ ପାଇ ନାହଁ ।’’

(ପ୍ରମାଦ- ଗୋବିନ୍ଦତ୍ରିପାଠୀ ଗ୍ରନ୍ଥାବଳୀ, ପୃ. ୩୧)

 

ନାରୀ ମନର ସ୍ନେହମୟ ସ୍ଥିତିବିନ୍ୟାସରେ ଗୋବିନ୍ଦ୍ର ତ୍ରିପାଠୀଙ୍କ ଉପନ୍ୟାସଗୁଚ୍ଛ ପ୍ରାୟ ଉଜ୍ଜ୍ୱଳ । ଫକୀରମୋହନଙ୍କ ସର୍ପକୁମ୍ଭୀରସଂକୁଳା ଚର୍ମଣ୍ୱତୀ ପ୍ରାୟ ସେଠାରେ ପରିଦୃଷ୍ଟ ହୁଏ ନାହିଁ । ବରଂ ନାରୀ ସେଠାରେ ଶିକ୍ଷିତା ଓ ବହୁକ୍ଷେତ୍ରରେ ପୁରୁଷ ସହ ମୁକାବିଲା କରିବା ପାଇଁ ସମକକ୍ଷା । ପୁରୁଷ ଯେଉଁଠାରେ ଅବିବେକୀ, ଭ୍ରଷ୍ଟାଚାରୀ ତଥା କାମୁକ ସେଠାରେ ନାରୀ କଳେବଳେ କୌଶଳେ ତା’କୁ ପରାହତ କରିବା ପାଇଁ ବଦ୍ଧପରିକର । ପରିବର୍ତ୍ତିତ ସମାଜଚେତନାକୁ ଆକ୍ଷି ଆଗରେ ରଖି ତ୍ରିପାଠୀ ନାରୀକୁ ଏହିଭଳି ଏକ ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି । ସ୍ଵୟଂ ପ୍ରତିକୂଳ ପରିବେଶରେ ରହିଥିବା ନାରୀଟିଏ ମଧ୍ୟ ହୃଦୟରେ ଅପରିମିତ ଶ୍ରଦ୍ଧା, ସମ୍ବେଦନା ତଥା ସାହସ ଓ ପ୍ରତ୍ୟୟ ନେଇ ସହାୟତା କରିଛି ଅନ୍ୟ ଏକ ନାରୀକୁ । ଗୋବିନ୍ଦ ତ୍ରିପାଠୀଙ୍କ ‘‘ପତିତାର ଆତ୍ମକଥା? ଏହିଭଳି ଏକ ସୃଷ୍ଠି । ଓଡ଼ିଶାର ପୁର-ପଲ୍ଲୀରେ ବହୁ ମହିଳା ଏହି ସମୟକୁ ଶ୍ଵଶୁରାଳୟରେ ବିଭିନ୍ନ କାରଣରୁ ନିର୍ଯ୍ୟାତିତ ହୋଇ ଦୁଃଖମୟ ଜୀବନଯାପନ କରୁଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ପରିସ୍ଥିତିର ଦାୟରେ ପତିତାବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ହେଉଥିଲେ । ଆମ ସମାଜ ହି ପତିତାମାନଙ୍କୁ କରିଥିଲା ସମାଜଚ୍ୟୁତ । ଭାଇ-ବନ୍ଧୁ-କୁଟୁମ୍ବଙ୍କଠାରୁ ଦୂରରେ ରହି ସେମାନେ ବହୁ ସମୟରେ ସାମାଜିକ ନିର୍ଯ୍ୟାତନା ସହ ଆତ୍ମ-ନିର୍ଯ୍ୟାତନାରେ ଦଗ୍ଧୀଭୂତ ହୁଅନ୍ତି । ‘‘ପତିତାର ଆତ୍ମକଥା’’ ? ଏହିଭଳି ଏକ ବିଦଗ୍‌ଧା ନାରୀର ଆତ୍ମୋପଲବ୍‌ଧି । ନାରୀ ଜୀବନର ଇତିକଥା ଜଣେ ପୁରୁଷର ଲେଖନୀରେ ଯେ ନୈପୁଣ୍ୟ ଲାଭ କରିପାରେ ‘ପତିତାର ଆତ୍ମକଥା’ ତା’ର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ‘ପତିତାର ଆତ୍ମକଥା’ର ନାୟିକା ଯେତେବେଳେ କହେ ‘‘ମୁଁ ବେଶ୍ୟାବୃତ୍ତି କଲି; ସେଥିରୁ କ'ଣ ଅନୁମାନ ହେଉନାହିଁ ଯେ ମୋର ପ୍ରବୃତ୍ତି ନିତାନ୍ତ ନୀଚ, ମୋର ମନ ପାପରେ ପୂର୍ଣ୍ଣ ×× ?’’ (ପୃ-୮୩-ପତିତାର ଆତ୍ମକଥା -ଗୋ.ତ୍ରି. ଗ୍ରନ୍ଥାବଳୀ) ସେତେବେଳେ ପତିତାଗୃହରେ ଆଶ୍ରିତ ଜନୈକ ଭଦ୍ରବ୍ୟକ୍ତିଙ୍କ ଉତ୍ତର ମାଧ୍ୟମରେ ସ୍ରଷ୍ଟା ପତିତାବୃତ୍ତିର ପୃଷ୍ଠପଟ୍ଟରେ ଥିବା ସମାଜ ଓ ସମାଜର ବଡ଼ପଣ୍ଡାମାନଙ୍କୁ ହିଁ ଏଥିପାଇଁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ‘‘ମୁଁ ଯେତେଦୂର ଜାଣେ କେହି ମନ ସୁଖରେ ଭାବିଚିନ୍ତି, ଧୀରମନ, ସ୍ଥିର ହୃଦୟରେ ଏ ବୃତ୍ତିକୁ ଆସେ ନାହିଁ । ××× କେହି ଅବସ୍ଥା ଦୋଷରୁ ଥରେ ସିଧା ବାଟରୁ ଟଳି ଯାଇଛି, ଆଉ ସେଥିପାଇଁ ସମାଜ ସେମାନଙ୍କୁ ନିଷ୍ଠୁର ଭାବରେ ଏ ବ୍ୟବସାୟରେ ପଶିବାକୁ ବାଧ୍ୟ କରିଛି ×× ଯଦି ସମାଜ ତା’ର ନିୟମ ଟିକେ ଶିଥିଳ କରନ୍ତା, ଆଉ ସମାଜର ଯଦି ମୁଖିଆ ମୁଖିଆ ଲୋକମାନେ ନିଜର ଆଦର୍ଶ ଓ ନୈତିକ ବଳ ଲଗାଇ ବେଶ୍ୟାଜାତି ବା ପତିତା ରମଣୀର ଉଦ୍ଧାର ପାଇଁ ଚେଷ୍ଟା କରନ୍ତେ, ତା’ହେଲେ ସମାଜରୁ ଏ ପାପବୃତ୍ତି ଅନେକ ଅଂଶରେ କମିଯାନ୍ତା । (ପୃ ୮୪ ଗୋ. ତ୍ରି. ଗ୍ରନ୍ଥାବଳୀ)

 

ସେ ସମୟକୁ ଶିକ୍ଷିତ ସମାଜରେ ଏ ବୃତ୍ତି ସଂପର୍କରେ ସଚେତନତା ସୃଷ୍ଟି ହୋଇଥିଲା । ‘‘ସାମାଜିକ ଦାରୁଣତା ଓ ବାରବିଳାସିନୀ’’ ଶୀର୍ଷକ ଏକ ପ୍ରବନ୍ଧ ମାଧ୍ୟମରେ ଔପନ୍ୟାସିକ ଏ ସଚେତନତା ସଂପର୍କରେ ସୂଚନା ଦେଇଛନ୍ତି । ବାରବିଳାସିନୀ ପତିତାବୃତ୍ତି ଅବଲମ୍ବନ କରିଥିବା ନାରୀଟିର ହୃଦୟରେ ଯେ ଦେବାବତରଣ ଘଟିପାରେ ‘‘ପତିତାର ଆତ୍ମକଥା’’ର ଚଂଚଳା ଚରିତରୁ ତାହା ସ୍ପଷ୍ଟ ହୁଏ । ଏକଦା ଗ୍ରାମ୍ୟ-ବଧୂ କମଳି ସ୍ୱାମୀଙ୍କର ଉଦାସୀନତା, ବୈରାଗ୍ୟ ଓ ସେହି ଆଳରେ ଶାଶୂ-ନଣନ୍ଦଙ୍କ ଅତ୍ୟାଚାର ସହି ନପାରି ଦିନେ ଗୃହତ୍ୟାଗୀ ହୋଇଛି । ସହରରେ ଅବିନାଶ ନାମ୍ନୀ ଏକ ଖଳ ଚରିତ୍ରସଂପନ୍ନ ଲୋକଠାରୁ ରକ୍ଷା ପାଇବାକୁ ଯାଇ ଅବସ୍ଥାଚକ୍ରରେ ଶେଷରେ ବାରବଧୂ ଚଞ୍ଚଳାରେ ପରିଣତ ହୋଇଛି । ଚଞ୍ଚଳାବେଶ୍ୟା ଘରେ ଦିନେ ନିଜ ପତ୍ନୀର ଅନୁସନ୍ଧାନରେ ଆସିଥିବା ଜଣେ ବ୍ୟକ୍ତି ଆଶ୍ରୟ ନେଇଛନ୍ତି ଓ ଚଞ୍ଚଳାର ହୃଦୟ ଯେ କୌଣସି ଗୃହବଧୂଠାରୂ ନ୍ୟୁନ ନୁହେଁ ତାହା ତାଙ୍କର ହୃଦୟଙ୍ଗମ ହୋଇଛି । ପରିଶେଷରେ ଚଂଚଳା ଗୃହତ୍ୟାଗୀ ଜନୈକ ସନ୍ନ୍ୟାସୀଙ୍କ ଜରିଆରେ ଆଶ୍ରିତ ଭଦ୍ରବ୍ୟକ୍ତିଙ୍କ ପତ୍ନୀ ମନୋରମାକୁ ଅବିନାଶ କବଳରୁ ଉଦ୍ଧାର କରିଛି । ଗୃହତ୍ୟାଗୀ ସନ୍ନ୍ୟାସୀଜଣକ ଚଂଚଳା ଓରଫ କମଳିର ସ୍ଵାମୀ ବୋଲି ଶେଷରେ ଜଣାପଡ଼ିଛି ଓ ଶେଷରେ କମଳିକୁ ପତ୍ନୀ ରୂପେ ସେ ସ୍ଵୀକାର କରିଛି ।

 

ସମଗ୍ର ଉପନ୍ୟାସଟି ଏକ ନାଟକୀୟ ରୀତିରେ ରଚିତ ହୋଇଛି । ଉତ୍କଣ୍ଠା ଓ ରହସ୍ୟ ଯୁଗପତ୍‌ ଆଲୋଚ୍ୟ ସୃଷ୍ଟିରେ ସୁରକ୍ଷିତ ରହିଛି । ବାରବଧୂ ଭିତରେ ଯେ ଏକ ବିଶାଳ ବ୍ୟକ୍ତତ୍ୱ ଓ ପ୍ରଚଣ୍ଡ ଶକ୍ତିମତ୍ତା ଅନ୍ତର୍ନିହିତ ରହିଛି ତାହା ପ୍ରତିପାଦିତ ହୋଇଛି ‘‘ପତିତାର ଆତ୍ମକଥା’’ରେ । ଚଂଚଳାର ସ୍ଵଗତୋକ୍ତି ଭିତରେ ରୂପାୟିତ ହୋଇଛି ସେଇ ବ୍ୟକ୍ତିତ୍ୱର ଅନ୍ତଃରୂପ- ‘‘ମୋର ନିଜ ପ୍ରତି ବିଶ୍ଵାସ ବହୁ ଗୁଣରେ ଆସିଯାଇଛି । ମୁଁ ଯେ ନରକର କୀଟ ନୁହେଁ, ଇଚ୍ଛା ଓ ସାମାନ୍ୟ ଚେଷ୍ଟା କଲେ “ଭାଗବତ’ର ପିଙ୍ଗଳା ପରି ମୁଁ ଯେ ସ୍ଵର୍ଗ ଲାଭ କରି ପାରିବି ସେ ବିଷୟରେ ମୋର ଦମ୍ଭ ଅଛି ।’’ (ପୃ ୯୮, ଗୋ.ତ୍ରି. ଗ୍ରନ୍ଥାବଳୀ) ଏହି ଦମ୍ଭ ଯୋଗୁ ଚଂଚଳା ବହୁ ବିପଥଗାମୀ ଯୁବକଙ୍କୁ ରାସ୍ତାକୁ ଫେରାଇ ଦେଇଛି । ସ୍ଵଳ୍ପବୟସ୍କ, ଚଂଚଳମତି, ଚପଳ ଯୁବକମାନେ ଯେ ସମାଜର ମେରୁଦଣ୍ଡ ଓ ସେମାନଙ୍କର ଚାରିତ୍ରିକ ସୁରକ୍ଷା ବ୍ୟତିରେକେ ଯେ ସାମାଜିକ ନୈତିକତା ଖଣ୍ଡିତ ହେବ, ଏହା ହୃଦବୋଧ କରିଛି ଏକ ବାରବଧୂ । ଏକ ବାରବଧୂ ଭିତରେ ବରବଧୂର ସମସ୍ତ ସୁଗୁଣ ଖଂଜି ଦେଇ ତ୍ରିପାଠୀ ନବ-ନୈତିକତାର ବାହକ ହୋଇଛନ୍ତି । ସମସାମୟିକ ସମାଜକୁ ନିଷ୍ଠାର ସହ ପ୍ରଦର୍ଶିତ କଲାବେଳେ କଳାର ରସବୋଧ ତାଙ୍କ ଉପନ୍ୟାସ ପରମ୍ପରାର ମୂଲ୍ୟ ହରାଇନାହିଁ । ଜାତୀୟ ଓ ଆନ୍ତର୍ଜାତୀୟ ସମସ୍ୟା ପରିବର୍ତ୍ତେ ଓଡ଼ିଶା ମାଟିରେ ଓଡ଼ିଆ ପୁଅ-ଝିଅ ଭେଟୁଥିବା ସମସ୍ୟାବଳୀକୁ ସେ ଆଖି ଆଗରେ ଦେଖିଛନ୍ତି ଓ ହୃଦୟର ସହ ତାହାକୁ ଉପସ୍ଥାପିତ କରିଛନ୍ତି । ଅହେତୁକ ନିର୍ଯ୍ୟାତନା, ଅତ୍ୟାଚାର ଓ ଉତ୍ପୀଡ଼ନ ମଧ୍ୟରେ ନାରୀର ଦୁଃଖ ଓ ସେହି ଦୁଃଖରୁ ପରିତ୍ରାଣ ଲାଗି ତା’ର ପ୍ରଚେଷ୍ଟା ‘‘ପତିତାର ଆତ୍ମକଥା’’ରେ ମର୍ମସ୍ପଶୀ ଭାଷାରେ ଅଭିବ୍ୟକ୍ତ ହୋଇଛି । ଶାଶୂ, ନଣନ୍ଦଙ୍କ ନିର୍ଯ୍ୟାତନା ସତ୍ତ୍ୱେ ଭଉଣୀ ପ୍ରତି, ଭାଇର ସ୍ନେହ ପୁଣି ପତ୍ନୀ ପ୍ରତି ପତିର ମମତା ଏକ ସୁସ୍ଥ ସାମାଜିକ ସଂପର୍କରେ ସୂଚନା ଦେଇଛି ।

 

ଗୋଦାବରୀଶ ମହାପାତ୍ରଙ୍କ ନୀଳମାଷ୍ଟ୍ରାଣୀ ଗଳ୍ପରେ ଅଜାତିରେ ବାହା ହୋଇଥିବା ଝିଅଟିଏ ସମାଜଚ୍ୟୁତା ହେଇ ଦିନେ ଭାଉଜର ବଉଳପାଟ ନ ଦେଇ ଅଡ଼ି ବସିଛି ଭାଇକୁ ତା’ ଘରେ ପାଦ ଦେବାପାଇଁ ପୁଣି ଭାଇ ତା’ ଘରେ ପାଦ ଦେବାବେଳେ ନିଜ କୃତକର୍ମର ଅନୁତାପରେ ବ୍ୟାକୁଳ ହୋଇ ଭାଇ ତା’ ଘରକୁ ଆସିଥିବା ଯୋଗୁ ଆକଟ କରିଛି । ‘‘ପତିତାର ଆତ୍ମକଥା’’ରେ ପାଖାପାଖି ସେହିଭଳି ପରିବେଶଟିଏ ସୃଷ୍ଟି ହୋଇଛି । ଅବିନାଶଙ୍କ ପ୍ରରୋଚନାରେ ଚଂଚଳା ଓରଫ କମଳିର ଭାଇ ଗୋପ ଓ ତା’ର ସାଙ୍ଗମାନେ ଚଂଚଳା ଘରକୁ ଆସିଛନ୍ତି । ଚଂଚଳା ଚପଳମତି ଯୁବକମାନଙ୍କୁ ରକ୍ଷା କରିବାକୁ ଯାଇ ଭାଇ ଗୋପକୁ ଚିହ୍ନି ପାରିଛି । ପରିଚୟ ଦେବ କି ନାହିଁ ଦ୍ୱିଧାରେ ପଡ଼ି ଶେଷରେ କହିଛି-ଗୋପ, ମୁଁ କୁଳ କଳଙ୍କିନୀ ! ମୁଁ ତୁମ ସମସ୍ତଙ୍କ ମୁହଁ ଟେକ ଭାଂଗି ଦେଇଛି; କିନ୍ତୁ ଭାଇ ବଡ଼ କଷ୍ଟରେ ପଡ଼ି-ବଡ଼ ଯନ୍ତ୍ରଣା ଭୋଗି..’ କମଳିର ବାଷ୍ପରୁଦ୍ଧ କଣ୍ଠରୁ ଗୋପ ତା’ର ଚରିତ୍ରର ନିଷ୍ପାପଦିଗଟିକୁ ଅନୁଭବ କରିପାରିଛି । ଏଇ ପରିପ୍ରେକ୍ଷୀରେ କମଳିର କଲେଜ ପଢ଼ୁଆ ଭାଇ ଗୋପ ମୁହଁରେ ଔପନ୍ୟାସିକ ଉଲ୍ଲେଖ କରିଛନ୍ତି- ‘‘ମନୁଷ୍ୟ ପ୍ରତି ପଶୁସଦୃଶ ବ୍ୟବହାର କରିବାର ଅଧିକାର କାହାରି ନାହିଁ । ସମସ୍ତ ମନୁଷ୍ୟ ସମାନ ଓ ସମସ୍ତ ସାମାଜିକ ବନ୍ଧନ ପବିତ୍ର । ଯେ ଲୋକ ଏହି ପବିତ୍ରତା ନଷ୍ଟ କରେ, ମନୁଷ୍ୟତାର ଅବମାନନା କରେ-ଅପରର କାର୍ଯ୍ୟ ସମାଜ ଚକ୍ଷୁରେ ଯେତେ ଅସ୍ଫୁହଣୀୟ ହେଉ ପଛକେ, ତା’ର ବିରୁଦ୍ଧରେ କୌଣସି ପ୍ରତିକାର ସେ ପାଏ ନାହିଁ ’’(ପୃ. ୧୧୨-ତତ୍ରୈବ) ।

 

ପ୍ରତ୍ୟେକ କାର୍ଯ୍ୟ ଏକ କାରଣଦ୍ୱାରା ଅନୁପ୍ରେରିତ ଓ କାରଣ ବ୍ୟତିରେକେ କାର୍ଯ୍ୟ କଦାଚିତ୍‌ ସଂପନ୍ନ ହୋଇ ନପାରେ ବୋଲି ବିଶ୍ଵାସ କରୁଥିବା ଯୋଗୁ ତ୍ରିପାଠୀଙ୍କ ଦୃଷ୍ଟିରେ ମାନବିକ ନୈତିକତାର ପରିସର ଅତ୍ୟନ୍ତ ଉଦାର ତଥା ବିସ୍ତୃତ । ଆପାତତଃ ଲଘୁ ମନେ ହେଉଥିବା କାହାଣୀ ଅନ୍ତରାଳରେ ସେଠାରେ ତେଣୁ ଉପଲବ୍‌ଧ ହୁଏ ଏକ ଗଭୀର ଜୀବନ-ଜିଜ୍ଞାସା । ଆପାତତଃ ଶିକ୍ଷିତ ଓ ସଂସ୍କୃତିସଚେତନ ମଣିଷଟିଏ ଭିତରେ ସେ ଉଦ୍‌ଘାଟନ କରିଥା’ନ୍ତି ନାରକୀୟ ପଶୁସୁଲଭ ମନୋବୃତ୍ତି । ପୁଣି ତଥାକଥିତ ନିରକ୍ଷର ମଣିଷଟିଏ ଭିତରେ ରୁଚି, ସଂସ୍କୃତି ଓ ହୃଦୟବତ୍ତା ମଣିଷପଣିଆ ସହ ଅମଣିଷପଣିଆର ସଂଘର୍ଷ ହୁଏ ଓ ପରିଶେଷରେ ମାନବିକତାର ଜୟ ଘଟେ । ଆବେଦନ ଦୃଷ୍ଟିରୁ ତାଙ୍କର ‘‘ପ୍ରମାଦ ଉପନ୍ୟାସ ଏକ ଦୀର୍ଘ ଗଳ୍ପ ଭଳି ମନେ ହେଲାବେଳେ ‘‘ପତିତାର ଆତ୍ମକଥା’ର କଥାଂଶ ଅପେକ୍ଷାକୃତ ଜଟିଳ ଓ ରହସ୍ୟମୟ । ଘଟଣାର କ୍ଷୀପ୍ର ଗତିଶୀଳତା ପାଠକୀୟ ଉତ୍କଣ୍ଠା ଏଠାରେ ଜାରି ରଖିଛି । ପାରିବେଶିକ ବାସ୍ତବତା ସୃଷ୍ଟି କ୍ଷେତ୍ରରେ ବାସ୍ତବତା ପୁଣି ବାସ୍ତବତା ଭିତରେ ଦାର୍ଶନିକତା ଯୁଗପତ୍‌ ସଂଜୀବିତ ରହିଛି ‘‘ପତିତାର ଆତ୍ମକଥା’’ରେ । ମନୋରମାକୁ ରକ୍ଷା କରିବା ପାଇଁ ରାତି ଅଧରେ ଚଂଚଳା ଏକାକୀ ଧବଳେଶ୍ଵର ଯିବା ବେଳେ ଏକ ବାସ୍ତବଧମୀ ପରିବେଶ ବର୍ଣ୍ଣନା ରହିଛି-‘‘ନିର୍ଜନ ରାତି, ତା’ ଉପରେ ପୁଣି ଅନ୍ଧାର-ମନରେ ବଡ଼ ଭୟ ହେଉଥାଏ । ତଣ୍ଡୀ ଗଛ ଆଉ ବେଣା ଗଛଗୁଡ଼ାକ ମଣିଷମାନେ ଠିଆ କି ବସିଲା ପରି ଦେଖା ଯାଉଥାନ୍ତି । ଆଗରେ ନିର୍ଜନ ପ୍ରାନ୍ତର । ପଛରେ ମଧ୍ୟ ସେହିପରି । ××× ବେଳେ ବେଳେ ହିଞ୍ଜଳ ଗଛଗୁଡ଼ାକ ସୁଲୁସୁଲିଆ ନଈ ପବନରେ ମୁଣ୍ଡ ହଲାଇ ମଣିଷ ଆଉ ବିଲୁଆର ଦ୍ୱୈତ ସଂଗୀତର ବେତାଳ ରାବ ସୃଷ୍ଟି କରୁଛି । କେତେବେଳେ ବା ଖଣ୍ଡେ ଖଣ୍ଡେ ଅତାଡ଼ି ପାଣି ଉପରେ ଖସି ପଡ଼ି ‘‘ଭୁସ୍‌ଭାସ୍‌ ଧୁସ୍‌ଧାସ୍‌’’ ଗୋଡ଼ହାତ ବାଡ଼େଇଲା ପରି ଶବ୍ଦ କରୁଛି । ଏହି ଅଶାନ୍ତ, ତାଣ୍ଡବ ନୃତ୍ୟରେ ରହି ରହି ପେଚା, ହୁଁ - ହାଁ ପ୍ରଭୃତି ରାତି ଚଢ଼େଇ ଯୋଗ ଦେଇଛନ୍ତି । ସବୁ ଯେପରି ବେତାଳ-ସବୁ ଯେପରି ଅଶାନ୍ତ । କେବଳ ଯେପରି ଭୟ ଡେଙ୍ଗରାରେ ସଂସାର ଗୋଟାକ ଯାକ ପୂରିରହିଛି । (ପୃ ୧୩୫ - ତତ୍ରୈବ)

 

ନିର୍ଜନତା ଓ ପୈଶାଚିକ ଅନ୍ଧାର ଭିତରେ ଆକାଶରେ ଅକସ୍ମାତ୍‌ ଚନ୍ଦ୍ରୋଦୟ ହୋଇଛି । ଅସହାୟ ନାରୀ ମନରେ ଜାଗରୂକ ରହିଛି ଅସୀମ ଶକ୍ତି । ଏକାକୀ ସଂଗ୍ରାମ କରି ସେ ଉଦ୍ଧାର କରିବାକୁ ଚାହିଁଛି ଅନ୍ୟ ଏକ ସୀମନ୍ତିନୀକୁ । ଗତି ହିଁ ତା’ର ଧର୍ମ । ବାରନାରୀ ଭାବରେ ତା’ର କପାଳ ପୁନଶ୍ଚ ସିନ୍ଦୂରିତ ହେବାର ସମ୍ଭାବନା ରହି ଥିଲେ ମଧ୍ୟ ଅନ୍ୟ ଏକ ସୀମନ୍ତିନୀର ସୋହାଗ ପାଇଁ ତା’ର ଆନ୍ତରିକତା ଅପରିସୀମ । ଏ ଭଳି ଆନ୍ତରିକତା ଓ ନିଷ୍ଠା ତାଙ୍କର ତିନୋଟି ଯାକ ଉପନ୍ୟାସକୁ ମାନବିକତାବୋଧରେ ଅଭିମନ୍ତ୍ରିତ କରିଛି । ଗୋବିନ୍ଦ ତ୍ରିପାଠୀଙ୍କ ତୃତୀୟ ଉପନ୍ୟାସ ହେଉଛି ‘‘ମାୟାବୀ’’ । ମାୟାବୀ ମଣିଷର ଅନ୍ତରାତ୍ମାକୁ ତ୍ରିପାଠୀ ଏଠାରେ ଭଖାରି ନିଖାରି ଦେଖିବାର ପ୍ରୟାସ କରିଛନ୍ତି । ‘‘ମାୟାବୀ’’ର ଉତ୍ସର୍ଗ ପତ୍ର କିନ୍ତୁ ମାନବପ୍ରକୃତି ପରିବର୍ତ୍ତେ ବିଶ୍ୱପ୍ରକୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ-‘‘ନିଶାକର ସ୍ପର୍ଶରେ ଯେଉଁ ମଧୁରତା ଥାଏ, ବାସନ୍ତୀ ଚନ୍ଦ୍ରିକାର ମଧୁର ହସରେ ଯେ ମାଦକତା ଥାଏ... ସେହି ମଧୁରତା ଓ ମାଦକତାର ସ୍ମୃତି ନିମନ୍ତେ...ଏ ପୁସ୍ତିକାଟି ଅର୍ପିତ ହେଲା ।’’ (ଉତ୍ସର୍ଗ ପତ୍ର - ମାୟାବୀ) ।

 

ପ୍ରକୃତିର ମାଧୁର୍ଯ୍ୟକୁ ମର୍ମେ ମର୍ମେ ଅନୁଭବ କରୁଥିବା ଶିଳ୍ପୀ ମାନବଚରିତ୍ରର ମାଧୁରିମାର ସନ୍ଧାନରେ ବ୍ୟାକୁଳ ହୋଇଛନ୍ତି । ପ୍ରବନ୍ଧସାହିତ୍ୟରେ ସଂସ୍କୃତି ଓ ପରମ୍ପରାର ଅବମୂଲ୍ୟାୟନକୁ ଶାଣିତ ଭାବରେ ସମାଲୋଚନା କରିଥିବା ତାଙ୍କର ଶିଳ୍ପୀସତ୍ତା ଉପନ୍ୟାସରେ ଅପେକ୍ଷାକୃତ ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାନବିକତାର ଅବକ୍ଷୟକୁ ସର୍ବତ୍ର ସେ କ୍ଷମାହୀନ ଦୃଷ୍ଟିରେ ଦେଖିଛନ୍ତି ଓ ତଦନୁଯାୟୀ ବକ୍ତବ୍ୟ ପ୍ରକାଶ କରିଛନ୍ତି । ନିଜସ୍ଵ ଓ ଉପନ୍ୟାସର ପରିଧିରେ । ମାନବିକ ବିପର୍ଯ୍ୟୟକୁ ତଥାକଥିତ ନୈତିକତାର ଉର୍ଦ୍ଧ୍ୱରେ ସେ ବିଚାର କରିଛନ୍ତି । ରଦିଃବାଦୀ ନୀତିବାଗୀଶମାନଙ୍କ ପାରଂପରିକ ନୀତିନିୟମର କଷଟି ପଥରରେ ଚରିତ୍ରଗୁଡ଼ିକୁ ନ ତଉଲି ମାନବିକ ନୈତିକତା ଭିତ୍ତିରେ ତର୍ଜମା କରିଛନ୍ତି ।

 

‘ମାୟାବୀ’ ତ୍ରିପାଠୀଙ୍କର ଅପେକ୍ଷାକୃତ ଏକ ଦୀର୍ଘ ଉପନ୍ୟାସ । ‘ପ୍ରମାଦ’ ଓ ‘ପତିତାର ଆତ୍ମକଥା’ ତୁଳନାରେ ଏହା ପରିମାଣାତ୍ମକ ଦୃଷ୍ଟିରୁ ବିପୁଳ ଓ ବୈଚିତ୍ର୍ୟମଣ୍ଡିତ । ଧୋଇ ଓରଫ ପରମାନନ୍ଦର ଶୈଶବ ତଥା ଯୌବନ ଅବସ୍ଥାର ଚିତ୍ର ଆଲୋଚ୍ୟ ଉପନ୍ୟାସର ମୁଖ୍ୟ ବକ୍ତବ୍ୟ । ସ୍ଵାମୀଙ୍କ ମୃତ୍ୟୁ ପରେ କୌଶଲ୍ୟା ଦେବୀ ତାଙ୍କର ଏକ ମାତ୍ର ପୁଅ ଧୋଇକୁ ନେଇ ଗାଁରେ ରହିଛନ୍ତି-। ଚଗଲା ଧୋଇ ବିଧି‌ବଦ୍ଧ ଶିକ୍ଷାପ୍ରତି ଆକୃଷ୍ଟ ନହୋଇ ଚିତ୍ରାଙ୍କନରେ ଅଧିକ ଦକ୍ଷତା ପ୍ରତିପାଦିତ କରିଛି । ଜଣେ ସଂପକୀୟଙ୍କ ସହାୟତାରେ କଲିକତାର ଏକ ବିଶିଷ୍ଟ ଚିତ୍ରାଙ୍କନ ଅନୁଷ୍ଠାନରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଗାଁକୁ ଫେରି ଆସିଛି । ଗାଁରେ ସଦାଶିବ ବାବୁ ନାମକ ଜଣେ ନେତୃସ୍ଥାନୀୟ ବ୍ୟକ୍ତି ଧୋଇକୁ ହତ୍ୟା କରି ବିଧବା କୌଶଲ୍ୟା ଦେବୀଙ୍କ ସମସ୍ତ ସଂପତ୍ତି ଆତ୍ମସାତ୍‌ କରିବାକୁ ଚାହିଁଛନ୍ତି । କୌଶଳର ସହ ଧୋଇ ହାତରେ କଲିକତାର ପ୍ରମଥବାବୁଙ୍କ ନିକଟକୁ ଏକ ପତ୍ର ଦେଇ ସେଠାକାର ଗୁଣ୍ଡାମାନଙ୍କ ଜରିଆରେ ଧୋଇକୁ ହତ୍ୟା କରିବା ପାଇଁ ଚକ୍ରାନ୍ତ କରିଛନ୍ତି ସଦାଶିବ । ପରସ୍ଵାପହରଣ ପ୍ରବୃତ୍ତି ନିକଟରେ ନରହତ୍ୟା ଯେ ଏକ ସାଧାରଣ ଘଟଣା ଓ ନିର୍ବିବାଦରେ ଅର୍ଥ ବିନିମୟରେ ସେ ଘଟଣାଟିକୁ ସଂପନ୍ନ କରାଯାଇପାରେ ତାହା ପ୍ରମାଣିତ ହୋଇ ଆସିଛି ଫକୀରମୋହନଙ୍କ କଥା ପରମ୍ପରାରୁ । ତେବେ ଫକୀରମୋହନଙ୍କ ହତ୍ୟାକାରୀ ପ୍ରାୟ ମୂର୍ଖ, ନିରକ୍ଷର ହୋଇଥି‌ବାବେଳେ ତ୍ରିପାଠୀଙ୍କ ଉପନ୍ୟାସର ହତ୍ୟାକାରୀ ସଭ୍ୟତାର ଛଦ୍ମାବରଣ ତଳେ ଆଚ୍ଛାଦିତ । ଏଭଳି ହତ୍ୟାକାଣ୍ଡର ପରିକଳ୍ପନା ସଦାଶିବବାବୁଙ୍କ ମସ୍ତିଷ୍କରୁ ଉଦ୍‌ଭୂତ-ଯେଉଁ ସଦାଶିବ ବାବୁ ସମାଜର ଜଣେ ତୁଙ୍ଗ ସ୍ଥାନୀୟ ବ୍ୟକ୍ତି । ପ୍ରମଥ ଓ ସଦାଶିବଙ୍କ କଥୋପକଥନ ଜରିଆରେ ଆମ ସମାଜର ତଥାକଥିତ ଉଚ୍ଚସ୍ତରର ନେତୃବର୍ଗ କିଭଳି ଜଘନ୍ୟ ତଥା ନାରକୀୟ କର୍ମରେ ଲିପ୍ତ ରହିଛନ୍ତି ତାର ସ୍ପଷ୍ଟ ପ୍ରମାଣ ମିଳେ - × × ପ୍ରମଥ ବାବୁ ସେହିପରି ଚଉକି ଉପରେ ବସି ମୁଡ଼ୁକି ମୁଡ଼ୁକି ହସୁଥାନ୍ତି । ସେ ଧୀରେ ଧୀରେ ଯେପରି କଥାଗୁଡ଼ାକ ଗଣି ଗଣି ହିସାବ କରି ତାଙ୍କ ପାଟିରୁ ବାହାରୁଚି, କହିଲେ-ଟିକିଏ ଭାବି ଦେଖିଚ ସଦାଶିବ ବାବୁ, ତୁମେ ଆଜି ମୋ ପାଖରେ କି ପ୍ରସ୍ତାବ କରିଛ ! ଗୋଟିଏ ନିରୀହ ଅପରିଚିତ ଯୁବକକୁ ମୁଁ ବର୍ଷେ ବା ଦୁଇବର୍ଷ ବନ୍ଦ କରି ରଖିବି ଓ ଦରକାର ପଡ଼ିଲେ ତାକୁ ପ୍ରାଣରେ ମାରିବି ××’’

 

× × × × × ତୁମେ ଖଲାସ ହୋଇ ଯାଇପାର, କିନ୍ତୁ ବିଷୟଟା କାଗଜରେ ବାହାରିଯିବ-। ଭାରତବର୍ଷର ଅନେକ ଲୋକ ପଢ଼ିବେ । ତୁମ ଓଡ଼ିଶା ଅସଭ୍ୟ, ଅଶିକ୍ଷିତ କୁଲି ମଜୁରିଆର ଦେଶ ହେଲେ ମଧ୍ୟ ସେଠି ଏ ସମ୍ବାଦଟା ପଶିବାକୁ ବିଳମ୍ବ ହେବ ନାହିଁ । × ତା’ପରେ ! ତା’ପରେ ଭାଇ ତୁମେ ପରା ଜଣେ ଲୋକ ପ୍ରତିନିଧି ! ତୁମେ ପରା ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି (୨୦୭ - ଗୋ. ତ୍ରି. ଗ୍ରନ୍ଥାବଳୀ - ମାୟାବୀ)

 

ଏହି ଉକ୍ତିରୁ ମୁଖ୍ୟତଃ ଦୁଇଟି କଥା ପ୍ରମାଣିତ ହୁଏ । ଯଥା : (କ) ବଙ୍ଗୀୟମାନଙ୍କ ଦୃଷ୍ଟିରେ ଓଡ଼ିଶା ଏକ କୁଲି ମଜୁରିଆର ଦେଶ । (ଖ) ଆମ ରାଜ୍ୟର ତୁଙ୍ଗସ୍ତରର ନେତୃବର୍ଗଙ୍କର ଜଘନ୍ୟ ମନୋଭାବ ।

 

ସେତେବେଳକୁ ସାରା ଭାରତ ବର୍ଷରେ ସମ୍ବାଦପତ୍ରର ବହୁଳ ପ୍ରସାର ଘଟିସାରିଥିଲା । ସମ୍ବାଦପତ୍ର ଯେ ରାଷ୍ଟ୍ରର ଚତୁର୍ଥ ସ୍ତମ୍ଭ ତାହାକୁ ସ୍ଵୀକୃତି ଦେଇ ସାରିଥିଲେ ଆମ ଦେଶର ଶିକ୍ଷିତ ଜନସାଧାରଣ । ସୁତରାଂ ସମ୍ବାଦପତ୍ର ଜରିଆରେ ଭାବମୂର୍ତ୍ତି କ୍ଷୁଣ୍ଣ କରିବାର ପ୍ରଚେଷ୍ଟା ସ୍ଵାଧୀନତାର ବହୁ ପୂର୍ବରୁ ଏ ଦେଶରେ ମୁଣ୍ଡ ଟେକି ସାରିଥିଲା । ‘‘ମାୟାବୀ’’ ଉପନ୍ୟାସରେ ତେଣୁ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଏକ ସଚେତନତା ସୃଷ୍ଟି କରାଯାଇଛି।

 

‘ମାୟାବୀ’ ଉପନ୍ୟାସର କାହାଣୀ ମୁଖ୍ୟତଃ ତିନୋଟି ଧାରାରେ ଗତିଶୀଳ । ପ୍ରଥମତଃ କୌଶଲ୍ୟା ଦେବୀ ଓ ତାଙ୍କ ପୁଅ ଧୋଇ, ଦ୍ୱିତୀୟତଃ କଲିକତାରେ ପ୍ରମଥ ବାବୁ, ତାଙ୍କ ସଂପର୍କୀୟା ନମିତା, ତୃତୀୟତଃ କୌଶଲ୍ୟା ଦେବୀଙ୍କ ପାଖ ଗାଁର ସରୋଜିନୀ, ତାଙ୍କ କନ୍ୟା ପ୍ରମିଳା ଓ ପଡ଼ୋଶୀ ଶ୍ୟାମ ବାବୁ । କୌଶଲ୍ୟା ଦେବୀଙ୍କ ସଂପତି ପ୍ରତି ଆସକ୍ତ ସେହି ଗାଁର ସଦାଶିବ ବାବୁଙ୍କ ଚକ୍ରାନ୍ତର ଶିକାର ହୋଇଛି ଧୋଇ ଓରଫ ପରମାନନ୍ଦ । କୌଶଲ୍ୟା ଦେବୀଙ୍କ ପ୍ରତ୍ୟୁତ୍ପନ୍ନମତିତା ହେତୁ କଲିକତାରେ ଧୋଇର ଅଟକବନ୍ଦୀ ରହିବା କଥା ଯଥା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଧୋଇର ବନ୍ଧୁ ପ୍ରଫୁଲ୍ଲକୁ ପ୍ରମଥ ବାବୁଙ୍କ କଲିକତାସ୍ଥିତ ଘରକୁ ପଠାଇ କୌଶଲ୍ୟା ଦେବୀ ପୁଅକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଛନ୍ତି । ପ୍ରମଥ ବାବୁ ତାଙ୍କର ସଂପର୍କୀୟା ନମିତାକୁ ନିଜର ଝିଅ ବୋଲି କହି ଧୋଇ ସାଙ୍ଗେ ବିବାହ ଦେବାକୁ ମନସ୍ଥ କରିଛନ୍ତି । ଉଭୟ ନମିତା ଓ ଧୋଇ ଏ ବିବାହରେ ଅନିଚ୍ଛୁକ ଥିବାରୁ କୌଶଳର ସହ ବିବାହଦିନ ରାତି ବାରଟାରେ ଧୋଇକୁ ନମିତା ଏକ ଗୁପ୍ତ ଦ୍ୱାର ଦେଇ ଘରୁ ବାହାରି ଯିବାରେ ସହାୟତା କରିଛି । ସଦାଶିବବାବୁଙ୍କ ଭଡ଼ାଟିଆ ଗୁଣ୍ଡାମାନଙ୍କ କବଳରୁ ନିଜକୁ କୌଣସି ପ୍ରକାରେ ରକ୍ଷା କରି ସରୋଜିନୀ ଦେବୀଙ୍କ କନ୍ୟା ପ୍ରମିଳା ନିକଟରେ ଆଶ୍ରୟ ନେଇଛି । ସରୋଜିନୀ ଦେବୀଙ୍କ ଦେହାନ୍ତ ପରେ ତା’ର ସଂପତ୍ତି ବୁଝାଶୁଝା କରୁଥିବା ବିବାହିତ ଶ୍ୟାମସୁନ୍ଦର ଅର୍ଥଲୋଭରେ ପ୍ରମିଳାକୁ ଦ୍ୱିତୀୟ ପତ୍ନୀ ରୂପେ ଗ୍ରହଣ କରିବା ପାଇଁ ଚକ୍ରାନ୍ତ କରିଛି । ଯୋଗୀ ବେଶରେ ଥିବା ଧୋଇ ପ୍ରମିଳାକୁ ସମୟରେ ରକ୍ଷା କରିଛି-। ପରିଶେଷରେ ଶ୍ୟାମସୁନ୍ଦର ଓ ସଦାଶିବଙ୍କ ଚକ୍ରାନ୍ତ ବିଫଳ ହୋଇଛି ଓ ଧୋଇ ଓ ପ୍ରମିଳାର ବିବାହ ମଧ୍ୟରେ ପୂର୍ବ ଦୂଇଟି ଉପନ୍ୟାସ ଭଳି ‘ମାୟାବୀ’ ଏକ ସୁଖାନ୍ତକ ପରିଣତି ଲାଭ କରିଛି।

 

‘‘ମାୟାବୀ’’ କଥାବସ୍ତୁ ‘‘ପତିତାର ଆତ୍ମକଥା’’ର କଥାବସ୍ତୁଠାରୁ ଅପେକ୍ଷାକୃତ ଜଟିଳ । ଏଠାରେ ସ୍ଥାନ ଓ ପାତ୍ରର ପରିସର ମଧ୍ୟ ତୁଳନାତ୍ମକ ଦୃଷ୍ଟିରୁ ବ୍ୟାପକ । ଏକାସାଥୀରେ କଲିକତା ସମେତ ଓଡ଼ିଶାର ଦୁଇଟି ଗାଁର ଚାରୋଟି ପରିବାରର କାହାଣୀ ଏକାଧାରରେ ଏଠାରେ ଗୁମ୍ଫିତ । ଭୂ-ସଂପତ୍ତିକୁ କେନ୍ଦ୍ରକରି ନରହତ୍ୟା ଓ ନାରୀହରଣର ସୁପରିକଳ୍ପିତ ଯୋଜନା ସଂଗଠିତ ହୋଇଛି ‘‘ମାୟାବୀ’’ ଉପନ୍ୟାସରେ । ଗୋଟିଏ ପଟେ ଅଛନ୍ତି ସଦାଶିବ, ପ୍ରମଥ ଅନ୍ୟପଟେ ଶ୍ୟାମସୁନ୍ଦର । ପରିସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ପୁରୁଷମାନଙ୍କ ପରି ନାରୀମାନେ ମଧ୍ୟ ଏ ଉପନ୍ୟାସରେ ବେଶ୍‌ ସକ୍ରିୟ ରହିଛନ୍ତି । କୌଶଲ୍ୟା ଦେବୀଙ୍କଠାରୁ ଆରମ୍ଭ କରି, ଶ୍ୟାମ ସୁନ୍ଦରର ପତ୍ନୀ କୁମୁଦିନୀ, ପୁଣି ସରୋଜିନୀ ଦେବୀଙ୍କ କନ୍ୟା କଲେଜପଢ଼ୁଆ ପ୍ରମିଳା ବାଟଦେଇ କଲିକତାବାସିନୀ ପ୍ରମଥ ବାବୁଙ୍କ ପାଳିତା ନମିତା ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ନାରୀ ନିଜ ନିଜ ପରିଧିରେ ପ୍ରତିକୂଳ ପରିବେଶ ସହ ମୁକାବିଲା କରିବାକୁ ଶିଖିଛନ୍ତି । ବିଂଶ ଶତାବ୍ଦୀର ୨ୟ/୩ୟ ଦଶନ୍ଧି ବେଳକୁ ନାରୀ ଆଉ ପରଦାନସୀନ୍‌ ହୋଇ ରହିନାହିଁ । ଓଡ଼ିଶାରେ (ନାରୀଶିକ୍ଷାର କ୍ରମବିକାଶ ସହ ଝିଅମାନେ ଛାନ୍ଦ ଚଉପଦୀ, କୋଇଲିର ପରିସରରୁ ମୁକୁଳି ଧୀରେ ଧୀରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇଛନ୍ତି । ଶିକ୍ଷା ସେମାନଙ୍କୁ ବ୍ୟକ୍ତିତ୍ୱ ସଂପନ୍ନ କରିଛି । ନାରୀ ଶିକ୍ଷାର କ୍ରମପ୍ରସାର ‘‘ପ୍ରମିଳା’’ ମାଧ୍ୟମରେ ‘‘ମାୟାବୀ’’ରେ ସୂଚିତ ହୋଇଛି । ଅନ୍ୟ ପକ୍ଷରେ ସ୍ଵଳ୍ପ ଶିକ୍ଷାପ୍ରାପ୍ତ କୁମୁଦିନୀ ମଧ୍ୟ ସ୍ଵାମୀଙ୍କ ଅପକର୍ମକୁ ନୀରବରେ ମଥାପାତି ସ୍ୱୀକାର କରିନାହାନ୍ତି । ସ୍ୱାମୀଙ୍କୁ ଜୀବନ-ଦେବତା ରୂପେ ଗ୍ରହଣ କରିଥିଲେ ମଧ୍ୟ ଶ୍ୟାମସୁନ୍ଦରଙ୍କ ଅସତ୍‌ ଉଦ୍ଦେଶ୍ୟ ସଂପର୍କରେ ପ୍ରମିଳାକୁ ସେ ଯଥାସମୟରେ ଅବଗତ କରାଇଦେଇଛନ୍ତି । ‘ପ୍ରମାଦ’ ଓ ‘ପତିତାର ଆତ୍ମକଥା’ ପରି ଏଠାରେ ମଧ୍ୟ ନାରୀ ହୋଇଛି ନାରୀର ରକ୍ଷାକର୍ତ୍ତ୍ରୀ । ତ୍ରିପାଠୀଙ୍କ ଉପନ୍ୟାସରେ ସର୍ପକୁମ୍ଭୀରସଂକୁଳା ଚର୍ମଣ୍ୱତୀ ପ୍ରାୟ ପରିଦୃଷ୍ଟ ହୁଅନ୍ତି ନାହିଁ । ନାରୀ ମାତ୍ରକେ ହିଁ ସେଠାରେ ପାବନୀଫଲ୍‌ଗୁ । କେବଳ ‘ମାୟାବୀ’ ର ସଦାଶିବଙ୍କ ପତ୍ନୀ ୟା’ର ବ୍ୟତିକ୍ରମ ହେଲେ ମଧ୍ୟ ସମଗ୍ର ଉପନ୍ୟାସରେ ଚରିତ୍ରଟିର ଭୂମିକା ଅତ୍ୟନ୍ତ ନଗଣ୍ୟ ।

 

‘‘ମାୟାବୀ’’ର ବହୁ ଅଂଶରେ ଅଛି ଲଘୁ-ହାସ୍ୟ, ଆମୋଦ ଓ ରହସ୍ୟ-ରୋମାଞ୍ଚକର ଉତ୍କଣ୍ଠିତ ବର୍ଣ୍ଣନା-ରୀତି । ଶୈଶବରେ ଅବଧାନଙ୍କ ପ୍ରତି ଧୋଇର ଆଚରଣ, ତାରୁଣ୍ୟରେ ଯୋଗୀ ବେଶ ପୁଣି ପ୍ରମିଳା ସହ ତା’ର ଆଳାପ-ଆଲୋଚନା ଭିତରେ ଲଘୁ ଆମୋଦ ଅନୁଭୂତ ହୁଏ । ତେବେ ଉପନ୍ୟାସ-କଳାରେ ଗୋବିନ୍ଦତ୍ରିପାଠୀଙ୍କ ଶୈଳୀ ସାମଗ୍ରିକ ଭାବେ ଗାମ୍ଭୀର୍ଯ୍ୟପୂର୍ଣ୍ଣ । ତାଙ୍କ ରମ୍ୟ-ନିବନ୍ଧର ଶବ୍ଦାବଳୀ ଓ ଶୈଳୀ ଉପନ୍ୟାସ ପରମ୍ପରାରେ ପ୍ରାୟ ପରିଦୃଷ୍ଟ ହୁଏ ନାହିଁ । ‘‘ମାୟାବୀ’’ ବହୁ ସମୟରେ ଏକ ରହସ୍ୟ -ରୋମାଂଚଭରା ଡିଟେକ୍‌ଟିଭ ଉପନ୍ୟାସର ଭ୍ରମ ସୃଷ୍ଟି କଲେ ମଧ୍ୟ ତହିଁରେ ସମାଜ, ସଂସ୍କୃତି ଓ ସାହିତ୍ୟ ସମ୍ବନ୍ଧୀୟ ସଚେତନତା । ଏକାଧାରରେ ଗୁମ୍ଫିତ-। କଲିକତାର ‘ଓଡ଼ିଆ ସମାଜ’ର ସାହିତ୍ୟ ଆଲୋଚନା ପରିପ୍ରେକ୍ଷୀରେ । ଓଡ଼ିଆ ସାହିତ୍ୟ ସଂପର୍କରେ କଥୋପକଥନ ଛଳରେ ଏକ ସୁଦୀର୍ଘ ଆଲୋଚନା ‘‘ମାୟାବୀ’’ । ଉପନ୍ୟାସରେ ସଂଯୋଜିତ । ସଭା ବିଷୟରେ ଶୁଣି ବଙ୍ଗାଳୀମାନେ ଭାବିଲେ- ‘‘ଆଃ, ଓଡ଼ିଆ ଗୋଟାଏ ସାହିତ୍ୟ ତା’ର ପୁଣି ଗୋଟାଏ ଭାଷା, ସେ ବିଷୟରେ ବକ୍ତୃତା ଦେବାର କି ଅଛି ? ଖାଲି ସମୟନଷ୍ଟ, ତେବେ ଲୁଚି-ରସଗୋଲାତକ ନଷ୍ଟ ହେବ କାହିଁକି ? ନହେଲା ସେତେବେଳକୁ କଷ୍ଟ କରିଯିବା ।’’ (୨୩୨-ତତ୍ରୈବ) ।

 

ଓଡ଼ିଶାରେ ଏବେ ମଧ୍ୟ ଓଡ଼ିଆ ସାହିତ୍ୟର ଯଥାର୍ଥ ବକ୍ତା ଓ ଶ୍ରୋତା ଯଥେଷ୍ଟ ଭାବରେ ସୃଷ୍ଟି ହୋଇପାରି ନଥିବା ବେଳେ ବିଂଶଶତାବ୍ଦୀର ଆଦ୍ୟପାଦରେ କଲିକତାରେ ଓଡ଼ିଆ ସାହିତ୍ୟ ଓ ଭାଷାର ଅବସ୍ଥା ସହଜରେ ଅନୁମେୟ । ସଭାର ଜନସମାଗମ ସଂପର୍କରେ ମନ୍ତବ୍ୟ ଦେବାକୁ ଯାଇ ଔପନ୍ୟାସିକ କହିଛନ୍ତି- ‘‘×× ଆଉ ଆସିଛନ୍ତି ନିରକ୍ଷର କୁଲି ଓଡ଼ିଆ ପ୍ରାୟ ପଚାଶ ଷାଠିଏ । ଏମାନେ ତ ଓଡ଼ିଆ ନୁହନ୍ତି । ମୁଣ୍ଡଗଣତି ବେଳକୁ ନହେଲେ ଏମାନକୁ ଓଡ଼ିଆ ବୋଲି ମାନି ନେବାକୁ ହେଲା ।’’ (ପୃ. ୨୩୩ - ତତ୍ରୈବ)

 

ତେବେ ସଭାରେ ଥିବା କେତେକ ଶିକ୍ଷିତ ଓଡ଼ିଆଯୁବକଙ୍କର ଆଲୋଚନା ମାଧ୍ୟମରେ ଓଡ଼ିଆ ଭାଷାର ତତ୍‌କାଳୀନ ଅବସ୍ଥା ତଥା ଲେଖକୀ ରୂଚିବୋଧର ସୂଚନା ମିଳେ- ‘‘ଆଜିକାଲି ଓଡ଼ିଆସାହିତ୍ୟରେ ଗୋଟାଏ ଢଙ୍ଗ ବାହାରିଚି, କଥାରେ କଥାରେ ହିନ୍ଦୀ ଓ ବଙ୍ଗଳା ଶବ୍ଦର ପ୍ରୟୋଗ-। ପ୍ରାଚନୀ ଓଡ଼ିଆସାହିତ୍ୟରେ ଅନେକ ଶବ୍ଦ ଅଛି, ଯାହାକି ଲୁପ୍ତ ହେବା ଉପରେ ଅଥଚ ସେହି ଭାବଦ୍ୟୋତକ ଶବ୍ଦ ପାଇଁ ଆମ୍ଭେମାନେ ପରଦୁଆର ଛ’ ପିଣ୍ଡା ହେଉଛୁ ।’’(ପୃ. ୨୩୫ - ତତ୍ରୈବ)-

 

ଗୋବିନ୍ଦ ତ୍ରିପାଠୀ ତାଙ୍କର ରମ୍ୟ-ନିବନ୍ଧରେ ଓଡ଼ିଆ ଜାତିର ସ୍ଵାଭିମାନ ସଂପର୍କରେ ବାରମ୍ବାର ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ । ଉପନ୍ୟାସ ପରମ୍ପରାରେ ଭାଷା ଓ ସାହିତ୍ୟ ସୂତ୍ରରେ ଏ ଉଦ୍ୟମ ଅବ୍ୟାହତ ରହିଛି । ଓଡ଼ିଆ ଜାତିର ମୌଳିକତାର ସୁରକ୍ଷା ପାଇଁ ଆକୁଳତାର ଅନ୍ତ ନାହିଁ ତାଙ୍କ ସାହିତ୍ୟରେ । ସୁବିଧା ଓ ସୁଯୋଗ ମାତ୍ରେ ହିଁ ସେ ସଂପର୍କରେ ସେ ପ୍ରଶ୍ନ ଉଠାଇଛନ୍ତି ଓ ଶିକ୍ଷିତ ପାଠକମାନସରେ ସଚେତନତା ପାଇଁ ପ୍ରୟାସ କରିଛନ୍ତି ।

 

ଓଡ଼ିଆସାହିତ୍ୟରେ ଗୋବିନ୍ଦ ତ୍ରିପାଠୀ ମୁଖ୍ୟତଃ ଜଣେ ରମ୍ୟ-ନିବନ୍ଧକାର ଭାବେ ପରିଚିତ । ଜାତୀୟ ଜୀବନ ଓ ସଂସ୍କୃତିର ସୁରକ୍ଷା ପରିପ୍ରେକ୍ଷୀରେ ତାଙ୍କର ରମ୍ୟ- ନିବନ୍ଧଗୁଡ଼ିକରେ ସୃଜନଶୀଳତାର ସଂକେତ ରହିଥିଲେ ମଧ୍ୟ ଉପନ୍ୟାସ ଓ ନାଟକ ଭଳି ସାହିତ୍ୟିକ ଆଙ୍ଗିକ ପ୍ରତି ସେ ଆକୃଷ୍ଟ ହୋଇଥିଲେ । ସର୍ବମୋଟ ପାଞ୍ଚଟି ଉପନ୍ୟାସର ସେ ଜନକ । ‘ପ୍ରମାଦ’, ‘ପତିତାର ଆତ୍ମକଥା’ ଓ ‘ମାୟାବୀ’ ବ୍ୟତୀତ ପ୍ରକାଶକୀୟ ଅନୁରୋଧରେ ସେ ‘ଗୁଇନ୍ଦା ଗଦାଧର’ (୧୯୪୯) ଓ ‘ଚତୁର ଗଦାଧର’ (୧୯୫୧) ଶୀର୍ଷକ ଅନ୍ୟ ଦୁଇଟି ରହସ୍ୟ ଉପନ୍ୟାସ ମଧ୍ୟ ରଚନା କରିଥିଲେ-

 

ସମ୍ଭବତଃ ତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ମାନବିକ ସମ୍ବେଦନଶୀଳତା ସୂକ୍ଷ୍ମ ପ୍ରବୃତ୍ତି ସମୂହ ତଥା ସାହିତ୍ୟିକ ରସବୋଧର ଅଭିବ୍ୟକ୍ତି ଲାଗି ଉପନ୍ୟାସ ଏକ ଉତ୍କୃଷ୍ଟ ମାଧ୍ୟମ । ତ୍ରିପାଠୀଙ୍କ ଉପନ୍ୟାସରେ ବିଧବା ବିବାହ, ହିନ୍ଦୁ-ବ୍ରାହ୍ମ ବିବାହରେ ହିନ୍ଦୁର ସଂପତ୍ତି ଅଧିକାରରୁ ନିର୍ବାସନ, ଭାଷା-ସାହିତ୍ୟ ତଥା ପରସ୍ଵାପହରଣ ଭଳି ସାମାଜିକ ଘଟଣା ଓ ଦୁର୍ଘଟଣା ଆଦି ବିବୃତ୍ତ ହୋଇଥିଲେ ମଧ୍ୟ ତାହା ତାଙ୍କ ଉପନ୍ୟାସର ବାର୍ତ୍ତା ନୁହେଁ । ବରଂ ସାମାଜିକ ସଂସ୍କାର ଓ କୁସଂସ୍କାର ସକଳର ଉର୍ଦ୍ଧ୍ୱରେ ମଣିଷର ସୂକ୍ଷ୍ମ ପ୍ରବୃତ୍ତି ଓ ରସବତ୍ତାର ଉଦ୍‌ଘାଟନ ହିଁ ତାଙ୍କର ଲକ୍ଷ୍ୟ । ଦୁଃଖ-ବେଦନା ତଥା ଆନନ୍ଦ-ନିରାନନ୍ଦର ଧୂପ-ଛାୟା ଭିତରେ ସମ୍ବେଦନଶୀଳ ଏକ ସ୍ରଷ୍ଟା-ଚିତ୍ତ ସେଥିଲାଗି ଏଠାରେ ଫଲ୍‌ଗୁ ଭଳି ପ୍ରବାହିତ ।

 

***

 

Unknown

କାଳିନ୍ଦୀ କାବ୍ୟ ଚେତନା

ଡକ୍ଟର ହରେକୃଷ୍ଣ ପାତ୍ର

 

ଜଣେ ସଫଳ କଥାକାର ଭାବେ କାଳିନ୍ଦୀଚରଣ ପାଣିଗ୍ରାହୀ ଓଡ଼ିଶାର ସାଧାରଣ ପାଠକମାନଙ୍କ ନିକଟରେ ଅଧିକ ପରିଚିତ । ମାତ୍ର ଜଣେ କବିଭାବେ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରଥମ ଆବିର୍ଭାବ । ସମାଲୋଚକମାନେ ମୁକ୍ତକଣ୍ଠରେ ସ୍ଵୀକାର କରନ୍ତି ଯେ, ସେ ସବୁଜ ଗୋଷ୍ଠୀର ଶ୍ରେଷ୍ଠ କବି । ପୁନଶ୍ଚ ସେ ହେଉଛନ୍ତି, ଏ ଗୋଷ୍ଠୀ ମଧ୍ୟରେ ସବୁଠାରୁ ସଚେତନ ଶିଳ୍ପୀ । ବହୁଚେତନାର ପୃଷ୍ଠଭୂମିରେ ତାଙ୍କ କାବ୍ୟ ଜଗତ ହରରଙ୍ଗୀ ମୁରୁଜର ବୈଚିତ୍ର୍ୟମୟ ଅନୁଭୂତି ଆଣି ଦେଇଥାଏ ।

 

କାଳିନ୍ଦୀଙ୍କ କାବ୍ୟଚେତନାରେ ଐକ୍ୟତାନର ମନୋଟନି ନାହିଁ, ବରଂ ସେଠି ଅର୍କେଷ୍ଟ୍ରାର ବିଚିତ୍ର ଓ ସମ୍ମିଳିତ ବେହାଗ । ସେଠି ବସନ୍ତ ଅଛି, ବୈଶାଖ ବି ଅଛି । ସେଠି ହଜିଯିବାର ମୋହ ଅଛି, ଅଛି ପୁଣି ସ୍ଵାତନ୍ତ୍ର୍ୟର ଜୟଗାନ । ଫୁଲ, ଫଗୁଣ, ବିରହବଂଶୀ, ପ୍ରେମ, ଭଗବାନ, ମଣିଷ, ମୃତ୍ୟୁ, ବିପ୍ଳବ-କେତେ ଭାବନା, କେତେ ଚିତ୍ର କାଳିନ୍ଦୀ -କାବ୍ୟ ସ୍ଵରକୁ ରୂପାୟିତ କରିଛି ସତେ ! କୌଣସି ସ୍ଵର ସମ୍ପୂର୍ଣ୍ଣ ନୁହେଁ, ପୁଣି କେହି କାହାଠୁଁ ଅଲଗା ନୁହନ୍ତି । ଏକ ବିଶାଳ ମାନବିକ ପଟ୍ଟଭୂମିରେ ସବୁସ୍ଵରର ସ୍ଵାତନ୍ତ୍ର୍ୟ ହଜିଯାଇଛି । ସ୍ଵରର ବିବିଧତା ଜଣାପଡ଼େ ନାହିଁ । ଏହି ଅର୍କେଷ୍ଟ୍ରାର ବିଭିନ୍ନ ସ୍ଵରର କ୍ରମିକ ଉତ୍ତରଣ ନାହିଁ । ବରଂ ଏ ସବୁ ସାମୟିକ ଭାବାନୁବ୍ୟକ୍ତିର ଚିହ୍ନମାତ୍ର ।

 

କବି ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସ୍କୁଲର ଉତ୍ତରଦାୟାଦ ନୁହନ୍ତି । ତାଙ୍କ ଭିତରେ ଗୋପାଳକୃଷ୍ଣ - ବନମାଳୀ ଅଛନ୍ତି ରାଧାନାଥ - ମଧୁସୂଦନ- ନନ୍ଦକିଶୋର ଓ ଗଙ୍ଗାଧର । ଅଛନ୍ତି ବି ଗୋପବନ୍ଧୁ - ନୀଳକଣ୍ଠ । ପୁଣି ତାଙ୍କ ଚେତନାର ଚୌହଦିକୁ ଆଚ୍ଛନ୍ନ କରିଛନ୍ତି ରବୀନ୍ଦ୍ରନାଥ ଓ ନଜରୁଲ୍‌ । ବେଳେବେଳେ ତାଙ୍କ ମାନସଚିତ୍ରରୁ ମାନସ୍‌ଫିଲ୍‌ଡ଼ କୀଟସ୍‌ ଇଏଟସ୍‌ ଏପରିକି । ଓମରଖାୟାମଙ୍କ ପର୍ଯ୍ୟନ୍ତ ବିଶ୍ଵର ଅଗଣିତ ସ୍ରଷ୍ଟାପୁରୁଷଙ୍କ ପ୍ରତିଛବିର ଅସ୍ପଷ୍ଟ ଚିତ୍ର ଦେଖି ହୁଏ । ବିଶ୍ଵ ଉପବନର ବହୁରଙ୍ଗ, ବହୁ ସୁବାସର କୁସୁମ ରାଜି ଚୟନରେ ସତେ ଯେମିତି କାଳିନ୍ଦୀ ସଫଳ ମାଳାକାର ସାଜିଛନ୍ତି, ସେଠି ଫୁଲ ଆଉ ମୁଖ୍ୟ ହୋଇନାହିଁ. ମାଳାହିଁ ମୁଖ୍ୟ ।

 

ପ୍ରଥମ ମହାଯୁଦ୍ଧ ପରେ ଅର୍ଥାତ୍‌ ପ୍ରାୟ ୧୯୨୦ ମସିହା ବେଳକୁ ଓଡ଼ିଆ-କାବ୍ୟସୁନ୍ଦରୀ ସମସ୍ତ ସମ୍ଭ୍ରାନ୍ତ ଓ କୁଳୀନ ଚିନ୍ତାଧାରାକୁ ପାଦରେ ଆଡ଼େଇ ଦେଇ ଏକ ସ୍ଵୈରିଣୀ ନାୟିକା ଭଳି ମଞ୍ଚରେ ଅବତୀର୍ଣ୍ଣା ହୁଅନ୍ତି । ତାଙ୍କ ପାଦରେ ନୁପୂର, ଗଭାରେ ଜାତି ଜାତି ଫୁଲର ବାସ୍ନା, ଅବୟବରେ ନୂଆ ଫେସନ୍‌ର ସୀମିତ ଅଳଙ୍କାର, ଯୌବନର ଅଙ୍ଗରାଗରେ ବହୁ ବିଦେଶୀ ପରଫ୍ୟୁମ୍‌ର ଗନ୍ଧ ।

 

କାଳିନ୍ଦୀ କବିଚିତ୍ତ ପ୍ରଥମଯୌବନରେ ଏହି ସ୍ଵୈରଚେତନାଦ୍ୱାରା ପ୍ରଭାବିତ ହୋଇଛି । କବିଙ୍କ ଦୃଷ୍ଟିରେ ସମଗ୍ର ପୃଥିବୀ ପ୍ରେମମୟ । ତାଙ୍କ ସାମ୍ନାରେ ଖାଲି ମଧୁପାର୍ବଣ ! ସେଥିପାଇଁ ପ୍ରାଣରେ ପ୍ରାଣରେ ତାଙ୍କର ହଜିଯିବାର, ମଜ୍ଜିଯିବାର ଆକାଙ୍‌କ୍ଷା, ପ୍ରଣୟ ଓ ପ୍ରଣୟିନୀର ସ୍ୱପ୍ନ ବିଭୋର କବି କେତେବେଳେ କେଉଁ ବାସ୍ତବ ରକ୍ତମାଂସ ଧାରିଣୀ କେତେବେଳେ ବା କେଉଁ ସ୍ଵପ୍ନସୁନ୍ଦରୀର ପ୍ରେମରେ ବିଭୋର ହୋଇପଡ଼ିଥିବା ଦେଖାଯାଏ ।

 

‘ଦୁଇଟି କଳାଆଖି’, ‘ମାନୀ’, ‘ଆଶ୍ଳେଷ ସ୍ଵର୍ଗ, ‘ମଧୁବିବାହ’, ‘ଛନ୍ଦନାୟିକା’ ‘ମୁକୁଳି ପଡ଼ଗୋ’ ଓ ‘ବର୍ଷା ବଧୂ’ ପ୍ରଭୃତି କବିତାର ନାୟିକା ହେଉଛନ୍ତି ବିଦେହୀ । ଏ ସବୁ କବିତାରେ କବିମନର ରୋମାଣ୍ଟିକ କଳ୍ପନା ପ୍ରବଣତା ପ୍ରକାଶ ପାଇଛି । କବିର ଅନ୍ତର ରାଜ୍ୟ ଏଠି ଏକ ନିଷିଦ୍ଧ ରାଜ୍ୟ ପାଲଟିଛି । ସେଠାରେ ବାସ୍ତବ ଜୀବନର ଛାୟାପାତ ନାହିଁ । କବି କଳ୍ପିତା ପ୍ରଣୟିନୀ ଖାଲି ସ୍ଵପ୍ନମୁଗ୍ଧ କାଳ୍ପନିକ ନାୟିକାଟିଏ । ବାସ୍ତବରେ ତା’ର ସ୍ଥିତି ନାହିଁ । ସେହି ସ୍ଵପ୍ନସୁନ୍ଦରୀର ଆକର୍ଷଣ ଏଡ଼େ ପୁଣି ଦୁରୂହ । ତାହାର ପ୍ରାପ୍ତି ନିମନ୍ତେ କବି କଠୋର ସାଧନା କରିବାକୁ ପରାଙ୍‌ମୁଖ ନୁହନ୍ତି । ତାହାରି ଲାଗି ଦେହରେ ଭସ୍ମ ବୋଳି ହୋଇ, ଶିରରେ ଜଟାଭାର ବୋହି କବି ଯୋଗୀ ହେବାକୁ ପ୍ରସ୍ତୁତ (ମାନସୀ) । କେତେବେଳେ ‘ବ୍ୟଥାର ଉହାଡ଼େ ସେ’ କବି ପାଇଁ ‘ଶ୍ରାବଣ ଘନ ତଳେ ପୁନିଅଁ ଶଶୀ ସମ’ ଆଶାର ଗଭୀର ପ୍ରତ୍ୟୟ ଆଣିଦିଏ (ଦୁଇଟି କଳା ଆଖ୍‌) ତ ଆଉ କେତେବେଳେ ଜୀବନର ବାସ୍ତବତାକୁ ଭୁଲି ଯିବାକୁ ଉଚ୍ଚକିତ କରେ (ଆଶ୍ଲେଷ ସ୍ୱର୍ଗ) । ସେହି କଳ୍ପନାର ମାନସୀ କାଳଜୟୀ । କାବ୍ୟପୁରୁଷର ସେ କୈଶୋରର ସପନସାଥୀ, ପ୍ରୌଢ଼ଜୀବନରେ ହୃଦୟର ରାଣୀ, ଜରାଅଙ୍ଗର: ଧାତ୍ରୀ ପୁନଶ୍ଚ ମୃତ୍ୟୁର ସହଯାତ୍ରିଣୀ (ମଧୁ ବିବାହ) । କବିଜୀବନର ସବୁଛନ୍ଦର ସେ ନାୟିକା, ସବୁ ସ୍ଵରସାଧନାର ନେପଥ୍ୟରେ ତାହାର ସ୍ଥିତି (ଛନ୍ଦନାୟିକା) । ତାହାରି ସ୍ଵପ୍ନର ଶିହରଣରେ, ତା’ର ପରିକଳ୍ପିତ ଗନ୍ଧର ଆବେଶରେ, ତାହାର ଅସ୍ପଷ୍ଟ ମଧୁର ସ୍ଵରରେ କବି ପ୍ରାଣ ବିମଥିତ ହୁଏ (ତୁମେ ମୁକୁଳି ପଡ଼ଗୋ) । ଅଚେତନତା ଭାଙ୍ଗି ଯାଇ, ତାହାରି ନୂପୁରର ରୁଣୁଝୁଣୁ ଶବ୍ଦରେ ତମସା ତୁଟି ଯାଏ (ବର୍ଷାବଧୂ) ।

 

କିନ୍ତୁ ଏହି କଳ୍ପନା ସୁନ୍ଦରୀର ସ୍ଵପ୍ନ ପୁଣି ଏତେ ଭୟଙ୍କର ! ସ୍ଵପ୍ନ ଭାଙ୍ଗିଯିବାର କାଳ୍ପନିକ ବେଦନା ଓ ବେପଥୁ ହୃଦୟରେ ଏତେ କରୁଣ ରାଗିଣୀ ସୃଷ୍ଟି କରିପାରେ ! ଗିରି, ସମୁଦ୍ର, ନଦୀ, ତାରକା, ମଳୟ, ପିକ, ଗୋଲାପ-ଜଡ଼, ଚେତନ ଭିତରେ ପାର୍ଥକ୍ୟ ନବୁଝି କବି ଅନ୍ତରର ଆର୍ତ୍ତ ସଭିଙ୍କ ଆଗରେ ବାଢ଼ି ବସନ୍ତି । ସେଥିପାଇଁ କବି ଆକୁଳ କଣ୍ଠରେ ବିରହୀ ଯକ୍ଷ ଭଳି ମେଘକୁ ପ୍ରଶ୍ନ କରନ୍ତି- ‘କି ବାରତା ଆଣିଛ ହେ ବରଷାଧାରା ? କାହାପାଇଁ ସ୍ନେହ ନଦୀ ଛୁଟଇ ବେଗେ ?’ (ବିରହୀଯକ୍ଷ) କିମ୍ବା ଅନୁଭବ କରନ୍ତି । ଆସିଲା ଧୀରେ ଚାରୁଚରଣ ଚାଳିଗୋ, ବିପୁଳ ବ୍ୟଥା ଦେଲା ଛାତିରେ ଢାଳି ମୋ’ (ବର୍ଷା ବଧୂ) ।

 

କବି ଚେତନାର ଏ ବିଦେହୀ ପ୍ରେମ କ୍ରମେ କ୍ରମେ ରକ୍ତମାଂସର ରୂପ ନେଇଛି । ସ୍ଵପ୍ନ ସଞ୍ଚାରୀ କବିମନ କ୍ରମେ ବାସ୍ତବ ଜଗତକୁ ଫେରି ଆସିଛି । ସ୍ଵପ୍ନସୁନ୍ଦରୀ ବିଦେହୀ ନାୟିକା ରୂପବତୀ ଲାବଣ୍ୟ ପ୍ରତିମାରେ ରୂପାନ୍ତରିତ ହୋଇଛି, ସେହି ରକ୍ତମାଂସ ଧାରିଣୀ ପ୍ରତିମାର । ପ୍ରେମରେ ମୋହାଚ୍ଛନ୍ନ କବିପ୍ରାଣର ପ୍ରତିବେଦନ ରୂପାନ୍ତରିତ ହୋଇଛି ‘ରୂପର ସ୍ତବ’, ‘ପଥର ପ୍ରେମିକ’, ‘ପ୍ରସାଧନ’, ‘ରୂପର ମୋହ, (ପ୍ରାଚୀନ, ‘କୁହୁପ୍ରାସ’, ‘ବ୍ୟାଖ୍ୟା’, ‘ଅଭିମାନ’,‘ତୁମରି ପ୍ରେମ’ ଓ ‘ପୃଷ୍ଠ ଶୋଭା’ ପ୍ରଭୃତି କବିତାରେ । କେଉଁ ଗୋରଚନା ନାରୀର ସ୍ଵର୍ଣ୍ଣ ଜରି ସୁଶୋଭିତ ଅଞ୍ଚଳ, କୁରୁବକ ସଜ୍ଜିତ କୋକିଳ- ଚିକ୍କଣ-କବରୀ, ବକ୍ଷବାସ ଆଢ଼ୁଆଳରୁ ଫୁଟି ଉଠୁଥିବା ଯୌବନ କବି ପ୍ରାଣକୁ ବିମଥିତ କରିଛି । ସେହି ପ୍ରାଣମୟୀ ପ୍ରତିମାର ଓଷ୍ଠାଧାରର ଚମ୍ପକ ହାସ, ଚମକିତ ଅପାଙ୍ଗ, ଶିହରିତ ପରଶ କାମନାରେ କବି ପ୍ରାଣ ଉଚ୍ଛଳ ହୋଇଉଠିଛି (ରୂପର ସ୍ତବ) । ସେହି ନାରୀର ଚଲାପଥକୁ ସତୃଷ୍ଣ ନୟନରେ କବି ପ୍ରତୀକ୍ଷାର ଦୀପାଳି ଜାଳି ଚାହିଁ ରହନ୍ତି (ପଥର ପ୍ରେମିକ) । ପ୍ରଣୟବେଦୀରେ ନିଜକୁ ଜାଳି ଦେବାକୁ କବି ଉନ୍ମୁଖ (ରୂପର ମୋହ) । କିନ୍ତୁ ସଵୁ ନାରୀ ପ୍ରେମିକ ଅନ୍ତରର ଏ ଆବେଦନ ବୁଝନ୍ତି ନାହିଁ, । ବୁଝିଲେ ବି ନବୁଝିବାର ଛଳନା କରନ୍ତି । ପ୍ରେମ ପାତ୍ରକୁ ପାଦରେ ଆଡ଼େଇ ନେଇ ବିଷୟ ପାତ୍ରର ଅନୁଧାବନ କରନ୍ତି । ନାରୀର ଏ ଅବଜ୍ଞା, ଏ ଆଘାତ କବିର ଅନ୍ତରରାଜ୍ୟକୁ କ୍ଷତବିକ୍ଷତ କରେ । ହୃଦୟକ୍ଷତର କ୍ଷରିତ ରକ୍ତ କବିତା ହୋଇ ଝରିଯାଏ । ‘ଜୀବନ ବେଳାପରେ ଖେଳିଲା କେତେ । ବିଚି ଲାଗିଲା ନବନବ ଆଘାତ’ । ସେ ଆଘାତ ପୀରତିର । ସେ ପୀରତି ପୁଣି ‘ଭାବର ଭାଷା ଜାଲେ‘ ‘କବିତା କୀରତି’ ହୋଇ ରୂପାନ୍ତରିତ ହୁଏ (ବ୍ୟାଖ୍ୟା) ।

 

ନାରୀ ପ୍ରେମର ଦେହଳି ଭାଙ୍ଗି କବି ବେଳେବେଳେ ନିଜକୁ ନିଜ ପ୍ରେମରେହିଁ ଉପଲବ୍ଧ କରିଛନ୍ତି । ‘ସେହି ମୁଁ ନିଜେ’, ‘ଏ ଦେହକୁ ଭଲପାଏ ମୁହଁ’ ପ୍ରଭୃତି କବିତାରେ ତାହାର ପ୍ରମାଣ ମିଳେ ।

 

କାଳିନ୍ଦୀଚରଣଙ୍କ ଅଧିକାଂଶ ପ୍ରେମକବିତା ବାରିପଦା ରହଣୀକାଳରେ ଲିଖିତ । ଏହି ସମୟରେ ମଧ୍ୟ କବିର ଅନ୍ତର କୌଣସି ବିଦେହୀ ବଦଳରେ ରକ୍ତମାଂସ ଧାରିଣୀ କେଉଁ ଏକ ନାରୀର ପ୍ରେମ ପାତ୍ରରେ ନିଜକୁ ନିଃଶେଷିତ କରି ଦେବାକୁ ଚାହିଁଛି । ମୁଖ୍ୟତଃ ଏହି ସମୟ କବିଙ୍କ ପ୍ରେମଭାବନାରେ ଏକ ସନ୍ଧିକ୍ଷଣ ।

 

କବିଙ୍କ ପ୍ରେମଚେତନାର ଦିଗନ୍ତ ‘ନାରୀ’ରୁ ପ୍ରକୃତି’କୁ ଉତ୍ତରିତ ହୋଇଛି । ଏହି ପର୍ଯ୍ୟାୟରେ ବର୍ଷା ହେଉଛି କବିଙ୍କର ଅତି ପ୍ରିୟ । ପୃଥିବୀର ସବୁ ପ୍ରେମିକ ବର୍ଷାର ରିମ୍‌ଝିମ୍‌ ଶବ୍ଦରେ ମତୁଆଲା ହୁଅନ୍ତି, ଏ ୠତୁ ବିରହୀ ପ୍ରାଣର ଅଗ୍ନି ଜଳାଏ, ଦଗ୍ଧକରେ । କବି କାଳିନ୍ଦୀ ଚରଣ ସ୍ୱାଭାବିକ ଭାବେ ପ୍ରେମ ଓ ପ୍ରତ୍ୟୟର ସନ୍ଧିକ୍ଷଣରେ ବର୍ଷାର ଆକର୍ଷଣରେ ହଜି ଯାଇଛନ୍ତି । ତେଣୁ ‘ବର୍ଷାରାତି’, ‘ବର୍ଷାନାୟିକା’ ଓ ‘ଆଷାଢ଼ ସନ୍ଧ୍ୟା’ର ଅଭିସାର ମଧ୍ୟରେ । ତାଙ୍କର ପ୍ରକୃତିପ୍ରେମ ଏକାଧାରରେ ନାରୀ ଓ ପୃଥିବୀକୁ ଭଲପାଇଛି । (ନାରୀତ ଚଳନ୍ତି ପୃଥିବୀ!) । ଏତଦ୍‌ବ୍ୟତୀତ ଏହି ପର୍ଯ୍ୟାୟରେ ‘‘ପୌଷମଳୟ’, ‘ପଉଷ ସନ୍ଧ୍ୟା, ‘ଶରତ ସନ୍ଧ୍ୟା , ‘ଚିତ୍ରୋତ୍ପଳା’ ଓ ‘ପ୍ରଭାତ’ ପ୍ରଭୃତି ପ୍ରକୃତି ପ୍ରେମ ମୂଳକ କବିତା କାଳିନ୍ଦୀଚରଣଙ୍କ ଲେଖନୀରୁ ଝରିଯାଇଛି । ଏସବୁ କବିତାରେ ପ୍ରକୃତି ଜଡ଼ ନୁହେଁ । ସେ କେଉଁଠି ବାନ୍ଧବୀ, କେଉଁଠି ମାନସୀ, କେଉଁଠି ପ୍ରିୟା, କେଉଁଠି ପୁଣି ପ୍ରିୟ ସହଚରୀ ।

 

କବିପ୍ରାଣର ରୋମାଣ୍ଟିକ ଭାବନାଭିତରେ ଦୂରଗାମୀ ଓ ଦୂରାତୀତର ମୋହ ବି କିଛି କମ୍‌ ନୁହେଁ । ଅତୀତର ସଂସ୍କରଣ ପ୍ରେମକୁ ବର୍ଣ୍ଣିଳ କରେ, ବିଚିତ୍ର କରେ, କରେ ଏକାନ୍ତ ହୃଦୟଗ୍ରାହୀ । ଏହି ଅତୀତ ମୋହରେ ପଡ଼ି କବି ଶୁଣେ ‘ଦୂର ଅତୀତର ଶୁଭୁ ଥିଲା ଭାଷା’, ଅନୁଭବ କରେ ‘କି ଗହନ ବ୍ୟଥା ଦୂରନ୍ତ ଦୁରାଶା’ । ଏଠି କିନ୍ତୁ ନିରାଶାର, ହଜିଯିବାର ଅବକାଶ ନାହିଁ ବରଂ ବର୍ତ୍ତମାନର କ୍ଷତ ଅତୀତର ଆବେଗ ସ୍ପର୍ଶରେ ଧୋଇ ହୋଇଯାଏ । କବିଙ୍କ ବ୍ୟାଘ୍ରାବଲୋକନ ମଧ୍ୟରେ ଧରାପଡ଼ୁଥିବା ‘ସ୍ଵର୍ଣ୍ଣ ମେଘର ରଥେ’ ବିଚରଣ କରୁଥିବା ‘ସଜଳ ନୟନୀ ସନ୍ଧ୍ୟା ସୁନ୍ଦରୀ ସ୍ମରଣ ଜୀବନର ସ୍ଥିତିକୁ ରସମୟ କରେ । ‘ପାଶୋରି ଦେଲିରେ ଶିମୁଳିପାଳ’, ‘ମନେନାହି’, ‘ଲୋହିତ ବ୍ୟଥା’ ଓ ‘ପୁରାତନ କଥା’ ପ୍ରଭୃତି କବିତାରେ କବିପ୍ରାଣର ଏ ଅତୀତ ମୋହ ଅତ୍ୟନ୍ତ ରୋମାଣ୍ଟିକ କୋଟୀ ଛୁଇଁ ପାରିଛି ।

 

କାଳିନ୍ଦୀ ଚରଣଙ୍କ କବିତାରେ ରୋମାଣ୍ଟିକ ଚେତନା ଭଳି ଭକ୍ତି ଚେତନାକୁ ରବୀନ୍ଦ୍ର ପ୍ରଭାବ ବେଶ୍‌ ଆଚ୍ଛନ୍ନ କରିଛି । ତାଙ୍କର ଏ ଧରଣର କବିତା ଗୁଡ଼ିକ ସ୍ୱୟଂ ରହସ୍ୟମୟୀ କିନ୍ତୁ ସେ ଚେତନା ତାଙ୍କ ମନରେ ଏ ଧରାକୁ ବିଦାୟ ନେଇ କେଉଁ କଳ୍ପିତ ସ୍ଵର୍ଗଲୋକର ଅନ୍ୱେଷଣରେ ବ୍ରତୀ କରିନାହିଁ । ଏ ପୃଥିବୀ ମିଥ୍ୟା ମାୟାମୟ ନୁହେଁ । ପୃଥିବୀ ପରପାରରେ ମୁକ୍ତି ନାହିଁ । ପୃଥିବୀ ସତ୍ୟ-। ଜୀବନ ସତ୍ୟ । ଏହି ସତ୍ୟର ନିରାଜନାହିଁ ଧର୍ମ । ସଂକୀର୍ଣ୍ଣତା ଓ ବାଦ ବିସମ୍ବାଦ ଉର୍ଦ୍ଧ୍ୱରେ, ଦଳିତ, ନିପୀଡ଼ିତ ଜନଗଣଙ୍କ ସେବା ମାଧ୍ୟମରେ ପୃଥିବୀକୁ ମୈତ୍ରୀମୟ, ବନ୍ଧୁମୟ, ସତ୍ୟମୟ, ଶିବମୟ ଓ ମଙ୍ଗଳମୟ କରିବାଦ୍ୱାରା ଈଶ୍ଵର ସାନ୍ନିଧଲାଭର ଅନୁଭୂତି ମିଳିଥାଏ । ଜୀବନ ଦେବତାକୁ ପାଥେୟ କଲେ ବିଶ୍ଵଦେବତାର ଉପଲବ୍ଧି ହୁଏ । ସୀମା ମଧ୍ୟରେ ଅସୀମକୁ ଅନୁଭବ କଲେ, ବନ୍ଧନ ମଧରେ ମୁକ୍ତିର ସ୍ଵାଦ ଅନୁଭବ କଲେ କାଳିନ୍ଦୀଙ୍କ ଦୃଷ୍ଟିରେ ଭଗବତ୍‌ ଶକ୍ତିର ସାନ୍ନିଧ୍ୟ ମିଳେ । ଏ ସାନିଧ୍ୟଭୂମି ଓ ଭୂମାକୁ ଏକାକାର କରିଦିଏ । ତେଣୁ ସ୍ଵର୍ଗ ଓ ଅମରତ୍ୱ ପ୍ରଭୃତି ଭାବନାକୁ କବିଙ୍କ ଭାକ୍ତିକ ଦୃଷ୍ଟିକୋଣ ସ୍ଵୀକାର କରିନାହିଁ (ଅମର ଆଶା) । ଭୌତିକ ପ୍ରତିମା ପ୍ରେମ ଯେନେ ନାହିଁ ତେଣୁ ପ୍ରତିମା-ଆଲିଙ୍ଗିତ ଧର୍ମ ଭିତରେ ସାଧାରଣ ମଣିଷର ନିପୀଡ଼ନ ସଚ୍ଚା ଉକ୍ତକୁ ବିବ୍ରତ କରେ କାଳିନ୍ଦୀଙ୍କ ଭକ୍ତମନ ଏ ପ୍ରତିମା ଆଲିଙ୍ଗିତ ଧର୍ମକୁ ଅବିଶ୍ୱାସ କରିଥାଏ । ଅନେକ ଏହାକୁ ପ୍ରଗତି ଚେତନାର ପ୍ରଭାବ ବୋଲି ଚିହ୍ନିତ କରି କାଳିନ୍ଦୀଚରଣଙ୍କ ନିରୀଶ୍ଵରବାଦିତାର ସୂଚନା ଦେଇଥାନ୍ତି । ମାତ୍ର ତାଙ୍କ ବିଭୁଚେତନାର ପଟାନ୍ତର ନାହିଁ । ତାଙ୍କର ଉତ୍ତରିତ ଚେତନାର ପରିଣତି ଗଭୀର ରହସ୍ୟବାଦରେ ପରିଶୀଳିତ ‘ଶେଷଦାନ’, ‘ଭିକ୍ଷୁକ’, ‘ନୀରବ ଆହାନ’, ’ଜୀବନ ମରଣ’, ‘ଅରୂପର ଆହ୍ୱାନ’ ‘ତୁମରି ପ୍ରେମ’, ‘ଫଗୁଣ ଜ୍ୟୋତ୍ସ୍ନା', ‘ସୁଦୂର ଗାନ’, ‘ସନ୍ଧ୍ୟାପଥେ’, ‘ଚିରନ୍ତନ କୁହୁ’, ‘ବ୍ୟବଧାନ’ ‘ଜୀବନ ଦୋଳି’, ‘ଆସ୍ତିକର ଆକୁତି’ ଓ ‘ସୃଜନ ବ୍ୟଥା’ ପ୍ରଭୃତି କବିତାରେ କବିଙ୍କ ବିଭୁପ୍ରେମର ଉତ୍ତରଳ ଚେତନା ଅନୁଭବ କରିହୁଏ ।

 

ତାଙ୍କ ଚେତନାରେ ଈଶ୍ଵର କେତେବେଳେ ପରମ-ପ୍ରେମିକ ସେ କବି-ପ୍ରାଣ- ଆତ୍ମାବଧୂର ‘ବକ୍ଷରୁ ବସନ ଭୂଷଣ ଖସାଇ ନେଇ’ ରାଜରାସ୍ତାରେ ରାସଲୀଳା ସର୍ଜନ କରନ୍ତି (ଅରୂପର ଆହ୍ୱାନ) । କେତେବେଳେ ପୁଣି ରାତ୍ରିର ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଗୋପନ ଅଭିସାରରେ ଆସି ଶଯ୍ୟାଧାରରେ ପ୍ରେମଗୀତଗାଇ ଆକୁଳିତ କରିବା ତାଙ୍କ ପକ୍ଷରେ ସମ୍ଭବ (ସନ୍ଧ୍ୟାପଥେ) ପରମପ୍ରେମିକର ପ୍ରତୀକ୍ଷାରେ ମୁଗ୍ଧ କବି ପ୍ରାଣ ଅଭିସାରିକା, ସଖୀ, ପ୍ରଣୟିନୀ, ପ୍ରାଣବାନ୍ଧବୀ କେତେରୂପରେ ତାଙ୍କୁ ପାଇବାକୁ ବ୍ୟଗ୍ର । କେତେବେଳେ ସେ ମିଳନରେ ଆତ୍ମହରା, କେତେବେଳେ ବା ଅନନ୍ତ ବିରହରେ ଜର୍ଜରିତା ।

 

ଅନ୍ୟତ୍ର କବି ନିଜେ ସୁଫୀଭକ୍ତ ଭଳି ଈଶ୍ୱରଙ୍କର ପ୍ରେମିକ ପୁରୁଷ ହୋଇଯାଇ ପ୍ରେମିକା ସହିତ ମିଳିତହେବାର ବ୍ୟଗ୍ରତାରେ ଅତିଷ୍ଠ । ‘ସେ କେଉଁ ପ୍ରେୟସୀ ମୋତେ ଲୋଡ଼ଇ’ ଭାବନାରେ ପ୍ରେମିକ କବିପ୍ରାଣ ଆକୁଳିତ (ଫଗୁଣ ଜ୍ୟୋତ୍ସ୍ନା) ‘ନୟନେ ଭରିନେଇ ରସର ଝରଣା ରୂପରେ ଖେଳ ଖେଳୁଥିବା ରୂପସୀ ପାଇଁ ସେ ପାଗଳ (ସୁଦୂରଗାନ) ।

 

କବିଙ୍କର ମାନବବାଦୀ ଦୃଷ୍ଟିଭଙ୍ଗୀ ଖାଲି ତାଙ୍କର ଭକ୍ତିଚେତନାକୁ ଆଚ୍ଛନ୍ନ କରିନାହିଁ, ତାଙ୍କର ରାଜନୈତିକ ଜୀବନଦର୍ଶନକୁ ବି ବେଶ୍‌ ପ୍ରଭାବିତ କରିଛି, ଅନୁଜ ଭଗବତୀ ଚରଣଙ୍କ ମାର୍କସବାଦୀ ଦର୍ଶନଦ୍ୱାରା ସେ ପରବର୍ତ୍ତୀ କାଳରେ ଅନୁପ୍ରାଣିତ ବୋଲି ଯାହା କୁହାଯାଏ, ଏ ଆଲୋଚକ ସେଥିରେ ଏକମତ ହୋଇପାରୁନାହିଁ । ମାନବତାବାଦର ଉଲ୍ଲଘଂନ ତାଙ୍କ ପାଇଁ ଅସହ୍ୟ, ଏହାହିଁ ତାଙ୍କୁ ପ୍ରଗତିବାଦୀ କବିର ପ୍ରତିଷ୍ଠା ଆଣିଦେଇଛି । ପୁରୀମନ୍ଦିର କବିତାରେ ଏ ଯେଉଁ ଉଦାରବାଦୀ ପ୍ରଗତିଶୀଳ ଚେତନାର ଉଦ୍‌ବର୍ତ୍ତନ ହୋଇଥିଲା, ‘ପଥ କାହିଁ’, ‘ଯାଦୁଘର’, ‘ଯୌବନ ଯାତ୍ରୀ’, ‘ଭକ୍ତି ଓ ଚାବୁକ୍‌’, ‘ପ୍ରତିମା’, ‘ଛୁରୀଟିଏ ଲୋଡ଼ା’, ‘ପାଶୋରି ନେଲିରେ ଶିମୁଳି ପାଳ’ ଓ ‘ମୋ ବାଣୀ’ ପ୍ରଭୃତି କବିତାରେ ତାହାର ପରିଶୀଳିତ ରୂପ ଦେଖାଯାଏ ।

 

ଏତଦ୍‌ବ୍ୟତୀତ ତାଙ୍କ କବିତାରେ ମିଳେ ବାସ୍ତବବାଦ, ପୁଣି କ୍ଲାସିକ୍‌ ଚେତନାର ସ୍ଫୁରଣ । ଏ ଉଭୟ ଧରଣ କବିତାରେ ସେହି ଏକହିଁ ଉଦ୍‌ଘୋଷଣା- ସବୁରି ଭପରେ ମଣିଷ ସତ୍ୟ, ଆଉ କେହି ତା’ ଉପରେ ନାହିଁ । ଚିରପ୍ରବହମାନ ଜୀବନ ଓ ପୃଥିବୀ ଦର୍ଶନରେ କବିପ୍ରାଣ ଚିରନ୍ତନତାର ସ୍ଵର ଶୁଣେ । ଏ ଆଲୋକେ ଏ ଆକାଶେ ଲଭିଛି ମୁଁ ସେହି ପରିଚୟ/ସେ ଦିବ୍ୟ ଆଶ୍ଵାସ ଲଭି ନଗଣଇ ବିଶ୍ଵ ପରାଜୟ/ନ ଥିଲେ ଏ ଭବେ କିଛି ରହିଛିତ ଆଲୋକ ଆକାଶ/ମୋର ଚିର ପରିଚିତ ବେଦନାର ପରମ ଆଶ୍ଵାସ ।’ (ନୀରବତା) । ଚିରନ୍ତନତାର ଏ ସ୍ତୃତିଗାନ ‘ସ୍ଵପ୍ନ ସୃଜନ’, ‘ମୋ ବାଣୀ’, ‘ବିଶ୍ୱଗ୍ରନ୍ଥ’, ‘ପ୍ରାଚୀନ ଓ ନବୀନ’, ପ୍ରଭୃତି କବିତାରେ ଅନୁରଣିତ, ‘କ୍ଷଣିକସତ୍ୟ’ ଏବଂ ‘ସୃଷ୍ଟି ଓ ସ୍ରଷ୍ଟା’ କବିତାରେ ଏହାର ବିପରୀତ ପ୍ରତ୍ୟୟ ପରିଲକ୍ଷିତ ହେଲେ ମଧ୍ୟ ପରୋକ୍ଷରେ ଏହା ସେହି ଚିରନ୍ତନୀ ଗୀତିର ଉଚ୍ଛାସ ସଙ୍କେତ ଦେଇଥାଏ । ଜୀବନର ବାସ୍ତବଚିତ୍ର କେତେ ଭୟଙ୍କର, କେତେ କରୁଣ ! ପୁନଶ୍ଚ ଏହା ମଣିଷ ମନରେ ବିଦ୍ରୋହର ଅନୁରଣନ ସୃଷ୍ଟି କରେ । ପୂର୍ବୋକ୍ତ କବିତାଦ୍ୱୟ ବ୍ୟତୀତ ‘କଟକ ରାଜନୀତି’, ‘ବ୍ୟର୍ଥ ଗୀତି’, ‘ପ୍ରେମର ଅର୍ଥ’ ‘ସୁନା’ ଓ ‘ଅମର ଆଶା’ ପ୍ରଭୃତି କବିତାରେ ଜୀବନର ଏହି ବାସ୍ତବଦିଗ’ ପ୍ରତି ସଙ୍କେତ ଦିଆଯାଇଛି ।

 

କାଳିନ୍ଦୀ କବିତାର ଏ କେତୋଟି ମୁଖ୍ୟସ୍ଵରର ପରିଚୟ ମାତ୍ର । ଏତ୍‌ଦବ୍ୟତୀତ ଅଛି ‘ମରଣପାଳି’ ଓ ‘ଜୀବନର ସ୍ପର୍ଶ’ ପ୍ରଭୃତି ମୃତ୍ୟୁ ଚେତନା ସମ୍ବଳିତ କବିତା । ମୃତ୍ୟୁ କବି ଦୃଷ୍ଟିରେ ଭୟଙ୍କର ନୁହେଁ, ବରଂ ସେ ଗୁଡ଼ିକରେ ରୋମାଣ୍ଟିକ ଭାବଚେତନା ବିଦ୍ୟମାନ । ‘ଆଦାନ ପ୍ରଦାନ’ ଓ ‘ହସେ ପାହାନ୍ତି ତାରା’ କବିତା ଦୁଇଟିରେ ପ୍ରିୟ ପରିଜନର ମୃତ୍ୟୁ ଶୋକ ପ୍ରକାଶ ପାଇଛି ।

 

ମୋଟାମୋଟି ଭାବେ କାଳିନ୍ଦୀ କବି ଚେତନା ବହୁ ବାଦ ମଧ୍ୟରେ ବିଭାଜିତ ହୋଇପଡ଼ିଥିଲେ ମଧ୍ୟ ମାନବବାଦ ଏ ସବୁ କବିତାର ମୁଖ୍ୟସେତୁ । ତାଙ୍କର ଦୃଷ୍ଟି ଦିଗନ୍ତର କେନ୍ଦ୍ର ବିନ୍ଦୁ ହେଉଛି ମଣିଷ, ମନଭିତରୁ ସେ କେତେବେଳେ ବିଶ୍ଵମଣିଷ ସମାଜପାଇଁ ପ୍ରସରି ଯାଇଛି, ପୁଣି କେତେବେଳେ ଆତ୍ମପରିଧିରେ ନିମଜ୍ଜିତ ହୋଇ ଯାଇଛି।

 

ସଂସ୍କୃତି ନିର୍ଦ୍ଦେଶାଳୟ,

ଭୁବନେଶ୍ଵର - ୭୫୧୦୧୪

***

 

ଜାତୀୟଚେତନାର ଭିତ୍ତିଭୂମିରେ ରଚିତ ସୁରେନ୍ଦ୍ର ମହାନ୍ତିଙ୍କ

ଉପନ୍ୟାସର କଳାତ୍ମକ ଦିଗ

ଡକ୍ଟର ମନ୍ମଥ ନାୟକ

 

ମାନବଜାତିର ଚିନ୍ତା ଓ ଚେତନାର ସକଳଦିଗ ସାହିତ୍ୟଭିତରେ କଳାର ମଧୁସ୍ପର୍ଶ ଲାଭ କରି ଚିରଂଜୀବୀ ହୋଇଥାଏ । ତେଣୁ ସାହିତ୍ୟର ଇତିହାସ ମାନବଜାତିର ଇତିହାସ ସହିତ ଓତପ୍ରୋତ ଭାବରେ ଜଡ଼ିତ । ସାର୍ବକାଳୀକ ଜୀବନଧାରା ଭିତରେ ଯାହା ଅପରିବର୍ତ୍ତିତ, ସେହି ନିତ୍ୟତା ସାହିତ୍ୟର ଯେପରି ଚିରନ୍ତନ ଉପକରଣ, ଅନୁରୂପ ଭାବରେ ଯେଉଁ ଉଲ୍ଲେଖଯୋଗ୍ୟ ଘଟଣାବଳୀ ଜାତିର ଜୀବନଧାରାରେ ଗଭୀର ପ୍ରଭାବ ପକାଏ, ତାକୁ ସାହିତ୍ୟରେ ଚିରଂଜୀବୀ ରୂପ ଦେବା ପାଇଁ ଯୁଗେ ଯୁଗେ ଉଦ୍ଦିଷ୍ଟ ହୋଇ ଆସିଛି ସାହିତ୍ୟସ୍ରଷ୍ଟାର ତପସ୍ୟା । ମଣିଷ ଭିତରେ ଜାତି, ବର୍ଣ୍ଣ, ଧର୍ମ, ଦେଶ କାଳ ନିର୍ବିଶେଷରେ ଯେପରି କେତୋଟି ମୌଳିକ ସମଭାବ ସମ୍ପନ୍ନ ସତ୍ତା ବିଦ୍ୟମାନ, ପ୍ରତ୍ୟେକ ଜାତିର ସେହିପରି ଯେଉଁ ନିଜସ୍ଵ ସମସ୍ୟା, ଆଭିମୁଖ୍ୟ ଓ ସଂସ୍କୃତି ରହିଛି, ତାର ଏକକ ସ୍ୱାତନ୍ତ୍ର୍ୟ ସ୍ୱୀକୃତ । ଗୋଟିଏ ଦେଶ ବା ଗୋଟିଏ ଜାତିର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଜାତୀୟ ବୈଶିଷ୍ଟ୍ୟ ପ୍ରତି ମୋହ ଏବଂ ଗଭୀର ମମତା, ସ୍ଵଦେଶପ୍ରେମର ନିଦର୍ଶନ । ଏ ସକଳ ଜାତୀୟଚେତନାର ଅଙ୍ଗୀଭୂତ । ଜାତୀୟଚେତନା ଜାତିର ପ୍ରାଣଧାର, ବିବେକ ଏବଂ ହୃଦୟର ନୈବେଦ୍ୟ । ଏହା ଜାତିର ଜୀବନସଂଗୀତ ହୋଇଥିବାରୁ ସାହିତ୍ୟରେ ଏହାର ପ୍ରତିକୃତି ଫୁଟି ଉଠିବା ସ୍ଵାଭାବିକ । ସକଳ ଦେଶର ସାହିତ୍ୟ ସଂପର୍କରେ ଏହି ଉକ୍ତି ପ୍ରଯୁଜ୍ୟ । ଯୁଗଯୁଗର ଓଡ଼ିଆସାହିତ୍ୟ ଏହାର ପ୍ରମାଣ । ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଉପନ୍ୟାସରେ ମଧ୍ୟ ଏହି ଜାତୀୟଚେତନାର ରସସିକ୍ତ ଅଭିବ୍ୟକ୍ତି ପରିଦୃଷ୍ଟ ହୋଇଥାଏ । ଓଡ଼ିଆ ଉପନ୍ୟାସର ଆଦିପର୍ବରୁ ଏ ଯାବତ୍‌ ବିଭିନ୍ନ ସମୟର ଉପନ୍ୟାସର ମର୍ମାନୁଶୀଳନ କଲେ ଏହି ସତ୍ୟ ଉପଲବ୍ଧ ହୁଏ । ଯେଉଁମାନଙ୍କ ସୃଷ୍ଟିରେ ସାଂପ୍ରତିକ କାଳରେ ଜାତୀୟଚେତନା ବିଶିଷ୍ଟ ଉପକରଣ ରୂପେ ଗୃହୀତ, ସେମାନଙ୍କ ମଧ୍ୟରେ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଅନ୍ୟତମ ।

 

ସୁରେନ୍ଦ୍ର ମହାନ୍ତି ଏକ ଐତିହ୍ୟ ସଚେତନ ଶିଳ୍ପୀ । ସମକାଳୀନ ଉତ୍କଳୀୟ ଏବଂ ମହାଭାରତୀୟ ଜାତୀୟଚେତନା ସହ ଗଭୀର ଐତିହ୍ୟବୋଧ ତାଙ୍କ ଉପନ୍ୟାସରେ ଚମତ୍କାରଭାବେ ପ୍ରତିଫଳିତ ହୋଇଛି । କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୀବନାନୁଭୂତି ଓ ପ୍ରଜ୍ଞାଧର୍ମୀ ଅଭିଜ୍ଞତା ତାଙ୍କ କଥାସାହିତ୍ୟକୁ ମର୍ମସ୍ପଶୀ କରିଛି ସେହିପରି ବୌଦ୍ଧିକ ଚେତନାସ୍ତରରେ ତାର ପ୍ରଭାବର ପ୍ରତିଭୂକୁ ଅନୁଭୂତ କରାଇଛି । ସୁରେନ୍ଦ୍ର ମହାନ୍ତି ଜୀବନବାଦୀ କଥାକାର । ଜୀବନର ଘାତ ପ୍ରତିଘାତ, ସୁଖଦୁଃଖ, ଉତ୍‌ଥାନ ପତନ ମଧ୍ୟରେ ସେ ବ୍ୟକ୍ତିଜୀବନ ଅପେକ୍ଷା ପ୍ରାଧାନ୍ୟ ଦେଇଛନ୍ତି ଜାତିଜୀବନକୁ ଏବଂ ସେଇଥିରୁ ବ୍ୟାପ୍ତି ହେଉଛି ତାଙ୍କର ସର୍ବ ଭାରତୀୟ ମମତାନୁବଦ୍ଧତା । ସୁରେନ୍ଦ୍ରଙ୍କ ପ୍ରତିଭାର ଉନ୍ମେଷ ଓ ବିକାଶକାଳ ପ୍ରାକ୍‌ଭାରତୀୟ ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ପ୍ରାପ୍ତିର ଉତ୍ତରକାକ । ଏକ ପକ୍ଷରେ ସ୍ଵାତନ୍ତ୍ର୍ୟହୀନ ଉତ୍କଳ ପ୍ରଦେଶ ଓ ଅନ୍ୟପକ୍ଷରେ ପରାଧୀନ ଭାରତ ଭୂମିରେ ଭୂମିଷ୍ଠ ସୁରେନ୍ଦ୍ରଙ୍କ ତାରୁଣ୍ୟ ଓ ଜୀବନର ବିକାଶପର୍ଯ୍ୟାୟ ତାଙ୍କ ମନୋଭୂମିକୁ ପର୍ଯ୍ୟାପ୍ତ ଭାବେ ପ୍ରଭାବିତ କରିଛି । ତେଣୁ କଲେଜ ପଢ଼ିଲାବେଳେ ସ୍ଵାଧୀନତା ସଂଗ୍ରାମରେ ସାମିଲ୍‌ ହୋଇ ସେ ଯେପରି ଆପଣାର ମହାଭାରତୀୟଚେତନାର ପ୍ରମାଣ ଦେଇଛନ୍ତି ସେହିପରି ଗଡ଼ଜାତ ସୀମା ଆନ୍ଦୋଳନରେ ଅଂଶଗ୍ରହଣ କରି ସେ ଆପଣାର ଉତ୍କଳପ୍ରୀତିର ନିଦର୍ଶନ ମଧ୍ୟ ଦେଇଛନ୍ତି ବୋଲି କୁହାଯାଇପାରେ-। ପୁନଶ୍ଚ ତାଙ୍କର ରାଜନୈତିକ ଜୀବନରେ ସେ କେନ୍ଦ୍ରୀୟ ଶାସନ ସହ ଯେପରି ଓତପ୍ରୋତ ଭାବେ ଜଡ଼ିତ ହୋଇଛନ୍ତି ସେହିପରି କେନ୍ଦ୍ରରେ ଓଡ଼ିଶାପ୍ରସଙ୍ଗ ଉତ୍‌ଥାପନରେ ଭାବାବେଗ ପ୍ରକାଶ କରି ଆପଣା ଉତ୍କଳପ୍ରୀତିର ନିଦର୍ଶନ ମଧ୍ୟ ଦେଇଛନ୍ତି । ବ୍ୟକ୍ତିଗତ ଜୀବନରେ ସୁରେନ୍ଦ୍ର ମହାନ୍ତି ଏକାନ୍ତ ଭାବେ ଜାତୀୟବାଦୀ । ତାଙ୍କର ଉତ୍କଳପ୍ରୀତି ଯେପରି ପଟ୍ଟାନ୍ତରହୀନ ସେହିପରି ମହାଭାରତୀୟ ଭାବନା ମଧ୍ୟ ଅତୁଳନୀୟ । ବ୍ୟକ୍ତିଗତ ଭାବେ ସେ ଯେଉଁ ଜାତୀୟବାଦୀ ଭୂମିକାରେ ଅବତୀର୍ଣ୍ଣ ସେହି ଭାବନା ତାଙ୍କ ସାହିତ୍ୟରେ ମଧ୍ୟ ପ୍ରଚ୍ଛନ୍ନ । ତାଙ୍କ ଉପନ୍ୟାସ ସମୂହରେ ଏହି ଜାତୀୟବାଦୀ ଚେତନା ଅନେକତ୍ର ମର୍ମରିତ । କେତେବେଳେ ଏହି ଚେତନା ଅତୀତର ଦୃଷ୍ଟିରେ ସମାହିତ କେତେବେଳେ ରାଜନୈତିକ ଦର୍ଶନରେ ଉଚ୍ଚକିତ, ପୁଣି କେତେବେଳେ ବ୍ୟକ୍ତିଚରିତ୍ର ରୂପାୟନରେ ଏହା ପ୍ରକାଶିତ ତ କେତେବେଳେ ସ୍ଵକୀୟ ଜୀବନଦର୍ଶନରେ ପ୍ରକଟିତ । ତେଣୁ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସରେ ଜାତୀୟବାଦୀ ଚେତନାର ସ୍ତର ବିଭିନ୍ନ ରୂପେ ପ୍ରକାଶିତ ।

 

ସୁରେନ୍ଦ୍ର ମହାନ୍ତିଙ୍କ ଜାତୀୟବାଦୀ ମନୋଭୂମି ଆକର୍ଷଣୀୟ ବର୍ଣ୍ଣବିଭାରେ ବୈଚିତ୍ର୍ୟମଣ୍ଡିତ-। ତାଙ୍କ ଉପନ୍ୟାସରେ ଉତ୍କଳୀୟତା ଓ ଭାରତୀୟତା କ୍ରମରେ, ଦୁଇ ପର୍ଯ୍ୟାୟରେ ଜାତୀୟବାଦୀ ଚେତନା ମର୍ମରିତ ହୋଇଛି । ସୁରେନ୍ଦ୍ର ମହାନ୍ତି ପ୍ରଥମେ ଜାତି ଓ ପରେ ଦେଶକୁ ପ୍ରାଧାନ୍ୟ ଦେଇଛନ୍ତି । (୧) ତଥାପି ତାଙ୍କର ଦୃଷ୍ଟି ଏ କ୍ଷେତ୍ରରେ ସମଦୃଷ୍ଟି ସମ୍ପନ୍ନ ମନେହୁଏ । ତେଣୁ ତାଙ୍କ ଉପନ୍ୟାସରେ ଉତ୍କଳୀୟତା ଓ ମହାଭାରତୀୟତା ସମଭାବେ ଗୁମ୍ଫିତ ।

 

୧.

ମୋର ସର୍ବଦା ବିଚାର, ଆଗେ ଓଡ଼ିଶା ପରେ ଭାରତ । ଐତିହାସିକ ଉପନ୍ୟାସ ଲେଖାର ପ୍ରେରଣା ମୋର ଏଇଠୁ । ମୁଁ ‘କଳିଙ୍ଗ’ର ସଂପାଦକ ରହିଲି ଦଶବର୍ଷ । ମୋର ସବୁ ଐତିହାସିକ ଉପନ୍ୟାସ ମୁଁ ଜଗନ୍ନାଥଙ୍କ ଭକ୍ତ ହିସାବରେ ଲେଖିନି - ଓଡ଼ିଶାର ଐତିହାସିକ ଗୌରବକୁ ସାଧାରଣରେ ପରିଚିତ କରାଇବା ପାଇଁ ମୋର ଲେଖା ଉର୍ଦ୍ଦିଷ୍ଟ ।’’ (ସାକ୍ଷାତକାର-କମଳଲୋଚନ ମହାନ୍ତି, ସୁରେନ୍ଦ୍ର ପରିକ୍ରମା, ଏକାମ୍ର ଥିଏଟର୍ସ, ଭୁବନେଶ୍ଵର, ୧୯୮୮, ପୃଷ୍ଠା ୨୬-୨୭)

 

ଉପନ୍ୟାସର ସମସ୍ତ କଳାଧର୍ମ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ସୃଷ୍ଟିବିଭବରେ ସଫଳତାର ସହ ପରିଲକ୍ଷିତ ହୋଇଥାଏ । ଜାତୀୟତାର ଭିତ୍ତିଭୂମିରେ, ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଉପନ୍ୟାସର କଳାତ୍ମକ ସୃଷ୍ଟି ସମ୍ପଦକୁ ନିର୍ଲିପ୍ତ ବୌଦ୍ଧିକତା ଭିତରେ ଯେପରି ଭାବରେ ଚିତ୍ରଣ କରିଛନ୍ତି ତାହା ଓଡ଼ିଆସାହିତ୍ୟରେ ତାଙ୍କୁ ଏକ ସ୍ଵତନ୍ତ୍ର ଆସନ ପ୍ରଦାନ କରିଛି ।

 

‘‘ଉତ୍କଳଖଣ୍ତ ଭାରତର ଅଂଶ. ମାତ୍ର । ଭାରତଭୂମିର ସୁବିସ୍ତୃତ କଳେବର ଯେତେବେଳେ ବିଭିନ୍ନ ଜାତିର ଲୀଳାକ୍ଷେତ୍ର ହୋଇଛି, ଉତ୍କଳଖଣ୍ଡ ମଧ୍ୟ ଭାରତର ଗୋଟିଏ ଅଂଶ ହିସାବରେ ଊଣା ଅଧିକେ ଏ ଲୀଳାର ରଙ୍ଗଭୂମି ହୋଇଛି ।’’ (୨) ଏହି ଭିତ୍ତିଭୂମି ଉପରେ ଅଧାରିତ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ ଉତ୍କଳ ଓ ଭାରତର ସାଂସ୍କୃତିକ ଐତିହାସିକ ତଥା ରାଜନୈତିକ ଜୀବନଧାରାକୁ ନେଇ ପ୍ରକାଶିତ । ‘ଅନ୍ଧଦିଗନ୍ତ’ ଠାରୁ ‘ଫଟାମାଟି’ ପର୍ଯ୍ୟନ୍ତ ତାଙ୍କର ସକଳ ଜାତୀୟବାଦୀ ଉପନ୍ୟାସରେ ଜାତି ଓ ଦେଶର ସମସ୍ୟା ଓ ସ୍ଵାଭିମାନ ଉତ୍‌କୀର୍ଣ୍ଣ । ୧୯୬୪ ମସିହାରେ ପ୍ରକାଶିତ ‘ଅନ୍ଧଦିଗନ୍ତ’ ୧୯୮୨ ମସିହାରେ ପ୍ରକାଶିତ ‘ନେତି ନେତି’ ୧୯୮୮ ମସିହାରେ ପ୍ରକାଶିତ ତାଙ୍କର ସର୍ବଶେଷ ଫଟାମାଟି’ ଉପନ୍ୟାସରେ ରାଜନୈତିକ ଚେତନାର ସୁତୀବ୍ର ପରିପ୍ରକାଶ ଘଟିଛି । ଏହି ଉପନ୍ୟାସତ୍ରୟରେ ଏକାଦିକ୍ରମେ ଉତ୍କଳୀୟତା ଓ ମହାଭାରତୀୟତା ଏକ ମୁଗ୍ଧ ଚେତନା ମଧ୍ୟରେ ପରିପ୍ରକାଶ ଲାଭ କରିଛି । ଜାତୀୟ ଆନ୍ଦୋଳନରୁ ଓଡ଼ିଶା ଯେ ବିଛିନ୍ନ ନୁହେଁ ଓ ଭାରତୀୟ ରାଜନୀତିଠାରୁ ଓଡ଼ିଶା ଯେ ପ୍ରଭାବମୁକ୍ତ ନୁହେଁ, ଏହାକୁ ଉପନ୍ୟାସ ତ୍ରୟରେ ଔପନ୍ୟାସିକ ଅତ୍ୟନ୍ତ ଶାଣିତ ଭାବେ ପ୍ରକାଶ କରିଛନ୍ତି । ତେବେ ଏହି ଉପନ୍ୟାସତ୍ରୟରୁ ଏକାନ୍ତ ବଳିଷ୍ଠ ଓ ଭିନ୍ନ ମନେହୁଏ ‘ଅନ୍ଧଦିଗନ୍ତ’ ଉପନ୍ୟାସ । ଏକ ସାର୍ଥକ ରାଜନୈତିକ ଉପନ୍ୟାସ ଭାବେ ଏହା ଓଡ଼ିଶାର ତତ୍‌କାଳୀନ ରାଜନୀତିକ ଚେତନାକୁ ପ୍ରକାଶ କରିବା ସହିତ ଭାରତୀୟ ରାଜନୀତିର ସ୍ଵରୂପକୁ ଅତ୍ୟନ୍ତ ସାର୍ଥକ ଭାବେ ଉଲ୍ଲେଖ କରିଛି । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶା ତଥା ଭାରତୀୟ କ୍ଷମତା ରାଜନୀତିର ଏକ ମନ୍ମୟ ଚିତ୍ର ହେଉଛି ‘ଅନ୍ଧଦିଗନ୍ତ’ ଉପନ୍ୟାସ । ୧୯୨୧ ରୁ ୧୯୪୭ ପର୍ଯ୍ୟନ୍ତ ଜାତୀୟ ଆନ୍ଦୋଳନର ନେପଥ୍ୟରେ ଯେଉଁମାନେ ନିଷ୍ଠା ଓ ତ୍ୟାଗ ସହକାରେ ସଂଗ୍ରାମ କରୁଥିଲେ ସେହିମାନେ କିପରି ସ୍ଵାଧୀନତା ପରେ ଉପେକ୍ଷିତ ହୋଇଛନ୍ତି ଓ ସେମାନଙ୍କର ଆସନ ଗ୍ରହଣ କରିଛନ୍ତି ସୁବିଧାବାଦୀ ରାଜନୀତିକ ବ୍ୟକ୍ତିବିଶେଷ ତାର ଏକ ସୁତୀବ୍ର ଆବେଗ ହେଉଛି ‘ଅନ୍ଧଦିଗନ୍ତ’ ଉପନ୍ୟାସ । ସ୍ଵାଧୀନତା ପ୍ରାପ୍ତି ପରେ ଗାନ୍ଧୀ ଆଦର୍ଶ ଓ ଦର୍ଶନ, କ୍ଷମତା ଲୋଭି ସ୍ୱାର୍ଥାନ୍ଧ ରାଜନୈତିକ ବ୍ୟକ୍ତିମାନଙ୍କର ରକ୍ଷାକବଚରେ ହିଁ ପରିଣତ ହୋଇଛି । ସାଧାରଣ ଜନଜୀବନରେ ଗାନ୍ଧୀଆଦର୍ଶ ସ୍ଵାଧୀନତା ପୂର୍ବବର୍ତ୍ତୀ କାଳପରି ଅନୁଭୂତ ହୋଇନାହିଁ । ଗାନ୍ଧୀବାଦର ବ୍ୟର୍ଥତା ସ୍ଵାଧୀନତାପ୍ରାପ୍ତିର ସକଳଆଶା ଓ ଆକାଂକ୍ଷାର ବ୍ୟର୍ଥତାରେ ପରିଣତ ହୋଇଯାଇଛି । ‘ନେତି ନେତି’ରେ ଔପନ୍ୟାସିକ ସୁରେନ୍ଦ୍ର ଆପଣା ରାଜନୈତିକ ଜୀବନର ସୁତୀବ୍ର ଅନୁଭୂତିକୁ ପ୍ରକାଶ କରିଛନ୍ତି । ‘ଫଟାମାଟି’ରେ ମଧ୍ୟ ରାଜନୀତିକ ଚେତନା ଅନୁରଣିତ । ତେବେ ଏହି ଉପନ୍ୟାସ ତ୍ରୟରେ ଲକ୍ଷ କରାଯାଏ, ଔପନ୍ୟାସିକ ସର୍ବଦା ସର୍ବଭାରତୀୟ ପରିପ୍ରେକ୍ଷୀରେ ହିଁ ଓଡ଼ିଶାକୁ ବିଚାର କରିଛନ୍ତି । ଭାରତୀୟ ରାଜନୀତିରେ ଯେତେବେଳେ ଯେଉଁ ପରିବର୍ତ୍ତନ ଆସିଛି, ସେତେବେଳେ ଓଡ଼ିଶାର ରାଜନୀତି ତାହାକୁ ଗ୍ରହଣ କରିଛି । କାରଣ ଏହା କେବଳ ଗଣତନ୍ତ୍ରର ନିୟମ ନୁହେଁ, କେନ୍ଦ୍ରୀୟ ଶାସନର ଏହା ଏକ ଆନୁପାତିକ ବ୍ୟବସ୍ଥା । ତେଣୁ ସୁରେନ୍ଦ୍ର ମହାନ୍ତିଙ୍କର ରାଜନୈତିକ ଉପନ୍ୟାସରେ ଉତ୍କଳୀୟତା ଓ ମହାଭାରତୀୟତା, ତାଙ୍କ ରାଜନୈତିକ ଜୀବନର ବ୍ୟାପକ ଅନୁଭୂତିସିଦ୍ଧ ଘଟଣାବଳୀର ଏକ ଏକ ମନ୍ମୟ ପ୍ରକାଶ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

୨.

ମନ୍ଥଥ ନାଥ ଦାସ - “ଯୁଗେ ଯୁଗେ ଉତ୍କଳ ଧର୍ମ ଓ ସଭ୍ୟତା ' - ଉପକ୍ରମଣିକା ପୃ-୯

 

ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧଦିଗନ୍ତ’ ଉପନ୍ୟାସରେ ଯେଭଳି ଭାବେ ରାଜନୀତିକ ଚିତ୍ର ପର୍ଯ୍ୟାପ୍ତ ସେହିଭଳି ଭାବେ ଚରିତ୍ରମାନଙ୍କର ଉପସ୍ଥାପନା ଓ ଶୈଳୀ ମଧ୍ୟ ଘଟଣାନୁସାରୀ ଓ ମାର୍ମିକ ହୋଇପାରିଛି ଉପନ୍ୟାସରେ ସଦାସର୍ବଦା ସୁରେନ୍ଦ୍ର ସ୍ଥାନୀୟ ରାଜନୀତିକୁ କେନ୍ଦ୍ରାଭିମୁଖୀ କରିଦେଇଛନ୍ତି । ସ୍ଵାଧୀନତାପୂର୍ବରୁ ଭାରତୀୟ ରାଜନୀତିରେ ଗାନ୍ଧିହିଁ ଥିଲେ କେନ୍ଦ୍ରବିନ୍ଦୁ । ତେଣୁ ଦିଲ୍ଲୀଦରବାରଠାରୁ ଓଡ଼ିଶାର ପୁରପଲ୍ଲୀ ଯାଏଁ ଗାନ୍ଧିଙ୍କର ଅପ୍ରତିହତ ପ୍ରଭାବ ସେତେବେଳେ ଯେପରି ପରିଲକ୍ଷିତ ହୋଇଥିଲା, ତାହା ଯଥାର୍ଥରେ ସୁରେନ୍ଦ୍ରଙ୍କ ରାଜନୈତିକ ଉପନ୍ୟାସରେ ମର୍ମରିତ ହୋଇଛି । ପୁନଶ୍ଚ ‘ଅନ୍ଧଦିଗନ୍ତ’ପରି ସଫଳ ରାଜନୀତିକ ଉପନ୍ୟାସରେ ମଧ୍ୟ ଔପନ୍ୟାସିକ ଭାରତର ଜାତୀୟଜୀବନର ପର୍ଯ୍ୟାପ୍ତ ଚିତ୍ରଠାରୁ ଆରମ୍ଭ କରି ଇଂରେଜ ଶାସନକାଳରେ ପାରମ୍ପରିକ ଜମିଦାର ଗୋଷ୍ଠୀର ବିଲୟ, ନୂତନ ଜମିଦାର ଗୋଷ୍ଠୀର ଅଭ୍ୟୁଦୟ ତଥା ଅମଲାତନ୍ତ୍ରର ପ୍ରାଧାନ୍ୟକୁ ଦର୍ଶାଯାଇଅଛି ଯେଉଁଥିରେ ଔପନ୍ୟାସିକଙ୍କ ଉତ୍କଳୀୟ ଓ ମହାଭାରତୀୟ ସ୍ଵାଭିମାନ ପ୍ରତିଫଳିତ । ପୁନଶ୍ଚ ଉତ୍କଳୀୟତା ପରିପ୍ରେକ୍ଷୀରେ ସେ ବିରୂପାଶ୍ରମ, ସଖୀଭେକି ମଠର ବାବାଜି ଲଳିତା ଦାସ, ଜମିଦାର ଅର୍ଜୁନ ବରିଶଲ୍ୟ ଆଦି ଚରିତ୍ରର ଅବତାରଣା କରିବା ସଙ୍ଗେ ସଙ୍ଗେ ଭାରତୀୟ ରାଜନୀତି ପରିପ୍ରେକ୍ଷୀରେ ସେ ନିଧିଦାସଙ୍କ ପରି ନିଃସ୍ୱାର୍ଥପର ଓ ଶୁଦ୍ଧୋଦନ ମହାପାତ୍ରଙ୍କ ପରି ସ୍ୱାର୍ଥାନ୍ୱେଷୀ ରାଜନୀତିକ ବ୍ୟକ୍ତିମାନଙ୍କର ଚରିତ୍ରକୁ ଉପସ୍ଥାପିତ କରି ସ୍ଵକୀୟ ଉପନ୍ୟାସ କଳାର ତାତ୍ପର୍ଯ୍ୟକୁ ପ୍ରକାଶ କରିଛନ୍ତି । ‘ଅନ୍ଧଦିଗନ୍ତ’ର ଏହି କଳାତ୍ମକ ଦିଗର ଅବିକୃତ ରୂପ ହେଉଛି ତାଙ୍କର ଅନ୍ୟ ଦୁଇ ଉପନ୍ୟାସ ‘ନେତିନେତି’ ଓ ‘ଫଟାମାଟି’ ।

 

ସୁରେନ୍ଦ୍ର ମହାନ୍ତିଙ୍କ ସକଳ ରାଜନୈତିକ ଉପନ୍ୟାସ ଆରମ୍ଭ ହୁଏ ଅତି ନାଟକୀୟ ଭାବେ-। ‘ଅନ୍ଧଦିଗନ୍ତ’ ଏହାର ଉଦାହରଣ ମାତ୍ର । ଉପନ୍ୟାସଟିର କଥା ବସ୍ତୁକୁ ଲେଖକ ଏପରି ନାଟକୀୟ ଭାବରେ ଆରମ୍ଭ କରି ବର୍ଣ୍ଣନା କରିଛନ୍ତି ଯାହାକି ପାଠକ ମନରେ ଉତ୍କଣ୍ଠା ଓ ରସବୋଧ ସୃଷ୍ଟି କରିଥାଏ । ‘‘ଉପନ୍ୟାସର ଆରମ୍ଭ ବର୍ତ୍ତମାନରୁ ଏବଂ ଶେଷ ସେଇ ବର୍ତ୍ତମାନରୁ । ମାତ୍ର ବର୍ତ୍ତମାନର ବେଦନାବୋଧ ଲେଖକକୁ ଅତୀତର ସ୍ମୃତିଚାରଣ କରିବାକୁ ପ୍ରେରଣା ଦେଇଅଛି । ସେଇ ଅତୀତର ସ୍ଵରାଜ ଆନ୍ଦୋଳନର ଇତିହାସ ହିଁ ହୋଇଛି ଉକ୍ତ ଉପନ୍ୟାସର ମୁଖ୍ୟ କଥାବସ୍ତୁ ।’’ (୩)

 

୩.

ବୈଷ୍ଣବ ଚରଣ ସାମଲ-‘ଦୃଷ୍ଟି ଦିଗନ୍ତ’ - ବୁକ୍‌ସ ଆଣ୍ଡ ବୁକ୍‌ସ - ୧୯୮୧ ପୃ. ୩୦୧

 

ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧ ଦିଗନ୍ତ’ ‘ନେତି ନେତି’ ଏବଂ ‘ଫଟାମାଟି’ ଆଦି ରାଜନୀତିକ ଉପନ୍ୟାସର ଶୈଳୀ ସାମ୍ବାଦିକୀ ଢଙ୍ଗରେ ଉପସ୍ଥାପିତ । ପୁନଶ୍ଚ ଏହି ଉପନ୍ୟାସ ତ୍ରୟରେ ଔପନ୍ୟାସିକଙ୍କୁ ଅନେକତ୍ର ଅବିକଳ ଭାବେ ଭେଟିବାର ପାଠକ ଉପଲବ୍ଧି କରେ । ‘ଅନ୍ଧଦିଗନ୍ତ’ ଉପନ୍ୟାସରେ ନିଧିଦାସ ସଂପର୍କରେ ବର୍ଣ୍ଣନା ତାଙ୍କ ସାମ୍ବାଦିକ ଜୀବନର ସ୍ମୃତିକୁ ଉଖାରି ଆଣିଥିଲା ବେଳେ ‘ନେତି ନେତି’ରେ ରାଜନୀତିଜ୍ଞ ସୁରେନ୍ଦ୍ର ଆତ୍ମପ୍ରକାଶ କରିଛନ୍ତି ମାନବେନ୍ଦ୍ର ପରି ଏକ ସଚେତନ ବ୍ୟକ୍ତିସତ୍ତା ମଧ୍ୟରେ । ପୁନଶ୍ଚ ‘ଫଟାମାଟି’ରେ ତାଙ୍କର ଜୀବନାଦର୍ଶ ପ୍ରତିଫଳିତ ହୋଇଛି ଶିକ୍ଷକ ହୃଷୀକେଶଙ୍କ ବ୍ୟକ୍ତିତ୍ୱରେ ।

 

‘ନେତି ନେତି’ ଉପନ୍ୟାସ ଭାରତଛାଡ଼ ଆନ୍ଦୋଳନ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମି ଉପରେ ରଚିତ ବାସ୍ତବ ଓ ଐତିହାସିକ ଘଟଣାର ଏକ କଳାତ୍ମକ ପରିପ୍ରକାଶ । ଏଥିରେ ସାର୍ବଜନୀନ ଓ ସାର୍ବକାଳୀନ ମୂଲ୍ୟବୋଧକୁ ଔପନ୍ୟାସିକ ପ୍ରାଧାନ୍ୟ ଦେଇଛନ୍ତି । ଗୋବରଲିପା ମାଟିପିଣ୍ଡା ଆଉ ମଧୁମାଳତୀର ବାସ୍ନାଘେରା ଅପାପବିଦ୍ଧ ଶୈଶବର ଗନ୍ଧଠାରୁ ଅଘୋରୀ ଯୁବକାତ୍ମା ମାନବେନ୍ଦ୍ରର ଅଭିଜ୍ଞତା ମଧ୍ୟରେ ପ୍ରେମ, ରୋମାଞ୍ଚର ମନ୍ମୟ ଅନୁଭୂତି ଏବଂ ତତ୍‍ସହିତ ବର୍ଣ୍ଣିତ ସ୍ୱଦେଶ-ସମାଜ, ବିଭିନ୍ନ ନରନାରୀଙ୍କର ଜୀବନଚିତ୍ର ଅବିକଳ ଭାବେ ଗ୍ରଥିତ ହୋଇଛି ଏହି ଉପନ୍ୟାସରେ । ଉତ୍କଳୀୟ ପଲ୍ଲୀଚେତନାର ସକଳ ବିଭବଠାରୁ ଆରମ୍ଭ କରି ସ୍ଵାଧୀନତାସଂଗ୍ରାମର ଘମାଘୋଟ ପରିବେଶ ଜନିତ ଏକ ଅସ୍ଥିର ମାନସିକତାର ଚିତ୍ର ଉପନ୍ୟାସଟିରେ ଅଙ୍କିତ, ଯାହାକି ଔପନ୍ୟାସିକଙ୍କର ବ୍ୟକ୍ତିଗତ ଜୀବନର ଚିତ୍ର ବୋଲି ଅନେକତଃ ମନେହୁଏ ।

 

‘ଫଟାମାଟି’ ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ତିମଜୀବନର ସର୍ବଶେଷ ସାହିତ୍ୟକୃତି ଭାବେ ସ୍ୱାକ୍ଷରିତ । ଏହି ଉପନ୍ୟାସରେ ଔପନ୍ୟାସିକଙ୍କର ସାମାଜିକ, ରାଜନୈତିକ, ଅର୍ଥନୈତିକ ଚିନ୍ତାର ଦିଗନ୍ତ ପାଠକମାନଙ୍କ ଆଗରେ ଉଦ୍‌ଭାସିତ ହୋଇଛି । ପ୍ରାକ୍‌ ସ୍ୱାଧୀନତାକାଳୀନ ସାମନ୍ତବାଦୀ ସମାଜ ଓ ସ୍ୱାଧୀନୋତ୍ତର ଗ୍ରାମୀଣ ନବ୍ୟ ସାମନ୍ତବାଦୀ ସମାଜମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ‘ଫଟାମାଟି’ ଉପନ୍ୟାସରେ ଉତ୍‌କୀର୍ଣ୍ଣ ହୋଇଛି । ଆଧୁନିକୀକରଣ ନାମରେ ଗ୍ରାମ୍ୟଜୀବନର ବିକୃତୀକରଣ ଏହି ଉପନ୍ୟାସର ମୁଖ୍ୟଚିନ୍ତାରେ ପ୍ରତିଫଳିତ ହୋଇଛି । ସ୍ୱଧୀନୋତ୍ତର ଗ୍ରାମ୍ୟସମାଜର ସମସ୍ୟା ଜର୍ଜରିତ ପରିବେଶର ମର୍ମସ୍ପଶୀ ଚିତ୍ର ‘ଫଟାମାଟି’କୁ ମହିମାଦୀପ୍ତ କରିପାରିଛି । ଜାତୀୟଆନ୍ଦୋଳନ କାଳର ମୂଲ୍ୟବୋଧ ସ୍ଵାଧୀନୋତ୍ତର କାଳରେ କିପରି ମୂଲ୍ୟ ହରାଇ ବସିଛି, ଏହାର ବ୍ୟାପକ ଚିତ୍ର, ବିଭିନ୍ନ ଘଟଣା ଓ ପରିବେଶ ମାଧ୍ୟମରେ ‘ଫଟା ମାଟି’ରେ ଉପସ୍ଥାପିତ କରାଯାଇଛି ।

 

ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ତାଙ୍କ ରାଜନୈତିକ ଉପନ୍ୟାସରେ ପ୍ରୟୋଗ କରିଥିବା ଭାଷା ଓ ଶୈଳୀ ଉପନ୍ୟାସର କଥାବସ୍ତୁ ଓ ଚରିତ୍ରଦିଗରୁ ଯେଭଳି ସାର୍ଥକ, ଉପନ୍ୟାସର କଳାତ୍ମକ ଦିଗରୁ ସେହିଭଳି ବଳିଷ୍ଠ ଓ ଯଥାର୍ଥ । ସାମଗ୍ରିକ ଭାବେ କୁହାଯାଇପାରେ ଯେ, ସୁରେନ୍ଦ୍ରଙ୍କ ରାଜନୈତିକ ଉପନ୍ୟାସର କଳାତ୍ମକ ସିଦ୍ଧି ଜାତୀୟଚେତନା ଦିଗରୁ କେବଳ ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ ତାଙ୍କ ସ୍ରଷ୍ଟାମାନସର ଏକ ମୌଳିକଦିଗ ମଧ୍ୟ ।

 

ଐତିହାସିକ ପୃଷ୍ଠ ପୀଠିକାରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଳୟ’ ଉପନ୍ୟାସ ଦୁଇଟି ଶ୍ରୀଜଗନ୍ନାଥଙ୍କ କଥାବସ୍ତୁକୁ ଆଧାରକରି ରଚିତ ହୋଇଥିଲେ ହେଁ ମୁଖ୍ୟତଃ ଉପନ୍ୟାସ ଦୁଇଟିର ଭାବ ଏକ ଓ ଅଭିନ୍ନ । ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଉଭୟ ଉପନ୍ୟାସରେ ଔପନ୍ୟାସିକଙ୍କ ଉତ୍କଳୀୟତା ଓ ମହାଭାରତୀୟତା ପରିଲକ୍ଷିତ ହୁଏ । ଉଭୟ ଉପନ୍ୟାସର ନାୟକ ଶ୍ରୀଜଗନ୍ନାଥ । କଥାବସ୍ତୁ ଦିଗରୁ ଉତ୍କଳର ସ୍ୱାଭିମାନ ରକ୍ଷାପାଇଁ ଔପନ୍ୟାସିକ ଉତ୍କଳୀୟ ଜନଜୀବନ ସହ ଶ୍ରୀଜଗନ୍ନାଥଙ୍କୁ ଯେଭଳି ଜଡ଼ିତ କରିଦେଇଛନ୍ତି ତାହା ତାଙ୍କ ଉତ୍କଳପ୍ରାଣତାର ପରିଚୟ ଦେଲା ବେଳେ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥଧର୍ମର ବିରାଟତ୍ଵକୁ ଉଲ୍ଲେଖ କରି ମହାଭାରତୀୟ ମହାଚେତନାର ଦ୍ୟୋତନାକୁ ପ୍ରକାଶ କରିଅଛନ୍ତି । ଇତିହାସର ଅନେକ ସତ୍ୟଘଟଣା ସହ ବିଶ୍ୱାସଯୋଗ୍ୟ କଳ୍ପନାକୁ ଆରୋପ କରି ଔପନ୍ୟାସିକ ଉପନ୍ୟାସର ଶିଳ୍ପସୌନ୍ଦର୍ଯ୍ୟରେ ଏକାନ୍ତ ଯଶସ୍ଵୀ ହୋଇ ପାରିଛନ୍ତି । ପୁନଶ୍ଚ ‘ନୀଳଶୈଳ’ ଓ ‘ନୀଳାଦ୍ରିବିଜୟ’ରେ ରାଜା ରାମଚନ୍ଦ୍ରଦେବଙ୍କର’ ଧର୍ମାନ୍ତରୀକରଣ ମଧ୍ୟରେ ଜଗନ୍ନାଥସଂସ୍କୃତିର ସୁରକ୍ଷାପାଇଁ ଉତ୍ସର୍ଗୀକୃତ ମନୋଭାବ ଏବଂ ରିଜିୟାର ଜଗନ୍ନାଥ ଧର୍ମପ୍ରତି ଅକପଟ ଉଦାର ତଥା ସମର୍ପିତ ମନୋଭାବ ଉପନ୍ୟାସଟିକୁ କରିଛି ମର୍ମସ୍ପଶୀ ଓ ସମ୍ବେଦନଶୀଳ । ଚରିତ୍ରଦିଗରୁ ରାମଚନ୍ଦ୍ରଦେବ କେବଳ ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ନୁହନ୍ତି । ସେ ସକଳ ଧର୍ମାଧର୍ମର ସଂକୀର୍ଣ୍ଣତାର ଉର୍ଦ୍ଧ୍ୱକୁ ଉନ୍ନୀତ ହୋଇଥିବା ଏକ ଐତିହାସିକ ପୁରୁଷ, ରିଜିୟା ସେଇ ଦର୍ପିତ ପୁରୁଷର ଛାୟା ଓ କାୟା । ଉଭୟଙ୍କର ଚେତନାରେ ପ୍ରକାଶ ଲଭିଛି ଭତ୍କଳୀୟତା ଓ ଅସଂକୀର୍ଣ୍ଣ ଜଗନ୍ନାଥଧର୍ମର ସୁରକ୍ଷା ଦିଗରୁ ବିରାଟତ୍ୱ ମଧ୍ୟରେ ଏକ ଜାତୀୟ ମୈତ୍ରୀଭାବ । ସରଦେଈ ‘ନୀଳଶୈଳ’ ଉପନ୍ୟାସର ଏକ ଅବିସ୍ମୃତ ଚରିତ୍ର । ସେହିପରି ଏକ ନାରୀ ଜୀବନର କାହାଣୀ ସ୍ମରଣ କରାଇଦିଏ ଓଡ଼ିଆ ନାରୀର ଧୈର୍ଯ୍ୟ ସାହସ, ସ୍ନେହ, ପ୍ରେମ ଓ ସଂଘର୍ଷମୟ ଜୀବନବୋଧକୁ । ‘ନୀଳାଦ୍ରି ବିଜୟ’ରେ ସରଦେଈ ଚରିତ୍ରର ଆବଶ୍ୟକତା ନିଃଶେଷ ହୋଇଯାଇଛି । ମାତ୍ର ତାର କରୁଣସ୍ମୃତିରେ ଅଙ୍କିତ ହୋଇଛି ‘ନୀଳାଦ୍ରିବିଜୟ’ର ପ୍ରତ୍ୟେକ ସ୍ଵାଭିମାନବ୍ୟଞ୍ଜିତ ପୃଷ୍ଠା ।

 

ଭାଷାଶୈଳୀ ଦିଗରୁ ‘ନୀଳଶୈଳ’ ଓ ‘ନୀଳାଦ୍ରିବିଜୟ’ର ଭାଷାଶୈଳୀ ସମୃଦ୍ଧ, ବଳିଷ୍ଠ, କଥାବସ୍ତୁଧର୍ମୀ ଓ ଚରିତ୍ରମୁଖୀ । ଇତିହାସର କଥାକୁ ଜନମାନସରେ ଆରୋପିତ କରାଇ ତା ମନର ଜାତୀୟଭାବ ସ୍ପନ୍ଦନ କରିବାରେ ଉଭୟ ଉପନ୍ୟାସର ଭାଷାଶୈଳୀରେ ରହିଛି ବଳିଷ୍ଠ ଆହ୍ୱାନ । ପୁନଶ୍ଚ ଔପନ୍ୟାସିକଙ୍କ ଶୈଳୀ କେଉଁଠି ଆତ୍ମକଥନ ଧର୍ମୀ ତ କେଉଁଠି ବର୍ଣ୍ଣନାଧର୍ମୀ । ବର୍ଣ୍ଣନାତ୍ମକ ଶୈଳୀ ପରିବେଶ ଭେଦରେ ଭିନ୍ନ । ଗୁରୁଗମ୍ଭୀର ଘଟଣା ବେଷ୍ଟିତ ଐତିହାସିକ ଚରିତ୍ର ରାଜପୁରୁଷ, କଳାକାର, ସଂଭ୍ରାନ୍ତ ଚରିତ୍ର ଓ ଭାବପ୍ରବଣ ଚରିତ୍ରମାନଙ୍କ ପାଇଁ ତାଙ୍କ ବର୍ଣ୍ଣନା ଭଙ୍ଗୀ ଓ ଭାଷାପରିପାଟୀ ବେଶ୍‌ ଗୁରୁଗମ୍ଭୀର ଓ ଓଜସ୍ଵିନୀ । ଅନୁରୂପ ଭାବେ ଲଘୁଘଟଣା, ଲଳିତ ଚରିତ୍ର ତଥା ଗ୍ରାମୀଣ ପରିବେଶ ଭିତ୍ତିରେ ତାଙ୍କ ବାର୍ଣ୍ଣନା ଭଙ୍ଗୀ ଓ ଭାଷାପରିପାଟୀ ସଂକ୍ଷିପ୍ତ, ସୂଚନାଧର୍ମୀ ଓ ଇମେଜ୍‌ଧର୍ମୀ । ସ୍ଵକୀୟ ଭାଷାଶୈଳୀ ସଂପର୍କରେ ଏକଦା ସୁରେନ୍ଦ୍ର ମତବ୍ୟକ୍ତ କରିଥିଲେ-‘‘ବିଷୟ-ବସ୍ତୁ ଉପଯୋଗୀ ଭାଷା ହେଲେ ଯାଇ ଉପଯୁକ୍ତ ପରିବେଶ ସୃଷ୍ଟି ହୁଏ । ପରିବେଶ ଭଳି, ଚରିତ୍ର ସୃଷ୍ଟିପାଇଁ ମଧ୍ୟ ଭିନ୍ନଭିନ୍ନ ଶବ୍ଦ ସମ୍ବଳିତ ଭାଷା ପ୍ରୟୋଗ ଆବଶ୍ୟକ, ଯେପରି ମାଦଳାପାଞ୍ଜିର ପ୍ରାଚୀନଶବ୍ଦ ପ୍ରୟୋଗ ବିନା ‘ନୀଳଶୈଳ’ର ପରିବେଶ ଓ ଚରିତ୍ରଚିତ୍ରଣ ସଂପୂର୍ଣ୍ଣ ହୁଅନ୍ତା ନାହିଁ ।’’(୪)

 

୪.

ଗଳ୍ପ - ତୃତୀୟ ସଂକଳନ - ୧୯୭୧ ଜାନୁଆରୀ - ପୃଷ୍ଠା ୧୧୨

 

ନୀଳଶୈଳ ଓ ନୀଳାଦ୍ରିବିଜୟ ଉପନ୍ୟାସରେ ଔପନ୍ୟାସିକଙ୍କ ଭାଷାପ୍ରୟୋଗ ଓ ବର୍ଣ୍ଣନାଶୈଳୀ, ଘଟଣା, ପରିବେଶ ତଥା ପାତ୍ରପାତ୍ରୀ ଦୃଷ୍ଟିରୁ ଭିନ୍ନ ଭିନ୍ନ ଭାବରେ ପରିଲକ୍ଷିତ ହୁଏ । ମାତ୍ର ସାମଗ୍ରିକ ଭାବେ ଭାଷା ଓ ବର୍ଣ୍ଣନା ପ୍ରୟୋଗରେ ଲେଖକଙ୍କର ଦର୍ପିତ ତଥା ଦାମ୍ଭିକ ଲେଖକୀୟତା ହିଁ ତାଙ୍କର ମୌଳିକ ଚିନ୍ତନ ମଧ୍ୟରେ ଭାସ୍ଵର ହୋଇ ଉଠିଛି ।

 

ନୀଳଶୈଳ ଓ ନୀଳାଦ୍ରିବିଜୟ ପରି ‘କୃଷ୍ଣାବେଣୀରେ ସନ୍ଧ୍ୟା’ ଔପନ୍ୟାସିକଙ୍କ ଉତ୍କଳୀୟ ସ୍ଵାଭିମାନ ଓ ମହାଭାରତୀୟ ଚେତନାର ଦ୍ୟୋତନା କହିଲେ ଅତ୍ୟୁକ୍ତି ହେବନାହିଁ, କଥାବସ୍ତୁ ଦୃଷ୍ଟିରୁ ଏହି ଉପନ୍ୟାସ ଉତ୍କଳର ରାଜନୈତିକ ଦୁର୍ଦ୍ଦଶାର ଚିତ୍ର ପ୍ରଦାନ କରେ । ମାତ୍ର ଏହି ଚିତ୍ର ମଧ୍ୟରେ ପ୍ରତାପରୁଦ୍ରଦେବଙ୍କର ସ୍ଥିର ଅବିଚଳିତ ଆତ୍ମା ଏବଂ ତାଙ୍କ ପୁତ୍ର କନ୍ୟାଙ୍କର ଜାତି ଓ ଦେଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ମଧ୍ୟରେ ଔପନ୍ୟାସିକ ଗୋଟିଏ ସଂସ୍କୃତି ସମ୍ପନ୍ନ ଅଭିମାନପ୍ରବଣ ଜାତିର ଆତ୍ମାକୁ ଯେଭଳି ଅଭିବ୍ୟଞ୍ଜତ କରିଛନ୍ତି ତାହା ଉପନ୍ୟାସଟିକୁ ଦେଇଛି ଅନନ୍ୟ କଳାସ୍ଥିତି । ଶ୍ରୀଚୈତନ୍ୟଦେବଙ୍କ ସଂସ୍ପର୍ଶରେ ଆସି ପ୍ରତାପରୁଦ୍ର ଦେବ ଯେଭଳି ଆଧ୍ୟାତ୍ମିକତାର ଶିଥିଳ ବଳୟ ମଧ୍ୟରେ ବନବାସକରି ବିସ୍ମୃ‌ତ ହୋଇଛନ୍ତି ରାଜାର ଧର୍ମକୁ, ଜାତିପାଇଁ କର୍ତ୍ତବ୍ୟକୁ-ଇତିହାସର ଏହି ଲାଞ୍ଛନା ଉପନ୍ୟାସଟିରେ ଅସ୍ୱୀକୃତ । ଓପନ୍ୟାସିକଙ୍କ ମତରେ, ପ୍ରତାପରୁଦ୍ର ଦେବଙ୍କ ପରି ବୋଧହୁଏ ଓଡ଼ିଶାର ଜାତୀୟ ଇତିହାସରେ କେହି ଦୀର୍ଘକାଳ ଧରି ଯୁଦ୍ଧ କରିନାହାନ୍ତି । ମାତ୍ର ଭାଗ୍ୟର ବିଡ଼ମ୍ବନା ତାଙ୍କୁ ପରାଜୟର କଳଙ୍କ ଆଣିଦେଇଛି । ଏଥିପାଇଁ ତାଙ୍କର ଆଧ୍ୟାତ୍ମିକ ମନୋଭାବ ଦାୟୀ ନୁହେଁ ବରଂ ଏହି ଆଧ୍ୟାତ୍ମିକତା ମଧ୍ୟରେ ରାଜାର ହୃଦୟଜୟର ମନୋଭାବ ପରିଚ୍ଛନ୍ନ । ଗୋଟିଏ ପଟେ ପ୍ରତାପରୁଦ୍ରଦେବଙ୍କ ବୀରପୁତ୍ର ସ୍ଵାଭିମାନ ରକ୍ଷାପାଇଁ ଜୀବନତ୍ୟାଗ ଓ କନ୍ୟାର କୃଷ୍ଣଦେବରାୟଙ୍କ ପ୍ରତି ଦର୍ପିତବାଣୀ ସେମାନଙ୍କ ଉତ୍କଳୀୟ ସ୍ୱାଭିମାନତାର ପରିଚାୟକ ହୋଇଥିବାବେଳେ ଅପର ପକ୍ଷେ ପ୍ରତାପରୁଦ୍ରଦେବଙ୍କର ଆଧ୍ୟାତ୍ମିକତା ମଧ୍ୟରେ ଶାନ୍ତି ଓ ମୁକ୍ତିର ଅନ୍ୱେଷଣ ତାଙ୍କର ମହାଭାରତୀୟ ସଂସ୍କୃତି ଓ ଜୀବନାଦର୍ଶର ପରିଚୟ ଦେବାରେ ସମର୍ଥ ହୋଇଛି-

 

ଆଲୋଚ୍ୟ ଉପନ୍ୟାସରେ ଔପନ୍ୟାସିକ ଇତିହାସକୁ ଅସ୍ଵୀକାର କରି ପ୍ରତାପରୁଦ୍ର ଦେବଙ୍କ ପାଇଁ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କ ଆଗରେ ପ୍ରତାପରୁଦ୍ରଦେବଙ୍କ ଚାରିତ୍ରିକ ଅନୁଶୀଳନରେ ଇତିହାସ ଅସମର୍ଥ ହୋଇଛି । ଇତିହାସର ଏହି ଅପୁରୁଷାକାରକୁ ଅତିକ୍ରାନ୍ତ କରାଯାଇ କୃଷ୍ଣାବେଣୀରେ ସଂଧ୍ୟାରେ ପ୍ରତାପରୁଦ୍ରଦେବଙ୍କ ପାଇଁ ସେ ଯେଉଁ ବିଶ୍ଵାସ ଓ ଭଲପାଇବାର ଇତିହାସ ଲେଖିଯାଇଛନ୍ତି ତାହା କୌଣସି ଦିଗରୁ ଅବିଶ୍ୱସ୍ୟ ନୁହେଁ । ସୁରେନ୍ଦ୍ର ମହାନ୍ତିଙ୍କର ଐତିହାସିକ ଉପନ୍ୟାସ ସମୂହରେ ଏହି ପ୍ରକାରର କଳାସିଦ୍ଧି ବାସ୍ତବିକ୍‌ ହୃଦୟସ୍ପର୍ଶୀ ଏବଂ ଅନେକତଃ ସତ୍ୟ ନହୋଇ ବି ସତ୍ୟଠାରୁ ଆହୁରି ତୀବ୍ର ଓ ଘନିଷ୍ଠ ମନେହୁଏ ।

 

‘ଆଜୀବନକର ଅଟ୍ଟହାସ’ ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ୟତମ ଐତିହାସିକ ଉପନ୍ୟାସ । ଏଥିରେ ମଧ୍ୟ ଇତିହାସର ସତ୍ୟକୁ ଔପନ୍ୟାସିକ ସ୍ପର୍ଦ୍ଧିତ ଆହ୍ୱାନ ଦେଇଛନ୍ତି । ଯଦି ଇତିହାସକୁ କେହି ଲାଞ୍ଛନୀୟ ଦ୍ୱାହି ତଥା ଅତିରଂଜିତ ମାନସିକତାର ଅଭିବ୍ୟକ୍ତି ଭାବରେ ଗ୍ରହଣ କରିଥାଏ, ତେବେ ସେ ହେଉଛନ୍ତି ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି । ଚଣ୍ଡାଶୋକଙ୍କ ଧଉଳି ନିକଟରେ କଳିଙ୍ଗ ଯୁଦ୍ଧରେ ହୃଦୟ ପରିବର୍ତ୍ତନ ହେବା ଓ ମାନବିକତାବାଦର ଉଦ୍‌ଘୋଷଣ ପାଇଁ ନିଜକୁ ସେ ଧର୍ମାଶୋକରେ ରୂପାନ୍ତରିତ କରିବା ହେଉଛି ଏକ ଐତିହାସିକ ସତ୍ୟ । ମାତ୍ର ଔପନ୍ୟାସିକ ସୁରେନ୍ଦ୍ର ଏହି ସତ୍ୟକୁ ସତ୍ୟର ଅପଳାପ ଭାବେ ଗ୍ରହଣ କରିଛନ୍ତି । ଉପନ୍ୟାସର ପୁଷ୍ପିକାରେ ଏ ସଂପର୍କରେ ଔପନ୍ୟାସିକ ଲେଖିଛନ୍ତି - ‘‘ଲଜ୍ଜାର ବିଷୟ ଆମେ ଉତ୍କଳୀୟମାନେ ଲକ୍ଷେ ସଂଖ୍ୟାରେ ହାଣାଖାଇ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଦେଲୁ ବୋଲି ଖୁବ୍‌ ଆତ୍ମପ୍ରଦାନ ଅନୁଭବ କରିଥାଉଁ । ଆମରି ରକ୍ତରେ ଚଣ୍ଡାଶୋକ ଦୟାନଦୀର ଜଳବେଣୀ ଲାଲ୍‌ କରିଦେଲେ ସିନା କିନ୍ତୁ ଆମେ ସେ ଚଣ୍ଡାଶୋକମାନଙ୍କର ହୃଦୟକୁ ସନ୍ନ୍ୟାସର ଗୈରିକ ରଙ୍ଗରେ ରଂଜିତ କରିଦେଲୁ । କେବଳ ନିର୍ବୋଧ ମେଷପଲ ଯୂପକାଠରେ ବଳିପଡ଼ିବାବେଳେ ସେମାନେ ନିଜ ରକ୍ତଦେଇ ଯଜମାନର ଦୁରିତସବୁ ଖଣ୍ଡିତ କରିଦେଲେ ବୋଲି ପୌଢ଼ୀ ଅନୁଭବ କରିପାରନ୍ତି । କଳିଙ୍ଗର ଚରମ ନିଗ୍ରହ ଓ ଅପମାନକୁ ଆମର ଐତିହାସିକମାନେ ଆମର ପରମ ଗୌରବ ବୋଲି ଡିଣ୍ଡିମ ନପିଟନ୍ତୁ, ଏହା ମୋର ଅଭିଳାଷ । (୫) ସର୍ବସାଧାରଣଙ୍କୁ ବଶମ୍ବଦ କରି ରଖିବା ପାଇଁ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଧର୍ମାଶୋକରେ ପରିଣତ ହୋଇଥିଲେ ବୋଲି ଔପନ୍ୟାସିକଙ୍କର ବିଶ୍ଵାସ । ଆଲୋଚ୍ୟ ଉପନ୍ୟାସରେ ଇତିହାସକୁ ଅସ୍ୱୀକାର କରି ଚଣ୍ଡାଶୋକରୁ ଅଶୋକଙ୍କର ଧର୍ମାଶୋକକୁ ରୂପାନ୍ତର ଘଟଣାକୁ ଯୁକ୍ତିଭିତ୍ତିକ ଭାବେ ଆରୋପ କରି ଏହାକୁ ତାଙ୍କର ଏକ ରାଜନୈତିକ କୌଶଳ ଭାବେ ପ୍ରତିପାଦିତ କରିଛନ୍ତି, ତାହା ଇତିହାସଠାରୁ ଆହୁରି ବିଶ୍ୱାସଯୋଗ୍ୟ ମନେହୁଏ । ଇତିହାସକୁ ଅସ୍ଵୀକାର କରି ସ୍ଵକୀୟ ମୌଳିକତାରେ ତାକୁ ନୂତନ ତଥା ଯୁକ୍ତି ଯୁକ୍ତ ଭାବେ ପ୍ରତିପାଦିତ କରି ଉପନ୍ୟାସ ମାଧ୍ୟମରେ ଆଉ ଏକ ଇତିହାସ ଗଢ଼ିଦେବା ହେଉଛି ସୁରେନ୍ଦ୍ରଙ୍କ ଐତିହାସିକ ଉପନ୍ୟାସର କଳାସିଦ୍ଧି ।

 

୫.

ସୁରେନ୍ଦ୍ର ମହାନ୍ତି ‘ଆଜୀବକର ଅଟ୍ଟହାସ’- ପୁଷ୍ପିକା - ପୃ‘ଛ'

 

‘‘ଶତାବ୍ଦୀର ସୂର୍ଯ୍ୟ’’ ଏବଂ ‘କୁଳବୃଦ୍ଧ’ ଉପନ୍ୟାସ ସୁରେନ୍ଦ୍ରଙ୍କ ଉପନ୍ୟାସ ଜଗତର ଦୁଇ ଅନନ୍ୟ ସୃଷ୍ଟି । ‘ଶତାବ୍ଦୀର ସୂର୍ଯ୍ୟ, ଉପନ୍ୟାସରେ ୧୮୦୩ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ମଧୁସୂଦନଙ୍କ ଜୀବନୀ ପରିପ୍ରେକ୍ଷୀରେ ଓଡ଼ିଶାର ଜାତୀୟ ଇତିହାସକୁ ପର୍ଯ୍ୟାଲୋଚନା କରିଛନ୍ତି ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି । ‘କୁଳବୃଦ୍ଧ’ରେ ଏହି ପର୍ଯ୍ୟାଲୋଚନାର ଉତ୍ତରଣ ଓ ଅନ୍ତିମ ପରିଣତି ଘଟିଛି । ଜାତୀୟଗୌରବର ପ୍ରଖ୍ୟାପନ ପାଇଁ ଔପନ୍ୟାସିକ ଶତାବ୍ଦୀପୁରୁଷ ମଧୁସୂଦନକୁ ନାୟକ ଭାବେ ଗ୍ରହଣ କରିଛନ୍ତି । ମଧୁବାବୁଙ୍କ ଜୀବନଚରିତ ପରିପ୍ରେକ୍ଷୀରେ ଅସୁମାରି ଘଟଣା ଓ ଚରିତ୍ର ଏଥିରେ ସ୍ଥାନିତ ହୋଇଛନ୍ତି । ମାତ୍ର ସକଳ ଘଟଣା ଓ ଚରିତ୍ରାବଳୀର ପୂର୍ଣ୍ଣାହୁତିରେ ମଧୁସୂଦନଙ୍କ ଜୀବନଚରିତ ଅପୂର୍ବ ବର୍ଣ୍ଣବିଭାରେ ବର୍ଣ୍ଣୋଜ୍ଜ୍ୱଳ ହୋଇ ଭଠିଛି । ଜାତୀୟଚରିତ୍ର ଗଠନରେ ମଧୁବାବୁଙ୍କୁ ଆଧାରକରି ଏହି ଉପନ୍ୟାସଦ୍ୱୟର ଭୂମିକା ବେଶ୍‌ ଉଲ୍ଲେଖଯୋଗ୍ୟ । ଉପନ୍ୟାସଦ୍ୱୟର ପ୍ରତ୍ୟେକ ପୃଷ୍ଠା ଭନ୍ମୋଚନ କଲେ ଉତ୍କଳ ଗୌରବଙ୍କ ବ୍ୟକ୍ତିତ୍ୱ ଓ ଚରିତ୍ରର ଭାସ୍ଵରତା କେବଳ ଆଖିରେ ପଡ଼େନାହିଁ, ପ୍ରତ୍ୟେକ ଚେତନଶୀଳ ମଣିଷକୁ ବେଶ୍‌ ପ୍ରଭାବିତ ମଧ୍ୟ କରେ । ଏକ ସହଜ ସୁଲଭ ଢଙ୍ଗରେ ଏବଂ ଐତିହାସିକ ସତ୍ୟତା ଭିତ୍ତିରେ ଅପୂର୍ବଭାଷା ପ୍ରୟୋଗ ତଥା ମନ୍ମୟ ଶୈଳୀ ବିନ୍ୟାସ ମଧ୍ୟ ଦେଇ ଉପନ୍ୟାସ ଦୁଇଟିର ଆରମ୍ଭ ଓ ପରିସମାପ୍ତି ବେଶ ଚମତ୍କାର । ବ୍ୟକ୍ତିଜୀବନକୁ ନେଇ ଏପରି ଦୁଇ ବିପୁଳକାୟ ଉପନ୍ୟାସର ପରିକଳ୍ପନା ଓ ପ୍ରକାଶନ କେବଳ ସୁରେନ୍ଦ୍ର ମହାନ୍ତିଙ୍କ ପରି ବୌଦ୍ଧିକ, ଦୃଢ଼ ମନୋବଳ ସମ୍ପନ୍ନ ଓ ଜାତୀୟବାଦୀ ସ୍ରଷ୍ଟାଙ୍କଦ୍ୱାରା ହିଁ ସମ୍ଭବ । ଓଡ଼ିଆଉପନ୍ୟାସ ଜଗତରେ ଏହି ଉପନ୍ୟାସ ଦୁଇଟି କଳାତ୍ମକ ଦିଗରୁ ବେଶ୍‌ ସଫଳ ମନେ ହୁଅନ୍ତି । ପ୍ରଥମତଃ ଏହା ଚରିତୋପନ୍ୟାସ । ଦ୍ୱିତୀୟତଃ ଏଥିରେ ଅଛି ବ୍ୟକ୍ତିସତ୍ତା ଦେଇ ଗୋଟିଏ ଐତିହ୍ୟ ତଥା ସଂସ୍କୃତିସଂପନ୍ନ ଜାତିର ଅତୀତକୁ ବିଶ୍ଳେଷଣ କରି ବର୍ତ୍ତମାନ ଓ ଭବିଷ୍ୟତ ପରିପ୍ରେକ୍ଷୀରେ ଏକ ନୂତନ ପ୍ରାଣସ୍ପନ୍ଦନ ସୃଷ୍ଟିକରିବାର ପ୍ରଚଣ୍ଡ ଅଭୀପ୍‌ସା । କେବଳ ଔପନ୍ୟାସିକଙ୍କ ଜାତୀୟବାଦୀ ଅନୁଚିନ୍ତନ ପାଇଁ ଏତାଦୃଶ ଉପନ୍ୟାସଦ୍ୱୟ ସୃଷ୍ଟି ହୋଇପାରିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଉପନ୍ୟାସସ୍ଥିତ ସକଳ ଗୌଣ ଓ ପାର୍ଶ୍ଵଚରିତ୍ରମାନ କୁଳବୃଦ୍ଧଙ୍କର ବ୍ୟକ୍ତିତ୍ୱ ଓ ଆଦର୍ଶକୁ ପ୍ରକଟିତ କରିବାରେ ସହାୟକ ହୋଇଅଛି ।

 

ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ତାଙ୍କ ଉପନ୍ୟାସ ରଚନାରେ କିମ୍ବା କୌଣସି ଲେଖାବଳୀରେ କୌଣସି ନିର୍ଦ୍ଦିଷ୍ଟ ରୀତି ବା ଶୈଳୀରେ ବିଶ୍ଵାସୀ ନୁହନ୍ତି । (୬) ଏହାର କାରଣ ଭାବେ ତାଙ୍କର ବିଭିନ୍ନ ଚେତନାଧର୍ତ୍ମୀ ଉପନ୍ୟାସର ଶୈଳୀକୁ ଲକ୍ଷ୍ୟ କରାଯାଇପାରେ । ‘ଅନ୍ଧଦିଗନ୍ତ’ ‘ନୀଳଶୈଳ’ ‘କୃଷ୍ଣାବେଣୀରେସଂଧ୍ୟା’ ଆଦି ଉପନ୍ୟାସରେ ଔପନ୍ୟାସିକ ଯେଉଁ ଭାଷା ଓ ଶୈଳୀ ବିନ୍ୟାସ ଘଟାଇଛନ୍ତି ତାହା ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ରେ ନାହିଁ । ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ର ଚେତନା ଭିନ୍ନ । ଜାତିରଗୌରବ ପ୍ରଖ୍ୟାପନ ପାଇଁ ବ୍ୟକ୍ତିଜୀବନର ଇତିବୃତ୍ତ ବଖାଣିବାବେଳେ ଯେଉଁ ଭାବଧର୍ମୀ ଶୈଳୀ ଆବଶ୍ୟକ ଓ ଯେଉଁ ପ୍ରଭାବକାରୀ ଭାଷା ଦରକାର ତାକୁ ହିଁ ସେ ପ୍ରୟୋଗ କରିଛନ୍ତି ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ଉପନ୍ୟାସ ଦ୍ୱୟରେ ।

 

୬.

“ମୋର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ନାହିଁ ବା କୌଣସି ରୀତି ମଧ୍ୟରେ ଆବଦ୍ଧ ନୁହେଁ । ରୀତି ଓ ଶୈଳୀର ନିର୍ଦ୍ଦିଷ୍ଟତା ଜୀବନ ପରି ସାହିତ୍ୟର ମଧ୍ୟ ଲକ୍ଷଣ ନୁହେଁ ବୋଲି ଲେଖକର ଧାରଣା ସୁରେନ୍ଦ୍ର ମହାନ୍ତି - ‘ମରାଳର ମୃତ୍ୟୁ’ - ମୁଖବନ୍ଧ, ପ୍ରକାଶକାଳ - ୧୯୬୨

 

ଶତାବ୍ଦୀର ସୂର୍ଯ୍ୟ ଓ କୁଳବୃଦ୍ଧରେ ବର୍ଣ୍ଣିତ ପରିବେଶ ହେଉଛି ଏକ ରାଷ୍ଟୀୟ ମର୍ଯ୍ୟାଦାର ପରିବେଶ । ଉପନ୍ୟାସରେ ବର୍ଣ୍ଣିତ ଦ୍ୱନ୍ଦ୍ୱ ହେଉଛି ଏକ ଜାତୀୟ ମାନସିକ ଦ୍ୱନ୍ଦ୍ୱ । ତେଣୁ ଆଲୋଚ୍ୟ ଉପନ୍ୟାସଦ୍ୱୟ ଜାତୀୟତା ପରିପ୍ରେକ୍ଷୀରେ କେବଳ ଶୁଷ୍କ ଇତିହାସ ବା ନିରସ ବ୍ୟକ୍ତି ଜୀବନର ଗାଥା ନୁହେଁ, ଔପନ୍ୟାସିକ କଳାସିଦ୍ଧି ଦିଗରୁ ଏହାର ମୂଲ୍ୟ ଅନନ୍ୟ ।

 

ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ରାଜନୀତି, ଇତିହାସ, ଚରିତ ଓ ସମାଜ ଆଦି ସବୁ ବିଷୟକୁ ନେଇ ଉପନ୍ୟାସ ରଚନା କରିଛନ୍ତି । ଏହି ସବୁ ବିଷୟ ଆଧାରିତ ଉପନ୍ୟାସ ଗୁଡ଼ିକରେ କେଉଁଠି ତାଙ୍କର ଶିଳ୍ପୀସତ୍ତାର ସାମାନ୍ୟତମ ଅଭାବ ମଧ୍ୟ ଘଟିନାହିଁ । ଐତିହାସିକ ଚେତନା ସମ୍ବଳିତ ଉପନ୍ୟାସ ରଚନାରେ ସେ ଯେତିକି ଶିଳ୍ପଧର୍ମୀ ବିଶ୍ଵସ୍ତତା ପ୍ରକଟ କରିଛନ୍ତି, ରାଜନୀତିକ ଚେତନା ଧର୍ମୀ ଉପନ୍ୟାସରେ ସେ ସେତିକି ବାସ୍ତବଧର୍ମୀ ହୋଇଛନ୍ତି ଓ ବ୍ୟକ୍ତି ଚେତନା ସମ୍ବଳିତ ଚରିତୋପନ୍ୟାସରେ ସେ ତତୋଧିକ ସମତାରକ୍ଷାରେ ଯତ୍ନଶୀଳ ମଧ୍ୟ ହୋଇପାରିଛନ୍ତି । ତାଙ୍କ ଶିଳ୍ପୀମାନସର ଏଇ ବଶମ୍ବଦତାକୁ ପୁନର୍ବାର ପାଠକ ଲକ୍ଷ୍ୟ କରିଥାଏ ତାଙ୍କ ସାମାଜିକ ଉପନ୍ୟାସର କଳାକୌଶଳରେ । ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସର ଏକ ସାର୍ଥକ ବୈଶିଷ୍ଟ୍ୟ ହେଉଛି ଫକୀର ମୋହନଙ୍କ ପରି ତାଙ୍କର ଘଟଣା, ଚରିତ୍ର, ଭାବ ସବୁ କିଛି ଅନୁଭୂତି ଅଭିଜ୍ଞତାସିଦ୍ଧ । ରାଜନୈତିକ ଜୀବନର ଅଭିଜ୍ଞତା ଓ ଅନୁଭୂତି ସଂଜାତ ସକଳ ରାଜନୈତିକ ତଥା ସାମାଜିକ ଦୃଷ୍ଟିଭଙ୍ଗୀ ତାଙ୍କ ଉପନ୍ୟାସକୁ କେବଳ ଭାବମୟ କରିନାହିଁ, ବୌଦ୍ଧିକ କରିନାହିଁ, ଏହାକୁ କରିଛି ମାନବଜୀବନର ତଥା ମାନବସମାଜର ଏକ ସ୍ୱୀକୃତିପ୍ରାପ୍ତ ବେଦ । ସେଥିପାଇଁ ସୁରେନ୍ଦ୍ର ମହାନ୍ତି ବିଭିନ୍ନ ଚେତନା ଧର୍ମୀ ଉପନ୍ୟାସ ରଚନାରେ ଜଣେ ଏକକ ସ୍ରଷ୍ଟାଭାବେ ଯଶସ୍ଵୀ ହୋଇ ପାରିଛନ୍ତି ।

 

‘କାଳାନ୍ତର’ ଓ ‘ଅଚଳାୟତନ’ ସୁରେନ୍ଦ୍ରଙ୍କ ଉପନ୍ୟାସଜଗତର ଦୁଇ ଭିନ୍ନଧର୍ମୀ ଉପନ୍ୟାସ-। ପ୍ରଥମଟିରେ ସେ ଓଡ଼ିଶାର ମୁକ୍ତାପୁର ନାମକ କୌଣସି ଗ୍ରାମ୍ୟଜୀବନର ଚିତ୍ରକୁ ପ୍ରକଟିତ କରିବା ପରିପ୍ରେକ୍ଷୀରେ ମହାଭାରତୀୟ ଦର୍ଶନରେ ନିହିତ କାଳର ଅପ୍ରତିହତ ପ୍ରଭାବକୁ ସୂଚାଇଛନ୍ତି । ଜୀବନ ମରଣ, ସୃଷ୍ଟିଧ୍ୱଂସ, ପ୍ରଳୟ ଓ ପ୍ରଯତ୍ନ ସବୁକିଛି ଏଇ କାଳର ଅଧୀନ । କାଳ ଗଢ଼ିବା ଭାଙ୍ଗିବା ଓ ପୁଣି ଗଢ଼ିବାରେ ଏକ ପରମ୍ପରା । ଭାରତୀୟ ଦର୍ଶନର ଏହି ଚିରନ୍ତନ ବାଣୀକୁ ଉପନ୍ୟାସଟିରେ ଆରୋପକରି ସେ ସ୍ଵକୀୟ ମହାଭାରତୀୟତାର ଯେପରି ନିଦର୍ଶନ ଦେଇଛନ୍ତି ଅନୁରୂପ ଉତ୍କଳୀୟତାର ଆଭାସ ଦେଇଛନ୍ତି ଗ୍ରାମୀଣ ଜୀବନଚିତ୍ରକୁ ପ୍ରତିଫଳିତ କରାଇ । ଅଚଳାୟତନ ଉପନ୍ୟାସରେ ମଞ୍ଚ କାଳରୁ କାଳାନ୍ତରର ଦର୍ଶନ, ମୂଲ୍ୟ ଓ ମୂଲ୍ୟବୋଧର ସଂଘର୍ଷ ମଧ୍ୟରେ ଭାସ୍ଵର ହୋଇ ଉଠିଛି । ଏହି ଉପନ୍ୟାସରେ ରୁଦ୍ରମାଧବଙ୍କ ପରମ୍ପରା ପ୍ରତି ଏକ ଅତୁଟମୋହ ଏବଂ ନୀଳମାଧବଙ୍କ ସଂସ୍କାରଗତ ଅଭୀପ୍‌ସା ମଧ୍ୟରେ ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ସମାଜ, ଓଡ଼ିଶା ପରିପ୍ରେକ୍ଷୀରେ ଆରୋପିତ ହୋଇଛି । ଉକ୍ତ ଉପନ୍ୟାସ ଦ୍ୱୟରେ ଚରିତ୍ର ଚିତ୍ରଣ ତଥା ଭାଷାଶୈଳୀ ଦିଗରୁ ଔପନ୍ୟାସିକ ଏକାନ୍ତ ସମାଜ ଅଭିମୁଖୀ ହୋଇ ପାରିଛନ୍ତି । ଏହି ଉପନ୍ୟାସଦ୍ୱୟର ବୈଶିଷ୍ଟ୍ୟ ଏହି ଯେ ଔପନ୍ୟାସିକ କାଳର ପ୍ରଭାବକୁ ସ୍ଵୀକାର କରିବା ସହିତ ପରିବର୍ତ୍ତିତ ମୂଲ୍ୟବୋଧରେ ସମାଜର ପରିବର୍ତ୍ତିତ ରୂପରେଖାକୁ ମଧ୍ୟ ସ୍ଵୀକୃତି ଦେଇଛନ୍ତି । ଔପନ୍ୟାସିକ କଳାପାଟବତା ଦୃଷ୍ଟିରୁ ଏ ସ୍ଵୀକୃତି ସ୍ଵଭାବ ସିଦ୍ଧି, ବୌଦ୍ଧିକ ତଥା ସ୍ଵାତନ୍ତ୍ର୍ୟମଣ୍ଡିତ ।

 

ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଚଳିତ ଶତକର ସାର୍ଥକ ଗଦ୍ୟଶିଳ୍ପୀ । ଜୀବନ ଜଞ୍ଜାଳର ସକଳ ଘନଘଟା ମଧ୍ୟରେ ତାଙ୍କର ବିପୁଳକାୟ ସାହିତ୍ୟସାଧନାର ଉତ୍କର୍ଷ କେବଳ ଏକାନ୍ତ ଲକ୍ଷଣୀୟ ନୁହଁ, ଏହା ଜାତିର ସ୍ଵାଭିମାନ ପାଇଁ ମଧ୍ୟ ଏକ ଏକ ଉଲ୍ଲେଖଯୋଗ୍ୟ ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷକରି ତାଙ୍କର ଉପନ୍ୟାସ ସୃଷ୍ଟିରେ ତାଙ୍କ କଥାଶିଳ୍ପର ଆଭିମୁଖ୍ୟ ଓ ଅଭିବ୍ୟକ୍ତିକୁ ହୃଦୟଙ୍ଗମ କରାଯାଇପାରେ । ସୁରେନ୍ଦ୍ରଙ୍କ ଉପନ୍ୟାସ ପ୍ରେମପ୍ରଣୟ ବା ବିରହମିଳନର ଏକ ସାଧନା ପୀଠ ନୁହେଁ ଏହା ଉତ୍କଳୀୟ ସ୍ଵାଭିମାନ ଓ ଜାତୀୟଜୀବନର ଏକ ଏକ ବର୍ଣ୍ଣନ ଇତିହାସ, ଯେଉଁ ଇତିହାସ ମଧ୍ୟରେ ତାଙ୍କପରି ପ୍ରଜ୍ଞାପୂର୍ଣ୍ଣ ବ୍ୟକ୍ତି ଅନେକ ସମୟରେ ନାୟକ ଭାବେ ଅବତୀର୍ଣ୍ଣ ହେବାରେ ଲକ୍ଷ୍ୟ କରାଯାଏ ତ ଅନେକବେଳେ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନଚର୍ଯ୍ୟା ସେ ଇତିହାସର କଥା ହୋଇଯାଇଥିବାର ଲକ୍ଷ୍ୟ କରି ହୁଏ । ଉତ୍କଳୀୟତା ହେଉ ତ ମହାଭାରତୀୟତା ହେଉ ସବୁଠି ସେ ଜାତୀୟ ଜୀବନର ବ୍ୟାପକ ଜୀବନଚିତ୍ର ତଥା ଜାତିର ସକଳ ସ୍ଵାଭିମାନକୁ ଅଭିବ୍ୟଞ୍ଜିତ କରିବାରେ ଆଦୌ ସହଜ ଆତ୍ମହରା ନହୋଇ ସମତାରକ୍ଷା ଓ ଯୁକ୍ତିସିଦ୍ଧତାରେ ଏକ ଏକ କାଳଜୟୀ କାହାଣୀ ସୃଷ୍ଟି କରି ଯାଇଛନ୍ତି । ତେଣୁ ଓଡ଼ିଆ ଉପନ୍ୟାସରେ ଉତ୍କଳୀୟତା ତଥା ମହାଭାରତୀୟତା ପରିପ୍ରେକ୍ଷୀରେ ଔପନ୍ୟାସିକ ସୁରେନ୍ଦ୍ରଙ୍କ ସାଧନା, ଭୀଷ୍ମର ସାଧନା, ତ୍ୟାଗ ଏକଲବ୍ୟର ତ୍ୟାଗ, କଳା-ସୌକୁମାର୍ଯ୍ୟ ପ୍ରଦର୍ଶନରେ ଏକ କମନୀୟ କଳା କୋଣାର୍କର ଆଭା ପ୍ରଦାନ କରେ । ତାଙ୍କ ପରି ଏ ଯାବତ୍‌ ସାଧନାର ଏପରି ଏକ ଲକ୍ଷ୍ମଣଗାର ଅତିକ୍ରମ କରିଯିବାର ଧୈର୍ଯ୍ୟ, ସାହସ କେବଳ, ଦୃଷ୍ଟାନ୍ତ ବିରଳ ନୁହେଁ ଦୁର୍ଲ୍ଲଭ ମଧ୍ୟ ।

 

 

ମୁଖ୍ୟ ଅଧ୍ୟାପକ,

ଓଡ଼ିଆ ବିଭାଗ ମହିଳା ମହାବିଦ୍ୟାଳୟ,

ରାଇରଂଗପୁର, ମୟୂରଭଂଜ

 

 

***

 

ପ୍ରବନ୍ଧ ପତ୍ରିକା-‘କୋଣାର୍କ’

ଶ୍ରୀ ଚିତ୍ତରଞ୍ଜନ ଦାସ

 

ଓଡ଼ିଆ ଗବେଷଣା ପରିଷଦର ‘ଏଷଣା’ ବ୍ୟତୀତ ‘କୋଣାର୍କ’ ସମ୍ଭବତଃ ଏକମାତ୍ର ଓଡ଼ିଆ ପତ୍ରିକା, ଯେଉଁଥିରେ ସାମଗ୍ରୀ ହିସାବରେ କେବଳ ପ୍ରବନ୍ଧ ଗୁଡ଼ିକୁ ପ୍ରକାଶ କରାଯାଏ । ଏଷଣା ବରଷରେ ଦୁଇଥର ବାହାରେ, ‘କୋଣାର୍କ’ ଚାରିଥର । ଅନ୍ୟାନ୍ୟ ଓଡ଼ିଆ ପତ୍ରପତ୍ରିକାରେ ପ୍ରବନ୍ଧ ବାହାରେ ସତ, କିନ୍ତୁ ଗଳ୍ପ ଓ କବିତାର କୁଢ଼ କୁଢ଼ ସମାରୋହ ମଧ୍ୟରେ ସତେଅବା ପୋଇଲୀ ଅଂଶର ପ୍ରାପ୍ୟଟିଏ ପରି ବାହାରେ । ଗୋଟିଏ ଥାଳୀରେ ଯଦି ଦେଉଳ ପରି ଭାତ ବଢ଼ା ହୋଇଥିବ ଓ ତା’ କଡ଼କୁ ତୁଉଣ ବୋଲି ଫୁଟେ କିମ୍ବା ଦୁଇ ଫୁଟ ଅଲଗା ହୋଇ ଦିଶୁଥିବା କିଛି ଦ୍ରବ୍ୟକୁ ଛିଟିକାଇ ଦିଆ ଯାଇଥିବ, ବହୁତ ବାସ୍ତବ ଅର୍ଥରେ ଅନ୍ୟ ପତ୍ରିକାଗୁଡ଼ିକୁ ତାହାରି ସହିତ ତୁଳନା କରାଯାଇ ପାରିବ । ଅନେକେ ବୁଝିବା ସୁଝିବା ଲୋକ ଏହାକୁ ଏକ ଦୁର୍ଦ୍ଦଶା ବୋଲି କହିଥାନ୍ତି । ମୁଁ ଦୁର୍ଦ୍ଦଶା ବୋଲି ନକହି ଦଶା ବୋଲି କହିବି । ଆମର ଯୋଉ ଦଶା, ଆମେ ବାହାର କରୁଥିବା ଏବଂ ଆମେ ପଢ଼ୁଥିବା ପତ୍ରିକାଗୁଡ଼ିକର ମଧ୍ୟ ସେହିପରି । ଏଥିରେ ବିସ୍ମିତ ହେବାର କିଛି କାରଣ ନାହିଁ, କିନ୍ତୁ ଚିନ୍ତାର କାରଣ ବହୁତ ରହିଛି ।

 

ଓଡ଼ିଆଭାଷା ଓ ସାହିତ୍ୟକୁ ସ୍ନାତକୋତ୍ତର ସ୍ତରକୁ ଟେକି ଦେଇ ଯେଉଁ ଅନୁଷ୍ଠାନମାନେ ପାଠ ପଢ଼ାନ୍ତି ଓ ପରୀକ୍ଷା ନିଅନ୍ତି, ଭାଗ୍ୟକୁ ପ୍ରଶ୍ନପତ୍ରରେ ସେଠି ପରିକ୍ଷାର୍ଥୀମାନଙ୍କୁ ନିଜ ଉଦ୍ୟମରେ ଫାନ୍ଦି କବିତାଟିଏ ଅଥବା ଗଳ୍ପଟିଏ ଗଢ଼ିଦେବାକୁ କୁହା ହୁଏ ନାହିଁ; ନଚେତ୍‌ ପରୀକ୍ଷାରେ ବସୁଥିବା ଅଧିକାଂଶ ପିଲା ଅପେକ୍ଷାକୃତ ଅଧିକ ସହଜ ଲାଗିବା ଦୃଷ୍ଟିରୁ ନିଶ୍ଚୟ କବିତା ଏବଂ ଗଳ୍ପରେ ଉତ୍ତରଖାତା ଗୁଡ଼ିକୁ ଭର୍ତ୍ତି କରି ଦେଉଥାନ୍ତେ । ଏଥିରେ ବିଚଳିତ ନହୋଇ ଟିକିଏ ଭାବିଲେ ଆମେ ବୁଝିପାରିବା ଯେ, ଏହାଦ୍ୱାରା ସୂଚନାତ୍ମକତା ଦୃଷ୍ଟିରୁ ପିଲାମାନଙ୍କୁ ଅଧିକ ଯୁକ୍ତିଯୁକ୍ତ ଭାବରେ ପରୀକ୍ଷା କରାଯାଇ ପାରନ୍ତା । ପିଲାମାନେ ଆଉ ସୁଲଭ ଟୀକାପୁସ୍ତକମାନଙ୍କ ଉପରେ ସେତେବେଶୀ ନିର୍ଭର କରନ୍ତେ ନାହିଁ, ପସନ୍ଦକୁ ଆସୁ ନଥିବା ମହାଶୟମାନଙ୍କର ଶ୍ରେଣୀରେ ଯୋଗ ଦେବାର କମ୍‌ ପ୍ରୟୋଜନ ରହିଥାନ୍ତା ଏବଂ କପି କରିବାର କୌଣସି ଆବଶ୍ୟକତା ମଧ୍ୟ ରହନ୍ତା ନାହିଁ । ବର୍ତ୍ତମାନ ପ୍ରଚଳିତ ଉତ୍ତର ଦେବାର ବ୍ୟବସ୍ଥାରେ କେବଳ ସମୀକ୍ଷାତ୍ମକ ଓ ଚର୍ଚ୍ଚାତ୍ମକ କିସମର ଯେଉଁ ପଦ୍ଧତିଟି ଜାରି ରହିଛି, ତଦ୍ଦ୍ୱାରା ପରୀକ୍ଷାରେ ବସୁଥିବା ବାବୁମାନଙ୍କର ସର୍ଜନାତ୍ମକତାର ସାମର୍ଥ୍ୟକୁ କେତେ ଦୂର ବାରି ହେଉଛି ବା ମାପି ହେଉଛି, ଅଧ୍ୟାପନାର ପଥ ଓ ଅପଥରେ ସେମାନଙ୍କୁ ଗୋଠ ପରି ଅଡ଼ାଇ ନେଉଥିବା ଓ ତା’ ପରେ ସେମାନଙ୍କଦ୍ୱାରା ଅର୍ଜିତ ବିଦ୍ୟା ଉପରେ ଗୋଟାଏ ମୋହର ମାରି ଦେଉଥିବା ଆଚାର୍ଯ୍ୟ ଅର୍ଥାତ୍‌ ଅଧ୍ୟାପକମାନେ ତାହାର ନିର୍ଣ୍ଣୟ ଦେଇପାରିବେ ।

 

କବିମାନେ ତ କହିବେ, କବିତା ତା’ ମନକୁ ମନ ଲେଖି ହୋଇଯାଏ । ଉଦ୍ୟମ କଲେ ସବୁ ପଣ୍ଡ ହୋଇଯାଏ । କବିତା ମାଡ଼େ, ମାଡ଼ୁ ମାଡ଼ୁ ଲେଖି ହୋଇଯାଏ । ଆଗେ ବି କବିମାନେ କହୁଥିଲେ ଯେ ଦେବୀ ସରସ୍ୱତୀ ପ୍ରସନ୍ନ ହେଲେ କାବ୍ୟ ଉତ୍ସାରିତ ହୋଇଆସେ । ଉପରର ବ୍ୟକ୍ତିଟିର ସାତତଳେ କୁଆଡ଼େ ଅସଲ ଓରଫ କେବଳ ବ୍ୟକ୍ତିଟିଏ ରହିଛି, ସେଇ ଭିତରୁ ଥାଇ ଉଖାରିବା ମାତ୍ରକେ କବିତା ଗଳେ । କବି ପ୍ରସନ୍ନ ହେଲେ କିଛି ହୁଏନାହିଁ, କବିଆତ୍ମାକୁ କାଳିସୀଟିଏ ପ୍ରସନ୍ନ ହୋଇ ମାଡ଼ି ବସିବାକୁ ମନ କଲେ କବିତା ଲେଖି ହୋଇଯାଏ । ବାହାରେ ତୁମେ ଯାହା ହୋଇଥାଅ ବା ନହୋଇଥାଅ ପଛକେ, ଏକାବେଳେକେ ନିର୍ମମ ଭାବରେ ଭିତରୁ ବାହାରି ଆସୁଥିବା କବିତାଗୁଡ଼ିକୁ ତୁମେ ବାହାରର ମୂଲ୍ୟକାଠି ଦେଇ କଦାପି ମାପି ପାରିବ ନାହିଁ । ପ୍ରାଚୀନ ଓ ମଧ୍ୟଯୁଗରେ ତଥାପି କାବ୍ୟତତ୍ତ୍ୱ ବୋଲି ଦ୍ରବ୍ୟଟିଏ ରହିଥିଲା, ରୀତିକାବ୍ୟକୁ ବୁଝିବା ସକାଶେ ତା’ ସାଙ୍ଗକୁ ରୀତିଟିଏ ବି ରହିଥିଲା । ମାତ୍ର ଏବେ ଆଧୁନିକ ପର୍ଯ୍ୟାୟକୁ ଆସି ସେସବୁ ଉପରେ ଆଉ ବେଶୀ ଗୁରୁତ୍ୱ ଦିଆ ଗଲାନାହିଁ । ଏହିଭଳି ଏକ ଅନୁକୂଳତା ପାଇଲେ କବିତା ଯେ ଆମ ସାହିତ୍ୟିକ ଶଗଡ଼ର ଅଧେ ବା ତା’ଠାରୁ ଅଧିକ ଜାଗା ମାଡ଼ିବସିବ, ସେଥିରେ ଆମେ ମୋଟେ ଆଶ୍ଚର୍ଯ୍ୟ ହେବାନାହିଁ । ନିତ୍ୟନୈମିତ୍ତିକତାର ଏହି ଘଷର ଘଷର ଜୀବନରୁ ଯଦି କିଏ କେଇ ଦଣ୍ଡ ହୁଡ଼ିଯିବାକୁ ଇଚ୍ଛା କରୁଥିବ, ତେବେ କବିତାର ଆଶ୍ରା ଧରି ସିଏ ଆପଣାକୁ ନିଜ ଭିତରେ ପୋତି ହୋଇ ରହିଥିବା ସେହି ଅନ୍ୟ ବ୍ୟକ୍ତିତ୍ୱଟି ହାତରେ ଛାଡ଼ିଦେବ; ଆଖି ବୁଜିଦେବ, ଯାବତୀୟ ସଂଶୟ, ଅବିଶ୍ୱାସ ଅଥାତ୍‌ ସମୀକ୍ଷଣର ଘରେ ଗୋଟାସୁଦ୍ଧା ରାଜି ହୋଇତାଲା ପକାଇଦେବ, - ତେବେ ତୁମେ ସେହି ମୁହୂର୍ତ୍ତଗୁଡ଼ିକର ନିଚ୍ଛକ ଉପଭୋଗ କରିପାରିବ । ସାବଧାନ, ତୁମେ ସେହି ରତିକୁ ମୂର୍ଖଙ୍କ ପରି ଆତ୍ମରତି ବୋଲି ମୋଟେ କହିବ ନାହିଁ ।

 

ଗଳ୍ପ ଲେଖି‌ବାର କଳା ଓ କାରିଗରି ବିଷୟରେ ଏବେ ଓଡ଼ିଆରେ ବି ବହି ବାହାରିଲାଣି । ସେହି ବହିକୁ ପଢ଼ି ଗାଳ୍ପିକ ହେବାକୁ ମନ କରୁଥିବା କେତେ ସଂଖ୍ୟାର ମନୁଷ୍ୟମାନେ କେତେଯାଏ ଖୋରାକ ଲାଭ କରିବେ ବା ନକରିବେ, ସେକଥା କେହି କହି ପାରିବେ ନାହିଁ ସିନା, ମାତ୍ର ଏପରି ବହିଟିଏ ଯେ ଲେଖା ହେଲା, ଏଥିରେ ସେହି ବହିର ଅବଶ୍ୟ ଏକ ଆବଶ୍ୟକତା ରହିଥିଲା ବୋଲି ପ୍ରାମଣଟିଏ ମିଳିଯାଉଛି । ଶିଶୁସାହିତ୍ୟ ଲେଖୁଥିବା ବଡ଼ମାନଙ୍କୁ ଆବଶ୍ୟକ ପରାମର୍ଶ ଦେବାକୁ ଓଡ଼ିଶାରେ ଯେ ଅନୁଷ୍ଠାନମାନ ରହିଛି କେବଳ ସେତିକି ନୁହେଁ, ତାହାର ବିଧି ଏବଂ ଅବିଧିଗୁଡ଼ିକୁ ସୂଚାଇ ଦେଇ ଏବେ ସଂହିତାମାନ ବି ଲେଖାଯାଉଛି, ଆଦୃତ ହେଉଛି । ଠିକ୍‌ ସେହିପରି ଆମେ ପ୍ରବନ୍ଧ ଲେଖିବାର କଳାବିଷୟରେ ଯଦି ବହିଟିଏ ରଚନା କରିବାକୁ ଇଚ୍ଛା କରିବା, ତେବେ ସେଥିରେ କ’ଣ ସବୁ ସାମଗ୍ରୀ ରହିବ ବା ନରହିବ, ଓଡ଼ିଶାରେ ସେହି ଦିଗରେ କେହି ଏପର୍ଯ୍ୟନ୍ତ ମୁଣ୍ଡ ଖେଳାଇ ନାହାନ୍ତି । କବିତା ଓ ଗଳ୍ପ ଲେଖିବାର ଏକାଧିକ କର୍ମଶାଳା ଆୟୋଜିତ ହେଲାଣି, ମାତ୍ର ପ୍ରବନ୍ଧ ଲେଖି ଶିଖାଇବାର କୌଣସି କର୍ମଶାଳା ହେଉ ବୋଲି ଯେ ଏପର୍ଯ୍ୟନ୍ତ କେହି କୌଣସି ପ୍ରସ୍ତାବ ଦେଇନାହାନ୍ତି, ସେହି କଥାଟି ବିଷୟରେ ମଧ୍ୟ କିଞ୍ଚିତ୍‌ ଚିନ୍ତା କରାଯାଇ ପାରନ୍ତା । ହଁ, ଇସ୍କୁଲ କିମ୍ବା କଲେଜ ପିଲାଏ କିପରି ପ୍ରବନ୍ଧ ଲେଖିବେ, ଅର୍ଥାତ୍‌ କିପରି ପ୍ରବନ୍ଧ ଲେଖିଲେ ସେମାନେ ଅଧିକ ନମ୍ବର ପାଇବେ, ସେଥିପାଇଁ କ୍ରମେ ପୁସ୍ତିକା ଓ ମାର୍ଗଦର୍ଶିକା ବାହାରିଲାଣି । ସାହିତ୍ୟରେ ପ୍ରବନ୍ଧ ଲେଖିବା ନିମନ୍ତେ କେହି ଏପର୍ଯ୍ୟନ୍ତ ମାର୍ଗଦର୍ଶିକା ଲେଖିନାହାନ୍ତି । ଆମର ଅଧିକାଂଶ ସାହିତ୍ୟିକ ପ୍ରବନ୍ଧ ଓ ଗବେଷଣା ଯେ ବହୁ ଅବସରରେ ଇସ୍କୁଲ ଓ କଲେଜର ପ୍ରବନ୍ଧସ୍ତରର ହୋଇଥିବା ପରି ମନେ ହୋଇଥାଏ, ସେଥିପାଇଁ ଆମେ ସେହି ସ୍ତରୀୟ ମାର୍ଗଦର୍ଶିକାମାନଙ୍କୁ ଦାୟୀ କରିପାରିବା କି ? ସାହିତ୍ୟ-ଗବେଷଣାର ପଦ୍ଧତିଗୁଡ଼ିକୁ ପ୍ରଦର୍ଶାଇ ଦେବାପାଇଁ ଏବେ ଖଣ୍ଡେ ଅଧେ ପ୍ରଚେଷ୍ଟା ହେଉଛି । ଅବଶ୍ୟ ଏକଥା ସତ୍ୟ ଯେ ଏହି କ୍ଷେତ୍ରରେ ଯାବତୀୟ ଗବେଷଣାକୁ ପ୍ରଧାନତଃ ଏକ ଅର୍ଥାଥୀ ବିଶେଷ ଉଦ୍ୟମ ବୋଲି ଧରି ନିଆଯାଇଛି ।

 

ଏସବୁ ‘କେମିତି’ର ପ୍ରସଙ୍ଗ ପରେ ‘କାହିଁକି’ର ସେହି ଅନ୍ୟ ପ୍ରସଙ୍ଗଟିର ବି ଉତ୍ଥାପନ କରାଯାଇପାରେ । କବିତାର କିଭଳି କାହିଁକିମାନ ରହିଛି, ସେକଥା କବିମାନେ ଏକତ୍ର ବସି ଆଲୋଚନା କଲେ ହୁଏତ କିଛି କହିପାରନ୍ତେ । ଗଳ୍ପ ଓ ଉପନ୍ୟାସର ସେହିଭଳି କିଛି କାହିଁକି ଅବଶ୍ୟ ରହିଥିବ । ଶିଶୁମାନଙ୍କୁ ସଦ୍‌ବାଟରେ ରଖିବାକୁ ଏବଂ ପରିଚାଳିତ କରିବାକୁ ଉଦାର ବଡ଼ମାନେ ଶିଶୁସାହିତ୍ୟରେ ମନୋନିବେଶ କରନ୍ତି ବୋଲି ଯଦି କୁହାଯାଏ, ତେବେ ସେଥିରେ ହୁଏତ ସଂପୃକ୍ତ ଲେଖକମାନେ ବିଶେଷ ଆପତ୍ତି କରିବେନାହିଁ । ମାତ୍ର, ଜଣେ ପ୍ରବନ୍ଧଲେଖକ କେଉଁ କାରଣରୁ ପ୍ରବନ୍ଧଟିଏ ଲେଖେ ? କ'ଣ ପାଇଁ ସେ ସାହିତ୍ୟସର୍ଜନାର ଏତେ ଏତେ ଦାଣ୍ଡିକୁ ନଧରି ପ୍ରବନ୍ଧକୁ ମନ କରେ ? ଅବଶ୍ୟ, ବହୁତ ମହାନ୍‌ ଲେଖକ ରହିଛନ୍ତି, ଯେଉଁମାନେ କି କବିତା, ଗଳ୍ପକ ନାଟକ ଓ ପ୍ରବନ୍ଧ ସବୁକିଛିରେ ହାତ ଦିଅନ୍ତି ଓ ଆପଣାର ସିଦ୍ଧହସ୍ତତାର ପ୍ରତିପାଦନ କରନ୍ତି ଏବଂ ପ୍ରବନ୍ଧ, ଗଳ୍ପ ଓ କବିତା ଲେଖିବାର କାହିଁକିଗୁଡ଼ିକ ମଧ୍ୟରେ ପ୍ରକୃତରେ କୌଣସି ଧାତୁଗତ ପାର୍ଥକ୍ୟ ରହିଛି ନା ଏକ ତାତ୍କାଳିକ ଖିଆଲ ବା ଅଗ୍ରାଧିକାରର ମର୍ଜି ଅନୁସାରେ ବିଶେଷ କୌଣସି ବାରଣ ନରଖି ଏଇଟା ଅଥବା ସେଇଟା ଲେଖି ହୋଇଯାଏ, ଏକାବେଳକେ ସବୁଗୁଡ଼ିକୁ ମନ କରୁଥିବା ଏହିମାନେ ହିଁ ସେକଥା ବେଶୀ କହିପାରନ୍ତେ । ସେହି ଏକ ସାହିତ୍ୟିକ ସର୍ଜନାତ୍ମକତା କେତେ କେତେଙ୍କ ଭିତରେ କାହିଁକି କବିତା, ଗଳ୍ପ ଓ ଉପନ୍ୟାସ ଇତ୍ୟାଦିକୁ ମନ କରେ ଏବଂ ଆଉ କେତେକଙ୍କ ଭିତରେ ପ୍ରବନ୍ଧକୁ ମନ କରେ, ସେକଥାକୁ ସର୍ଜନାତ୍ମକତାର ତୃଣମୂଳଗୁଡ଼ିକୁ ଭେଦ କରି କିଏ କହିପାରିବ ? ଗୋଟିଏ କାଳ ଥିଲା, ଯେତେବେଳେ ଯାବତୀୟ ସୃଜନଶୀଳତା କେବଳ କାବ୍ୟ ଓ ପଦ୍ୟରେ ସମ୍ଭବ ହୋଇପାରିବ ବୋଲି ପ୍ରଚଣ୍ଡ ଭାବରେ ବିଶ୍ୱାସ କରା ଯାଉଥିଲା । ଓଡ଼ିଆ ସାହିତ୍ୟର ଆଧୁନିକ ଅଳିନ୍ଦମାନଙ୍କରେ ହୁଏତ ଏବେ ବି କେତେ କେତେ ଥିବେ, ଯେଉଁମାନେ ପ୍ରବନ୍ଧ ବ୍ୟତୀତ ସାହିତ୍ୟର ବାକି ସବୁ କିଛିକୁ ସିନା ସୃଜନାତ୍ମକ କାର୍ଯ୍ୟ ବୋଲି କହିବେ, ମାତ୍ର ପ୍ରବନ୍ଧ ବେଳକୁ ମୁହଁ ବଙ୍କାଇଦେବେ । କବି ଓ ଗଳ୍ପକାରକୁ ଶିଳ୍ପୀ ବୋଲି ଭାବିବେ ସିନା, ମାତ୍ର ପ୍ରବନ୍ଧକାରକୁ ସମ୍ଭବତଃ ମିସ୍ତ୍ରୀଟିଏ ବୋଲି ବିଚାର କରୁଥି‌ବେ ।

 

ଏତେ ଏତେ କଟକଣାକୁ କାଟି ପ୍ରବନ୍ଧ ଯେ ସାହିତ୍ୟ ଭିତରକୁ ଆସୁଛି ଓ ଆହୁରି ଆସିବ, ସେକଥା ଭାବିବା ସମୟରେ ନିଜ ଭିତରକୁ ଅନାଇ ପ୍ରକୃତରେ ବଡ଼ ରହସ୍ୟପୂର୍ଣ୍ଣ ମନେ ହୋଇଥାଏ । ଏବର ସାହିତ୍ୟରେ ତଥାକଥିତ କବି ଓ ଗଳ୍ପକାରମାନେ ଏଣିକି ପ୍ରବନ୍ଧର ହିଁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଛନ୍ତି ବୋଲି କହିବାକୁ ଏକାଧିକ କାରଣ ଦିଶିଦିଶି ଯାଉଥାଏ । ଗୋଟାଏ ଯୁଗ ଆସୁଛି, ମାନବିକ ଅଧ୍ୟାତ୍ମଚେତନାରେ ଏପରି ସ୍ତରଟିଏ କ୍ରମେ ପରିଚିତ ହୋଇଆସୁଛି, ଯେଉଁଠାରେ କି ମଣିଷର ଖାଲି ସିଧା କହିବାକୁ ମନ ହେବ । ଆଳଙ୍କାରିକତା ନକରି, ଗୋଟେ କିଛି ହେଲେ ନବୁଲାଇ, ନିଷ୍କପଟ ଓ ନିଶ୍ଚଳ ଭାବରେ ନିଜର କଥାଟିକୁ ବ୍ୟକ୍ତ କରିବାକୁ ହିଁ ସତ୍ୟପ୍ରତି ନିଜର କର୍ତ୍ତବ୍ୟ ବୋଲି କୁହାଯିବ । ଗଦ୍ୟର ଆଙ୍କିକ ପିନ୍ଧିଲେ କାଳେ ସାହିତ୍ୟରେ କଥାଗୁଡ଼ିକୁ ସିଧା କରି ଓ ସିଧା ହୋଇ କହିବାକୁ ପଡ଼ିବ ବୋଲି ହୁଏତ ପୁରୁଣାକାଳର କାବ୍ୟକାର ଓ ରାଜସଭାର ଉପଭୋଗୀ ମାର୍ତ୍ତଣ୍ଡମାନେ ଗଦ୍ୟକୁ ସଭାବାହାର ଏବଂ ସାହିତ୍ୟବାହାର କରି ରଖିଥିଲେ । ତଥାପି ଗଦ୍ୟ ଆସି ପହଞ୍ଚିଗଲା, ସାହିତ୍ୟରେ ସ୍ଵୀକୃତ ହେଲା ସମ୍ଭବତଃ ଗଦ୍ୟର ମୁହୂର୍ତ୍ତଟି ଆସି ପହଞ୍ଚିଥିଲା ବୋଲି ଗଦ୍ୟ ଆସିଗଲା । ସାହିତ୍ୟଜୀବନ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥି‌ବା ସଙ୍ଗେ ସଙ୍ଗେ ଗଦ୍ୟର ସମ୍ଭାବନାକୁ ଅଧିକରୁ ଅଧିକ ମଣିଷ ହୃଦୟଙ୍ଗମ କରିଥିଲେ । ଡାଇଲଗ୍‌ର ଯୁଗ ଆସିଲା, - ଗଦ୍ୟ ସେହି ଡାଇଲଗ୍‌ ମାଧ୍ୟମ ହେଲା । କବିତା ମଧ୍ୟ ଅଧିକରୁ ଅଧିକ ଯୁକ୍ତିସଙ୍ଗତ ଭାବରେ ନିଜ ସହିତ ଏକ ଅନ୍ତର୍ଗତ Dialogue ବା କଥୋପକଥନ କରିବାକୁ ବୁଝାଇଲା । ମଣିଷମାନେ ସାହିତ୍ୟଠାରୁ ଅଧିକ ମୂଲ୍ୟବାନ୍‌ ଦେଖାଗଲେ । ତେଣୁ ମୂଲ୍ୟାୟନର ଭିତ୍ତିକଳ୍ପ ଗୁଡ଼ିକ ମଧ୍ୟ ଅଲଗା ପ୍ରକାରର ହୋଇଗଲା । ତେଣୁ, ବାହାର ଆଙ୍ଗିକଟା ଅକସ୍ମାତ୍‌ ଯାହା ହୋଇଥାଉ ପଛକେ, ଭିତରେ ସମସ୍ତେ ପ୍ରବନ୍ଧକୁ ଲୋଡ଼ିଲେ। ନିଜ ପାଖରେ ବିଦେଶୀ ହୋଇ ରହିବାକୁ ଇଚ୍ଛା କଲେନାହିଁ । ପୁରାତନର ଅନେକ ଅନେକ ମିଛ ଖୋଳମାନ ଖସି ପଡ଼ିବା ସଙ୍ଗେ ସଙ୍ଗେ ପ୍ରବନ୍ଧ Belles letters ସତେଅବା ପରସ୍ପର ସହିତ ଆସି ଛନ୍ଦି ହୋଇଗଲେ । ଦୁହେଁ ଦୁହିଁଙ୍କୁ ଲୋଡ଼ୁଥିବାପରି ପରସ୍ପର ପାଖରେ ଆସି ପହଞ୍ଚିଗଲେ । Satire ନାମକ ସାହିତ୍ୟର ସେହି ଅନ୍ୟ genre ବା ବର୍ଗଟିର ବି ବ୍ୟଞ୍ଜନା ବଦଳିଗଲା । ତିନିହେଁ ମିଶି ଯେଉଁ ଯୁକ୍ତବେଶୀଟିକୁ ସାହିତ୍ୟ ଭିତରକୁ ସମ୍ଭବ କରିଆଣିଲେ, ତାହାକୁ ଆଧୁନିକ ପରିଭାଷାର ସକଳ ପ୍ରସ୍ଥ ଅନୁସାରେ ଆଧୁନିକ ପ୍ରବନ୍ଧ ବୋଲି କୁହାଗଲା । ଏବଂ, ଏଇଟି ସୃଜନାତ୍ମକ ନୁହେଁ ବୋଲି କହିବା ପାଇଁ ଆଉ କାହାରି ସାହସ ହେଲା ନାହିଁ ।

 

ଓଡ଼ିଶାରେ ସାଂପ୍ରତିକ କବିତା ନିଃସଙ୍ଗତାର କଥା କହୁଥିଲା । ନିଃସଙ୍ଗତାକୁ ସତେଅବା କୁଣ୍ଢାଇ ଧରିଥିବା ପରି ତାହା ନିଃସଙ୍ଗତାର କଥା କହୁଥିଲା । ସଂସାର ଭିତରେ ଏତେ ଏତେ ସଙ୍ଗର ସମ୍ଭାବନା ମହଜୁଦ ରହିଥିଲେ ମଧ୍ୟ ନିଃସଙ୍ଗତାର କଥା କହୁଥିଲା । ପୁରାତନ ସାହିତ୍ୟରେ ମଧ୍ୟ କବି ମନବୋଧ ଚଉତିଶା ଲେଖି ଯେତେବେଳେ ସଂସାରରେ କେହି କାହାର ନୁହନ୍ତି ବୋଲି ଘୋଷଣା କରୁଥିଲେ, ସେତେବେଳେ ତାକୁ ତଥାପି ବୁଝି ହେଉଥିଲା । ସେପରି କହିବା ପଛରେ ତଥାପି ଗୋଟିଏ ଉପଲବ୍ଧି ରହିଥିଲା, ଏକ ଜୀବନଦର୍ଶନ ଥିଲା, ହୁଏତ ଏକ ସକାରାତ୍ମକ ଆବେଦନ ମଧ୍ୟ ରହିଥିଲା । ଏବକା କବିତାର ନିଃସଙ୍ଗତାବାଦୀମାନେ ସତେ ଅବା ଗୋଟିଏ କଉତୁକିଆ ଆଙ୍ଗିକ ରୂପେ ନିଃସଙ୍ଗତାକୁ ଗ୍ରହଣ କରିଥିଲେ । ଜୀବନରେ ହୁଏତ ସାତ ଜାଗାରେ ସତର ପ୍ରକାରେ କାମୁକ ହୋଇ ରହିଥିଲେ, ମାତ୍ର ତଥାପି ଶବ୍ଦର ଗଛମାନଙ୍କରୁ ଅନୁରୂପ ଚିତ୍ରକଳ୍ପମାନଙ୍କୁ ଦୁହିଁ ଆଣି ନିଃସଙ୍ଗତାର କିସୁନ୍ଦର ବଜାରଟିଏ ମେଲି ଦେଉଥିଲେ । ଗଳ୍ପ ଓ ଉପନ୍ୟାସ ମଧ୍ୟ ବେଶ୍‌ କେତେ ଦିନ ତାହାର ଅନୁକରଣ କଲା, ମାୟାମିରିଗ କଥା କହିଲା, ଜୀବନଟାକୁ ସତେଅବା ଏକ ଭାନୁମତୀର ମଧ୍ୟାନ୍ତର ବିରତି ବୋଲି କହିବାକୁ ଚେଷ୍ଟା କଲା । ନୂଆ ନୂଆ ଶୈଳୀ ଓ ନୂଆ ନୂଆ ଛଟାମାନ ଖୋଜା ହେଲା, ଦୂର ବିଦେଶରୁ ଉଧାର ଅଣାଗଲା । ଆମର ସୃଜନଶୀଳ କବି ଓ ଲେଖକମାନେ ସତେଅବା ପଡ଼ିଶାଘରୁ ମାଗି ଆଣିଥିବା କେତେଟା ଗହଣା ପିନ୍ଧି କୋଉ ମହାଦେବ ମନ୍ଦିରକୁ ଯାଉଥିବା ସୀମନ୍ତିନୀମାନଙ୍କ ପରି ଦେଖାଗଲେ । ସେମାନେ କେତେ କ’ଣ କହିଲେ; ଯାହା ମୋଟେ ନୁହନ୍ତି ତାହା କହିଲେ । ସତେଅବା ନିଜକୁ କ’ଣ ପାଇଁ ଲୁଚାଇ ରଖିବାକୁ ଏପରି କଲେ । ଗୋଟାଏ ଯୁଗ ହୁଡ଼ିଗଲା ପରି ମନେହେଲା ।

 

ଆମ ସାହିତ୍ୟିକ ମନଟା ମୂଳତଃ ସେଇଆଡ଼େ ଉଚ୍ଚାଟିତ ହୋଇ ରହିବାକୁ ଏତେବେଶୀ ମନକଲା ବୋଲି ଆଉ କ’ଣ ପ୍ରବନ୍ଧ ଉପେକ୍ଷିତ ହୋଇ ରହିଗଲା. କି ? କବିତା, ଗପ, ନାଟକ ବା ଉପନ୍ୟାସ ଖୁବ୍‌ ସହଜରେ ଉଦ୍‌ଗାରି ହୋଇଯିବ ବୋଲି ଭ୍ରମ କରି ସମସ୍ତେ ପ୍ରବନ୍ଧକୁ ଅବହେଳା କରି ପକାଇଲେ କି ? ରଜା ନିଜର ମନ୍ତ୍ରୀ ଓ ପାରିଷଦ ମାନଙ୍କର ଗହଣରେ ମହୋଲ୍ଲସିତ ହୋଇ ଅଦ୍‌ଭୂତ ପରିଚ୍ଛଦଟିକୁ ପିନ୍ଧି ଅର୍ଥାତ୍‌ ଲଙ୍ଗଳା ହୋଇ ନଗର ପରିକ୍ରମଣରେ ବାହାରିବା ବେଳେ କୋଉଠି କୋଉ ଗଳି ବା ମୋଡ଼ରେ ଲଙ୍ଗଳା ପିଲାଟାଏ ତାଙ୍କୁ ଦେଖି ସତକଥାଟା କହିଦେବ ବୋଲି ଅପେକ୍ଷା କରି ଯେ ଛିଡ଼ା ହୋଇଛି ସେକଥା ସିଏ କାହିଁକି ବା ଭାବିଥାଆନ୍ତେ ? ବାବୁ, ତୁମେ ଯାହା ଲେଖିବ ଲେଖ ପଛକେ, ଯୋଉ ଛାଞ୍ଚରେ ଲେଖିବ ଲେଖ ପଛକେ, ତୁମେ ତୁମ ଚାରିପାଖରେ ରହିଥିବା ଜୀବନଟିକୁ କେତେ ଅନ୍ତରଙ୍ଗ, ଅଙ୍ଗୀକାରବଦ୍ଧ ଏବଂ ସମଗ୍ର ଭାବରେ ସମୀକ୍ଷା କରି ପାରୁଛ, ତୁମର ଯାବତୀୟ ରଚନାରୁ ମୂଳତଃ ସେହି କଥାଟା ହିଁ ଧରା ପଡ଼ିଯିବ । ସମୀକ୍ଷାର ସେହି ଦିଗଟି ହେଉଛି ପ୍ରବନ୍ଧର ଦିଗ । ବଞ୍ଚିବାର ସର୍ବପ୍ରଧାନ ଦିଗଟିକୁ ଯଦି ସମୀକ୍ଷଣ ବୋଲି କୁହାଯାଏ, ତେବେ, କେଉଁ ସମାଜରେ କେଉଁସବୁ କାରଣରୁ ସୁଜନମାନେ ପ୍ରବନ୍ଧକୁ ସାହିତ୍ୟ ରଚନାର ସର୍ଜନାତ୍ମକ ହାଣ୍ଡି ଭିତରେ ଗଳ୍ପ, ନାଟକ, ବା ଉପନ୍ୟାସ ସହିତ ଏକାଠି ରଖିବାକୁ ରାଜି ହୁଅନ୍ତି ନାହିଁ, ସେହି କଥାଟିକୁ ମଧ୍ୟ କେତେକ ପରିମାଣରେ ଅନୁମାନ କରାଯାଇ ପାରିବ । କବିତାରେ ଜୀବନର ହିଁ ସମୀକ୍ଷା, ଗଳ୍ପ, ଉପନ୍ୟାସ ଓ ନାଟକରେ ମଧ୍ୟ ସେହି ଜୀବନର ସୀମକ୍ଷା । ଉନ୍ମୋଚିତ ହୋଇ ସତ୍ୟ ପାଖରେ ନିଜକୁ ତଉଲି ନେବାର, କଣ୍ଟି ନେବାର ସେହି ସାହସ ଓ ସେହି ଶ୍ରଦ୍ଧା, -ଏଇଟି ହେଉଛି ପ୍ରବନ୍ଧର ଧର୍ମ । ଆଧୁନିକ ସାହିତ୍ୟରେ କ୍ରମେ ଏହି ସମୀକ୍ଷାର ଦିଗଟି ଯେ ଅଧିକରୁ ଅଧିକ ପ୍ରତିଫଳିତ ହୋଇଆସୁଛି, ତାହା ସାହିତ୍ୟ ତଥା ଆମ ପାଇଁ ଏକ ଶୁଭ ଲକ୍ଷଣ । ମଣିଷ ଯେତେବେଳେ ନିଜ ପାଖରୁ ଆଉ ଲୁଚି କରି ରହିବାକୁ ମୋଟେ ମନ ନକରେ, ଯେତେବେଳେ ସିଏ ପୂରା ଧରାପଡ଼ି ଆପଣାକୁ ପୂରା ଆବିଷ୍କାର କରିପାରିବ ବୋଲି ସେହି ଅନ୍ୟ ପ୍ରତ୍ୟୟଟିକୁ ପାଇଯାଏ, ସେତିକିବେଳେ ସାହିତ୍ୟରେ ତାକୁ ପ୍ରବନ୍ଧ ହିଁ ହୁଏତ ସବାଆଗ ଭଲ ଲାଗେ । ନିଜର ଖୋଳଗୁଡ଼ିକୁ ଆଗ ସ୍ଵୀକାର କରିନେଇ ତା’ପରେ ସେଗୁଡ଼ିକୁ ନିଜର ଦେହ ଉପରୁ ଖସାଇଦେଇ ସଂପୂର୍ଣ୍ଣ ଭାବରେ ସତ୍ୟ ଆଗରେ ଯାଇ ଛିଡ଼ା ହୋଇଯିବା ଏବଂ ଦ୍ୱିଜ ହେବାକୁ ରାଜି ହୋଇ ତୁମେ ତା’ ପାଖକୁ ଆସିଛ ବୋଲି ସ୍ୱୀକାର କରିବା -ଆମ ଜୀବନରେ ଯିଏ ଏତିକି ପାହାଚକୁ ଉଠି ପାରିଥିବ, ତାକୁ ସାହିତ୍ୟ ଭିତରେ ସବାଆଗ ପ୍ରବନ୍ଧ ହିଁ ଭଲ ଲାଗିବ । ନିଜେ କିଛି ଲେଖିବସିଲେ ସିଏ ସବାଆଗ ପ୍ରବନ୍ଧ ହିଁ ଭଲ ଲାଗିବ । ହୃଦୟ ଭିତରୁ କହୁଛି ବୋଲି ଗୋଟାଏ ମିଛ ପ୍ରତ୍ୟୟ ସୃଷ୍ଟିକରି ନିର୍ଧୂମ ମାନସିକତା ଭିତରୁ କବିତା ବା ଗପ ଫାନ୍ଦିବାକୁ ଇଚ୍ଛା ନକରି ସିଏ ମାନସିକତାର ଯାବତୀୟ ବାଡ଼କୁ ଡେଇଁ ହୃଦୟକୁ ଛୁଇଁ ପାରିବାର ପ୍ରୟାସ କରୁଥିବ ।

 

ଆମର ହୃଦୟଟାକୁ ନାନା ଅବୁଝା ମାନସିକତାଦ୍ୱାରା ପୋତି ପକାଇବାର ଏକ ହସ୍ପ୍ରୟାସ-ତାହାକୁ ଆମେ ବହୁ ସମୀଚୀନତା ସହିତ ଭାବପ୍ରବଣତା ବୋଲି କହିପାରିବା । ଆଧୁନିକ କାଳର ଗପ, ଉପନ୍ୟାସ ଓ ନାଟକମାନେ ଅଧିକାଂଶତଃ ତାହାହିଁ କରନ୍ତି । ଅଧିକ ଦେଖାଇ ପାରିବାର ଭାଗ କରି ସେମାନେ ସତେଅବା ଅସଲଟିକୁ ଲୁଚାଇ ରଖିବାର ଫିକର କରିବାରେ ଲାଗିଥାନ୍ତି । ଆଧୁନିକ କାଳର ସାହିତ୍ୟ ସମ୍ଭବତଃ ସେଇଥିଲାଗି କେତେକ’ଣକୁ ଲୁଚାଇ ରଖିବାର ସାହିତ୍ୟ ଏବଂ ସେହି କେତେ କ’ଣ ଭିତରେ ସବୁଠାରୁ ଅଧିକ ସମର୍ଥତା ସହିତ ନିଜକୁ ଲୁଚାଇ ପକାଇବାର ସାହିତ୍ୟ ଏହି ଦୃଷ୍ଟିରୁ ଏବର କଳା ଏବଂ ସାହିତ୍ୟକାରିତାକୁ ଅନେକତଃ ଲୁଚାଇ ରଖିବାର ଅର୍ଥାତ୍‌ ଲୁଚି ରହିବାର ଏକ ଶୋଚନୀୟ କୁଶଳତା ବୋଲି କୁହାଯାଇପାରିବ । ଅସଲ ପ୍ରବନ୍ଧ ଠିକ୍‌ ଓଲଟାଟା କରିବ ବୋଲି ଅଭିଳାଷ ରଖିଥାଏ । ଉପରର ଆଭରଣପରସ୍ତ ଗୁଡ଼ିକୁ ଖୋଲି ତାହା ଯଥାସମ୍ଭବ ଅଭିପ୍ରାୟଗୁଡ଼ିକୁ ଖୋଲି ଦେଖାଇଦିଏ । ଚେତନାଟାକୁ ଉଖାଡ଼ି ଅବଚେତନ ଅର୍ଥାତ୍‌ ମଗ୍ନଚେତନ ପର୍ଯ୍ୟନ୍ତ ଯିବାକୁ ଆଗ୍ରହ ରଖିଥାଏ । ସେଥିପାଇଁ କେବଳ ଶୈଳୀଗୁଡ଼ିକୁ ଜାଣିଲେ ନୁହେଁ, ନିଜକୁ ମଧ୍ୟ ଯଥାସମ୍ଭବ ଯାବତୀୟ ଖୋଳରୁ ମୁକ୍ତକରି ଆଣି ଏକାବେଳେକେ ବନ୍ଧୁ ପରି ସତ୍ୟଗୁଡ଼ିକ ବିଷୟରେ ଏକ ଆଲୋକନକାରୀ କଥୋପକଥନର ଅବକାଶ ସୃଷ୍ଟି କରିବା ସକାଶେ ପ୍ରବନ୍ଧ ବାଟ ଖୋଜୁଥାଏ । ଗୋଟାଏ ସର୍ବନିମ୍ନ ଦୂରତା ନରଖିଲେ କବିତା ବା ଗଳ୍ପ ଲେଖି ହୁଏ ନାହିଁ ସିନା, ସେହି ଦୂରତାଟି ରହିଥିବା ପର୍ଯ୍ୟନ୍ତ ହୁଏତ ପ୍ରବନ୍ଧମାନେ ଭାରି ଖଣ୍ଡିଆ ହୋଇ ରହିଯାଆନ୍ତି ଏବଂ ଯେଉଁମାନେ ଖଣ୍ଡିଆ ହୋଇ ରହିବାଠାରୁ ଚତୁର ନହେବାଟାକୁ ଜୀବନର ଅଧିକ ବଡ଼ ବିପର୍ଯ୍ୟୟ ପରି ବୁଝନ୍ତି, ସେମାନେ ପ୍ରବନ୍ଧରେ ବେଶୀ ଦୂର ଯାଇପାରନ୍ତି ନାହିଁ । ଯଥାସମ୍ଭବ ଅଧିକ କର୍କଶ ବିବିଧ ଶବ୍ଦଘନତା ଭିତରେ କ’ଣ ଗୋଟାଏ ଫାନ୍ଦି ପକାଇ ତାହାକୁ ହିଁ ପ୍ରବନ୍ଧ ବୋଲି ଆମଆଗରେ ଆଣି ଥୋଇଦିଅନ୍ତି । ନିଜଜୀବନର ପାହାଚଉଠା ସହିତ ନିଜର ଜୀବନଶ୍ରଦ୍ଧା ମଣିଷକୁ ଯେତିକି ଅଧିକ ସ୍ଵାଭାବିକ ଏବଂ ନିରାଭରଣ ଭାବରେ ଯୋଡ଼ି କରି ରଖିଥାଏ, ପ୍ରବନ୍ଧ ଲେଖିବାଟା ଏବଂ ପ୍ରବନ୍ଧ ପଢ଼ିବା ମଧ୍ୟ ସମ୍ଭବତଃ ସେତିକି ଭଲ ଲାଗେ, ସେତିକି କାମ୍ୟ ବୋଲି ମନେ ହୋଇଥାଏ ।

 

ଯାବତୀୟ ଅର୍ଥରେ ପୃଥିବୀ କ୍ରମେ ଏକ ବୃହତ୍‌ ପ୍ରତିବେଶରେ ପରିଣତ ହୋଇଆସୁଥିବା ସମୟରେ ପ୍ରବନ୍ଧ ହୁଏତ ଆଉ ଗୋଟେ ସ୍ଥାନୀୟ ହୋଇ ରହିବ ନାହିଁ । ସ୍ଥାନୀୟ ଭାଷାର ପରିଚ୍ଛଦରେ ସ୍ଥାନୀୟ ସାହିତ୍ୟବୃତ୍ତାନ୍ତ ଗୁଡ଼ିକର ସମୀକ୍ଷା କରିଥିଲେ ମଧ୍ୟ ତାକୁ ଅନାଇ ଦେଉଥିବା ମାତ୍ରକେ ସମଗ୍ର ପୃଥିବୀ ହିଁ ଦିଶି ଦିଶି ଯାଉଥିବ ଏବଂ ତେବେ ଯାଇ ହେବ । ସ୍ଥାନୀୟ ମଣ୍ଡୁକଦୃଷ୍ଟି ଗୁଡ଼ିକର ପ୍ରଲୋଭନରୁ ବାହାରି ଆସିବାକୁ ହେବ। ସମ୍ଭବତଃ ମଦୀୟତବାଦର ଗଣ୍ଡି ଓ ବେଢ଼ଗୁଡ଼ାକୁ ମଧ୍ୟ ଡେଇଁ ଆସିବାକୁ ହେବ । ନିଜ ଘରର ଇଷ୍ଟଦେବମାନଙ୍କର ମୋହକୁ ପାର ହୋଇ ଏକ ବିଶ୍ଵଦେବଙ୍କର ପରିମିତ ମଧ୍ୟରେ ପ୍ରବେଶ କରିବାକୁ ହେବ । ସତ୍ୟରେ କୌଣସି ଭୂଗୋଳ ନାହିଁ, -ଗଛମାନେ ଏକ ନିର୍ଦ୍ଦିଷ୍ଟ ଭୂଇଁ ଉପରେ ଚେର ମଡ଼ାଇ ଛିଡ଼ା ହୋଇଥଲେ ମଧ୍ୟ ସେହି ଗଛରେ ଫୁଟୁଥି‌ବା ଫୁଲର ଆସ୍ପୃହାକୁ କଦାପି ସେହି ଚେରଦ୍ୱାରା ହିଁ ନିର୍ଦ୍ଦେଶିତ କରି ହେବନାହିଁ । ସାହିତ୍ୟ ସାହିତ୍ୟ ମଧ୍ୟରେ ତୁଳନା କରି ନିଜଟାକୁ ଏମିତି ଅଥବା ସେମିତି ବୋଲି କହିବା ମଧ୍ୟ ପ୍ରବନ୍ଧର ବିଧିଟି ଭିତରେ ଭାରି ଅକରଣୀୟ ହୋଇ ରହିବ । ସ୍ଥାନୀୟକୁ ବିଶ୍ଵଯାକର ସବୁଯାକ ସ୍ଥାନକୁ ଯୋଡ଼ି ଏକତ୍ର କରି ଦେଖିବାର ଯେତେ ଯେତେ ଅନ୍ତର୍ଗତ ଏବଂ ବହିସ୍ଥ ସାଧନ ରହିଛି, ସେହି ସବୁଗୁଡ଼ିକୁ ଖିଅରୂପେ ବ୍ୟବହାର କରି ନ ଶିଖିଲେ ଆମେ ଲେଖୁଥିବା ପ୍ରବନ୍ଧଟି ହୁଏତ ନିତାନ୍ତ ଚକ୍ଷୁହୀନ ଭଳି ଦେଖା ଯାଉଥି‌ବ ଏବଂ ନିଜଟା ବିଷୟରେ ଅତିରଞ୍ଜତ କରି ଯାହା ତାହା ଦେଖିବାରେ ମନଟା ମାଡ଼ି ରହିଥିବା ପର୍ଯ୍ୟନ୍ତ ଆମେ ମୂଳତଃ ଚକ୍ଷୁହୀନ ହୋଇ ହିଁ ରହିଥିବା, ଯାହା ସ୍ଥାନୀୟ, ତାହାକୁ ବିଶ୍ୱାକାଶର ପରିପ୍ରେକ୍ଷୀରେ ଦେଖିପାରିବା ସମ୍ଭବ ହେଲେ ଯାଇ ଆମେ ସମ୍ଭବତଃ ସ୍ଥାନୀୟତା ରୂପକ କାକରବିନ୍ଦୁଟି ଉପରେ ସେହି ଆକାଶରେ ସୂର୍ଯ୍ୟକୁ ଆଣି ପ୍ରତିଫଳିତ କରିବାରେ ବାଟ ପାଇଯିବା, ଜୀବନରେବି ଠିକ୍‌ ସେହିପରି କରିବାର ଯଥାର୍ଥ ବାଗଟିଏ ପାଇଯିବା-। ଓଡ଼ିଆସାହିତ୍ୟ ଯେତେଦିନ ଯାଏ ଏକାଧିକ କାରଣରୁ ସ୍ଥାନୀୟ ବୃହତ୍‌ମନ୍ୟତାର ଏକ ନିମିତ୍ତ ହୋଇ ରହିଥିବା ହୁଏତ ସେପର୍ଯ୍ୟନ୍ତ ଏଥି‌ରେ ପ୍ରବନ୍ଧକୁ ଅଧିକ ମଣିଷ ଗୋଟେ ସହି ପାରିବେ ନାହିଁ-। ଆମେ ବଳାଶୟଟିଏ ହୋଇ ରହିବାକୁ ପଣ କରିଥବା ପର୍ଯ୍ୟନ୍ତ ଜଳଧି ସହିତ ଖିଅ ଲଗାଇବା ପାଇଁ ଆଗକୁ ହୁଏତ ଭାରି ଡର ମାଡ଼ୁଥି‌ବ । ଡରରୁ ବିଦ୍ୱେଷ ଜନ୍ମଲାଭ କରୁଥି‌ବ। ଗତ ପ୍ରାୟ ଏକଶହ ବର୍ଷ ହେଲା ଆମେ ଅନେକାଂଶରେ ସେହିଭଳି ଏକ ବିଦ୍ୱେଷର କାରଣରୁ ହୁଁ ଭାରି ହୀନମନ୍ୟ ହୋଇ ରହିଛୁ । ସେହି ହୀନମନ୍ୟତାର ଚର୍ଚ୍ଚା ହୁଅନ୍ତା, ସେହି ଜଳାଶୟଧର୍ମିତାର ବି ଚର୍ଚ୍ଚା ହୁଅନ୍ତା । ପ୍ରବନ୍ଧ ବଳିଷ୍ଠ ହେଲେ ଯାଇ ସାହିତ୍ୟ ମଧ୍ୟ ସେହି ଚର୍ଚ୍ଚାର ଭାଜନ ହୁଅନ୍ତା । ସାହିତ୍ୟ ଆମକୁ ଆଉ ସବାଆଗ ଓଡ଼ିଆସାହିତ୍ୟ ବୋଲି ନ ଦିଶି ସାହିତ୍ୟ ଭଳି ଦିଶନ୍ତା ଓ ସେହିଭଳି ଦେଖି‌ବାରୁ ହିଁ ଆମେ ସର୍ଵାଧିକ ଆନନ୍ଦ ଲାଭ କରିପାରନ୍ତେ ।

 

ଗଙ୍ଗାଧର, ଗୋପବନ୍ଧୁ ଏବଂ ଗୋଦାବରୀଶଙ୍କ ଲଗାଏତ ଫକୀରମୋହନ ଓ ଫତୁରାନନ୍ଦଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ଆଲୋଚନାକୁ ଆଣି ଆମେ ପ୍ରବନ୍ଧଟିଏ ଲେଖି‌ବା ପଛକେ, ଆମେ ନିଜ ପ୍ରବନ୍ଧଟିକୁ ଲେଖି‌ବା ଆଗରୁ, ସଂପୃକ୍ତ ବିଷୟଟିରେ ଆଗରୁ ଯେତେ ଯାହା ଲେଖାହୋଇଛି, ସେଗୁଡ଼ିକ ସହିତ ମଧ୍ୟ ଆମର ଯଥାସମ୍ଭବ ଏକ ପରିଚୟ ରହିଥିବା ଉଚିତ । ଆମେ ସେଗୁଡ଼ିକୁ ଆଗ ପଢ଼ିବା ଓ ତା'ପରେ ଯାଇ ନିଜର ବୋଲି କିଛି ଲେଖି‌ବା । ତେବେଯାଇ ଆମେ ହୁଏତ ନୂଆ କରି କିଛି କହିପାରିବା । ଖବରକାଗଜରେ ଗତ ପ୍ରାୟ କୋଡ଼ିଏ ବର୍ଷ ହେଲା ଦଶହରା ସମୟକୁ ଦୁର୍ଗା ଅର୍ଥାତ୍‌ ଶକ୍ତିଙ୍କର ପୂଜା ବିଷୟରେ ଲେଖାମାନ ବାହାରୁଛି । କେତୋଟି ବର୍ଷର ଲେଖାକୁ ଅକସ୍ମାତ୍‌ ସଂଗ୍ରହ କରି ଯଦି ପାଠ କରାଯାଏ, ତେବେ ସେଥି‌ରୁ ଆମେ ବହୁ ପୁନରାବୃତ୍ତି ଦେଖି‌ବାକୁ ପାଇବା । ନିଜର କିଛି ଖାସ୍‌ କହିବାକୁ ନଥିଲେ ଜଣେ ଆଦୌ ପ୍ରବନ୍ଧଟିଏ କାହିଁକି ଲେଖି‌ବ ? ଯଦି ଜଣେ ବ୍ୟକ୍ତି ସତ୍ୟକୁ ଦେଖି‌ବାର ନିଜସ୍ଵ ବାଗଟିଏ ନପାଇଛି, ଯଦି ମୋର ଅଧିକ କିଛିହେଲେ କହିବାର ନାହିଁ ତେଣୁ ଦାଣ୍ଡରେ ଆଚରିତ ହୋଇ ଆସିଥି‌ବା ଏକ ବିବରଣାତ୍ମକ ଶୈଳୀରେ କିଛି ଲେଖି‌ ଥୋଇଦେଲେ ତାହାକୁ ଆଦୌ କୌଣସି ସମୀକ୍ଷା ବୋଲି କାହିଁକି କୁହାଯିବ ? କେବଳ ସେତିକି ନୁହେଁ, ଆମ ପ୍ରବନ୍ଧମାନଙ୍କରେ ସର୍ବଦା ଏପରି ଅନେକ ପାରିଭାଷିକ ଶବ୍ଦର ବ୍ୟବହାର କରାଯାଇଥାଏ, ଯେଉଁଗୁଡ଼ିକର ଅର୍ଥ ପୃଥ୍ୱୀ -ଇତିହାସର ବିବର୍ତ୍ତନରେ କେତେମନ୍ତେ ବଦଳି ବଦଳି ଆସିଛି । ସେଗୁଡ଼ିକୁ ମୁଁ ନିରାଲମ୍ବ ଭାବରେ ବ୍ୟବହାର କରିବା ମନ କଲେ ତ ଦ୍ଵାରା ହୁଏତ ଅଧିକ ବିଭ୍ରାନ୍ତି ସୃଷ୍ଟି କରିବା ହିଁ ସାର ହେବ । ଜାତୀୟତାବାଦ, ଆଦର୍ଶବାଦ, ବାସ୍ତବବାଦ, ଚେତନା, ବିବର୍ତ୍ତନ,- ଏହି ଯାବତୀୟ ଅଭିଧାଗୁଡ଼ିକର ବ୍ୟଞ୍ଜନା ମଧ୍ୟ କେତେମନ୍ତେ ବଦଳି ବଦଳି ଯାଉଛି ଅର୍ଥାତ୍‌ ସମ୍ପ୍ରସାରିତ ହୋଇଯାଉଛି । ଏହିପରି ଭାବରେ ସେଗୁଡ଼ିକୁ ବୁଝିବାର କ୍ଷେତ୍ରରେ ଏକ ଐତିହାସିକ କ୍ରମ ମଧ୍ୟ ରହୁଛି । ସେଗୁଡ଼ିକ ବିଷୟରେ ଏକ ମୂଳଭୂତ ଧାରଣା ନ ରହିଲେ ଆମେ ସେଗୁଡ଼ିକୁ କିପରି ଭାବରେ ଆମ ପ୍ରବନ୍ଧରେ ବ୍ୟବହାର କରିପାରିବା ?

 

ତୁଳନାତ୍ମକ ଯାବତୀୟ ସମୀକ୍ଷାରେ ଆମେ ଇଂରାଜୀ ସାହିତ୍ୟରୁ ମାପକ ନାମଗୁଡ଼ିକୁ ଆଣି ପ୍ରବନ୍ଧରେ ବ୍ୟବହାର କରିଥାଉ । ତାହାର ବି କାରଣ ରହିଛି । ତଥାପି ତାହା ଯେ ଆମ ଆଲୋଚନାର ଆଭିମୁଖ୍ୟଗୁଡ଼ିକୁ ସବୁବେଳେ ଅଧିକ ସ୍ପଷ୍ଟ କରିବାରେ ସହାୟକ ହେବ, ସେକଥା ଆଦୌ ନୁହେଁ । ପାଶ୍ଚାତ୍ୟ ବିଚାରସମ୍ପଦ କହିଲେ ଇଂରାଜୀ ବ୍ୟତୀତ ଆହୁରି କେତେ ଐତିହ୍ୟକୁ ମଧ୍ୟ ବୁଝାଏ । ଇଉରୋପରେ ସକ୍ରେଟିସ୍‌, ସାର୍ତ୍ର ବା ବୁବର୍‌ କେହି ବିଲାତି ନୁହନ୍ତି । ସେହିସବୁ ଦୂରଗଭୀରର କଥାକୁ ବାଦ୍‌ ଦେଲେ ମଧ୍ୟ, ଅନ୍ୟାନ୍ୟ ଭାରତୀୟ ସାହିତ୍ୟଗୁଡ଼ିକୁ ବାଦ୍‌ ଦେଇ ଆମେ କିପରି ଓଡ଼ିଆସାହିତ୍ୟର ପରିଶୀଳନ କରିପାରିବା ? ପୁନର୍ବାର ପ୍ରାୟ ସେହି ଗୋଟିଏ କାରଣରୁ, ଯାବତୀୟ ଅଧ୍ୟୟନର ସନ୍ଦର୍ଭରେ ଓଡ଼ିଶାରେ ଆମେ କେବଳ ସଂସ୍କୃତସାହିତ୍ୟ ମଧ୍ୟରୁ ଏଇଟାକୁ ବା ସେଇଟାକୁ ଦୁହିଁ ଆଣି ଆମର ବକ୍ତବ୍ୟକୁ ପୁଷ୍ଟ କରିଥାଉ । ସ୍ମରଣ ରଖି‌ବାକୁ ହେବ ଯେ ସଂସ୍କୃତ ସାହିତ୍ୟର ମଧ୍ୟ ଏକ ଇତିହାସ ରହିଛି, ଏକ ପ୍ରକ୍ରିୟାଗତ କ୍ରମ ରହିଛି । ଭାରତର ପ୍ରତ୍ୟେକ ଭାଷାସାହିତ୍ୟ ନିଜସ୍ଵ ଅନନ୍ୟତାରେ ସମୃଦ୍ଧ ଓ ଉଜ୍ଜ୍ୱଳ ହୋଇ ରହିଛନ୍ତି । ସେଗୁଡ଼ିକୁ ନଜାଣି ଆମେ ନିଜ ସାହିତ୍ୟର କି ଆଲୋଚନା କରି ପାରିବା,-ଏକ ଭାରତୀୟ ସାହିତ୍ୟର ଅଂଶ ବୋଲି ନିଜର ପରିଚୟ ଦେବାକୁ କିଭଳି ଭାଜନ ହେବା ? ଏପରିକି, ମଧ୍ୟଯୁଗରେ ସମଗ୍ର ଭାରତବର୍ଷରେ ଏକ ଉଦ୍‌ବେଳନ ଘଟାଇ ଯେଉଁ ସନ୍ଥସାହିତ୍ୟ ବିଭିନ୍ନ ଭାଷାର ମାଧ୍ୟମରେ ସାହିତ୍ୟ ପାଇଁ ଏକ ନୂତନ ଆଲୋକନର ଯୁଗକୁ ଉନ୍ମୋଚିତ କରି ଆସିଥିଲା, ତାହାକୁ ପୃଷ୍ଠଭୂମିରେ ନରଖି‌ ଆମେ ଓଡ଼ିଶାର ସନ୍ଥମାନଙ୍କର ଏକ ସମଗ୍ର ଆଲୋଚନା କିପରି କରିପାରିବା ? ଅନ୍ତତଃ ଦୁଇ ତିନୋଟି ଅନ୍ୟ ଭାରତୀୟ ସାହିତ୍ୟର ପ୍ରବୃତ୍ତିଗୁଡ଼ିକୁ ନିକଟରୁ ଚିହ୍ନିବାଲାଗି ମନ ନକଲେ ଆମେ ଓଡ଼ିଆସାହିତ୍ୟର ଯାବତୀୟ ଆଲୋଚନାକୁ ହୁଏତ ଭାରି ଏକଦେଶୀ କରି ରଖିଥିବା ।

 

ସବାଶେଷରେ ଗ୍ରନ୍ଥସମୀକ୍ଷା ‘କୋଣାର୍କ’ର କର୍ତ୍ତାମାନେ ଚାପ ନପଡ଼ିଲେ ଏହାକୁ ମନ କରନ୍ତି ନାହିଁ । ସତେଅବା ଉପ୍ରୋଧକୁ ଏଡ଼ି ନପାରି ବାଧ୍ୟ ହୋଇ ତାହା କରିଥାନ୍ତି । ପ୍ରବନ୍ଧ ପତ୍ରିକାରେ ଗ୍ରନ୍ଥସମୀକ୍ଷା ଏକ ଅନ୍ୟତମ ମୁଖ୍ୟଅଙ୍ଗ ହୋଇ ରହିବା ଉଚିତ । ଗ୍ରନ୍ଥର ସମୀକ୍ଷାଗୁଡ଼ିକ ଗୋଟିଏ ଗୋଟିଏ ପ୍ରବନ୍ଧ ପରି ହେବା ଉଚିତ । ‘ଏଷଣା’ ଆପଣାର ଆରମ୍ଭରୁ ହିଁ ସେହି କଥାଟି ଉପରେ ଧ୍ୟାନ ଦେଇ ଆସିଛି । ଆମ ଖବରକାଗଜରେ ଓ ପତ୍ରିକାମାନଙ୍କରେ ଯେଉଁ ଚଟପଟିଆ ଗ୍ରନ୍ଥସମୀକ୍ଷା ବାହାରେ, ତଦ୍ଦ୍ୱାରା ଯାବତୀୟ ସମୀକ୍ଷାର ହୁଏତ ଅବମାନନା ହିଁ କରାଯାଏ । ଜନରବରୁ ଜଣାଯାଏ ଯେ ସୁଚାରୁରୂପେ ନେଇଆଣି ଥୋଇ ଜାଣିବା ଦୃଷ୍ଟିରୁ ଲେଖକମାନଙ୍କୁ ବେଳେବେଳେ ନିଜ ବହିର ସମୀକ୍ଷାକୁ ନିଜେ କେଉଁଠାରୁ ଅଥବା ନିଜଦ୍ୱାରା କରି ଆଣିବାକୁ କୁହାଯାଇଥାଏ । କୋର୍ଣାକ’ର ପ୍ରତ୍ୟେକ ସଂଖ୍ୟାରେ ନୂଆ ନୂଆ ଗ୍ରନ୍ଥର ସମୀକ୍ଷା ବାହାରୁ ଥାଆନ୍ତା-। ସମୀକ୍ଷାଗୁଡ଼ିକର ବି ପୁନଃ ସମୀକ୍ଷା ହେଉଥାନ୍ତା । ଆବଶ୍ୟକ ହେଲେ ଏକ ବହୁମୁଖୀ ବିତର୍କ ଲାଗି ରହିଥାନ୍ତା । ଖାଲି ଓଡ଼ିଆ ବହିମାନଙ୍କର ନୁହେଁ, ବଙ୍ଗଳା, ହିନ୍ଦୀ, ତେଲେଗୁ ଓ ଇଂରାଜୀ ଏକାଧିକ ପୁସ୍ତକର ବି ସମୀକ୍ଷା ହେଉଥାନ୍ତା ।

 

ପାଠକମାନଙ୍କପାଇଁ ଏକ ବିସ୍ତାରିତ ଭୂମି ଏହାଦ୍ୱାରା ଯେ ସମ୍ଭବ ହେଉଥା’ନ୍ତା, ସେକଥାକୁ ଅଧିକ ବୁଝାଇ କହିବାର କୌଣସି ପ୍ରୟୋଜନ ନାହିଁ ଏବଂ ଓଡ଼ିଶାରେ ପ୍ରବନ୍ଧସାହିତ୍ୟ ପ୍ରତି ଏକ ଆବଶ୍ୟକ ରୁଚିକୁ ତିଆରି କରି ଆଣିବାରେ ତାହା ଅନେକ ଦୃଷ୍ଟିରୁ ଏକ ଆଦ୍ୟଭୂମି ହୁଏତ ତିଆରି କରି ନେଇପାରନ୍ତା । ଦକ୍ଷିଣ ଭାରତର ଇଂରାଜୀ ହିନ୍ଦୁ ସମ୍ବାଦପତ୍ରର ସାପ୍ତାହିକ ପୁସ୍ତକସମୀକ୍ଷାରେ ଯଦି ଇଂରାଜୀ ପୁସ୍ତକଗୁଡ଼ିକ ସହିତ ତାମିଲ, ତେଲେଗୁ, ମାଲୟଲମ୍‌ ଓ କନ୍ନଡ଼ ପୁସ୍ତକର ସମୀକ୍ଷା ବାହାରି ପାରୁଛି, ‘କୋର୍ଣାକ’ ପତ୍ରିକାରେ ଓଡ଼ିଆ ବ୍ୟତୀତ ଅନ୍ୟ ଭାଷାରେ ଲିଖିତ ମହତ୍ତ୍ଵପୂର୍ଣ୍ଣ କତିପୟ ପୁସ୍ତକର ସମୀକ୍ଷା ବାହାରି ନପାରିବ କାହିଁକି ? ଗ୍ରନ୍ଥସମୀକ୍ଷା ଆମ ସମସ୍ତଙ୍କୁ ଅଧିକଆଡ଼କୁ ଚକ୍ଷୁ ପ୍ରସାରି ଶିଖାଇବ ଏବଂ ତାହା ପ୍ରବନ୍ଧର ବୃହତ୍ତର କ୍ଷେତ୍ରଟିକୁ ମଧ୍ୟ ଆମକୁ ହାତଧରି ନେଇଯାଇ ପାରିବ ।

 

 

୮୩/ଏ ବାପୁଜୀ ନଗର

ଭୁବନେଶ୍ଵର

 

***

 

ଏକାଡ଼େମୀ ସମାଚାର

 

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ

୬-୧୦-୯୬ ତାରିଖ ପବିତ୍ର କୁମାର ପୂର୍ଣ୍ଣିମା ଶାରଦୀୟ ସଂଧ୍ୟାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ସଭାଗୃହରେ ପୁଣ୍ୟଶ୍ଲୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ପାଳନ କରାଯାଇଥିଲା । ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ସଂକଳିତ ହୋଇ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ନିମନ୍ତ୍ରିତ ବକ୍ତାମାନେ ସେମାନଙ୍କର ମତପୋଷଣ କରିଥି‌ଲେ ।

 

ଉତ୍ସବରେ ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ଵରଞ୍ଜନ ପଣ୍ଡିତ ଗୋଦାବରୀଶଙ୍କୁ ମୂଳତଃ, ଜଣେ ଆଦର୍ଶ ଶିକ୍ଷକ ଭାବରେ ବର୍ଣ୍ଣନା କରି ବନବିଦ୍ୟାଳୟରୁ କାର୍ଯ୍ୟାରମ୍ଭ କରି ସମଗ୍ର ଓଡ଼ିଶାକୁ ଏକ ବିଦ୍ୟାଳୟରେ ପରିଣତ କରିଥିଲେ ବୋଲି ମତ ପ୍ରକାଶ କରିଥି‌ଲେ । ସମ୍ମାନିତ ବକ୍ତା ଗବେଷକ ତଥା ଅଧ୍ୟାପକ ଡକ୍ଟର ହରିହର ମିଶ୍ର ଗୋଦାବରୀଶଙ୍କ ସଂପର୍କରେ ବହୁ ଅନାଲୋଚିତ ତଥ୍ୟ ପ୍ରଦାନ କରି ତାଙ୍କୁ ଜଣେ ନୀତିନିଷ୍ଠ ମହାପୁରୁଷ ଭାବରେ ବର୍ଣ୍ଣନା କରିଥି‌ଲେ । ଆଲୋଚନା - ଚକ୍ରରେ ଅଧ୍ୟକ୍ଷତା କରି ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଗୋଦାବରୀଶଙ୍କ ଜୀବନୀ ଆଲୋଚନା କରି ଉଜ୍ଜ୍ୱଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ସଂକଳିତ ହେଉଛି ବୋଲି ସୂଚନା ଦେଇଥି‌ଲେ । ଉତ୍ସବର ମୁଖ୍ୟ ଅତିଥି‌ ଜିଲ୍ଲାପାଳ ଶ୍ରୀ ସୁରେଶଚନ୍ଦ୍ର ମହାପାତ୍ର ଆଇ.ଏ.ଏସ ବର୍ତ୍ତମାନର ନୈତିକ ଅବକ୍ଷୟ ଯୁଗରେ ଗୋଦାବରୀଶଙ୍କ ପଦଚିହ୍ନକୁ ଅନୁସରଣ କରାଯିବା ଉଚିତ ବୋଲି କହିଥି‌ଲେ । ସତ୍ୟବାଦୀ ବନବିଦ୍ୟାଳୟର ପୁନଃ ଉଦ୍ଧାର ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ପୂଜ୍ୟପୂଜା ନିମନ୍ତେ ଏକାଡ଼େମୀର ଭୂମିକା ସଂପର୍କରେ ସୂଚନା ଦେଇଥିଲେ । ସହକାରୀ ସୂଚନା ଅଧିକାରୀ ଶ୍ରୀ ରକ୍ଷକ ନାୟକ ସ୍ଵାଗତ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ‘ଉଦୟନ’ର ଶିଳ୍ପୀମାନେ ଗୋଦାବରୀଶଙ୍କ ରଚିତ “ତୁଙ୍ଗ ଶିଖରୀ ଚୂଳ” ଦେଶ ବନ୍ଦନା ପରିବେଷଣ କରିଥି‌ଲେ । ପରିଶେଷରେ ସାହିତ୍ୟ ଏକାଡ଼େମୀର ସହସଚିବ ଶ୍ରୀ ମହେନ୍ଦ୍ର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଆଦିବାସୀ ଲୋକକଳା ଓ ସଂସ୍କୃତିର ବିକାଶ ଓ ପ୍ରସାର ଶୀର୍ଷକ କର୍ମଶାଳା

ଓଡ଼ିଶା ସାହିତ୍ୟ ଏକାଡ଼େମୀ ତଥା କେନ୍ଦ୍ରୀୟ ଭାଷା ସଂସ୍ଥାନ, ମହୀଶୂରଙ୍କ ମିଳିତ ଆନୁକୁଲ୍ୟରେ ୪-୧୧-୯୬ ରୁ ୯-୧୧-୯୬ ତାରିଖ ଛ’ ଦିନ ବ୍ୟାପୀ ଭୁବନେଶ୍ୱରସ୍ଥ ପାନ୍ଥନିବାସଠାରେ ‘ଆଦିବାସୀ ଲୋକକଳା ଓ ସଂସ୍କୃତିର ବିକାଶ ଓ ପ୍ରସାର’ ଶୀର୍ଷକ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀ ଲୋକକଳା ଓ ସଂସ୍କୃତିର ଗବେଷଣାରତ ତରୁଣ ଗବେଷକଙ୍କୁ ଲୋକସଂସ୍କୃତି ଚର୍ଚ୍ଚାର ସିଦ୍ଧାନ୍ତ ଓ ପଦ୍ଧତିଗୁଡ଼ିକ ସଂପର୍କରେ ପ୍ରଶିକ୍ଷିତ କରାଇବାର ଆଭିମୁଖ୍ୟନେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନିର୍ବାଚିତ ତିରିଶ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଏହି କର୍ମଶାଳାରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା । ଏହି କର୍ମଶାଳାରେ ଜାତୀୟ ଖ୍ୟାତିସଂପନ୍ନ ପାଞ୍ଚଜଣ ଲୋକସଂସ୍କୃତିବିଦ୍‌ ତଥା ବିଭାଗୀୟ ପ୍ରଫେସର ଜବାହାରଲାଲ ହାଣ୍ଡୁ (ମହୀଶୂର), ଡକ୍ଟର ବି. ଦତ୍ତ(ଗୁଆହାଟୀ), ଡକ୍ଟର ସୁରଜିତ ସିଂହ (ପଞ୍ଜାବ) ଡକ୍ଟର ଆର. ଏସ. ବାଜଓ୍ୱା (ପଞ୍ଜାବ) ଏବଂ ଡକ୍ଟର ଖଗେଶ୍ୱର ମହାପାତ୍ର (ଓଡ଼ିଶା) ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରସ୍ତୁତ କରିଥି‌ଲେ । ଓଡ଼ିଶାର ଏଗାର ଜଣ ଲୋକ-ସଂସ୍କୃତିର ଗବେଷକ ତଥା ସାହିତ୍ୟିକ ଛ’ଦିନ ବ୍ୟାପୀ ଏହି କର୍ମଶାଳାରେ ଓଡ଼ିଆ ଲୋକସଂସ୍କୃତିର ବିଭିନ୍ନ ଦିଗ ସଂପର୍କରେ ଚର୍ଚ୍ଚା କରିଥିଲେ ।

 

ସଂସ୍କୃତିର ଗବେଷଣାରତ ତରୁଣ ଗବେଷକଙ୍କୁ ଲୋକ ସଂସ୍କୃତି ଚର୍ଚ୍ଚାର ସିଦ୍ଧାନ୍ତ ଓ ପଦ୍ଧତିଗୁଡ଼ିକ ସଂପର୍କରେ ପ୍ରଶିକ୍ଷିତ କରାଇବାର ଆଭିମୁଖ୍ୟନେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନିର୍ବାଚିତ ତିରିଶଜଣ ପ୍ରଶିକ୍ଷାର୍ଥୀଙ୍କୁ ଏହି କର୍ମଶାଳାରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା । ଏହି କର୍ମଶାଳାରେ ଜାତୀୟ ଖ୍ୟାତି ସଂପନ୍ନ ପାଞ୍ଚଜଣ ଲୋକ ସଂସ୍କୃତିବିତ୍‌ ତଥା ବିଭାଗୀୟ ପ୍ରଫେସର ଡକ୍ଟର ଜବାହାରଲାଲ ହାଣ୍ତୁ (ମହୀଶୂର), ଡକ୍ଟର ବି.ଦତ୍ତ (ଗୁଆହାଟୀ), ଡକ୍ଟର ସୁରଜିତ ସିଂହ (ପଞ୍ଜାବ), ଡକ୍ଟର ଆର.,ଏସ୍‌. ବାଜଓ୍ୱା (ପଞ୍ଚାବ) ଏବଂ ଡକ୍ଟର ଖଗେଶ୍ୱର ମହାପାତ୍ର (ଓଡ଼ିଶା) ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରସ୍ତୁତ କରିଥି‌ଲେ । ଓଡ଼ିଶାର ଏଗାରଜଣ, ଲୋକସଂସ୍କୃତିର ଗବେଷକ ତଥା ସାହିତ୍ୟିକ ଛ'ଦିନ ବ୍ୟାପୀ ଏହି କର୍ମଶାଳାରେ ଓଡ଼ିଆ ଲୋକ ସଂସ୍କୃତିର ବିଭିନ୍ନଦିଗ ସଂପର୍କରେ ଚର୍ଚ୍ଚା କରିଥିଲେ ।

 

ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଭୂପିନ୍ଦର ସିଂହ ଆଧୁନିକ ମଣିଷର ଜଟିଳ ଜୀବନଯାପନ ପ୍ରଣାଳୀ ସଂପର୍କରେ ସୂଚନା ଦେଇଥିଲେ-। ପ୍ରକୃତିକୁ ଉପାସନା ନକରି ନଷ୍ଟ କରିବାର ପ୍ରୟାସହିଁ ସଭ୍ୟତାକୁ ଧ୍ୱଂସାଭିମୁଖୀ କରିଛି ବୋଲି ସେ ମତ ବ୍ୟକ୍ତ କରିଥିଲେ । ଆଦିବାସୀ ସଂସ୍କୃତିର ମୂଳମନ୍ତ୍ର ହେଉଛି ସତ୍ୟନିଷ୍ଠତା । ଜଣେ ଆଦିବାସୀ କିପରି ସରଳ ଓ ଅନାବିକ ଜୀବନଯାପନ କରେ ତା’ର ପ୍ରତ୍ୟକ୍ଷ ବିବରଣୀ ବର୍ଣ୍ଣନା କରି ଶ୍ରୀ ସିଂହ କହିଲେ ଯେ ଆମେ ଜ୍ଞାନ ଅପେକ୍ଷା ଅନୁଭୂତି ଓ ମସ୍ତିଷ୍କ ଅପେକ୍ଷା ହୃଦୟକୁ ଅଧି‌କ ଗୁରୁତ୍ୱ ଦେବା ଆବଶ୍ୟକ । ସେ ଓଡ଼ିଶାର ଆଦିବାସୀ ଲୋକ-ସଂସ୍କୃତିର ସୁରକ୍ଷା ପାଇଁ ଏକାଡ଼େମୀଟିଏ ଗଠନ କରିବା ସପକ୍ଷରେ ବିଚାର କରିବେ ବୋଲି ମତ ଦେଇଥିଲେ । ଅମୃତସର ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ରଣଜିତ ସିଂହ ବାଜଓ୍ୱାଙ୍କ ‘ବାର୍ଥ ରାଇଟ୍‌ସ ଇନ ପଞ୍ଜାବ’ ପୁସ୍ତକ ଓ ଡକ୍ଟର ମହେନ୍ଦ କୁମାର ମିଶ୍ରଙ୍କଦ୍ୱାରା ଲିଖିତ ‘‘କଳାହାଣ୍ଡିର ଲୋକ ସଂସ୍କୃତି’’ ପୁସ୍ତକର ଉନ୍ମୋଚନ କରିଥିଲେ । ଏହି କର୍ମଶାଳାର ମୁଖ୍ୟବକ୍ତା ଭାବେ ଯୋଗଦେଇ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କବି ଡକ୍ଟର ସୀତାକାନ୍ତ ମହାପାତ୍ର କହିଥି‌ଲେ ଯେ ମାନବ ପ୍ରକୃତି ଓ ଈଶ୍ଵରୀୟ ସତ୍ତାର ଏକ ସୁସଂହତ ରୂପ କେବଳ ଆଦିବାସୀ ସଂସ୍କୃତିରେ ହିଁ ପ୍ରତିଫଳିତ । ଆଦିବାସୀମାନଙ୍କର ସାମାଜିକ, ସାଂସ୍କୃତିକ ଓ ସାହିତ୍ୟର ଅତୁଳନୀୟ ମୌଳିକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

 

ଏହି ଉତ୍ସବରେ କେନ୍ଦ୍ରୀୟ ଭାଷା ସଂସ୍ଥାନ, ମହୀଶୂରର ଲୋକ ସଂସ୍କୃତି ବିଭାଗର ମୁଖ୍ୟ ଡକ୍ଟର ଜବାହାରଲାଲ ହାଣ୍ଡୁ କହିଲେ, ଲୋକ ସଂସ୍କୃତି ଗବେଷଣା କ୍ଷେତ୍ରରେ ପାଶ୍ଚାତ୍ୟ ମାନବ ବିଜ୍ଞାନୀମାନଙ୍କ ଉପନିବେଶବାଦୀ ସିଦ୍ଧାନ୍ତଗୁଡ଼ିକୁ ଜୋର ନଦେଇ ବରଂ ଭାରତୀୟ ଦୃଷ୍ଟିକୋଣରୁ ନିଜ ଅଞ୍ଚଳ, ଭୂମି, ମଣିଷ ଓ ପ୍ରକୃତିକୁ ଚିହ୍ନିବାର ବେଳ ଆସିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଜାତିର ଆଦିବାସୀମାନେ ରହୁଥି‌ଲେ ମଧ୍ୟ ଏଯାଏଁ କୌଣସି ବିଶ୍ଵବିଦ୍ୟାଳୟରେ ଲୋକ ସଂସ୍କୃତି ବିଭାଗ ଖୋଲା ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ ମତ ଦେଇଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ପ୍ରଥମେ ଅତିଥିମାନଙ୍କ ପରିଚୟ ପ୍ରଦାନ କରି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୁଝାଇବା ସହ ବିଲୀନ ହୋଇ ଆସୁଥିବା ବିଭିନ୍ନ ଆଦିବାସୀ ସଂସ୍କୃତିର କିପରି ସୁରକ୍ଷା ହୋଇପାରିବ ସେ ସଂପର୍କରେ ଆଲୋଚନା କରିବା ପାଇଁ ନିବେଦନ କରିଥିଲେ । ଏହି ଉତ୍ସବରେ ସାହିତ୍ୟ ଏକାଡ଼େମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ସଭାପତିତ୍ୱ କରିଥିଲେ । ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଆରମ୍ଭ ହୋଇଥି‌ବା କର୍ମଶାଳାରେ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ସଂଯୋଜକର ଭୂମିକା ଗ୍ରହଣ କରିଥିଲେ ।

 

ଛ’ ଦିନ ବ୍ୟାପୀ ଚାଲିଥି‌ବା ଏ କର୍ମଶାଳାରେ ବିଭିନ୍ନ ଦିନମାନଙ୍କରେ ଅତିଥିମାନଙ୍କ ମନୋରଂଜନ ପାଇଁ ଲଳିତ କଳା ଏକାଡ଼େମୀ, ସଂଗୀତ ନାଟକ ଏକାଡ଼େମୀ ତଥା ପ୍ରଶିକ୍ଷାର୍ଥୀମାନଙ୍କ ତରଫରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥି‌ଲା । ଏତଦ୍‌ବ୍ୟତୀତ ସମସ୍ତ ଅତିଥିମାନଙ୍କୁ ନେଇ ଭୁବନେଶ୍ଵର, କୋଣାର୍କ ଓ ପୁରୀର ଦର୍ଶନୀୟ ସ୍ଥାନମାନଙ୍କୁ ଦେଖାଇବାର ବ୍ୟବସ୍ଥା କରାଯାଇଥି‌ଲା ।

 

ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି‌ ରୂପେ ରାଜ୍ୟ କଲ୍ୟାଣମନ୍ତ୍ରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଉଲାକା ଯୋଗଦାନ କରି ଏହି କର୍ମଶାଳା ମାର୍ଗ ପ୍ରଦର୍ଶକ ରୂପେ କାର୍ଯ୍ୟ କରିଛି ଏବଂ ପ୍ରଶିକ୍ଷାର୍ଥୀମାନେ ଛ’ ଦିନବ୍ୟାପୀ କର୍ମଶାଳାରେ ଆହୁତ ଜ୍ଞାନର ପ୍ରସାର କରିବା ଦିଗରେ ଚେଷ୍ଟିତ ହେବେ ବୋଲି ମତବ୍ୟକ୍ତ କରିଥି‌ଲେ । ଏ ବିଭାଗର ଗବେଷକମାନଙ୍କୁ ଏକାଡ଼େମୀ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଉଲାକା ପ୍ରତିଶ୍ରୁତି ପ୍ରଦାନ କରିଥି‌ଲେ । ଏହି ଉତ୍ସବରେ ଓଡ଼ିଶାର ବହୁ ଲବ୍ଧ ପ୍ରତିଷ୍ଠ ସାହତ୍ୟିକ ସାହିତ୍ୟିକା ଯୋଗାଦାନ କରି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ । ଏହାର ସଫଳତା ପାଇଁ ସର୍ବସାଧାରଣରେ ଉଚ୍ଚପ୍ରଶଂସିତ ହୋଇଥିଲା-

 

ଲେଖକ-ସାକ୍ଷାତକାର କାର୍ଯ୍ୟକ୍ରମ :

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୮-୧୨-୯୬ ଏବଂ ୯-୧୨-୯୬ ତାରିଖ ଦୁଇଦିନ ବ୍ୟାପୀ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାଗୃହରେ ଏକ ସାରସ୍ଵତ ବାର୍ତ୍ତାଳାପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 

ପ୍ରଥମ ଦିବସ ୮-୧୨-୯୬ ତାରିଖ ସଂଧ୍ୟାରେ ସ୍ଥାନୀୟ ପାନ୍ଥନିବାସ କକ୍ଷରେ କେରଳ ସାହିତ୍ୟ ଏକାଡ଼େମୀର ସଭାପତି, ବିଖ୍ୟାତ ଔପନ୍ୟାସିକ, ଜ୍ଞନାପୀଠ ପରୁସ୍କାର ବିଜେତା ତଥା କେରଳର ବିଶିଷ୍ଟ ସମ୍ବାଦପତ୍ର ‘ମାତୃଭୂମି’ର ସଂପାଦକ ଏମ୍‌.ଟି. ବାସୁଦେବନ୍‌ ନାୟାର ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆତିଥ୍ୟ ଗ୍ରହଣ କରିଥିଲେ । ଏହି ଅନ୍ତରଙ୍ଗ ସାରସ୍ଵତ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶ୍ରୀନାୟାର ମତବ୍ୟକ୍ତ କରିଥି‌ଲେ ଯେ ସାହିତ୍ୟ, ଗ୍ରାମୀଣ, ଚିତ୍ରକଳ୍ପ ଶ୍ରଦ୍ଧାବଳୀଦ୍ୱାରା ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ବୋଧଗମ୍ୟ ଓ ସରଳ ହେବା ବାଞ୍ଛନୀୟ । ନିଜର ସିଦ୍ଧି ଓ ସ୍ଵୀକୃତି ମୂଳରେ ସାର୍ବଜନୀନ ଆବେଦକ ରହିଥିବା ଦର୍ଶାଇ ଏହି ସାରସ୍ଵତ ସ୍ରଷ୍ଟା କହିଥି‌ଲେ ସାହିତ୍ୟ ସର୍ବଦା ସାର୍ବଜନୀନ ତଥା ଲୋକାମିମୁଖୀ ହେବା ଆବଶ୍ୟକ ।

 

ଏହି ଅବସରରେ ଦୁଇଟି ସଂସ୍କୃତି ଓ ସାହିତ୍ୟ ସହିତ ସଂପର୍କ ସ୍ଥାପନ ପାଇଁ ଅନୁବାଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତ ବ୍ୟକ୍ତ କରିଥି‌ଲେ । ଶ୍ରୀ ନାୟାର କହିଥି‌ଲେ ଅନୁବାଦ ଏକ ସାଧାରଣ କାର୍ଯ୍ୟ ନୁହେଁ । ଭାଷାର ଭାବକୁ ଅକ୍ଷୂଣ୍ଣ ରଖିବା ପାଇଁ କୌଣସି ଅନୁବାଦିତ ପୁସ୍ତକରୁ ଅନୁବାଦ କରାନଯାଇ ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାକୁ ସିଧା ସଳଖ ଅନୁବାଦ କରିବା ଆବଶ୍ୟକ ବୋଲି ଶ୍ରୀ ନାୟାର ମତବ୍ୟକ୍ତ କରିଥି‌ଲେ ।

 

ଏହି ସାରସ୍ଵତ ବାର୍ତ୍ତାଳାପରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ । ସ୍ଵାଗତ ସମ୍ଭାଷଣ ଓ ଅତିଥି‌ ପରିଚୟ ପ୍ରଦାନ କରିଥି‌ଲେ ଏକାଡ଼େମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ । ଏହି ସାରସ୍ଵତ ଉତ୍ସବରେ ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠ କବି ସାହିତ୍ୟିକ ଓ ସାହିତ୍ୟିକା ଯୋଗାଦାନ କରି ଅନ୍ତରଙ୍ଗ ବାର୍ତ୍ତାଳାପ କରିଥି‌ଲେ । ଏହି ଅବସରରେ ସାହିତ୍ୟ ଏକାଡ଼େମୀ ତରଫରୁ ଶ୍ରୀଯୁକ୍ତ ନାୟାରଙ୍କୁ ଅଙ୍ଗବସ୍ତ୍ର ସ୍ୱରୂପ ଏକ କାଣ୍ଟିଆ ସାଲ ଓ କିଛି ଇଂରାଜୀ ବହି ଓ ଏକ କୋଣାର୍କ ଚକ୍ର ଉପହାର ସ୍ଵରୂପ ପ୍ରଦାନ କରାଯାଇଥିଲା ।

 

ଦ୍ୱିତୀୟ ଦିବସରେ ୯-୧୨-୯୬ ତାରିଖରେ ଅପରାହ୍ନ ୫.୩୦ ଘଟିକାରେ ଯୁକ୍ତରାଷ୍ଟ୍ର ଆମେରିକା ସୂଚନା ସେବା ସଂସ୍ଥାର ନୂଆଦିଲ୍ଲୀସ୍ଥିତ ଇନ୍‌ଫରମେସନ୍‌ ରିସୋରସ ଅଫିସର ହେନେରୀ ମେଣ୍ଡେଲସନ ଏହ ଉତ୍ସବରେ ଯୋଗଦାନ କରି ଓଡ଼ିଶାର ଗ୍ରନ୍ଥାଗାରିକ ତଥା ବିଶିଷ୍ଟ ଲେଖକ/ଲେଖିକାମାନଙ୍କ ସହିତ ଆଲୋଚନା କରିଥିଲେ । ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥି‌ଲେ ଯେ ବର୍ତ୍ତମାନ ଆଧୁନିକଯୁଗରେ ପାଠକସଂଖ୍ୟା ବୃଦ୍ଧି ପାଉଥି‌ବାରୁ ଗ୍ରନ୍ଥାଗାର ଗୁଡ଼ିକ କମ୍ପ୍ୟୁଟରଭିତ୍ତିକ ସେବା ଜନସାଧାରଣଙ୍କୁ ଯୋଗାଇ ଦେବା ଉଚିତ । ଓଡ଼ିଶାର ପାଠାଗାରମାନଙ୍କରେ ଆଧୁନିକ କମ୍ପ୍ୟୁଟର ପ୍ରଣାଳୀ ବ୍ୟବହୃତ ହେଲେ ଏକ ମୌଳିକ ପରିବର୍ତ୍ତନ ଦେଖାଦେବ ବୋଲି ସେ ମତପୋଷଣ କରିଥିଲେ ।

 

ଏହି ଅବସରରେ ସାହିତ୍ୟ ଏକାଡ଼େମୀ ସଚିବ ଶ୍ରୀଯୁକ୍ତ ମେଣ୍ଡେଲସନଙ୍କୁ ଏକାଡ଼େମୀ ପ୍ରକାଶିତ କିଛି ଇଂରାଜୀ ପୁସ୍ତକ ସହ ଏକ କୋଣାର୍କ ଚକ୍ର ଉପହାର ସ୍ଵରୂପ ପ୍ରଦାନ କରିଥଲେ । ପ୍ରତ୍ୟୁତ୍ତରରେ ଶ୍ରୀଯୁକ୍ତ ମେଣ୍ଡେଲସନ୍‌ ମଧ୍ୟ ଏକାଡ଼େମୀଙ୍କୁ ଯୁକ୍ତରାଷ୍ଟ ଆମେରିକାର ପ୍ରକାଶିତ କିଛି ଉପାଦେୟ ଇଂରାଜୀ ପୁସ୍ତକ ପ୍ରଦାନ କରି ଭବିଷ୍ୟତରେ ଆନ୍ତରାଜ୍ୟ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥି‌ଲେ ।

 

ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପଲ୍ଲୀକବି ନନ୍ଦକିଶୋର ଫାଉଣ୍ଡେସନଙ୍କ ମିଳିତ ଆନୁକୂଲ୍ୟରେ ୨୨-୧୨-୯୬ ତାରିଖ ସଂଧ୍ୟା ଛ’ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନାଭବନଠାରେ ଏକ ଭାବଗାମ୍ଭୀର୍ଯ୍ୟ ପୂର୍ଣ୍ଣ ପରିବେଶ ମଧ୍ୟରେ ପଲ୍ଲୀକବି ନନ୍ଦକିଶୋରଙ୍କ ୧୨୧ତମ ଜୟନ୍ତୀ ପାଳନ ଅବସରରେ ଏକ ସାରସ୍ଵତ ଉତ୍ସବର ଆୟୋଜନ କରାଯାଇଥି‌ଲା । ଏକାଡ଼େମୀ ସଭାପତି ଶ୍ରୀ କିଶୋରୀ ଚରଣ ଦାସ ଏଥି‌ରେ ପୌରୋହିତ୍ୟ କରିଥି‌ଲେ।

 

ନନ୍ଦକିଶୋରଙ୍କ ଜୟନ୍ତୀ ଉପଲକ୍ଷେ ବଶିଷ୍ଟ ସାହିତ୍ୟିକ ତଥା ନବ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀ ନବକିଶୋର ଦାସଙ୍କୁ ପଲ୍ଲୀକବି ନନ୍ଦି କିଶୋର ସମ୍ମାନ ୯୬ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀ ଦାସ କହିଲେ ଯେ ନନ୍ଦିକିଶୋରଙ୍କ ପଲ୍ଲୀ ସାହିତ୍ୟ ରାଧାନାଥ କିମ୍ବା ମଧୁସୂଦନଙ୍କ ଲେଖାଦ୍ୱାରା ପ୍ରଭାବିତ ହୋଇ ନଥି‌ଲା । ଏହି ଅବସରରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ଉତ୍କଳ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡକ୍ଟର ବୀରେନ୍ଦ୍ର କୁମାର ନାୟକ କହିଲେ ଯେ ପଲ୍ଲୀକବିତା ରଚନା ଓ ସମାଜ ସଂସ୍କାର ସୂଚକ କାର୍ଯ୍ୟାବଳୀ ନନ୍ଦକିଶୋରଙ୍କ ବହୁ ଆଲୋଚିତ ବ୍ୟକ୍ତିତ୍ୱର ଏକ ଦିଗ । କିନ୍ତୁ ବିପ୍ଲବ ଓ ପ୍ରତିବାଦ ଯେ ତାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଳିଷ୍ଠତମ ଦିଗ ତାହା ପ୍ରତିପାଦନ କରିବାର ପ୍ରଚେଷ୍ଟା ଗବେଷକମାନେ ଏପର୍ଯ୍ୟନ୍ତ କରିନାହାନ୍ତି । ବିଶୁଦ୍ଧ ପଲ୍ଲୀ ପ୍ରାଣତାର ପରିଚୟ ଦେଉଥି‌ବା ତାଙ୍କର ପଲ୍ଲୀକବିତା କେବଳ ଶିଶୁର ମନୋରଞ୍ଜନ କିମ୍ବା ପଲ୍ଲୀଚିତ୍ର ବର୍ଣ୍ଣନା ଲାଗି ଉଦ୍ଦିଷ୍ଟ ନଥିଲା । ଓଡ଼ିଆ ସାହିତ୍ୟରେ ବଙ୍ଗ ସାହିତ୍ୟର ପ୍ରଭାବ ବିରୋଧରେ ଏହା ଥିଲା ତାଙ୍କ ପ୍ରତିବାଦର ଅଭିବ୍ୟକ୍ତି । ନନ୍ଦକିଶୋର ଫାଉଣ୍ଡେସନର ସଭାପତି ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ମିଶ୍ର ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ନନ୍ଦକିଶୋର ରଚନାବଳୀ ପ୍ରକାଶନ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି କହିଥି‌ଲେ ।

 

ପ୍ରାରମ୍ଭିକ ସୂଚନାରେ ଏକାଡ଼େମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ କହିଥିଲେ ଯେ ପଲ୍ଲୀକବି ନନ୍ଦକିଶୋର ଜୟନ୍ତୀ ପାଳନ ଗତ ୧୯୯୨ ମସିହାଠାରୁ ଭୁବନେଶ୍ଵରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପଲ୍ଲୀକବି ନନ୍ଦିକିଶୋର ଫାଉଣ୍ଡେସନର ମିଳିତ ସହଯୋଗିତାରେ ଏକ ଭାବଗାମ୍ଭୀର୍ଯ୍ୟ ଓ ଆତ୍ମୀୟ ପରିବେଶରେ ପାଳିତ ହୋଇ ଆସୁଅଛି । ଏହି ଜୟନ୍ତୀ ପାଳନ ଅବସରରେ ପଲ୍ଲୀକବି ନନ୍ଦିକିଶୋର ଫାଉଣ୍ଡେସନ ପକ୍ଷରୁ ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ପଲ୍ଲୀକବି ନନ୍ଦିକିଶୋର ସାରସ୍ଵତ ସମ୍ମାନ ଓ ବିଶିଷ୍ଟ ଶିକ୍ଷାବିତ୍‌ଙ୍କଦ୍ୱାରା ସ୍ମାରକୀ ବକ୍ତୃତା ପ୍ରଦାନ ଆଦି ସଂପନ୍ନ ହୋଇଆସୁଅଛି ।

 

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

୨୪-୧୨-୯୬ ତାରିଖ ସଂଧ୍ୟା ୫.୩୦ ଘଟିକା ସମୟରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଉତ୍କଳର ବରପୁତ୍ର ପ୍ରଖ୍ୟାତ ଜ୍ୟୋତିର୍ବିତ୍‌ ମହାମହୋପାଧ୍ୟାୟ ସାମନ୍ତଚନ୍ଦ୍ରଶେଖରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଥି‌ଲା । ଏକାଡ଼େମୀର ସଭାପତି ବିଶିଷ୍ଟ କଥାକାର ଶ୍ରୀ କିଶୋରୀ ଚରଣ ଦାସ ଏହି ସଭାରେ ପୌରୋହିତ୍ୟ କରିଥି‌ଲେ ।

 

ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ ସମ୍ମାନିତ ବକ୍ତାଭାବରେ ଯୋଗ ଦେଇ ପଠାଣି ସାମନ୍ତଙ୍କ ସିଦ୍ଧାନ୍ତଦର୍ପଣର ସାହିତ୍ୟିକ ଓ ଗାଣିତିକ ବୈଶିଷ୍ଟ୍ୟ ସଂପର୍କରେ ବହୁ ଶ୍ଳୋକ ଉଦ୍ଧାର କରି ‘ସିଦ୍ଧାନ୍ତ ଦର୍ପଣ’ ଏକ ଅମର କୃତି ଭାବରେ ପ୍ରତିପାଦନ କରିଥିଲେ । କୃତୀ ଲେଖକର ରଚନାକୃତି ହିଁ ତା’ର ଜୀବନ । ସିଦ୍ଧାନ୍ତ-ଦର୍ପଣ ଯେଉଁଦିନ ଯାଏ ଅନୁଶୀଳିତ ହେଉଥି‌ବ ସେଦିନ ଯାଏ ପଠାଣି ସାମନ୍ତ ବଞ୍ଚିରହିଥି‌ବେ । ତେଣୁ ସିଦ୍ଧାନ୍ତଦର୍ପଣର ହିନ୍ଦୀ ଓ ଇଂରାଜୀ ଅନୁବାଦ ପ୍ରକାଶ ପାଇଲେ ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତିଭା ସମଗ୍ର ବିଶ୍ଵରେ ଅମ୍ଳାନ ରହିବ ବୋଲି ସେ ମତ ବ୍ୟକ୍ତ କରିଥି‌ଲେ ।

 

ଉକ୍ତ ସଂଧ୍ୟାର ଅନ୍ୟତମ ସମ୍ମାନିତ ଅତିଥି‌ ଅଧ୍ୟାପକ ରାଜକିଶୋର ମିଶ୍ର ପଠାଣି ସାମନ୍ତଙ୍କ ଜ୍ୟୋତିଷଶାସ୍ତ୍ର ଆଲୋଚନାର ପରମ୍ପରା ଓ ଦୃକ୍‌ଗଣିତ ଶାସ୍ତ୍ର, ସିଦ୍ଧାନ୍ତ ଦର୍ପଣ କିପରି ଗାଣିତିକ ରଚନା ଦୃଷ୍ଟିରୁ ଅତ୍ୟନ୍ତ ନିର୍ଭୁଲ, ତାହା ପ୍ରକାଶ କରିଥିଲେ । ପିଲାଦିନରୁ ନିଜ ଛାଇକୁ ଗୋଡ଼ାଇ ଧରିବାର ଚେଷ୍ଟା ତାଙ୍କୁ ଜଣେ ଅନୁସନ୍ଧିତ୍ସୁ ଗବେଷକରେ ପରିଣତ କରିଥି‌ଲା । ଏକାଡ଼େମୀର ସଭାପତି ଶ୍ରୀ ଦାସ ପଠାଣି ସାମନ୍ତଙ୍କ ସାହିତ୍ୟିକ ପ୍ରତିଭାକୁ ସ୍ଵୀକାର କରି ତା’ର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ପଠାଣି ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣର ଇଂରାଜୀ ଅନୁବାଦ ଶୀଘ୍ର ପ୍ରକାଶ ପାଇବା ଉଚିତ ବୋଲି ମତ ଦେଇଥି‌ଲେ।

 

ଏକାଡ଼େମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ତାଙ୍କ ପ୍ରାରମ୍ଭିକ ସୂଚନାରେ କହିଥି‌ଲେ ଯେ ଉତ୍କଳର ବରପୁତ୍ର ପ୍ରଖ୍ୟାତ ଜ୍ୟୋତିର୍ବିତ୍‌ ମହାମହୋପାଧ୍ୟାୟ ସାମନ୍ତଚନ୍ଦ୍ରଶେଖର ଜଣେ ବିସ୍ମୟ କର ପ୍ରତିଭା । ଯେଉଁ ସମୟରେ ଦୂରବୀକ୍ଷଣ ଯନ୍ତ୍ର ଏକ ଦିବାସ୍ଵପ୍ନ, ସେ ସମୟରେ ବାଉଁଶନଳୀ ସାହାଯ୍ୟରେ ସୁଦୂର ଗ୍ରହ-ନକ୍ଷତ୍ରାବଳୀର ଆକାର ଓ ଅବସ୍ଥତି ସଂପର୍କରେ ସଠିକ୍‌ ତଥ୍ୟ ପ୍ରଦାନ କରି ସମଗ୍ର ବିଶ୍ଵବାସୀଙ୍କୁ ସେ ସ୍ତମ୍ଭୀଭୂତ କରି ଦେଇଛନ୍ତି । ଏହି ଅଲୌକିକ ପୁରୁଷଙ୍କ ସିଦ୍ଧାନ୍ତମାନ ତାଙ୍କର ସିଦ୍ଧାନ୍ତ ଦର୍ପଣ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି ଏବଂ ତାଙ୍କୁ କାଳକାଳକୁ ଅମରତ୍ୱ ପ୍ରଦାନ କରିଛି । କବିବର ରାଧାନାଥ ତାଙ୍କ ‘ଦରବାର’ କାବ୍ୟରେ ସାମନ୍ତଙ୍କ ପ୍ରତିଭା ଓ କୃତିର ଭୂୟସୀ ପ୍ରଶଂସା କରିଛନ୍ତି । ସିଦ୍ଧାନ୍ତ ଦର୍ପଣ ସଂପର୍କରେ ସେ ଲେଖିଛନ୍ତି :-

 

ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,

ନର ଦେହେ ଥି‌ବ ଯାବତ ହୃଦୟ

 

ଉତ୍କଳର ଗର୍ବ ଓ ଗୌରବ ସେହି ବରଣ୍ୟେ ଯୁଗ ପୁରୁଷ ଆମର ଚିର ବନ୍ଦନୀୟ ଓ ଚିର ସ୍ମରଣୀୟ । ସଭାଶେଷରେ ଏକାଡ଼େମୀର ସହସଚିବ ଶ୍ରୀ ମହେନ୍ଦ୍ରକୁମାର ଛୁଆଳସିଂହ ଅତିଥି‌ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।